ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କନଷ୍ଟେବଳ ଏବଂ ଓକିଲ ଗିରଫ

Published: Mar 15, 2020, 9:47 am IST

ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଛାଡିବା ବଦଳରେ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ପୋଲିସ କନଷ୍ଟେବଳ ତଥା ଜଣେ ଓକିଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ହାଭିଲଦାରଙ୍କ ନାମ ସତ୍ୟ ନାରାୟଣ ଏବଂ ଓକିଲଙ୍କ ନାମ ସୋନି। ସେମାନେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ସିବିଆଇରେ ଅଭିଯୋଗ କରିଥିବା ବ୍ୟକ୍ତି ପ୍ରକୃତରେ ଅଳଙ୍କାର ଚୋରି ମାମଲାରେ ଅଭିଯୁକ୍ତ ଥିଲେ ଏବଂ ତାଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଥିଲା। ପ୍ରସାଦ ନଗର ପୋଲିସ ଷ୍ଟେସନରେ ଡେପୁଟି କମିଶନର ପୋଲିସ (ଡିସିପି) ସଞ୍ଜୟ ଭାଟିଆ ଏହି ଘଟଣା ବିଷୟରେ ଅବଗତ କରାଇଛନ୍ତି। ଡିସିପିଙ୍କ ଅନୁଯାୟୀ, ଜାନୁଆରୀ ୨୨ତାରିଖରେ ପ୍ରସାଦ ନଗର ପୋଲିସ ଷ୍ଟେସନରେ ଏକ ଚୋରି ମାମଲା (କେସ ନଂ-୨୧) ରେଜିଷ୍ଟ୍ରେସନ୍ ହୋଇଥିଲା। ସୁନା ଅଳଙ୍କାର ଚୋରି ହୋଇଥିବା ଏହି ମାମଲାର ତଦନ୍ତ ହାଭିଲଦାର ସତ୍ୟ ନାରାୟଣ  କରୁଥିଲେ। ଏହି ମାମଲାର ସମାଧାନ ପାଇଁ ଜଣେ ଓକିଲଙ୍କ ମାଧ୍ୟମରେ ଅଭିଯୁକ୍ତଙ୍କଠାରୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ଅଭିଯୁକ୍ତ ନାରାୟଣଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।

ଶନିବାର ଦିନ ସିବିଆଇ ଟିମ୍ ପ୍ରଥମେ ଓକିଲଙ୍କୁ ଗିରଫ କରିଥିଲା। ରାତିରେ ପ୍ରସାଦ ନଗର ଥାନାରେ କାର୍ଯ୍ୟରତ ହାବିଲଦାର ସତ୍ୟ ନାରାୟଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଅନୁସନ୍ଧାନକୁ ଭିତ୍ତି କରି ଏବଂ ସିବିଆଇରୁ ମିଳିଥିବା ଦଲିଲଗୁଡ଼ିକ ଅଭିଯୁକ୍ତ ହାଭିଲଦାରଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କହିଛି। (ଏଜେନ୍ସି)

Related posts