Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

Categories
ବିଶେଷ ଖବର

ନନାଙ୍କ ସଂସ୍କୃତ ଓ ଭକ୍ତଙ୍କ ଭାଗବତ; ଏହାରି ଭିତରେ ବ୍ରାହ୍ମଣର ଯଜମାନି ପାଲଟି ଯାଉଛି ଆମର ଗଣତନ୍ତ୍ର

କେଦାର ମିଶ୍ର 

ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ।

ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ।

ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା।

ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ।

ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ।

ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି।

ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି।

ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି।

ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!!

ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ ବିଷୟରେ ଏମିତି ବ୍ରହ୍ମଜ୍ଞାନ ହଠାତ ଉଦୟ ହେଲା କାହିଁକି? ସବୁଠୁ ମଜାର କଥା ହେଲା, ସେ ମନ୍ତ୍ରୀ ହେବାର ଲବି ଆରମ୍ଭ ହେଲା ବେଳକୁ ତାଙ୍କର ଦାରିଦ୍ର୍ୟ ଓ ସରଲା ଜୀବନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। (ଦୁଇଥର ବିଧାୟକ ହୋଇ ଦରମା ଓ ପେନସନ ପାଇ କି ପ୍ରକାର ଦାରିଦ୍ର୍ୟ!) ଏବେ ତାଙ୍କର ସଂସ୍କୃତ ବ୍ୟବହାର କୁ ନେଇ ଚର୍ଚ୍ଚା ଚାଲିଛି। ହଠାତ ସେ ସଂସ୍କୃତ ଭାଷାର ରାଷ୍ଟ୍ରଦୂତ ଭାବରେ ସାମ୍ବାଦିକଙ୍କ ଦ୍ଵାରା ପୂଜିତ ହେବା ଆରମ୍ଭ କରିଛନ୍ତି।

ଯେଉଁ ସାମ୍ବାଦିକମାନେ ସଂସ୍କୃତର ଗୋଟିଏ ଶବ୍ଦ ବୁଝିପାରନ୍ତି ନାହିଁ, ସେମାନେ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ଜ୍ଞାନକୁ ନେଇ ଗଦଗଦ ହୋଇ ପଡ଼ୁଛନ୍ତି। ଓଡିଶାର ଦୁଇଟି ଟେଲିଭିଜନ ଚାନେଲ ଏବେ ପ୍ରତାପ ବାବୁଙ୍କୁ ( ଏ ନନା ଶବ୍ଦଟି କେବେ,କେଉଁଠି, କେମିତି ପ୍ରତାପ ଷଡଙ୍ଗୀଙ୍କ ନାଁ ଆଗରେ ଯୋଡିହେଲା, ତାହା ମଧ୍ୟ ବିଶେଷ ଅନୁସନ୍ଧାନର ବିଷୟ) ମହାପୁରୁଷ କରିବାର ପୂର୍ଣ୍ଣକାଳୀନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେମାନେ ଏବେ ପୂର୍ଣ୍ଣ ପ୍ରତାପଗତ ପ୍ରାଣ!!

ହଁ, ଏବେ ପଣ୍ଡିତ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ପାଖକୁ ଫେରିବା। ପ୍ରତାପ ବାବୁ ମନ୍ତ୍ରୀ ଭାବରେ ହିନ୍ଦୀରେ ଓ ଲୋକସଭା ସଦସ୍ୟ ଭାବରେ ସଂସ୍କୃତରେ ଶପଥ ନେଲେ। ହିନ୍ଦୀ ଅବା ସଂସ୍କୃତ ତାଙ୍କର ମାତୃଭାଷା କି? ଆମ ଜାଣିବାରେ ୧୩୦ କୋଟି ଲୋକଙ୍କର ଭାରତରେ ମାତ୍ର ୨୪,୮୨୧ ଜଣ ଲୋକ ନିଜ ମାତୃଭାଷା ସଂସ୍କୃତ ବୋଲି ୨୦୧୧ ଜନଗଣନା ସମୟରେ କହିଥିଲେ। ପ୍ରତାପ ବାବୁ କଣ ସେଇ ମାନଙ୍କ ଭିତରୁ ଅନ୍ୟତମ? ଲୋକସଭାରେ ସେ ଯେଉଁ ଭାଷାରେ ଶପଥ ନେଲେ ତାହା ତାଙ୍କର ମାତୃଭାଷା ନଥିଲା କିମ୍ବା ତାଙ୍କୁ ନିର୍ବାଚିତ କରିଥିବା ଲୋକଙ୍କର ମଧ୍ୟ ଭାଷା ନଥିଲା। ତାହେଲେ ସେ ସଂସ୍କୃତକୁ ନିଜର ଭାଷା ଭାବରେ ବାଛିଲେ କାହିଁକି? ଉଦ୍ଦେଶ୍ୟମୂଳକ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିଦୁତ୍ଵ ମୁଖା ଭାବରେ ବ୍ୟବହାର କରାଯାଉଛି। ସଂସ୍କୃତ ଓ ସଂସ୍କୃତ ଆଧାରିତ ବ୍ରାହ୍ମଣବାଦକୁ ଲୋକସଭା ଭିତରେ ଅଧିକ ପ୍ରାଧାନ୍ୟ ଦେବାର ଏହା ଏକ ସୁଚିନ୍ତିତ ରଣନୀତି।

ପ୍ରତାପ ଷଡଙ୍ଗୀ ନିଜର ଓଡିଆ ପରିଚୟ ଅପେକ୍ଷା ନିଜର ସଂସ୍କୃତ ପରିଚୟକୁ ନେଇ ଏତେ ଉତ୍ସାହିତ କାହିଁକି? ଏ ପ୍ରଶ୍ନ ପଚାରିବା ଗଣମାଧ୍ୟମର ଦାୟିତ୍ଵ। ହେଲେ ଗଣମାଧ୍ୟମ ତାଙ୍କର ସଂସ୍କୃତ ଶୁଣି ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି। ପ୍ରତାପ ନନାଙ୍କ(ନନା କହିଲେ କି ଅର୍ଥ ବହନ କରେ ତାକୁ ନେଇ ବହୁ ଆଞ୍ଚଳିକ ମତ ରହିଛି। ପୁରୀ ଓ ଗଞ୍ଜାମରେ ନନା ହେଉଛନ୍ତି ବାପା, ଉତ୍ତର ଓଡିଶାରେ ନନା ହେଉଛନ୍ତି ବଡଭାଇ, ପଶ୍ଚିମ ଓଡିଶାରେ ଏହା ପିଉସୀ ଅଥବା ଆଈ) ବାଷ୍ପୀୟ ଶକଟ ଜାତୀୟ ସଂସ୍କୃତ(ୟାର ଅର୍ଥ କିଛି ବୁଝିଲେ? ଦେଶୀ ଓଡିଆରେ କହିଲେ ରେଳଗାଡି ପରିକା ଦଉଡୁଥିବା ସଂସ୍କୃତ) ବୁଝିବାର ସାମର୍ଥ୍ୟ ଆମର କେତେଜଣ ସାମ୍ବାଦିକଙ୍କର ରହିଛି ସେମାନେ ହାତ ଟେକିବେ କି?

ବ୍ୟକ୍ତିଗତ ଭାବରେ ମୁଁ ସଂସ୍କୃତ ପଢିପାରେ, ବୁଝିପାରେ, ଟିକେ ଟିକେ କହି ମଧ୍ୟ ପାରେ। ପ୍ରତାପ ବାବୁଙ୍କର ସଂସ୍କୃତ ସାକ୍ଷାତ୍କାରଟିକୁ ମୁଁ ଶୁଣିବାକୁ ଚେଷ୍ଟା କରୁଥିଲି। ସେ ଏତେ ତୀବ୍ର ଗତିରେ ସଂସ୍କୃତ କହୁଥିଲେ ଯେ, ସେଥିରେ ମୋତେ ଗୋଟିଏ ଶବ୍ଦକୁ ବୁଝିବା କାଠିକର ହେଉଥିଲା। ତେଣୁ ଯାହା ବୁଝି ନହୁଏ ତାହା ସଂସ୍କୃତ ବୋଲି ଆମେ କହିପାରିବା କି? ଲୋକ ଜୀବନରେ ଯେଉଁ ଭାଷାର କୌଣସି ବ୍ୟବହାର ଆଉ ନାହିଁ, ତାକୁ ଲୋକସଭାରେ ଭାଷା ବୋଲି ବାହାଷ୍ଫୋଟ ମାରିବାର ମାନେ କଣ? ତେବେ ଏହି ଘଟଣାର ପରବର୍ତ୍ତୀ ପ୍ରତିକ୍ରିୟା ଆମେ ଉତ୍ତର ପ୍ରଦେଶରେ ଦେଖୁଛୁ। ଉତ୍ତର ପ୍ରଦେଶ ସରକାର କହିଲେଣି, ଏଣିକି ସବୁ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ମଧ୍ୟ ପ୍ରକାଶ ପାଇବା। ଏଇ ସମଗ୍ର ଘଟଣାକ୍ରମ ର ମଞ୍ଜକଥାଟି ଏଇଆ । ଦେବତା ଓ ବ୍ରାହ୍ମଣଙ୍କର ପ୍ରାୟ ମରିଆସୁଥିବା ଓ ଏ ଦେଶର ମାତ୍ର ୦.୦୦୧% ଲୋକ ଜାଣିଥିବା ଏକ ଭାଷାକୁ ଲୋକତନ୍ତ୍ରର ଭାଷା ଭାବରେ ପ୍ରତିଷ୍ଠା କରିବାର ଏ ଉଦ୍ୟମ ପଛରେ କେତେ ବଡ ଷଡଯନ୍ତ୍ର ରହିଛି, ତାକୁ ବୁଝିଲା ବେଳକୁ ନେଡି ଗୁଡ କହୁଣୀକି ବୋହି ସାରିଥିବ!

ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ Sankhipta ଆପ୍