ଚୌରୀଚୌରାର ଶହୀଦମାନଙ୍କୁ ଯଥାର୍ଥ ମାନ୍ୟତା ମିଳିନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ

Published: Feb 4, 2021, 11:31 pm IST

ନୂଆଦିଲ୍ଲୀ, ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବାର ଦୃଷ୍ଟିରୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ଉପନୀତ ବୋଲି ସେ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଗୋରଖପୁର ନିକଟସ୍ଥ ଚୌରୀଚୌରାଠାରେ ଚୌରୀଚୋରା ଶତବାର୍ଷିକୀ ସମାରୋହର ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବା ଅବସରରେ ମୋଦି ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୌରୀଚୌରା ଶହୀଦମାନଙ୍କୁ ନେଇ ଯେତିକି ଆଲୋଚନା ପର‌୍ୟ୍ୟାଲୋଚନା ହେବା କଥା ତାହା ହୋଇପାରିନାହିଁ । ଚୌରୀଚୌରା ଥିଲା ଜନସାଧାରଣଙ୍କ ଏକ ସ୍ୱତଃପ୍ରବୃତ୍ତ ଲଢେଇ । ଏପରିକି ସଂଗ୍ରାମର ବିପ୍ଳବୀମାନଙ୍କୁ ଇତିହାସର ପୃଷ୍ଠାରେ ସ୍ଥାନ ଦିଆଯାଇ ନଥିଲେ ମଧ୍ୟ ଦେଶର ମାଟି ସେମାନଙ୍କ ରକ୍ତରେ ରଞ୍ଜିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ୧୯ଜଣ ସଂଗ୍ରାମୀଙ୍କୁ ଗୋଟିଏ କାରଣ ପାଇଁ ଫାଶୀ ଦିଆଯାଇଥିଲା ଯାହାର କୌଣସି ବର୍ଣ୍ଣନା କ୍ୱଚିତ ଦେଖିବାକୁ ମିଳିଥାଏ । ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୧୫୦ଜଣଙ୍କ ଜୀବନ ବଞ୍ଚାଇ ବାବା ରାଘବ ଦାସ ଓ ପଣ୍ଡିତ ମଦନମୋହନଙ୍କ ଅବଦାନକୁ ଶ୍ରୀ ମୋଦି ସ୍ମରଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ସଂଗ୍ରାମ ସହିତ ସଂଶ୍ଳିଷ୍ଟ, କମ୍ ଲୋକଲୋଚନକୁ ଆସିଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ଜନାଦୃତ କରିବା ପାଇଁ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀମାନଙ୍କୁ ସାମିଲ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ ଏଥିପାଇଁ ଯୁବ ଲେଖକମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଉପରେ ବହି ଲେଖିବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ।

ଚୌରୀଚୌରାର ଶତବାର୍ଷିକୀ ସମାରୋହକୁ ସ୍ଥାନୀୟ କଳା, ସଂସ୍କୃତିକୁ ଆତ୍ମନିର୍ଭର ଭାରତ ସହ ଯୋଡାଯାଇଥିବାରୁ ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମାରୋହ ଆୟୋଜନ କରୁଥିବାରୁ ଶ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟ ପ୍ରଶାସନର ମଧ୍ୟ ପ୍ରଶଂସା କରିଛନ୍ତି ।

Related posts