Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀ କାହିଁକି ଚୁପ୍?: ସିଏଏ ଉପରେ ଅମିତ ଶାହାଙ୍କ ବିବୃତ୍ତିକୁ ନେଇ କେରଳ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆଜି ପୁଣି ଥରେ ଦୋହରାଇଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ (CAA) କେରଳରେ କାର୍ଯ୍ୟକାରୀ ହେବ ନାହିଁ। କେବଳ ଏତିକି ନୁହେଁ, ସେ ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବିଜୟନଙ୍କ ଦଳ INDIA ମେଣ୍ଟରେ କଂଗ୍ରେସର ସହଯୋଗୀ। ଏହା ସତ୍ତ୍ୱେ CAA ଉପରେ କଂଗ୍ରେସର ଆଭିମୁଖ୍ୟକୁ ବିଜୟନ ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି? ବିଜୟ କହିଛନ୍ତି ଯେ, କେରଳ CAA ପ୍ରସଙ୍ଗରେ ନତମସ୍ତକ ହେବ ନାହିଁ କିମ୍ବା ଚୁପ୍ ରହିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ବିଜୟନଙ୍କ ପ୍ରତିକ୍ରିୟା ଆସିଛି ଯେଉଁଥିରେ ସେ କହିଥିଲେ ଯେ ନାଗରିକତା କେନ୍ଦ୍ରର ବିଷୟ ହୋଇଥିବାରୁ CAA ଲାଗୁ କରିବାକୁ ରାଜ୍ୟମାନଙ୍କର କୌଣସି ବିକଳ୍ପ ନାହିଁ।

କଂଗ୍ରେସ ନେତୃତ୍ୱାଧୀନ UDF ଆଜି କହିଛି ଯେ, ବିଜୟନ ଭାରତର ଲୋକଙ୍କୁ ବୋକା ବନାଉଛନ୍ତି। କାରଣ ଏହା ଭାରତର ସବୁ ସ୍ଥାନରେ ପ୍ରଯୁଜ୍ୟ ହେବ। କଂଗ୍ରେସକୁ CAA ବିରୋଧରେ ମିଳିତ ମୋର୍ଚ୍ଚାରୁ ଓହରିଥିବାର ବିଜୟନ ଅଭିଯୋଗ କରିଛନ୍ତି। ବିଜୟନ କହିଛନ୍ତି ଯେ, CAA ଭାରତର ବିଚାର ପାଇଁ ଏକ ଆହ୍ଵାନ ଏବଂ ଧାର୍ମିକ ଭେଦଭାବକୁ ପ୍ରୋତ୍ସାହିତ କରୁଛି।