Categories
ଆଞ୍ଚଳିକ ରାଜ୍ୟ ଖବର

ବାଣପୁରର ସେବାଦେବୀଙ୍କୁ  ମିଳିଲା ଆଉ ଏକ ପ୍ରତିଭା ସମ୍ମାନ: ମା’ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ପ୍ରେମଲତା ଦେବୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,୨୮/୧୨: ମା’ ଭଗବତୀ ବିକାଶ ପରିଷଦର ତ୍ରୟୋଦଶତମ ବାର୍ଷିକୀ ଉତ୍ସବ ଅବସରରେ ବାଣପୁରର ଖ୍ୟାତନାମା ହୋମିଓପ୍ୟାଥିକ ଡାକ୍ତର ପ୍ରେମଲତା ଦେବୀଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜେସବାରେ ଦୀର୍ଘ ସମୟ ଧରି ପ୍ରେମଲତା ଦେବୀ ନିଜକୁ ନିୟୋଜିତ କରିଛନ୍ତି। କେବଳ ସେବା ନୁହେଁ ରାଜନୀତି ସହ ସେବାକୁ ମଧ୍ୟ ପ୍ରମୁଖ କାର୍ଯ୍ୟ ଭାବେ ନିଭାଇଛନ୍ତି ଶ୍ରୀମତୀ ଦେବୀ। ବାଣପୁର ଅଞ୍ଚଳରେ ଜଣେ ଯୋଗ୍ୟା ସରପଞ୍ଚ ଭାବେ ବେଶ୍‌ ସକ୍ରିୟ ଯୋଗଦାନ କରିଥିବାବେଳେ ପଞ୍ଚାୟତ ସମିତିର ଅପ୍ରତିଦ୍ବନ୍ଦ୍ବୀ ଅଧ୍ୟକ୍ଷା ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ ନନ୍ଦପୁର ସେବା ସମବାୟ ସମିତିର ସଭାପତି ରୂପେ ମଧ୍ୟ ବେଶ୍‌ ସକ୍ରିୟତା ଦେଖାଇଛନ୍ତି ପ୍ରେମଲତା ଦେବୀ।

ପ୍ରେମଲତା ଦେବୀ ବାଣପୁର ଅଞ୍ଚଳରେ ‘ସେବା ଦେବୀ’ ଭାବେ ଘରେ ଘରେ ପରିଚିତ। କେବଳ ଡାକ୍ତରୀ ସେବା ନୁହେଁ ସମାଜ ସେବାରେ ମଧ୍ୟ ବେଶ୍‌ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସମାଜସେବା ସହିତ ରାଜନୀତିରେ ଜଡିତ ହୋଇ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କାର୍ଯ୍ୟ କରି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପ୍ରେମଲତା। ବାଣପୁରର ଅନ୍ତରାକିଆରୀ ପଲ୍ଲୀର ପ୍ରେମଲତା ନିଜର ଯାଦୁକରୀ ସ୍ପର୍ଶରେ ନିସ୍ବ ଅସହାୟ ଦୀନଦୁଃଖୀଙ୍କର ସେବା କରିବା ସହ ସେମାନଙ୍କୁ ନୂତନ ପ୍ରାଣ ସଂଜୀବନୀ ମନ୍ତ୍ରରେ ଅଭିମନ୍ତ୍ରିତ କରାଇଛନ୍ତି।

ଆଜି ଜୟଦେବଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମା’ ଭଗବତୀ ବିକାଶ ପରିଷଦ ତରଫରୁ ପ୍ରେମଲତାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ତାଙ୍କ ପତ୍ନୀ ସୁପ୍ରମା ମିଶ୍ର ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ମଞ୍ଚାସୀନ ଅତିଥି ଭାବରେ ମା’ ଭଗବତୀ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ସମ୍ପାଦକ ସୁବଳ ଚରଣ ଭୋଳ, ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଯୋଗଦାନ କରି ପ୍ରେମଲତା ଦେବୀଙ୍କର ଭୂୟସୀ ପ୍ରଶଂସା କରିଥିଲେ।