Categories
ଜାତୀୟ ଖବର ବିଶେଷ ଖବର

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍‌ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯, ୨୦୨୨ ଦିନ ଅରୁଣାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢେ ନଅଟାବେଳେ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଡୋନୟୀ ପୋଲୋ ବିମାନବନ୍ଦର ଉଦ୍‌ଘାଟନ କରିବା ସହ ୬୦୦ ମେଗାୱାଟ ଶକ୍ତି ସମ୍ପନ୍ନ କାମେଙ୍ଗ ଜଳ ବିଦ୍ୟୁତ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପରେ ସେ ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚି ପ୍ରାୟ ଅପରାହ୍ନ ୨ଟାବେଳେ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିବେ ।

-ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ-

ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଇଟାନଗର ଠାରେ ଅରୁଣାଚଳ ପ୍ରଦେଶର ପ୍ରଥମ ଗ୍ରୀନ ଫିଲ୍ଡ ବିମାନବନ୍ଦର “ଡୋନୟୀ ପୋଲୋ’ ବିମାନବନ୍ଦରୁ ଉଦ୍‌ଘାଟନ କରିବେ । ସୂର‌୍ୟ୍ୟ ଓ ଚନ୍ଦ୍ରକୁ ଯୁଗ ଯୁଗ ଧରି ଭାରତୀୟ ପରମ୍ପରାରେ ଆରଧନା କରଯାଉଥିବା ଅରୁଣାଚଳ ପ୍ରଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏହି ବିମାନବନ୍ଦର ନାମକରଣରେ ପ୍ରତିଫଳିତ ହୋଇଛି ।

ଅରୁଣାଚଳ ପ୍ରଦେଶର ଏହି ପ୍ରଥମ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ୬୪୦କୋଟି ଟଙ୍କା ବ୍ୟୟରେ ୬୯୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ନିର୍ମିତ ହୋଇଛି । ୨୩୦୦ମିଟର ରନୱେ ବିଶିଷ୍ଟ ଏହି ବିମାନବନ୍ଦର ସବୁପ୍ରକାର ପାଗ ନିମନ୍ତେ ଅନୁକୂଳ। ବିମାନ ବନ୍ଦର ଟର୍ମିନାଲ ଏକ ଆଧୁନିକ ଭବନ ଯେଉଁଠାରେ ଶକ୍ତି ସାମର୍ଥ୍ୟ, ଅକ୍ଷୟ ଶକ୍ତି ଓ ସମ୍ବଳର ପୁନଃ ପ୍ରକ୍ରିୟାକରଣ ଉପଲବ୍ଧ ।

ଇଟାନଗରରେ ନୂତନ ବିମାନବନ୍ଦର ସଂଯୋଗୀକରଣ ଉନ୍ନତ କରିବା ସହ ସେ ଅଞ୍ଚଳରେ ବାଣିଜ୍ୟ ଓ ପର‌୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟାଇ ଆର୍ଥିକ ଘଟାଇ ଆର୍ଥିକ ବିକାଶରେ ସହାୟକ ହେବ ।

ଏହି କାର‌୍ୟ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ମଧ୍ୟ ୬୦୦ ମେଗାୱାଟ ବିଶିଷ୍ଟ କାମେଙ୍ଗ ଜଳବିଦ୍ୟୁତ ଷ୍ଟେସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୮୪୫୦ କୋଟି ଟଙ୍କାର ଅଧିକ ବ୍ୟୟରେ ନିର୍ମିତ ଏହି କେନ୍ଦ୍ର ଅରୁଣାଚଳ ପ୍ରଦେଶର ପଶ୍ଚିମ କେମାଙ୍ଗ ଜିଲ୍ଲାର ୮୦ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ହୋଇଛି । ଏହା ଅରୁଣାଚଳ ପ୍ରଦେଶକୁ ଏକ ବଳକା ବିଦ୍ୟୁତ ରାଜ୍ୟରେ ପରିଣତ କରିବା ସହ ଜାତୀୟ ଗ୍ରୀଡକୁ ମଧ୍ୟ ସୁଦୃଢ କରିବ ।

ଏହି ପ୍ରକଳ୍ପ ସବୁଜ ଶକ୍ତି ବୃଦ୍ଧି ନେଇ ଦେଶର ଅଙ୍ଗୀକାରବଦ୍ଧତାକୁ ସାକାର କରିବ ।

ବାରଣାସୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ “ଏକ ଭାରତ ଶ୍ରେଷ୍ଠ ଭାରତ” ଚିନ୍ତାଧାରା ସରକାରଙ୍କ ବିଭିନ୍ନ କାର‌୍ୟ୍ୟରେ ପ୍ରତିଫଳିତ ହୋଇଛି । ଏହାର ଆଉ ଏକ ପଦକ୍ଷେପ ସ୍ୱରୂପ “କାଶୀ ତାମିଲ ସଙ୍ଗମମ୍‌’ ଏକ ମାସିକିଆ କାର‌୍ୟ୍ୟକ୍ରମ କାଶୀ (ବାରଣାସୀ)ଠାରେ ଆୟୋଜିତ ହେଉଛି । ନଭେମ୍ବର ୧୯ତାରିଖ ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ ।

ତାମିଲନାଡୁ ଓ କାଶୀ ମଧ୍ୟରେ ରହିଥିବା ଯୁଗ ଯୁଗ ବ୍ୟାପୀ ପ୍ରାଚୀନ ସମ୍ପର୍କର ପୁନଃ ପ୍ରତିଷ୍ଠା ଓ ଏହାକୁ ଉତ୍ସବ ଭାବେ ପାଳନ କରିବା ହେଉଛି ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ । ତାମିଲନାଡୁ ଓ କାଶୀ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚନୀ ଜ୍ଞାନ ଆହରଣର ସ୍ଥାନ ଭାବେ ରହିଆସିଛି । ଦୁଇ ଅଞ୍ଚଳର ବିଦ୍ୱାନ, ଛାତ୍ରଛାତ୍ରୀ, ଦାର୍ଶନିକ, ବଣିକ, ନିର୍ମାଣ ଶିଳ୍ପୀ, କଳାକାର ଏଠାରେ କାର‌୍ୟ୍ୟକ୍ରମ ଜରିଆରେ ଏକତ୍ରିତ ହୋଇ ସେମାନଙ୍କ ଜ୍ଞାନ, ସଂସ୍କୃତି ଓ ନିଜସ୍ୱ ଅଭିଜ୍ଞତା ଆଦାନ ପ୍ରଦାନ କରିବେ । ୨୫ଶହରୁ ଅଧିକ ପ୍ରତିନିଧି ତାମିଲନାଡୁରୁ କାଶୀ ପରିଦର୍ଶନରେ ଯିବେ । ସେମାନେ ଆଲୋଚନାଚକ୍ର, ଦର୍ଶନୀୟ ସ୍ଥାନ ପରିଦର୍ଶନ ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଆପୋଷ ଆଲୋଚନା ଜରିଆରେ ମତ ବିନିମୟ କରିବେ । ଏକ ମାସ ବ୍ୟାପୀ ବସ୍ତ୍ରକଳା, ହସ୍ତକଳା, ଓଡିଓପି ସାମଗ୍ରୀ, ପୁସ୍ତକ, ବୃତ୍ତଚିତ୍ର, ଆହାର, କକ୍ଷ ସାମଗ୍ରୀ ଇତ୍ୟାଦିର ପ୍ରଦର୍ଶନୀ କାଶୀଠାରେ ଆୟୋଜିତ ହେବ ।

ଜାତୀୟ ଶିକ୍ଷାନୀତି ୨୦୨୦ରେ ଭାରତୀୟ ଜ୍ଞାନ ପଦ୍ଧତି, ଆଧୁନିକ ଜ୍ଞାନ ପଦ୍ଧତି ସହ ସମ୍ମିଶ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି । ଆଇଆଇଟି ମାନ୍ଦ୍ରାଜ ଓ ବିଏଚୟୁ ଏହି ଦୁଇଟି ସଂସ୍ଥା କାର‌୍ୟ୍ୟକ୍ରମଟିକୁ ତ୍ୱରାନ୍ୱିତ କରୁଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ପରିସ୍ଥିତିର ରାଜ୍ୟ ଓ ଜିଲ୍ଲା ୱାରି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ-୧୯ ପରିସ୍ଥିତିର ଆଜି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ୱାରୀ କୋଭିଡ ସଂକ୍ରମଣ ନେଇ ତାଙ୍କୁ ସବିଶେଷ ଅବଗତ କରାଯାଇଛି । ଯେଉଁ ୧୨ଟି ରାଜ୍ୟରେ ଏକଲକ୍ଷ ବା ତା’ଠାରୁ ଅଧିକ ମାମଲା ଅଛି ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ଯେଉଁ ଜିଲ୍ଳାଗୁଡିକରେ ସଂକ୍ରମଣ ଅଧିକ ହୋଇଛି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା ।

ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟଗତ ଭିତ୍ତିଭୂମିକୁ କିପରି ସଜଡା ଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଯେଉଁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି ସେ ରାଜ୍ୟଗୁଡିକୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଶୀଘ୍ର ଓ ସମ୍ପୂର୍ଣ୍ଣ ସଙ୍ଗରୋଧଜନିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ପଜିଟିଭ ହାର ଶତକଡା ଦଶଭାଗ ବା ଶତକଡା ୬୦ଭାଗ ଅମ୍ଳଜାନ ସଂଯୋଗ ହୋଇଥିବା ଶଯ୍ୟା ବା ଆଇସିୟୁ ଅଧିକୃତ ହୋଇଥିବ ସେମାନଙ୍କୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକୁ ମାର୍ଗଦର୍ଶିକା ପଠାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଔଷଧପତ୍ରର ଉପଲବ୍ଧତାର ମଧ୍ୟ ସମୀକ୍ଷା କରିଥିଲେ । ରେମଡେସିଭିର ସମେତ ଅନ୍ୟ ଔଷଧର ଆଶୁ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା ।

ଟିକାକରଣର ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ସହ ଆଗାମୀ କିଛି ମାସ ମଧ୍ୟରେ କିପରି ଟିକା ମାତ୍ରା ଉତ୍ପାଦନ ବୃଦ୍ଧି କରାଯିବ ସେ ସମ୍ପର୍କରେ ମଧ୍ୟ ବୁଝିଥିଲେ । ଏପର‌୍ୟ୍ୟନ୍ତ ୧୭.୭କୋଟି ଟିକା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା । ରାଜ୍ୟୱାରୀ ଟିକା ନଷ୍ଟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ଦେଶରେ ଶତକଡା ୩୧ଭାଗ ୪୫ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୂନ୍ୟ ଗୋଟିଏ ମାତ୍ରା ଦିଆଯାଇଥିବା ତାଙ୍କୁ ଅବଗତ କରାଯାଇଥିଲା । ଯେପରି ରାଜ୍ୟଗୁଡିକରେ ଟିକାକାରଣ କାର‌୍ୟ୍ୟକ୍ରମରେ ଶିଥିଳତା ନ ଆସେ ସେ ସମ୍ପର୍କରେ ରାଜ୍ୟଗୁଡିକୁ ସମ୍ବେଦନଶୀଳ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଥିଲେ । ଲକ୍ଡାଉନ ସତ୍ୱେ ଜନସାଧାରଣଙ୍କ ଟିକାଦାନ ପ୍ରକ୍ରିୟା ବନ୍ଦ ନ ହେବା ତଥା ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟ କାର‌୍ୟ୍ୟରେ ନ ଲଗାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ଅମିତ ଶାହା, ଡକ୍ଟର ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ମନସୁଖ ମାଣ୍ଡଭିୟା ଓ ଶ୍ରୀମତୀ ନିର୍ମଳା ସୀତାରମଣ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଗଣ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଚୌରୀଚୌରାର ଶହୀଦମାନଙ୍କୁ ଯଥାର୍ଥ ମାନ୍ୟତା ମିଳିନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବାର ଦୃଷ୍ଟିରୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ଉପନୀତ ବୋଲି ସେ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଗୋରଖପୁର ନିକଟସ୍ଥ ଚୌରୀଚୌରାଠାରେ ଚୌରୀଚୋରା ଶତବାର୍ଷିକୀ ସମାରୋହର ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବା ଅବସରରେ ମୋଦି ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୌରୀଚୌରା ଶହୀଦମାନଙ୍କୁ ନେଇ ଯେତିକି ଆଲୋଚନା ପର‌୍ୟ୍ୟାଲୋଚନା ହେବା କଥା ତାହା ହୋଇପାରିନାହିଁ । ଚୌରୀଚୌରା ଥିଲା ଜନସାଧାରଣଙ୍କ ଏକ ସ୍ୱତଃପ୍ରବୃତ୍ତ ଲଢେଇ । ଏପରିକି ସଂଗ୍ରାମର ବିପ୍ଳବୀମାନଙ୍କୁ ଇତିହାସର ପୃଷ୍ଠାରେ ସ୍ଥାନ ଦିଆଯାଇ ନଥିଲେ ମଧ୍ୟ ଦେଶର ମାଟି ସେମାନଙ୍କ ରକ୍ତରେ ରଞ୍ଜିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ୧୯ଜଣ ସଂଗ୍ରାମୀଙ୍କୁ ଗୋଟିଏ କାରଣ ପାଇଁ ଫାଶୀ ଦିଆଯାଇଥିଲା ଯାହାର କୌଣସି ବର୍ଣ୍ଣନା କ୍ୱଚିତ ଦେଖିବାକୁ ମିଳିଥାଏ । ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୧୫୦ଜଣଙ୍କ ଜୀବନ ବଞ୍ଚାଇ ବାବା ରାଘବ ଦାସ ଓ ପଣ୍ଡିତ ମଦନମୋହନଙ୍କ ଅବଦାନକୁ ଶ୍ରୀ ମୋଦି ସ୍ମରଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ସଂଗ୍ରାମ ସହିତ ସଂଶ୍ଳିଷ୍ଟ, କମ୍ ଲୋକଲୋଚନକୁ ଆସିଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ଜନାଦୃତ କରିବା ପାଇଁ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀମାନଙ୍କୁ ସାମିଲ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ ଏଥିପାଇଁ ଯୁବ ଲେଖକମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଉପରେ ବହି ଲେଖିବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ।

ଚୌରୀଚୌରାର ଶତବାର୍ଷିକୀ ସମାରୋହକୁ ସ୍ଥାନୀୟ କଳା, ସଂସ୍କୃତିକୁ ଆତ୍ମନିର୍ଭର ଭାରତ ସହ ଯୋଡାଯାଇଥିବାରୁ ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମାରୋହ ଆୟୋଜନ କରୁଥିବାରୁ ଶ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟ ପ୍ରଶାସନର ମଧ୍ୟ ପ୍ରଶଂସା କରିଛନ୍ତି ।

Categories
ଫଟୋ ଖବର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Prime Minister Narendra Modi  paid tributes to former President, Shri Pranab Mukherjee.