Categories
ବିଶେଷ ଖବର

ଭାରତ ୧୩୦ କୋଟି ଲୋକଙ୍କ ରକ୍ତର ମହାନ ଦେଶ, ମୋର ଦେଶ କେଉଁ ମନ୍ତ୍ରୀ ବା ସରକାରର ଜମିଦାରୀ ନୁହଁ!!

କେଦାର ମିଶ୍ର

ପୁଣିଥରେ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀପ୍ରଥମେ ତାଙ୍କର କୃତ୍ରିମ ଦାରିଦ୍ର୍ୟ, ତାପରେ ଦୁର୍ବୋଧ୍ୟ ସଂସ୍କୃତ ଭାଷଣ ଓ ଏବେ ଦେଶପ୍ରେମର ମାଳ ଗୋଦାମ। ସୁରତରେ ଭାଷଣ ଦେଇ ସେ କୁଆଡେ କହିଛନ୍ତି ଯେ, ଯିଏ ଏ ଦେଶରେ ବନ୍ଦେ ମାତରମ କହି ପାରିବ ନାହିଁ, ଏ ଦେଶରେ ତାର ରହିବାର ଅଧିକାର ନାହିଁ। ବୋଧହୁଏ ମନ୍ତ୍ରୀମଣ୍ଡଳରେ ତାଙ୍କର ଅନ୍ୟ କିଛି କାମ ନାହିଁ। ଗୋରୁ,ଷଣ୍ଢ,କୁକୁଡା ଓ ଛେଳି ପାଳନ କରିବାର ଗୁରୁ ଦାୟିତ୍ଵ ଛାଡି ସେ ଏବେ ଦେଶପ୍ରେମର ମାଲଗୋଦାମ ରେ ବସିଛନ୍ତି। ତାଙ୍କ ଭାଷଣ ଶୁଣିଲା ପରେ ଆମର ଜଣେ ବନ୍ଧୁ କହିଲେ- ପ୍ରତାପ ନନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ନୂଆ ଦାୟିତ୍ଵ ଦେଇଛନ୍ତି। ଆସନ୍ତା କାଳିଠାରୁ ସେ ୧୩୦ ଭାରତୀୟଙ୍କୁ ଗୋଟି ଗୋଟି କରି ଡାକିବେ ଓ ସେମାନେ ବନ୍ଦେ ମାତରମ ବୋଲି ପାରୁଛନ୍ତି କି ନାହିଁ, ତାର ପରୀକ୍ଷା କରିବେ। ଯିଏ ପଢିପାରିବ, ସିଏ ଭାରତରେ ରହିବ ଓ ଯିଏ ପଢିବାରେ ଭୁଲ କରିବ ତାକୁ ପାକିସ୍ତାନ ପଠାଇ ଦିଆଯିବ। ସତରେ ପ୍ରତାପ ଷଡଙ୍ଗୀଙ୍କୁ ଏ ଦାୟିତ୍ଵ ମିଳିଛି କି? ଏ ଦେଶ ପ୍ରତ୍ୟେକ ଭାରତୀୟର ଦେଶ। ସେ ଯେଉଁ ଧର୍ମ ବା ଜାତି ବା ଭାଷାର ଲୋକ ହୋଇଥିଲେ ବି ଏ ଦେଶ ତାରବନ୍ଦେ ମାତରମ ଗାଇବା ସହିତ ଦେଶପ୍ରେମର ପ୍ରମାଣ ଯୋଡିବାକୁ ପ୍ରତାପ ଷଡଙ୍ଗୀଙ୍କୁ କିଏ ଦାୟିତ୍ଵ ଦେଇଛି କି?

ମୋର ମାନେ ପଡୁଛି, କିଛି ବର୍ଷ ତଳେ ଗୋଟେ ଟେଲିଭିଜନ ବିତର୍କରେ ପ୍ରତାପ ବାବୁ ଠିକ ଏଇ କଥା କହିଥିଲେସେହି ବିତର୍କରେ ମୁଁ ତାଙ୍କୁ ପଚାରିଥିଲି, ଯିଏ ସଂସ୍କୃତ ଜାଣିନୀ, ସେ ତ ବନ୍ଦେ ମାତରମ ପାଢୀ ପାରିବନି କି ବୁଝି ପାରିବନି। ତାହେଲେ ସେ ଯିବ କୁଆଡେ? ଯିବ ବା କାହିଁକି? ପ୍ରତାପ ବାବୁ ଯେଉଁ ସଙ୍ଗଠନରୁ ଆସିଛନ୍ତି, ସେଠି ଯୁକ୍ତି ବା ସିଦ୍ଧନ୍ତର କୌଣସି ବିଶେଷତା ନାହିଁ। ସେମାନଙ୍କ ଲାଗି ଦେଶପ୍ରେମ ଏକ ପାଗଳର ପ୍ରଳାପ। ଏ ଦେଶର ମାଟିରେ ନିଜର ରକ୍ତକୁ ମିଶେଇ ଥିବା କୋଟି କୋଟି ଜନତା ଜାଣନ୍ତି ନାହିଁ, ବନ୍ଦେ ମାତରମ କିଏ ଲେଖିଛି ଓ ଏହାର ଅର୍ଥ କଣ। ସେମାନେ ଏ ମାଟିର ସନ୍ତାନ। ସେମାନେ ଭାରତ ମାର ଛୁଆତାଙ୍କର ଦେଶପ୍ରେମ ବିଷୟରେ ସନ୍ଦେହ କରିବାକୁ ପ୍ରତାପ ଷଡଙ୍ଗୀ ବା ତାଙ୍କ ଭଳି ଆଉ କାହାର ଅଧିକାର ନାହିଁ

ସରକାର ବା ଲୋକ ପ୍ରତିନିଧିମାନେ ଶାସନ ଚଳାଇବାକୁ ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଯାଇଛନ୍ତି। ମୋଦୀ ସରକାରରେ ଦେଖା ଯାଉଛି, ସେମାନେ ଶାସନ ବ୍ୟତୀତ ବାକି ସବୁ କାମ କରିଚାଲିଛନ୍ତି। ମୋଦୀ ସରକାର ଓ ବିଜେପି ଦଳର ସବୁଠୁ ବଡ ଆତ୍ମ ଘୋଷିତ ଦାୟିତ୍ଵ ହେଉଛି, ଲୋକଙ୍କର ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଇବା। ସେମାନେ ପ୍ରତିଦିନ ଲୋକଙ୍କର ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଇ ଚାଲିଛନ୍ତି। ସେମାନଙ୍କ ନିଜ ସଂହିତା ଅନୁସାରେ-  ତମେ ବନ୍ଦେ ମାତରମ ଗାଇ ନ ଜାଣିଲେ, ତମେ ଦେଶପ୍ରେମୀ ନୁହଁ। ତମେ ଜେଏନୟୁରେ ପଢିଛ ଯଦି ତମେ ଦେଶପ୍ରେମୀ ନୁହଁ। ତମେ ସରକାରର ସବୁ କଥାରେ ହଁ ମାରୁନ ଯଦି ତମେ ଦେଶପ୍ରେମୀ ନୁହଁ। ଦେଶପ୍ରେମର ଅଦ୍ଭୁତ ଦୋକାନ ଖୋଲି ସେଠି ଗିରିରାଜ ସିଂ ଓ ପ୍ରତାପ ଷଡଙ୍ଗୀଙ୍କ ଭଳି କିଛି ଲୋକଙ୍କୁ ମୁନ୍ସି ଭାବରେ ବସା ଯାଇଛି। ଏମାନେ ଲୋକଙ୍କୁ ଦେଶରେ ରହିବା ଓ ନ ରହିବାର ପ୍ରମାଣପତ୍ର ଦେବେ।

ଦେଶପ୍ରେମ ସ୍ଲୋଗାନ ବା ସଙ୍ଗୀତ ଆଧାରରେ ନିର୍ଣ୍ଣୟ ହୁଏନାହିଁ। ବନ୍ଦେ ମାତରମ ୧୮୮୨ ରେ ପ୍ରକାଶିତ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ “ଆନନ୍ଦ ମଠ” ଉପନ୍ୟାସର ଏକ ଅଂଶ। ଏହା ଲେଖା ହେବାର ହଜାର ହଜାର ବର୍ଷ ଆଗରୁ ଭାରତ ରହିଛି ଓ ଆଗକୁ ମଧ୍ୟ ରହିବ। ଏ ସଙ୍ଗୀତରେ ଦେଶପ୍ରେମ ଏକମାତ୍ର ଦେଶପ୍ରେମ ନୁହେଁ। ଦେଶ ଭଲ ପାଇବା ଲାଗି ଯିଏ ଯେଉଁ ଭାଷାରେ ଗୀତା ଗାଇବ। ସାମ୍ବିଧାନିକ ଭାବରେ କେବଳ ଜାତୀୟ ସଙ୍ଗୀତ ଜନ ଗଣ ମନ…….କୁ ବାଦ ଦେଲେ ଅନ୍ୟ କୌଣସି ଗୀତ ବା ସ୍ଲୋଗାନକୁ ଲୋକଙ୍କ ଉପରେ ଲଦି ଦିଆ ଯାଇପାରିବ ନାହିଁ। ଏ ଦେଶରେ ବନ୍ଦେ ମାତରମରେ ଦେଶପ୍ରେମର ଭାବନା ଯେତିକି ତୀବ୍ର, ଇକବାଲଙ୍କ “ସାରେ ଜାହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା” ମଧ୍ୟ ଦେଶପ୍ରେମ ସେତିକି ଗଭୀର। ଭାଷାକୁ ନେଇ ଏତେ ବିବାଦ କାହିଁକି?

ଦେଶ ମା ବି ବାପା ବି। ଦେଶ ବନ୍ଧୁ ବି ସହୋଦର ବିଦେଶ ହେଉଛି ମାଟି ଓ ମଣିଷର ସମାହାରତାକୁ ଭାଷା, ସ୍ଲୋଗାନ ଓ ସଙ୍ଗୀତର ଆଧାରରେ ଖଣ୍ଡ ଖଣ୍ଡ କରୁଥିବା ଲୋକଙ୍କ ପାଇଁ କେବଳ ଗୋଟିଏ ପଦ କୁହା ଯାଇପାରେ-ଟୁକଡେ ଟୁକଡେ ଗ୍ୟାଙ୍ଗବିଜେପି ର ମଙ୍ଗୁଆଳମାନେ ଅନ୍ୟମାନଙ୍କୁ ଏହି ନାଁରେ ଡାକୁଛନ୍ତି। ହେଲେ ଦେଶ ଭିତରେ ଯାବତୀୟ ବିଭାଜନର ମଞ୍ଜି ଏଇମାନେ ହିଁ ବୁଣୁଛନ୍ତି।

ଦେଶରେ କିଏ ରହିବ କିଏ ରହିବ ନାଇଁ, ସେକଥା ନିର୍ଣ୍ଣୟ କରିବାର ଅଧିକାର ପ୍ରତାପ ଷଡଙ୍ଗୀଙ୍କର ନାହିଁ। ଏ ଦେଶ କାହାର ଜମିଦାରୀ ନୁହେଁ, ପ୍ରତାପ ବାବୁ ସେକଥା ବୁଝିବା ଉଚିତ

Categories
ବିଶେଷ ଖବର

ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ, ଏହାକୁ ଅଣଦେଖା କରି ୨୦୨୪ ପାଇଁ ମିଶନ-୧୨୦ ର ମୂଲ୍ୟ କଣ?

କେଦାର ମିଶ୍ର

ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ- ଏତିକି ଶୁଣୁ ଶୁଣୁ ଭକ୍ତମଣ୍ଡଳୀ ପାଗଳା ହୋଇଯିବେ। ସେମାନଙ୍କ ମତରେ ଅନ୍ୟ ଦଳରେ ବହୁତ ସମସ୍ୟା ଓ  ସଙ୍କଟ, ହେଲେ ବିଜେପି ବିଶୁଦ୍ଧ ଗଙ୍ଗାଜଳ! ତେବେ ରାଜ୍ୟ ବିଜେପି ଭିତରେ ଗୋଷ୍ଠୀ ବିବାଦ ଓ ଫାଟ ଯେତେ ଲୁଚେଇଲେ ବି ଲୁଚୁ ନାଇଁ। ମନ୍ତ୍ରୀ ଭାବରେ ଶପଥ ନେବା ପରେ ଗତକାଲି ଓଡିଶାର ଏକମାତ୍ର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ  ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ନିର୍ବାଚିତ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ କରିବା ଲାଗି ଯେଉଁ ଯୋଜନା  ହୋଇଥିଲା, ସେଥିରେ ବିଜେପିର ବିଜୟ  ଉତ୍ସବ ଅପେକ୍ଷା ଦଳର ଗୋଷ୍ଠୀ କନ୍ଦଳ ଜଳ ଜଳ ଦେଖା ଯାଉଥିଲା। ବିମାନ ବନ୍ଦରରୁ ପୁରୀ ଓ ପୁରୀ ରୁ ପ୍ରଦର୍ଶନୀ ପଡିଆର ସମ୍ବର୍ଦ୍ଧନା ସଭା ଯାଏଁ ସବୁଠି ବିଜେପି ନେତାମାନଙ୍କ ଭିତରେ ମନୋମାଳିନ୍ୟର ସ୍ପଷ୍ଟ ଛବି ଦିଶୁଥିଲା।

ବିମାନ ବନ୍ଦରରେ ଦଳର ଯୁବ ନେତାମାନେ ପରଷ୍ପର ବିରୋଧରେ ଧସ୍ତାଧସ୍ତି ହେବା ସହିତ ଏହି ମାମଲା ଥାନାକୁ ପହଞ୍ଚିଥିଲା। ଭୁବନେଶ୍ବରର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ବହୁ ଦଳୀୟ ନେତା ଖୋଲାଖୋଲି ଅଭିଯୋଗ କରିଥିଲେ। ଦଳୀୟ କର୍ମୀଙ୍କ ଭିତରେ ପ୍ରବଳ ସନ୍ଦେହ ଓ ଅବିଶ୍ବାସର ପ୍ରତିଫଳନ ସବୁଠି ବାରି ହୋଇ ପଡୁଥିଲା । ପରାଜୟର ଗ୍ଲାନିକୁ ଯେତେ ଲୁଚେଇଲେ ମଧ୍ୟ ତାହା ଦିଶି ଯାଉଛି। ତାରି ଭିତରେ ଲୋକସଭାରେ ବିଜେପି ଯେଉଁ ଆଂଶିକ ସଫଳତା ପାଇଛି, ତାର ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବାଲାଗି ଅନେକ ରାଜ୍ୟ ନେତା ନାରାଜ। ସେଥିଲାଗି ଗତ କାଲିର ସମ୍ବର୍ଦ୍ଧନା ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀ ଯୋଗଦାନ କରି ନଥିଲେ। ଔପଚାରିକ ଭାବରେ ଅପରାଜିତା ବିମାନ ବନ୍ଦରରେ ମନ୍ତ୍ରୀ ଦୁହିଙ୍କୁ ସ୍ଵାଗତ କରିଥିଲେ ମଧ୍ୟ, ନିଜ ନିର୍ବାଚନ ମଣ୍ଡଳୀର ସମ୍ବର୍ଦ୍ଧନା ସଭାରେ ଯୋଗ ନଦେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇତି ମଧ୍ୟରେ ଅପରାଜିତା ବିଜେପିର ପାରମ୍ପରିକ ରାଜନୀତିଠୁ ଭିନ୍ନ ଢଙ୍ଗରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଆକ୍ରାମକ ପ୍ରଚାରଠାରୁ ନିଜକୁ ଦୂରେଇ ରଖିଥିଲେ। ନିଜର ଲୋକ ସମ୍ପର୍କ ଓ ବିକାଶର କଥା କହିବା ସହିତ ସବୁ ବର୍ଗଙ୍କୁ ସାଙ୍ଗରେ ନେଇ କାମ କରିବାର ସୂତ୍ର ସେ ଆପଣାର କରିଥିଲେ। ତାଙ୍କ ବିଜୟ  ପଛରେ ଏହି ସୂତ୍ର ହିଁ କାମ କରିଥିଲା। ଭୁବନେଶ୍ୱର ଆସନରୁ ଜିତିଥିବାରୁ ତାଙ୍କୁ ବିଜେପି ତରଫରୁ ମନ୍ତ୍ରୀ କରାଯିବ ବୋଲି ସେ ହୁଏତ ଆଶା ମଧ୍ୟ କରିଥିଲେ। ଏ ସମ୍ପର୍କରେ କିଛିଟା ଇଙ୍ଗିତ ଗତକାଲିର ସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦେଇଥିଲେ। ମନ୍ତ୍ରୀ କିଏ ହେଉଛି ବୋଲି ଜାଣିବାକୁ ଅପରାଜିତା ତାଙ୍କୁ ଫୋନ କରିଥିଲେ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି। ଇତି ମଧ୍ୟରେ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ମଧ୍ୟ ବିଜେପି ଭିତରେ ଚାପା ଗୁଞ୍ଜରଣ ଲାଗି ରହିଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କିମ୍ବା ବାଚସ୍ପତି ନିର୍ବାଚନରେ ଭାଗ ନେଇନଥିବା ବେଳେ ଅପରାଜିତା ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅନେକଙ୍କୁ ଅସ୍ଵାଭାବିକ ମାନେ ହେଉଛି।

ତେବେ ଅପରାଜିତା ଷଡଙ୍ଗୀ ତାଙ୍କ ରାଜନୀତି ବିଜେପି ରାଜନୀତିଠୁ ଅଲଗା ହେବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି। ତାଙ୍କର ଏ ପ୍ରକାର ମନୋଭାବ ହୁଏତ ବିଜେପିର ତାଙ୍କୁ ବେଶୀ ଦିନ ରଖାଇ ଦେଇ ନପାରେ। ସମନ୍ଵୟ ଓ ସହାବସ୍ଥାନ ବିଜେପିର ସ୍ଵାଭାବିକ ରାଜନୀତି ନୁହେଁ। ସଂଘ ପରିବାରର ପୃଷ୍ଠଭୂମି ନ ଥିବାରୁ ଅପରାଜିତାଙ୍କୁ ସହଜରେ ମନ୍ତ୍ରୀମଣ୍ଡଳରେ ଜାଗା ମିଳିବାର ସମ୍ଭାବନା କମ। ସମୟକ୍ରମେ ଅପରାଜିତା ବିଜେପିର ରାଜ୍ୟ ନେତୃତ୍ଵ ସହ ଅସହମତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଦଳ ଭିତରେ ଆଜି ମଧ୍ୟ ସେ ଏକ ପ୍ରକାର “ବାହାରିଆ” ଲୋକ ହୋଇ ରହିଛନ୍ତି।

କେବଳ ଅପରାଜିତା ନୁହନ୍ତି, ବିଜେଡ଼ିରୁ ଠିକ ନିର୍ବାଚନ ପୂର୍ବରୁ ଯେଉଁ ନେତା ମାନେ ବିଜେପିକୁ ଆସିଛନ୍ତି, ସେମାନେ ମଧ୍ୟ ଦଳ ଭିତରେ କୋଣଠେସା ହେବେ। ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ନିର୍ବାଚନ ପରେ ଏବେ ବିଜେପିର ଆଉ ବିଶେଷ କାମରେ ଲାଗିବାର ନାହିଁ। ପାଟକୁରା ଉପ ନିର୍ବାଚନରେ ବିଜୟ ମହାପାତ୍ର ଜିତିଲେ ହୁଏତ ତାଙ୍କର କିଛି ସ୍ଥିତି ରହିବ, ନଚେତ ପୁଣିଥରେ ସେ ବିଜେପି ଅଫିସରେ ପୁରୁଣା ଚୌକି ହୋଇ ପଡି ରହିବେ। ଏକଦା ଧର୍ମେନ୍ଦ୍ର ପ୍ରଧାନଙ୍କ କଠୋର ସମାଲୋଚକ ଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପରେ ଏବେ ଧର୍ମେନ୍ଦ୍ରଙ୍କ ବଶଂବଦ ହୋଇ ରହିଛନ୍ତି। ତେବେ ଏହା କେତେଦିନ ଜାରି ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟ ପକ୍ଷରେ ପଶ୍ଚିମ ଓଡିଶାରୁ ବିଜେପି ୫ ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନ ଜିତିଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେ ଅଞ୍ଚଳ ପ୍ରତି ଉପେକ୍ଷାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ସାରିଛି। ଏହା ଅନେକାଂଶରେ ବିଜେପି ନେତାଙ୍କ ଲାଗି ବିଷମ ପରିସ୍ଥିତି ସୃଷ୍ଟି କରିବ। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ରାଜ୍ୟ ବିଜେପିକୁ ଆଗାମୀ ଦିନରେ ଆହୁରି ବିଭାଜିତ ଓ ଗୋଷ୍ଠୀ ବିଭକ୍ତ କରିବାର ସମ୍ଭାବନା ଏବେ ଜଳ ଜଳ ହୋଇ ଦିଶୁଛି। ସେଥିରେ ଆଉ ଥରେ୨୦୨୪ ଲାଗି ମିଶାନ-୧୨୦+ ଗୋଟେ ହାସ୍ୟାସ୍ପଦ ସ୍ଲୋଗାନ ମନେ  ହେଉଛି!!