ଚିଲିକା ବିଧାୟକ ନିଜେ ବାତିଲ କଲେ ସ୍ବାଗତ କାର୍ଯ୍ୟକ୍ରମ, ବବିଙ୍କ ଚାପରେ ବଦଳାଇଲେ ନିଷ୍ପତି

Published: Jul 25, 2023, 3:03 pm IST
Jagdev

ସୀତାରାମ ଅଗ୍ରୱାଲ

ଚିଲିକା: କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷ ମୁହୂର୍ତ୍ତରେ ବାତିଲ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଚିଲିକା କାର୍ଯ୍ୟକ୍ରମ। ବିଧାୟକ ଆସନ୍ତା 28 ତାରିଖରେ ଏକ ବିଶାଳ ରାଲିରେ ବାଲୁଗାଁ ଓ ବାଣପୁର ଆସିବାକୁ ପୁର୍ବରୁ ସ୍ଥିର ହୋଇଥିଲା। ହେଲେ ସେ ନିଜେ ଆଜି ଏହି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ବିଧାୟକ ଜଗଦେବଙ୍କୁ ଆଜି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଡାକି ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତତସହିତ ଏକ ମାସ ପର୍ଯ୍ୟନ୍ତ ବିଧାୟକଙ୍କୁ ନିରବ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଫଳରେ ବିଧାୟକ ଜଗଦେବ ମଧ୍ୟ ଉକ୍ତ ନିର୍ଦ୍ଦେଶକୁ ମାନି ଶେଷ ମୁହୂର୍ତ୍ତରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିଜ ଆଡୁ ବାତିଲ କରିଛନ୍ତି।

ତେବେ ବିଜେଡି ରୁ ନିଲମ୍ବିତ ବିଧାୟକଙ୍କୁ ବିଜେଡି ସଂଗଠନ ସମ୍ପାଦକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଚାପ ପକାଇବା ଘଟଣା ଆଲୋଚନାର ବିଷୟ ପାଲଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରଶାନ୍ତ ଜଗଦେବଙ୍କୁ ପୁଣିଥରେ ବିଜେଡି କୋଳେଇ ନେବ।

Related posts