Categories
ଆଜିର ଖବର

ଏକାଧିକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି, ମତଦାନ ବାଧାପ୍ରାପ୍ତ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇସାରିଛି। ଭୋଟରମାନେ ୪ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ମତଦାନ କରୁଛନ୍ତି। ତେବେ ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ ହୋଇଛି। ଇଭିଏମ୍ ତ୍ରୁଟି ଯୋଗୁଁ ଜୟପୁରର ପାରାବେଡା ହାଇସ୍କୁଲରେ ମତଦାନ ୪୫ ମିନିଟ ବିଳମ୍ବରେ ହୋଇଛି। ଚିକ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ମାଲକାନଗିରି ଜିଲ୍ଲାର ୧୦ଟି ବୁଥରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି। ସେହିପରି ଗୁଣପୁର ପଦ୍ମପୁର ବ୍ଲକ ୧୧୨ ନମ୍ବର ବୁଥରେ ଭିଭିପାଟ୍‌ ଅଚଳ ହୋଇଥିବା ଜଣାପଡିଛି। ଜୁନାଗଡର କୁହୁରା ଓ କଣ୍ଟାମାଳ ବୁଥରେ ଭିଭିପାଟ୍‌ ଅଚଳ ହୋଇଛି। ଉମରକୋଟ ବ୍ଲକର ୨ ଟି ଓ ରାଇଘର ବ୍ଲକର ଗୋଟିଏ ବୁଥରେ ଇଭିଏମ୍‌ ଅଚଳ ହୋଇଯାଇଛି। ଇଭିଏମରେ ତ୍ରୁଟି ଓ ଭିଭିପାଟ୍‌ ଅଚଳ ହୋଇଥିବା କାରଣରୁ ଅନେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହେଇଛି।