Categories
ଆଜିର ଖବର

୫୪ ବର୍ଷ ବୟସରେ ଅଭିନେତା ପ୍ରକାଶ ରାଜ

 

ଭାରତୀୟ ସିନେମା ଜଗତର ଜଣେ ସଫଳ କଳାକାର ହେଉଛନ୍ତି ପ୍ରକାଶ ରାଜ । ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।  ଦକ୍ଷିଣ ଭାରତୀୟ ସିନେମା ସହ ହିନ୍ଦୀ ସିନେମାରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ପ୍ରକାଶ । ୧୯୬୫ରେ ମାର୍ଚ୍ଚ ୨୬ ତାରିଖରେ ବାଙ୍ଗୋଲୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରକାଶ। ପ୍ରକାଶଙ୍କର ପ୍ରକୃତ ନାମ ପ୍ରକାଶ ରାୟ। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ତାମିଲ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ କହିବା ଅନୁସାରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। କନ୍ନଡ଼ ଟେଲିଭିଜନରେ  କାମ କରିବା ପରେ ସେ ୧୯୯୪ ମସିହାରେ ତାମିଲ୍‌ ସିନେମା ‘ଡୁଏଟ୍‌’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୮ ମସିହାରେ ମଣି ରତ୍ନମ୍‌ଙ୍କ ଫିଲ୍ମ ‘ଇରୁଭର୍‌’ ପାଇଁ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ ।  ସେହିପରି ୨୦୦୭ ମସିହାରେ ‘କାଂଚିଭରମ୍‌’ ପାଇଁ ମଧ୍ୟ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । କନ୍ନଡ଼ ଫିଲ୍ମ ‘ପୁଟ୍ଟୁକ୍କାନା ହାଇଓ୍ବେ’ ପାଇଁ ଶ୍ରେଷ୍ଠ ପ୍ରଯୋଜକର ଜାତୀୟ ପୁରସ୍କାର ମଧ୍ୟ ଜିଣିଛନ୍ତି ପ୍ରକାଶ । ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ବଲିଉଡ୍‌ରେ ‘ଓ୍ବାଣ୍ଟେଡ୍‌’ ‘ସିଂହମ୍‌’ ଏବଂ ‘ଦବଙ୍ଗ-୨’ରେ ଖଳନାୟକ ଚରିତ୍ରରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରକାଶ ଅଭିନେତ୍ରୀ ଲଳିତା କୁମାରୀଙ୍କୁ ୧୯୯୪ ମସିହାରେ ବିବାହ କରିଥିଲେ। ତାଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ତେବେ ୨୦୦୯ ମସିହାରେ ସେମାନେ ଅଲଗା ହୋଇଯାଇଛନ୍ତି ।