Categories
ବିଶେଷ ଖବର

ବିଧାୟକ ଓ ପୋଲିସ ଅଧିକାରୀ ଯୋଡିଙ୍କର ଅବାଞ୍ଛିତ ରାତ୍ରି ଭ୍ରମଣ; ନବୀନ ସରକାରରେ ଏହା କେତେ ଦୂର ଗ୍ରହଣୀୟ? 

ସମୀକ୍ଷା ବ୍ୟୁରୋ  

କୋଡିଏ ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ଆସ୍ଥା ଭାଜନ ହେବା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି, ସେଥିରୁ ସବୁଠୁ ବଡ କାରଣ ଟି ହେଉଛି, ପୋଲିସ ଓ ରାଜନେତାଙ୍କ ସମ୍ପର୍କର ଦୂରତାଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ସରକାର ରାଜ୍ୟର ଥାନାଗୁଡିକୁ ରାଜନୀତିର କେନ୍ଦ୍ରସ୍ଥଳ କରିଥିବାର ଅଭିଯୋଗ ହେତୁ, ଜାନକୀ ବାବୁ ପରବର୍ତ୍ତୀ ସମୟରେ ବେଶ ଅପ୍ରିୟ ହୋଇଥିଲେ। ୨୦୦୦ ମସିହାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ, ରାଜନେତାମାନଙ୍କର ଥାନା ଉପରେ ଯେମିତି ପ୍ରତ୍ୟକ୍ଷ ପ୍ରଭାବ ନରହେ, ତାହା ନିଶ୍ଚିତ କରିଥିଲେ। ଆପାତତଃ ଗତ ୨୦ ବର୍ଷ ଭିତରେ ଥାନା ଅଧିକାରୀ ଓ ରାଜନେତାମାନଙ୍କର ସମ୍ପର୍କ ଉପରକୁ ଦେଖାଯାଉ ନାହିଁଯଦିଓ ରାଜନେତା ଓ ଥାନା ଅଧିକାରୀମାନଙ୍କର ଭିତିରିଆ ସଂପର୍କକୁ ନେଇ ଅନେକ ପ୍ରମାଣ ରହିଛି, ତଥାପି ନବୀନ ବାବୁଙ୍କ ଭୟରେ ହେଉ ବା ଉପର ସ୍ତରରେ ସୁରକ୍ଷା ନମିଳିବା କାରଣରୁ ହେଉ, ବିଜେଡି ରାଜନେତାମାନେ ପ୍ରତ୍ୟକ୍ଷ ଭାବରେ ଥାନା ମାମଲାରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁସାଧାରଣ ଲୋକେ ଏହାକୁ ନବୀନ ସରକାରର ଏକ ସକାରାତ୍ମକ ଉପଲବ୍ଧି ବୋଲି ବିଚାର କରିଥାନ୍ତି

ତେବେ ଗତ ବୁଧବାର ରାତିରେ ରାଜଧାନୀ ଭୁବନେଶ୍ବରରେ ଏମିତି କିଛି ଦୃଶ୍ୟ ଆମେ ଦେଖିଲୁ, ଯାହାକି ନବୀନ ଶାସନରେ ଏକ ବିରଳ ଘଟନା ଥିଲା। ରାତି ପ୍ରାୟ ଗୋଟାଏ ବେଳେ ରାଜଧାନୀ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହିତ ରାଜ୍ୟ ସରକାରଙ୍କର ଜନୈକ ବରିଷ୍ଠ ପୁଲିସ ଅଧିକାରୀ ଏକ ଆପାର୍ଟମେଣ୍ଟରେ ପହଞ୍ଚି କବାଟ ବାଡଉଥିବାର ଦୃଶ୍ୟ ଆମେ ଦେଖିଛୁଅନନ୍ତ ସେହି ଘରର ମାଲିକ, ଯିଏକି ଦୁଇ ଦିନ ତଳେ କିଛି ଗୁଣ୍ଡାଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ, ତାଙ୍କୁ ସାନ୍ତ୍ଵନା ଦେବାକୁ ଯାଇଥିଲେ ବୋଲି କହିଛନ୍ତି। ତେବେ ରାଜଧାନୀର ମେୟର ରହିଥିବା ଓ ଆଜି ବିଧାୟକ ଦାୟିତ୍ଵ ତୁଲାଉଥିବା ଅନନ୍ତ ଜେନା ରାତି ଗୋଟାଏ ବେଳେ ସାନ୍ତ୍ଵନା ଦେବାକୁ ଜଣକ ଘରକୁ ଯିବା, ଅନୈତିକ ନୁହଁ କି? ଜଣେ ବ୍ୟକ୍ତିଙ୍କ ଉପରେ ବିନା କାରଣରେ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ଓ ସେହି ଗୁଣ୍ଡାମାନଙ୍କୁ ଆମ ପୁଲିସର ପାରିବାପାଣିଆଁ ଯୋଗୁଁ ରାତାରାତି ଜାମିନ ମିଳିଯାଉଛି- ସେହି ପରିସ୍ଥିତିରେ ସେ ବ୍ୟକ୍ତି ଭୟଭୀତ ରହିବା ସ୍ଵାଭାବିକଏକ ପୀଡିତ ପରିବାରକୁ ରାତି ଗୋଟାଏରେ ସାନ୍ତ୍ଵନା ଦେବା କଥା ବିଧାୟକଙ୍କ ଉର୍ବର ମସ୍ତିଷ୍କକୁ ଆସିଲା କେମିତି?

ତେବେ ବିଧାୟକ ଓ ରାଜନେତା ହିସାବରେ ଶ୍ରୀ ଅନନ୍ତ ଜେନା ନିଜ ସମୟ ଦେଖି ସେଠି ପହଞ୍ଚିଥିଲେ ବୋଲି ଆମେ ଯଦି ଗ୍ରହଣ କରିନେବା, ତଥାପି ଗୋଟେ ବଡ ପ୍ରଶ୍ନ ର ଉତ୍ତର ମିଳିବ ନାହିଁ। ବିଧାୟକଙ୍କ ସହିତ ରାଜଧାନୀ ପୁଲିସରେ ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିବା ଜଣେ ଅଧିକାରୀ ସେଠିକି ଯାଇଥିଲେ କାହିଁକି? ପୁଲିସ ଅଧିକାରୀ ଓ ରାଜନେତାଙ୍କ ଭିତରେ ରାତ୍ରି ଭ୍ରମଣର ଏହି ଆନ୍ତରିକତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛିବିଧାୟକଙ୍କ ସାନ୍ତ୍ଵନା ଦେବା ସହିତ ପୁଲିସ ଅଧିକାରୀଙ୍କର କାମ କଣ? ସେ କଣ ଅନନ୍ତ ଜେନାଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିଲେ କି? ରାଜନେତା ଓ ପୁଲିସ ଅଧିକାରୀଙ୍କର ଏ ପ୍ରକାର ଖୋଲାମେଲା ସମ୍ପର୍କ ଅନେକ ଅପ୍ରିୟ ସନ୍ଦେହ ସୃଷ୍ଟି କରୁଛି

ରାଜ୍ୟରେ ପୁଲିସ ପ୍ରଶାସନ ଉପରେ ଶାସକ ଦଳର ଚାପ ବିଶେଷ ପଡୁନାହିଁ ବୋଲି ଯେଉଁମାନେ ବିଶ୍ଵାସ କରୁଥିଲେ, ସେମାନଙ୍କ ପାଇଁ ବିଧାୟକ ଶ୍ରୀ ଜେନା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ବନ୍ଧୁତ୍ବପୂର୍ଣ୍ଣ ରାତ୍ରି ଭ୍ରମଣ ଅନେକଟା ଅସ୍ଵାଭାବିକ ମନେ ହେଉଛି। ରାଜଧାନୀର ବିଧାୟକ ଭାବରେ ଅନନ୍ତ ନାରାୟଣ ଜେନା ଏ ପ୍ରକାର ଦାୟିତ୍ଵହୀନ ଆଚରଣ ଦେଖାଇବା, ଅନେକଙ୍କୁ ଚକିତ କରିଛି। ସରକାରୀ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ରାଜନୈତିକ ଚାପରୁ ମୁକ୍ତ ରଖିବାକୁ ନବୀନ ସରକାର ବଦ୍ଧ ପରିକର ବୋଲି କୁହାଯାଉଛି। ହେଲେ ରାଜଧାନୀର ଏହି ଘଟନା ସରକାରର ସ୍ଵଚ୍ଛତା ଓ ଉଦ୍ଦେଶ୍ୟ ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇଛି।

ପୁଲିସ ବାବୁ ଓ ବିଧାୟକଙ୍କ ବନ୍ଧୁତ୍ଵ ଯଦି ବ୍ୟକ୍ତିଗତ, ସେଥିରେ କାହାର କିଛି କହିବାର ନାହିଁ। ହେଲେ ରାତି ଅଧିଆ ଜଣେ ପୀଡିତ ଓ ଭୟରେ ଥିବା ପରିବାର ପାଖକୁ ଏ ଦୁହେଁ ପହଞ୍ଚିବା, ଆଦୌ ସ୍ଵାଭାବିକ ଲାଗୁନାହିଁ। ବିଜେଡି ବିଧାୟକମାନେ ଆଇନ ବିରୋଧରେ ଗଲେ ବା ଅନୈତିକ ଆଚରଣ ପ୍ରଦର୍ଶନ କଲେ ନବୀନ ପଟ୍ଟନାୟକ ଚୁପ ରହିନାହାନ୍ତିନବୀନ ବାବୁ ନିର୍ବାଚନ ପରେ ପରେ ପାଟଣାଗଡ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଜେଲ ପଠାଇବାକୁ କୁଣ୍ଠିତ ହୋଇନଥିଲେ। ସେହି ମାପଦଣ୍ଡରେ ରାତି ଅଧିଆ ଅକାରଣରେ  ପୁଲିସ ଅଧିକାରୀ ଓ ବିଧାୟକଙ୍କ ଯୋଡି  ଜଣେ ସାଧାରଣ ନାଗରିକଙ୍କ ଘରେ ପହଞ୍ଚିବାର ଅନୈତିକ ଆଚରଣ ପାଇଁ ଉତ୍ତରଦାୟୀ ରହିବେ ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁଲିସ ବାବୁ ଓ ବିଧାୟକଙ୍କ ପ୍ରତି କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବେ କି?     

Categories
ଆଞ୍ଚଳିକ ରାଜ୍ୟ ଖବର

50 ଗ୍ରାମ୍‌ ବ୍ରାଉନ୍‌ ସୁଗାର ସହିତ ଜଣେ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲାରୁ ପୁନର୍ବାର ବ୍ରାଉନସୁଗାର ଜବତ କରାଯାଇଛି । ଜଳେଶ୍ୱରସ୍ଥିତ ଶେଖବାଡରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ୍‌ 50 ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ଘର ଶେଖବାଡ଼ ଅଞ୍ଚଳରେ ବୋଲି ଜଣାପଡିଛି । ଭୋର ସାଢ଼େ ଚାରିଟା ବେଳେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ 5 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

କୋର୍ଟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା : 4 ପୋଲିସ୍‌ ଅଧିକାରୀ ନିଲମ୍ବିତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମଣିପୁରୀରେ ଏକ କୋର୍ଟରେ ଜନୈକ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି । ସୋମବାର ଘଟିଥିବା ଏହି ଘଟଣା ପାଇଁ 4 ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ନିଜ ପରିବାରର ତିନି ଜଣଙ୍କୁ ହତ୍ୟା ମାମଲାରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେଉଥିବା ଅଭିଯୁକ୍ତ ପୋଲିସ୍‌ ବନ୍ଧୁକ ଛଡାଇ ନିଜକୁ ଗୁଳି ମାରିଥିଲେ । ସୋମବାର ଅପରାହ୍ନ 3ଟାରେ ମଣିପୁରୀ କୋର୍ଟରେ ଏହି ଘଟଣା ଘଟିଥିଲା । ନିଜ ପିତା, ସାବତ ମା, ଏବଂ ନାବାଳକ ସାବତ ଭାଇକୁ ହତ୍ୟା କରିବା ମାମଲାରେ ମନୀଷ ଯାଦବ 2012ରୁ ଜେଲ୍‌ରେ ରହିଛନ୍ତି । କୋର୍ଟ ମଧ୍ୟରେ ଅଭିଯୁକ୍ତଙ୍କ ହାତକୁ ହତିଆର ଆସିବା କାରଣରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଣେ ଇନ୍ସପେକ୍ଟର ଏବଂ ତିନି ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି । (ଏଜେନ୍ସୀ)

Categories
ଆଞ୍ଚଳିକ ରାଜ୍ୟ ଖବର

ସୂଚନା ଅଧିକାରୀ କର୍ମୀ ହତ୍ୟା ମାମଲା : 5 ଅଭିଯୁକ୍ତ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,29/12 : ବାଲିଗୁଡା ଥାନା ପାତ୍ର ସାହିରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ୍‌ 5 ଜଣଙ୍କୁ ଗିରଫ କରିଛି । ଗିରଫ 5 ଜଣଙ୍କ ମଧ୍ୟରେ ଦୁଇ ଜଣ ସୁପାରି କିଲର୍‌ ରହିଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, 3ଟି ଗୁଳି ଏବଂ 6ଟି ମୋବାଇଲ ଜବତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 10 ତାରିଖରେ 2 ଜଣ ଦୁର୍ବୃତ୍ତ ଅଭିମନ୍ୟୁଙ୍କୁ ଘରୁ ଡାକି ନେଇ ଗୁଳି ମାରି ହତ୍ୟା କରିଥିଲେ ।

Categories
ଆଞ୍ଚଳିକ

ବାଣପୁରରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର : ଦୁଇ ଦିନରେ ୩ ମଦ ବେପାରୀ ଗିରଫ

ବାଣପୁର, ୨୪/୧୧: (ସମୀକ୍ଷା ବ୍ୟୁରୋ) ବାଣପୁରରେ ଏବେ ବେଆଇନ ମଦ କାରବାରରେ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ଭିତରେ ତିନିଜ ଜଣ ବେଆଇନ ମଦ ବେପାରୀ ଗିରଫ ହୋଇଛନ୍ତି। ଏହି ମାମଲରେ ଆଜି ଏଏସଆଇ ବସନ୍ତ ପଟ୍ଟନାୟକ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଶ୍ବନାଥ ସ୍ବାଇଁ। ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଭଗବତୀ ମନ୍ଦିର ପଛପଟେ ନିଜ ଘରେ ଭିତରେ ଏହି କାରବାର ଚାଲୁ ରଖିଥିଲେ। ତାଙ୍କ ନିକଟରୁ ୧୭ ଲିଟର ଆସ୍କା୪୦ ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୋଲିସ୍‌ ୩୨୭/୧୯ କେସ୍‌ ନମ୍ବରରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ଗମ୍ଭାରୀମୁଣ୍ଡା ବଜାରରେ ଥିବା ଏକ ଦୋକାନରୁ ଜଣେ ବେଆଇନ ମଦ ବିକ୍ରେତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶରତ ଚନ୍ଦ୍ର ବରାଳ। ଏଏସଆଇ ମୁରଲୀଧର ବଳିଆର ସିଂହ ସମ୍ପୃକ୍ତ ବ୍ୟକ୍ତି ନାମରେ ୩୨୯/୧୯ କେସ ନମ୍ବରରେ ମାମଲା ରୁଜୁ କରି ଗିରଫ କରିଛନ୍ତି। ସେହିପରି ନାଚୁଣୀ ଗଙ୍ଗାଧରପୁର ଷ୍ଟେସନ ପଛପଟରୁ ୪.୮ ଲିଟର ଆସ୍କା୪୦ ଜବତ ହୋଇଛି। ଏହି ମାମଲାରେ ଛୋଟରାୟପୁର ଗ୍ରାମର ୨୫ ବର୍ଷୀୟ ଶିବ ପ୍ରଧାନଙ୍କୁ ଏଏସ୍‌ଆଇ ହାଡ଼ିବନ୍ଧୁ ନାୟକ ଗିରଫ କରି ୩୨୮/୧୯ କେସନମ୍ବରରେ ମାମଲା ରୁଜୁ କରିଛନ୍ତି।

ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଭାବରେ ବାଣପୁର ପ୍ରସିଦ୍ଧି ଲାଭ କରିଥିବାବେଳେ ସେଠାରେ ବେଆଇନ ମଦ କାରବାର ବୃଦ୍ଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଜିର ଖବର

ନିଶା ବେପାର ଅଭିଯୋଗ : କନେଷ୍ଟବଳ ନିଲମ୍ବିତ

ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।

Categories
ଆଜିର ଖବର

ଆଇଏସ୍‌ ଲିଙ୍କ ଥିବା ୧୪୦ ଜଣଙ୍କ ସନ୍ଧାନ କରୁଛି ପୋଲିସ୍‌ : ସିରିସେନା

ନିକଟରେ ରବିବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨୫୩ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍‌ ଅନ୍ୟୁନ ୫୮ ଜଣଙ୍କୁ ଗିରଫ କରି ସାରିଛି। ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ଏହି ଆକ୍ରମଣଳରେ ଆଇଏସ୍‌ ଲିଙ୍କ ରହିଥିବାର ସୂଚନା ମିଳିଥିବା ବେଳେ ଆଇଏସ୍‌ ଲିଙ୍କ ଥିବା ୧୪୦ ଜଣ ଅପରାଧୀଙ୍କ ସନ୍ଧାନରେ ରହିଛି ଶ୍ରୀଲଙ୍କା ପୋଲିସ୍‌। ସିରିସେନାଙ୍କ ସୂଚନା ଅନୁଯାୟୀ ୨୦୧୩ରୁ ଶ୍ରୀଲଙ୍କାର ଯୁବଗୋଷ୍ଠୀ ଆଇଏସ୍‌ ଆତଙ୍କୀଙ୍କ ସହିତ ସମ୍ପର୍କ ରଖିଛନ୍ତି। ଏନେଇ ଏବଂ ରବିବାର ସଙ୍ଗଠିତ ହୋଇଥିବା ଆକ୍ରମଣ ନେଇ ପୋଲିସ ଏବଂ ପ୍ରତିରକ୍ଷା ସଚିବଙ୍କ ନିକଟରେ ଗୁଇନ୍ଦା ତଥ୍ୟ ରହିଥିବା ବେଳେ ଉଭୟ ଏହାକୁ ଲୁଚାଇ ଥିବାରୁ ଉଭୟଙ୍କୁ ବହିଷ୍କାର କରାଯାଇଛି। ପୂର୍ବରୁ ଏହି ଆକ୍ରମଣରେ ୩୫୯ ପ୍ରାଣହାନିର ସୂଚନା ଦିଆଯାଇଥିବା ବେଳେ ଆଜି ପୁନର୍ବାର ଗଣନା ପରେ ଏହି ସଂଖ୍ୟା ୨୫୩ ବୋଲି କୁହାଯାଇଛି।

Categories
ଆଜିର ଖବର

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ: ଲଣ୍ଡନରେ ୪୦୦ ଗିରଫ

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍‌ଙ୍କୁ ପୋଲିସ୍‌ ରିମାଣ୍ଡରେ ନେଇଥିଲା। ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ। ଏମାନେ ଏକ କାନାରି ହ୍ବାର୍ଫ ଷ୍ଟେସନ୍‌ରେ ଟ୍ରେନ୍‌ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ଗିରଫ କରିଥିଲା। ଏମାନଙ୍କୁ ହାଇବରୀ କର୍ଣ୍ଣର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପେଶ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତା ତାରିଖ ମେ ୧୬ ପର୍ଯ୍ୟନ୍ତ ସେମାନେ ଜେଲ୍‌ରେ ରହିବେ ବୋଲି ଜଣାପଡିଛି। ଏହା ବ୍ୟତିତ ଗିରଫ ଅନ୍ୟାନ୍ୟ ୪୦୦ ଜଣଙ୍କୁ ମେଟ୍ରୋପଲିଟାନ୍‌ ପୋଲିସ୍‌ ସର୍ଭିସ୍‌ରେ ରଖାଯାଇଛି। ଲଣ୍ଡନରେ ଏକତ୍ର ଛିଡାହୋଇ ପ୍ରତିବାଦ କରିବା ଅପରାଧ ଅଟେ। ତେଣୁ ପୋଲିସ୍‌ ତରଫରୁ କୁହାଯାଇଛି, ପରିବେଶ ବିତ୍‌ ମାନେ ପ୍ରତିବାଦ କରିବାକୁ ଚାହିଁଲେ ମାର୍ବଲ ଆର୍ଚ୍ଚ ଯଶଇ ପ୍ରତିବାଦ କରିପାରିବେ। ମାତ୍ର ସର୍ବ ସାଧାରଣ ସ୍ଥାନରେ ପୁନର୍ବାର ପ୍ରତିବାଦ କଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ଆଜିର ଖବର

ରାଜଧାନୀର ସରକାରୀ କ୍ୱାଟର୍ସରୁ ବନ୍ଧୁକ କାରଖାନା ଠାବ

ରାଜଧାନୀର ଏକ ସରକାରୀ କ୍ବାର୍ଟର୍ସରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା। କମିଶନରେଟ ପୁଲିସ ଏହି କାରଖାନାକୁ ଠାବ କରିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ଜଣେ କର୍ମଚାରୀ ଉକ୍ତ କ୍ବାର୍ଟର୍ସରେ ରହୁଥିଲେ। ଖବର ପାଇ ପୁଲିସ ଚଢ଼ାଉ କରିଥିଲା। କ୍ବାର୍ଟର୍ସରୁ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବନ୍ଧୁକ ତିଆରି ପାଇଁ ଦରକାର ପଡ଼ୁଥିବା ସରଞ୍ଜାମ, ବିପୁଳ ପରିମାଣରେ ବାରୁଦ ଓ ଗୁଳି ପୁଲିସ ଜବତ କରିଛି।

Categories
ଆଜିର ଖବର

କୋଏମ୍ବାଟୁରରୁ ୧୪୬ କିଲୋ ସୁନା ଜବତ

କୋଏମ୍ବାଟୁରରେ ଶୁକ୍ରବାର ନିର୍ବାଚନ ଆୟୋଗର କାର୍ଯ୍ୟାନୁଷ୍ଠାନ ବଳରେ ଏକ ଭ୍ୟାନରୁ ୧୪୬ କିଲୋ ସୁନା ଜବତ ହୋଇଛି। ନିର୍ବାଚନ କମିଶନଙ୍କ ଟିମକୁ ସୂଚନା ମିଳିବା ପରେ ଟିମ ଅଚାନକ ଚଢ଼ାଉ କରିଥିଲେ। ଜବତ ହୋଇଥିବା ସୁନା ପୁଲିକୁଲମ ଦେଇ ଯାଉଥିଲା। ଚାଲାଣକାରୀଙ୍କ ପାଖରେ ଉପଯୁକ୍ତ ପ୍ରମାଣପତ୍ର ନଥିଲା। ୪ ଦିନ ପରେ ଦେଶରେ ସପ୍ତଦଶ ସାଧାରଣ ନିର୍ବାଚନ ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ ଆୟୋଗ ବ୍ୟାପକ ପ୍ରସ୍ତୁତି କରିସାରିଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ମତଦାନ କରିବା ପାଇଁ ନିର୍ବାଚନ ଆୟୋଗ ଅଧିକ ତତ୍ପରତା ଦେଖାଯାଉଛନ୍ତି। ନିକଟରେ ପେରାମାବାଲୁରରେ ଭିସିକେ ପାର୍ଟିର ପୂର୍ବତନ ସଚିବଙ୍କ ଗାଡିରୁ ୨.୧୦ କୋଟି ଟଙ୍କା ଜବତ କରିଥିଲେ। ସେହିପରି ମଙ୍ଗଳବାର ରାମନାଥପୁରମରୁ ୬ଲକ୍ଷ ୬୫ହଜାର ଟଙ୍କା ଏକ ଗାଡିରୁ ଜବତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମତଦାନ ଏପ୍ରିଲ ୧୧ରେ ହେଉଥିବା ବେଳେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ମେ’ ମାସ ୧୯ରେ ହେବ। ମେ’ ୨୩ରେ ମତଦାନ ଫଳାଫଳ ପ୍ରକାଶ ପାଇବ।

Categories
ଆଜିର ଖବର

ନେତାଙ୍କ ରାଲି ପାଇଁ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇଲେ : ସ୍କୁଲ ବିରୋଧରେ ମାମଲା

ନେତାଙ୍କ ସ୍ବାଗତ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇବା କାରଣରୁ ସ୍କୁଲ ଅଧିକାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। କରୀମନଗରରେ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟୀ ରାମାରାଓଙ୍କୁ ସ୍ୱାଗତ କରିବା ପାଇଁ ଶହେରୁ ଅଧିକ ସ୍କୁଲ ପିଲାଙ୍କୁ ଖରାରେ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଛିଡା କରାଯାଇଥିବା ଅଭିଯୋଗରେ ପୋଲିସ ଏକ ପ୍ରାଇଭେଟ ସ୍କୁଲ ବିରୋଧରେ ମାମଲା ରୁଜୁ କରିଛି। ଛାତ୍ର-ଛାତ୍ରୀଙ୍କ ହାତରେ ପୋଷ୍ଟର-ବ୍ୟାନର ଦେଇ ଟିଆରଏସର ରାଲିକୁ ନିଆଯାଇଥିଲା। ଶିଶୁ ଅଧିକାର ସହ ଜଡିତ ଥିବା ଏକ ବେସରକାରୀ ସଂଗଠନର ଅଭିଯୋଗ ପରେ କରୀମନଗର ବନ ଟାଉନ ପୋଲିସ ସ୍କୁଲ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ତରୀଣ ତଦନ୍ତ ପରେ ପୋଲିସ କିଶୋର ନ୍ୟାୟ ଧାରା ୭୫ ଅନୁସାରେ ମାମଲା ରୁଜୁ କରିଛି। ରାଲିରେ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବାର ମାମଲା ରୁଜୁ କରାଯାଇଛି। ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଟିଆରଏସ ନେତାଙ୍କ ସ୍ୱାଗତ ପାଇଁ  ଶହେରୁ ଅଧିକ ପିଲାଙ୍କୁ ପୋଷ୍ଟର ବ୍ୟାନେର ସହ ସକାଳ ୧୧ ଟାରୁ ଆରମ୍ଭ କରି ଅପରାହ୍ନ ୨ ପର୍ଯ୍ୟନ୍ତ ଟାଣ ଖରାରେ ଛିଡା କରାଯାଇଥିଲା। ଏହି ସମୟରେ ପିଲାମାନଙ୍କୁ ଖାଇବା ଏବଂ ପିଇବା ପାଇଁ ମଧ୍ୟ ଦିଆଯାଇନଥିଲା।

Categories
ଆଜିର ଖବର

ପୋଲିସ୍‌ ଭୂମିକାରେ ନଜର ଆସିବେ କରୀନା କପୁର୍‌ ଖାନ୍‌

ନିଜର ୧୯ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କରୀନା କପୁର ଖାନ୍। ତୈମୁର୍‌ ଜନ୍ମହେବା ପରେ ଫିଲ୍ମ ଦୁନିଆରୁ କିଛିଦିନ ହେବ ଦୂରେଇ ରହିଥିଲେ। ତେବେ କରୀନା ଖୁବଶୀଘ୍ର ଇରଫାନ ଖାନଙ୍କ ସହ ‘ହିନ୍ଦୀ ମିଡିୟମ୍-୨’ରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। କରୀନାଙ୍କୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିବା ଜଣାପଡ଼ିଛି। ଏଥିସହିତ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ଅଭିନୟ କରିବା ପାଇଁ ସେ ଖୁବ୍ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି। ଏହାପରେ କରଣ ଜୋହରଙ୍କ ‘ତକ୍ଷତ୍‌’ ଚଳଚ୍ଚିତ୍ରର ମଧ୍ୟ ନଜର ଆସିବେ କରୀନା। କରୀନା ଏବେ ଅକ୍ଷୟ କୁମାରଙ୍କ ସହ ‘ଗୁଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ କରୀନା-ଅକ୍ଷୟଙ୍କ ବ୍ୟତୀତ କିଆରା ଆଡ୍‌ଭାନୀ ଓ ଦିଲ୍‌ଜିତ୍‌ ଦୋସାଞ୍ଜଙ୍କ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

Categories
ବିଶେଷ ଖବର

ଗଣ୍ଡଗୋଳିଆ ପୀତାମ୍ବର ଆଚାର୍ଯ୍ୟ, କିଏ ନିଆଁ, କିଏ କାହା ସାଙ୍ଗରେ ଖେଳୁଛି ଓ କେଉଁଥି ପାଇଁ ଏ ଅମାନବୀୟ ନାଟକ ?

କେଦାର ମିଶ୍ର

 

  • ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ।
  • ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ……….
  • ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ।
  • ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି?
  • ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି?
  • ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି।
  • ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। ,
  • ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି?

ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ ମୁଖପାତ୍ର ଓ ହିଂଜିଳି ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ। ସେ ଜଣେ ନାମୀ ଓକିଲ ଭାବରେ ମଧ୍ୟ ଜଣାଶୁଣା। ପୀତାମ୍ବର ବାବୁଙ୍କ ଏ ଭିଡିଓଟିକିକୁ ସେ ନିଜେ ତାଙ୍କ ଫେସବୁକ ପୋଷ୍ଟ ରେ ଛାଡିଛନ୍ତି। ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୪.୨୪ ଘଣ୍ଟାରେ ଛଡ଼ାଯାଇଥିବା ଏ ଭିଡିଓ ଅଗ୍ରଲେଖରେ ପିତାମ୍ବର ଯାହା ଲେଖିଛନ୍ତି, ଭିଡିଓ ରେ ତାର ବିପରୀତ କଥା ଦେଖା ଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଅଯଥାରେ ଅଟକାଇ ଜେରା କଲା, କିନ୍ତୁ ପ୍ରମାଣ ଜଳ ଜଳ ହୋଇ ଦିଶୁଛି ଯେ ଆଚାର୍ଯ୍ୟ ମହାଶୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଜେରା କରୁଛନ୍ତି। ସେମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି।

ଜଣେ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ତାଙ୍କୁ ଖୋଲାଖୋଲି ଶ୍ରୀ ଆଚାର୍ଯ୍ୟ କହୁଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗତ ପୋଲିସ। ଜଣେ ସାଧାରଣ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟଙ୍କୁ ଶାସକ ଦଳର ଅନୁଗତ ବୋଲି କହି ଶ୍ରୀ ଆଚାର୍ୟ ଯାବତୀୟ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଗାଡିରେ ରାଜାଙ୍କ ପରି ବସି ବିନମ୍ରତାର ସହ କଥାବାର୍ତ୍ତା କରୁଥିବା ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଅତି କଦର୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ନିଜେ ବଡ ଓକିଲ ବୋଲି ଦେଖେଇ ହେବା ସହିତ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ହେୟ ଓ ତୁଚ୍ଛ ବ୍ୟବହାର ଦେଖାଇଛନ୍ତି। ତାଙ୍କର ପ୍ରତି କଥାରେ ଅହଂକାର ଓ ଧମକ ବାରି ହୋଇପଡୁଛି। ଗୋଟେ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବାରୁ ସେ ବୋଧହୁଏ ଭାବୁଛନ୍ତି, ତାଙ୍କୁ ଭଗବାନ ଭାବେ ସମସ୍ତେ ମାନିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢୁଥିବାରୁ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବୋଲି ଭାବିବାର ପିଲାଳିଆମୀ ତାଙ୍କ କଥାରୁ ବାରି ହୋଇ ଦିଶୁଛି।

ସମୁଦାୟ ଭିଡିଓଟିକୁ ଦେଖିଲେ ମନେ ହେଉଛି, ସତେକି ପୀତାମ୍ବର ଆଚାର୍ଯ୍ୟ ନାମକ ବ୍ୟକ୍ତିଟି ସର୍ବ ଶକ୍ତିମାନ ଓ ତାଙ୍କୁ ଅଟକ ରଖିବାର ସାହସ କରୁଥିବା ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନଗଣ୍ୟ ଜୀବ ମାତ୍ର। ଛୋଟ ଚାକିରି କରୁଥିବାରୁ ଓ ନିଷ୍ଠାପର ଭାବରେ ସରକାରୀ କାମ କରୁଥିବାରୁ ସେମାନଙ୍କର ପ୍ରାପ୍ୟ ହେଉଛି ନେତାଙ୍କ ପାଖରୁ ଗାଳି। ଗାଳି କରି, ଅପମାନ ଦେଇ ଓ ହିଂସାତ୍ମକ ଧମକ ଦେଇ ଶ୍ରୀ ଆଚାର୍ଯ୍ୟ ନିଜକୁ “ବେଚାରା” ବୋଲି ଦେଖେଇହେବାର ପ୍ରୟାସ କରିଛନ୍ତି। ପୋଲିସ ଜୁଲମର କଥା ସେ ଲେଖିଛନ୍ତି, ହେଲେ ତାହାର କୌଣସି ପ୍ରମାଣ ନାଇଁ । ଓଲଟି ସେ ପୋଲିସ ଉପରେ ଜୁଲମ କରୁଛନ୍ତି। ନିଜ ବଡ ଓକିଲ ହେବାର ଅହଂକାର ଦେଖାଇ ପୋଲିସକୁ ଡରାଇବାର ଉଦ୍ୟମ କରୁଛନ୍ତି। ଆଇନ ର ପରିସର ବାହାରକୁ ଯାଇ ଦାୟିତ୍ଵରତ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ପ୍ରକାର ବ୍ୟକ୍ତିଙ୍କ ବିରୋଧରେ ନିର୍ବାଚନ କମିଶନ ମକଦ୍ଦମା କରିବା ଉଚିତ। ଏଯାଏ କିନ୍ତୁ ନିର୍ବାଚନ କମିଶନଙ୍କ ନଜରକୁ ଏକଥା ଆସିନାହିଁ।

ତେବେ ପୀତାମ୍ବର ଆଚାର୍ଯ୍ୟଙ୍କ ଏ ପ୍ରକାର ଆଚରଣର କାରଣ କଣ? ମନସ୍ତତ୍ତ୍ଵରେ ଏହାକୁ ଦୁର୍ବଳର ଆକ୍ରମକତା କୁହାଯାଏ। ସେ ପରାଜୟର ଭୟରେ ଏତେଦୂର ପ୍ରଭାବିତ ଯେ, ନିଜ ଭୟକୁ ଚାପିବା ଲାଗି ସେ ଅଧିକ ଉଗ୍ର ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଏଠି ଶ୍ରୀ ଆଚାର୍ୟ ଗୋଟେ ଭୟାଳୁ ପିଲା ଭଳି ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୁହଁରେ “ମୁଁ ନିଆଁ, ମୋ ସାଙ୍ଗେ ଖେଳ ନା” ଭଳି ଧମକପୂର୍ଣ୍ଣ ଧାଡି ପଛରେ ପ୍ରକାଣ୍ଡ ଭୟ ବାରି ହୋଇ ପଡୁଛି। ତାଙ୍କୁ କଟକ ଟିକଟ ନଦେଇ ବିଜେପି ନେତାଏ ତାଙ୍କୁ ଯେ ହିଂଜିଳି ପଠାଇ ଅପଦସ୍ତ କରିଛନ୍ତି, ସେ ହତାଶା ମଧ୍ୟ ତାଙ୍କ କଥାରୁ ବେଶ ଜଣା ପଡିଯାଉଛି। ସେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ଅଥଚ ତାଙ୍କ ସାଙ୍ଗରେ ଜଣେ ବି କର୍ମୀ ବା ନେତା ଦୃଶ୍ୟମାନ ହେଉନାହାନ୍ତି। ହିଞ୍ଜିଳୀରେ ଏକଲା ତାଙ୍କୁ ଛାଡି ଦେଇଥିବା ବିଜେପି ନେତାଙ୍କ ପ୍ରତି ପୀତାମ୍ବରଙ୍କ ରାଗ ପରୋକ୍ଷ ଭାବରେ ସରକାରୀ କର୍ମଚାରୀଙ୍କ ଉପରେ ପଡୁଥାଇପାରେ!

ତେବେ ଏହାର କାରଣ ଯାହା ବି ହେଉ, ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଓ ସେମାନଙ୍କୁ ଅପବ୍ୟବହାର କରିଥିବାରୁ ଶ୍ରୀ ଆଚାର୍ୟଙ୍କ  ବିରୋଧରେ କାର୍ୟାନୁଷ୍ଠାନ ନିହାତି ହେବା ଉଚିତ। ଏ ପ୍ରକାର ଆଚରଣ ଯେ ଜଣେ ରାଜନେତାଙ୍କ ପାଇଁ ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଏହା ମଧ୍ୟ ଶ୍ରୀ ଆଚାର୍ୟ ଜାଣିବା ଦରକାର।

Categories
ଆଜିର ଖବର

ଅଶ୍ବିନ୍‌ଙ୍କ ମଙ୍କଡିଂକୁ ଟ୍ରାଫିକ୍‌ ସଚେତନତା ପାଇଁ ବ୍ୟବହାର କଲା କୋଲକାତା ପୋଲିସ

ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍‌ ଆଇପିଏଲ୍‌ର ପ୍ରଥମ ମଙ୍କଡ ଆଉଟ କରିବା ପରେ ଏହାକୁ ନେଇ ଅନେକ ବାଦ ବିବାଦ ଦେଖାଦେଇଥିଲା। ମାତ୍ର କଲିକତା ଟ୍ରାଫିକ୍‌ ପୋଲିସ ଏହାକୁ ନେଇ ଏକ ବଢିଆ ମିମ୍‌ ପ୍ରସ୍ତୁତ କରିଛି। ଟ୍ରାଫିକ ସଚେତନତା ପାଇଁ ଉଦ୍ଦିଷ୍ଟ ଏହି ଫଟୋଟିକୁ କୋଲକାତା ଟ୍ରାଫିକ  ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। କଲିକତା ଟ୍ରାଫିକ୍‌ ପୋଲିସ୍‌ର ଅଫସିଆଲ୍‌ ଓ୍ବେବ୍‌ସାଇଟ୍‌ରୁ ଏକ ଫଟୋ ସେୟାର କରାଯିବା ସହିତ ବଙ୍ଗଳାରେ ଲେଖାଯାଇଛି  ‘ କ୍ରିକେଟେର କ୍ରିଜ୍‌ ହେଉ ଅଥବା ରାସ୍ତା ଯଦି ଆପଣ ସୀମା ଅତିକ୍ରମ କରିବେ ଦେବେ ଦଣ୍ଡିତ ହେବେ’। ଅଶ୍ବିନ୍‌ଙ୍କ ଏହି ଆଉଟ୍‌କୁ ସେନ୍‌ ଓ୍ବାର୍ଣ୍ଣେ ନାପସନ୍ଦ କରି ସମାଲୋଚନା କରିଥିବା ବେଳେ ରାହୁଲ ଦ୍ରାବିଡ ଏବଂ ମିଚେଲ ଜନସନ୍‌ ସମର୍ଥନ ଜଣାଇଛନ୍ତି। ସେହିପରି ଗତକାଲି ଏମ୍‌ସିସି ପକ୍ଷରୁ ମଧ୍ୟ ଏହାର ସମର୍ଥନରେ ଏକ ଟ୍ବିଟ୍‌ କରାଯାଇଥିଲା।