Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେବା ପରେ କଣ କହିଲେ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଆଜି ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରଭାରୀ, ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ ପ୍ରମୁଖଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

ତେବେ ଯୋଗଦେବା ପରେ ସେ ବିଜେପିକୁ ଟେକିବା ସହିତ ବିଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୀତିକୁ ଆସିଥିଲି। ସେ ଥିଲେ ଜଣେ ସାହାସୀ ପୁୁରୁଷ। ଏବେ ନରେନ୍ଦ୍ର ମୋଦି ଜଣେ ସାହାସୀ ନେତା। ତେଣୁ ତାଙ୍କ ଆଦର୍ଶରେ ମଧ୍ୟ କାମ କରିବାର ଆଗ୍ରହ ହେଲା। ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ଲଢୁଆ ନେତା ବୋଲି ପ୍ରଶାନ୍ତ କହିଛନ୍ତି।

ସେହିପରି ସେ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ, ନବୀନ ଆଉ ସେହି ନବୀନ ହୋଇ ନାହାଁନ୍ତି। ଆମେମାନେ ତାଙ୍କୁ ନେଇ ରାଜନୀତି କରୁଥିଲୁ। ସେ ଆମର ସୁରକ୍ଷା ଦେଉଥିଲେ। ହେଲେ ବର୍ତ୍ତମାନ ତାହା ଆଉ ପରିଲକ୍ଷିତ ହେଉ ନାହିଁ। ସେଥିପାଇଁ ବିଜେଡି ଛାଡିଲି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି। ଯାହା ବିଜେଡିରେ ରହି କରିପାରୁ ନ ଥିଲି ଏବେ ବିଜେପିର ତାହା କରିପାରିବି ବୋଲି ସେ କହିଛନ୍ତି।

ସେଥିପାଇଁ ଆଜି ବିଜେପିରେ ଯୋଗଦେଇ ମୁଁ ବେଶ ଖୁସି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଓଡିଶାରେ ଏଥର ଡବଲ ଇଂଜିନି ସରକାର ହେବ। ମୋଦୀଙ୍କ ବିକଶିତ ଭାରତର କାର୍ଯ୍ୟକ୍ରମ ଏଠାରେ ସଫଳ ହେବ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଉଭୟ ଅପରାଜିତା ଷଡଙ୍ଗୀ ଏବଂ ପୃଥୀରାଜ ହରିଚନ୍ଦଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପୃଥୀରାଜ ଚିଲିକାରେ ମୋର ପ୍ରତିଦ୍ବନ୍ଦି ଥିଲେ। ଚିଲିକା ହେଉଛି ତାଙ୍କ ଆସନ। ସେ ଜିତିବା କଥା। ହେଲେ ସେଠାରେ ମୁଁ ହାରୁହାରୁ ଜିତିଗଲି। ପୃଥୀରାଜ ହରିଚନ୍ଦନ ମୋର ଗୁରୁ ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ସେହିପରି ଅପରାଜିତା ଖୋର୍ଦ୍ଧା ଜିଲ୍ଲାରେ ସଂଗଠନ ପାଇଁ ଯେପରି ପରିଶ୍ରମ କରୁଛନ୍ତି ତାହା ନିଶ୍ଚିତ ପ୍ରଶଂସନୀୟ। ସେ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବେଳେ ମଧ୍ୟ ଏହି ଅଞ୍ଚଳ ପାଇଁ ବେଶ କିଛି କାମ କରିଛନ୍ତି। ବର୍ତ୍ତମାନ ରାଜନୀତିକୁ ଆସିବା ପରେ ସେହି ବିକାଶ କାମକୁ ଆହୁରି ସୁଦୃଢ କରିଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।

ସେ କେଉଁଠାରୁ ଛିଡା ହେବେ ବୋଲି ପଚାରିବାରୁ ତାହା ଦଳ ନିଷ୍ପତି କରିବ ବୋଲି କହିଛନ୍ତି। ତେବେ ବିଶେଷ ସୁତ୍ରରୁ ଯାହା ଖବର ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି। ସେଥିପାଇଁ ସେ ଖୁବ ଶିଘ୍ର ଖୋର୍ଦ୍ଧାରେ ଏକ ବିଶାଳ ସମାବେଶ କରିବେ ବୋଲି ତାଙ୍କ ସମର୍ଥକମାନଙ୍କ ସୁତ୍ରରୁ ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକସଂପର୍କ ଆରମ୍ଭ, ରାଜନୀତି ସରଗରମ

ବାଣପୁର( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନମଣ୍ଡଳିରେ ଦୀର୍ଘ ଦିନର ବିରତି ପରେ ପୁଣି ସଂଗଠନ ଆରମ୍ଭ କଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ। ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଜଗଦେବଙ୍କ ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ କଟକଣା ସରିବା ସତ୍ବେ ସେ ଚିଲିକା ନିର୍ବାଚନମଣ୍ଡଳି ମାଟି ମାଡୁ ନ ଥିଲେ।

ଦଳୀୟ ତାଗିଦ ଲାଗି ନିଜ ନିର୍ବାଚନମଣ୍ଡଳିର ବିଜେଡି ନେତାମାନେ ଜଗଦେବଙ୍କ ଠାରୁ ଦୁରେଇଯାଇଥିଲେ। ତେବେ ଆଜି ହଠାତ ବିଧାୟକ ଜଗଦେବ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଡେରା ପକାଇଥିବା ଦେଖିବାକୁ ମିଳିଛି। ଉଭୟ ଅଞ୍ଚଳର ଏକାଧିକ ଅନୁଗାମୀଙ୍କ ଘରକୁ ଯାଇ ସେମାନଙ୍କ ସହିତ ମିଶି ଦୁଃଖସୁଖ ହୋଇଥିଲେ।

ତତସହିତ ସେ ଚା ଖଟିରେ ମଧ୍ୟ ଯୋଗ ଦେଇ ଲୋକଙ୍କ ସହିତ ପୁନଃସଂପର୍କ ସ୍ଥାପନ କରିଥିଲେ। ବାଲୁଗାଁର ଜଣେ ବିଜେଡି ନେତାଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ଏବଂ ବାଣପୁର ଅଲାଈଡିହ ଗ୍ରାମର ଜଣେ ବିଜେଡି ନେତାଙ୍କ ପୁତ୍ର ବିୟୋଗରେ ତାଙ୍କ ଘରକୁ ଯାଇ ବିଧାୟକ ଜଗଦେବ ଉଭୟ ପରିବାରକୁ ସାନ୍ତ୍ୱନା ଦେଇଥିଲେ।

ତେବେ ବିଜେଡିରୁ ନିଲମ୍ବିତ ହେବାପରେ ତାଙ୍କଠାରୁ ସ୍ଥାନୀୟ ନେତା ଦୂରେଇ ଯାଇଥିବା ବେଳେ ଆଜି ବିଧାୟକଙ୍କ ଗସ୍ତ ସମୟରେ ଏକାଧିକ ନେତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଯାହା ଅନୁମେୟ ହେଉଛି ବିଧାୟକ ଜଗଦେବ ପୁଣି ଥରେ ଚିଲିକାରୁ ଲଢ଼ିବା ପାଇଁ ଇଛା ପ୍ରକାଶ କରିଛନ୍ତି। ସେ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳିରେ ପୁନଶ୍ଚ ସଂଗଠନ ସଜାଡ଼ିବା ଆରମ୍ଭ କରିଦେଲେଣି।

ତେବେ ବିଧାୟକ ଜଗଦେବଙ୍କୁ ବିଜେଡି ପୁନଶ୍ଚ ଟିକେଟ ଦେବା ଆଶା କ୍ଷୀଣ ଥିବା ବେଳେ ସେ ପୁଣି ଚିଲିକାରେ ସଂଗଠନ ଆରମ୍ଭ କରିବା ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ତେବେ ଏ ନେଇ ବିଧାୟକ ଜଗଦେବଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ନିର୍ବାଚନ ମଣ୍ଡଳି ଆସିପାରୁ ନ ଥିଲେ। ତେବେ ବର୍ତ୍ତମାନ ସେ ପୁଣି ଚିଲିକାରେ ସଂଗଠନ ଆରମ୍ଭ କରିବେ ବୋଲି ଦୃଢତାର ସହ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ସେ ସଦାବେଳେ ଅନୁପ୍ରାଣିତ ଏବଂ ସଂଗଠନ ତାଙ୍କରି ଆଶୀର୍ବାଦରୁ ଜାରି ରଖିବେ ବୋଲି ଜଗଦ୍ଦେବ କହିଛନ୍ତି। ତେବେ ଟିକେଟ ପୁଣି ବିଜେଡିରୁ ସେ ପାଇବେକି ନାହିଁ ପଚାରିବାରୁ କିଛି କହିନଥିଲେ। ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ସଂଗଠନ ଜାରି ରହିବ ବୋଲି କହିଛନ୍ତି।

ଦୀର୍ଘଦିନର ନିରବତା ପରେ ସେ ହଠାତ ଚିଲିକାରେ ବୁଲିବା ନେଇ ରାଜନୀତି ସରଗରମ ହୋଇପଡିଛି। ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କୁ ତାଙ୍କଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ସତ୍ବେ ବହୁ ଟାଣୁଆ କର୍ମି ଆଜି ତାଙ୍କ ସହିତ ସାମିଲ ହେବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ନିଜେ ବାତିଲ କଲେ ସ୍ବାଗତ କାର୍ଯ୍ୟକ୍ରମ, ବବିଙ୍କ ଚାପରେ ବଦଳାଇଲେ ନିଷ୍ପତି

ସୀତାରାମ ଅଗ୍ରୱାଲ

ଚିଲିକା: କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷ ମୁହୂର୍ତ୍ତରେ ବାତିଲ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଚିଲିକା କାର୍ଯ୍ୟକ୍ରମ। ବିଧାୟକ ଆସନ୍ତା 28 ତାରିଖରେ ଏକ ବିଶାଳ ରାଲିରେ ବାଲୁଗାଁ ଓ ବାଣପୁର ଆସିବାକୁ ପୁର୍ବରୁ ସ୍ଥିର ହୋଇଥିଲା। ହେଲେ ସେ ନିଜେ ଆଜି ଏହି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ବିଧାୟକ ଜଗଦେବଙ୍କୁ ଆଜି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଡାକି ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତତସହିତ ଏକ ମାସ ପର୍ଯ୍ୟନ୍ତ ବିଧାୟକଙ୍କୁ ନିରବ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଫଳରେ ବିଧାୟକ ଜଗଦେବ ମଧ୍ୟ ଉକ୍ତ ନିର୍ଦ୍ଦେଶକୁ ମାନି ଶେଷ ମୁହୂର୍ତ୍ତରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିଜ ଆଡୁ ବାତିଲ କରିଛନ୍ତି।

ତେବେ ବିଜେଡି ରୁ ନିଲମ୍ବିତ ବିଧାୟକଙ୍କୁ ବିଜେଡି ସଂଗଠନ ସମ୍ପାଦକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚାପ ପକାଇବା ଘଟଣା ଆଲୋଚନାର ବିଷୟ ପାଲଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ବିଜେଡି କୋଳେଇ ନେବ।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଦଖଲରେ ପ୍ରଶାନ୍ତ ଜଗଦ୍ଦେବ, ଅଣ ରାଜନୈତିକ ସଂଗଠନ କରି ଆରମ୍ଭ କଲେଣି ରାଜନୀତି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ମୁହାଁ ହେଲେଣି। ନିର୍ବାଚନ ଆଉ ମାସ କେଇଟା ଥିବାରୁ ସେ ନିଜର ଆସନକୁ ସୁଦୃଢ କରିବା ପାଇଁ ଲାଗିପଡିଛନ୍ତି। କୋର୍ଟ ପ୍ରତିବନ୍ଧକ ଯୋଗୁଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେଠାକାର ସଂଗଠନ ଦୁର୍ବଳ ହୋଇପଡିଛି। ସେଥିପାଇଁ ସେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧାରେ ନିଜର ରାଜନୈତିକ ଭବିଷ୍ୟତ ଦେଖିବା ପାଇଁ ସେଠାରେ ସଂଗଠନ ଆରମ୍ଭ କରିଛନ୍ତି।

ବିଜେଡିରୁ ବହିସ୍କୃତ ହୋଇଥିବାରୁ ସେ ବର୍ତ୍ତମାନ ସିଧା ଦଳୀୟ ରାଜନୀତି କରିପାରିବେ ନାହିଁ। ସେଥିପାଇଁ ସେ ଖୋର୍ଦ୍ଧାରେ ଗଠନ କରିଛନ୍ତି ଦୁଇଟି ଅଣ ରାଜନୈତିକ ସଂଗଠନ। ଗୋଟିଏ ଟାଙ୍ଗୀ ବିକାଶ ପରିଷଦ ଏବଂ ଅନ୍ୟଟି ଖୋର୍ଦ୍ଧା ବିକାଶ ପରିଷଦ। ଏହି ଦୁଇ ସଂଗଠନ ମାଧ୍ୟମରେ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ସେଠାକାର ପୁରୁଣା ବିଜେଡି ନେତା ତଥା ଯୁବକମାନଙ୍କୁ ନେଇ ଅଣରାଜନୈତିକ କାର୍ଯ୍ୟ ଜାରୀ ରଖିଛନ୍ତି।

ନିକଟରେ ସେ ଟାଙ୍ଗୀଠାରେ ଏହି ସଂଗଠନ ମାଧ୍ୟମରେ ଏକ ସଭା କରିଥିଲେ। ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହିତ ଖୋର୍ଦ୍ଧାରୁ ଲଢେଇ କରିବା ପାଇଁ ଦାବୀ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ସେ ବିଭିନ୍ନ ଉତ୍ସବ ଅନୁଷ୍ଠାନ ଏବଂ କ୍ଲବ ସଂଘ ପ୍ରଭୃତି ଗସ୍ତ କରି ତାଙ୍କର ପୁରୁଣା ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ପୁରା ଖୋର୍ଦ୍ଧାଗଡରେ ଡେରା ପକାଇ ନିଜର ଜାନ ଲଗାଇ ଦେଇଛନ୍ତି ଏହି ପାଇକ ପୁଅ।

ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଜିଲ୍ଲା ପରିଷଦର ସଭାପତି ଥିବା ସହିତ ବିଜେଡିର ଦୁଇଥର ଜିଲ୍ଲା ସଭାପତି ମଧ୍ୟ ହୋଇଛନ୍ତି।ଏପରିକି ସେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବଡପୋଖରୀଆ ହେଉଛି ତାଙ୍କର ଜନ୍ନସ୍ଥାନ। ସେହି ନିର୍ବାଚନ ମଣ୍ଡଳୀରୁ ସେ ଛାତ୍ର ନେତା ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ତେଣୁ ଚିଲିକା ଅପେକ୍ଷା ଖୋର୍ଦ୍ଧା ତାଙ୍କ ପାଇଁ ଉପଯୁକ୍ତ ବୋଲି ଭାବି ସେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଅନ୍ୟପଟେ ଖୋର୍ଦ୍ଧାର ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଚିନ୍ତା କରିଛନ୍ତି। ସେ ତାଙ୍କ ପୁତ୍ର କିମ୍ବା ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେଥିପାଇଁ ଖୋର୍ଦ୍ଧାରେ ପ୍ରଶାନ୍ତଙ୍କ ସଂଗଠନ ପାଇଁ ଜିତୁ ମିତ୍ର ପୁରା ରାସ୍ତା ଛାଡି ଦେଇଛନ୍ତି। ଏପରିକି ଉଭୟ ମିଶି ବିଭିନ୍ନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାରେ ଜାରୀ ରଖିଛନ୍ତି।

ଅନ୍ୟପକ୍ଷରେ ଖୋର୍ଦ୍ଧାର ପୂର୍ବତନ ଏବଂ ବର୍ତ୍ତମାନ ବେଗୁନିଆର ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ପୁଣି ଖୋର୍ଦ୍ଧା ଆସିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ ଆଉ ବେଗୁନିଆରେ ମନ ଲାଗୁ ଲାଗୁ ନାହିଁ। ହେଲେ ସେ ଖୋର୍ଦ୍ଧାର ବିଧାୟକ ଥିବା ବେଳେ ତାଙ୍କ ଉପରେ ବହୁ କର୍ମି ଅସନ୍ତୁଷ୍ଠ ଅଛନ୍ତି। ତେଣୁ ସେ ଆସିଲେ ତାଙ୍କ ବିରୋଧରେ ବିଦ୍ରୋହ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ ରାଜେନ୍ଦ୍ର ସାହୁ ଚିଲିକା ନିର୍ବାଚନ ମଣ୍ଡଳୀ ଆଡେ କୁଆଡେ ମୁହାଁଉଛନ୍ତି ବୋଲି କୁହାଯାଉଛି। ଇତିମଧ୍ୟରେ ସେ ଦଳୀୟ କାର୍ଯ୍ୟକ୍ରମ ନେଇ ଚିଲିକାକୁ ତିନିଥର ଗସ୍ତ କରିସାରିଲେଣି।

ସବୁ ଦୃଷ୍ଟିରୁ ଦେଖିଲେ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଖୋର୍ଦ୍ଧା ବେଶ ସୁରକ୍ଷିତ ହୋଇ ଥିଲେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ତାଙ୍କୁ ବିଜେଡି ଟିକେଟ ଦେବ କି ନାହିଁ। ପ୍ରଶାନ୍ତ ନିଜେ ମଧ୍ୟ ବିଜେଡି ଟିକେଟ ମିଳିବା ନେଇ ଦ୍ବନ୍ଦରେ ଅଛନ୍ତି। କାରଣ ତାଙ୍କ ଉପରୁ ଦଳ ଏ ପର୍ଯ୍ୟନ୍ତ ବହିସ୍କାର ଆଦେଶ ଉଠାଇ ନାହିଁ। ହେଲେ ତାଙ୍କ ମନ ଏବଂ ରକ୍ତ କିନ୍ତୁ ବିଜେଡି ସାଥୀରେ ରହିଛି। ଦଳରୁ ଦୂରରେ ରହିଥିବାରୁ ସେ ସେଥିପାଇଁ ବିଭିନ୍ନ ଅଣ ରାଜନୈତିକ ସଂଗଠନ କରି ଗାଁକୁ ଗାଁ ବୁଲୁଛନ୍ତି। ନିଜର ପତିୟାରା ଜାହିର କରିବାରେ ଲାଗିଛନ୍ତି।

Categories
ଆଞ୍ଚଳିକ ରାଜ୍ୟ ଖବର

ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଚିଲିକା ବିଧାୟକ

ସମୀକ୍ଷା ବ୍ୟୁରୋ
ବାଲୁଗାଁ : ଚିଲିକା ବ୍ଳକର ଆଙ୍କୁଲା ପଞ୍ଚାୟତ ଓ କୁମାଣ୍ଡଳ ପଞ୍ଚାୟତର ବରଡିହ ଠାରେ ବିଧାୟକ ଚିଲିକା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଜୟମଙ୍ଗଳ ଏମ୍‌ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ସେତୁ ଯୋଜନା ଓ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଏହି ଜୟମଙ୍ଗଳ ଏମ୍‌ଆଇପି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଚିଲିକା ବ୍ଳକ ଉପାଧ୍ୟକ୍ଷ ଉତ୍ପଳ ପାଇକରାୟ, ଆଙ୍କୁଲା ସରପଞ୍ଚ ମମତା ପାଇକରାୟ ଓ କୁମାଣ୍ଡଳ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।