Categories
ଆଜିର ଖବର ଜାତୀୟ ଖବର

ଶହୀଦ ହେଲେ ସିଆଚୀନ୍‌ରେ କାର୍ଯ୍ୟରତ ଅଗ୍ନିବୀର, ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ସେନା

ନୂଆଦିଲ୍ଲୀ: ସିଆଚୀନ୍‌ରେ ଡ୍ୟୁଟିରେ ଥିବାବେଳେ ଜଣେ ଅଗ୍ନିବୀର ଶହୀଦ ହୋଇଛନ୍ତି। ସେନାର ଲେହ ସ୍ଥିତ ‘ଫାୟାର ଆଣ୍ଡ ଫ୍ୟୁରି କୋର’ ଆଜି ଏହି ସୂଚନା ଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସମସ୍ତ ବାହିନୀ ମହାରାଷ୍ଟ୍ରର ଅଗ୍ନିବୀର ଗଭତେ ଅକ୍ଷୟ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କାରାକୋରାମ ପର୍ବତ ରେଞ୍ଜର ପ୍ରାୟ ୨୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ସିଆଚୀନ୍‌ ଗ୍ଲାସିଅର୍ ଦୁନିଆର ସର୍ବୋଚ୍ଚ ସାମରିକ କ୍ଷେତ୍ର ଭାବରେ ଜଣାଶୁଣା, ଯେଉଁଠାରେ ଯବାନମାନଙ୍କୁ ଅତ୍ୟଧିକ ଥଣ୍ଡା ଏବଂ ପ୍ରବଳ ପବନ ସହ ମୁକାବିଲା କରିବାକୁ ପଡିବ।

ତେବେ ଅଗ୍ନିବୀର ଗଭେତ ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦରରେ ଶହୀଦ ସରୋଜ ଦାସଙ୍କୁ ଗାର୍ଡ ଅଫ ଅନର, ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଶହୀଦ ସରୋଜ ଦାସଙ୍କ ପାର୍ଥିବ ଶରୀର ବିମାନରେ ଆସିବା ପରେ ତାଙ୍କୁ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିମାନ ବନ୍ଦରରେ ପହଞ୍ଚି ସରୋଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ବିମାନ ବନ୍ଦରରୁ ସରୋଜଙ୍କ ପାର୍ଥୀବ ଶରୀର ଢେଙ୍କାନାଳ ଅଭିମୁଖେ ନିଆଯାଇଥିଲା। ସେଠାରେ ତାଙ୍କୁ ଜିଲ୍ଲା ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ କାମାକ୍ଷନଗର ଏବଂ ତାଙ୍କ ଜନ୍ମମାଟି କେନ୍ଦୁଢିପକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ। ସେ ସିକ୍କିମରେ ଟ୍ରେନିଂ ସାରି ଫେରୁଥିବାର ବେଳେ ପ୍ରବଳ ବନ୍ୟାରେ ଭାସିଯାଇ ମୃତ୍ୟୁ ବରଣ କରିଥିଲେ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାରେ ପହଞ୍ଚିବ ସହୀଦ ସରୋଜ ଦାସଙ୍କ ମର ଶରୀର, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଜି ସିକ୍କିମରୁ ଓଡିଆ ଶହୀଦ ସରୋଜ ଦାସଙ୍କ ମରଶରୀର ଗାଁକୁ ଆସିବ। ଗତକାଲିଠାରୁ ତାଙ୍କ ଗାଁ କାମାକ୍ଷାନଗର କେନ୍ଦୁଢିପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି। ପୁରା ଗ୍ରାମବାସୀ ଶୋକରେ ଭାଙ୍ଗି ପଡିଛନ୍ତି। ସରୋଜ ଟ୍ରେନିଂ ସାରି କ୍ୟାମ୍ପକୁ ଫେରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ସେଥିରେ ଭାସିଯାଇଥିଲେ ସରୋଜ। ତାଙ୍କ ସହିତ 23 ଜଣ ଯବାନ ମଧ୍ୟ ଭାସିଯାଇଥିଲେ।

ଏ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ବାର୍ତ୍ତାରେ କହିଛନ୍ତି ଯେ, ସିକ୍କିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

 

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜମ୍ମୁ-କାଶ୍ମୀରରେ ଯବାନଙ୍କ ଶହୀଦ ଘଟଣାରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଓ ଭାରତୀୟ ଯବାନଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।

ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲା ଶହୀଦ ରାଣାପ୍ରତାପଙ୍କ ମରଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାମିଲନାଡୁର କୁନୁର ହେଲିକପ୍ଟର ଦୁର୍ଘଟଣା ରେ ଶହୀଦ ହୋଇଥିବା ଓଡ଼ିଆ ଯୁବକ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ଶହୀଦ ରାଣାପ୍ରତାପ ଦାସଙ୍କ ମରଶରୀରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶହୀଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତି ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ତାଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମ ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯିବ। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।

ଗତ ବୁଧବାର ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ସହିଦ ହୋଇଥିଲେ । ଏଥିରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ । ଭାରତୀୟ ବାୟୁସେନାରେ ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁରେ ସାରା ତାଳଚେରରେ ଶୋକର ଛାୟା ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଚୌରୀଚୌରାର ଶହୀଦମାନଙ୍କୁ ଯଥାର୍ଥ ମାନ୍ୟତା ମିଳିନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବାର ଦୃଷ୍ଟିରୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ଉପନୀତ ବୋଲି ସେ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଗୋରଖପୁର ନିକଟସ୍ଥ ଚୌରୀଚୌରାଠାରେ ଚୌରୀଚୋରା ଶତବାର୍ଷିକୀ ସମାରୋହର ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବା ଅବସରରେ ମୋଦି ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୌରୀଚୌରା ଶହୀଦମାନଙ୍କୁ ନେଇ ଯେତିକି ଆଲୋଚନା ପର‌୍ୟ୍ୟାଲୋଚନା ହେବା କଥା ତାହା ହୋଇପାରିନାହିଁ । ଚୌରୀଚୌରା ଥିଲା ଜନସାଧାରଣଙ୍କ ଏକ ସ୍ୱତଃପ୍ରବୃତ୍ତ ଲଢେଇ । ଏପରିକି ସଂଗ୍ରାମର ବିପ୍ଳବୀମାନଙ୍କୁ ଇତିହାସର ପୃଷ୍ଠାରେ ସ୍ଥାନ ଦିଆଯାଇ ନଥିଲେ ମଧ୍ୟ ଦେଶର ମାଟି ସେମାନଙ୍କ ରକ୍ତରେ ରଞ୍ଜିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ୧୯ଜଣ ସଂଗ୍ରାମୀଙ୍କୁ ଗୋଟିଏ କାରଣ ପାଇଁ ଫାଶୀ ଦିଆଯାଇଥିଲା ଯାହାର କୌଣସି ବର୍ଣ୍ଣନା କ୍ୱଚିତ ଦେଖିବାକୁ ମିଳିଥାଏ । ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୧୫୦ଜଣଙ୍କ ଜୀବନ ବଞ୍ଚାଇ ବାବା ରାଘବ ଦାସ ଓ ପଣ୍ଡିତ ମଦନମୋହନଙ୍କ ଅବଦାନକୁ ଶ୍ରୀ ମୋଦି ସ୍ମରଣ କରିଥିଲେ ।

ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ସଂଗ୍ରାମ ସହିତ ସଂଶ୍ଳିଷ୍ଟ, କମ୍ ଲୋକଲୋଚନକୁ ଆସିଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ଜନାଦୃତ କରିବା ପାଇଁ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀମାନଙ୍କୁ ସାମିଲ କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ ଏଥିପାଇଁ ଯୁବ ଲେଖକମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଉପରେ ବହି ଲେଖିବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ।

ଚୌରୀଚୌରାର ଶତବାର୍ଷିକୀ ସମାରୋହକୁ ସ୍ଥାନୀୟ କଳା, ସଂସ୍କୃତିକୁ ଆତ୍ମନିର୍ଭର ଭାରତ ସହ ଯୋଡାଯାଇଥିବାରୁ ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମାରୋହ ଆୟୋଜନ କରୁଥିବାରୁ ଶ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଜ୍ୟ ପ୍ରଶାସନର ମଧ୍ୟ ପ୍ରଶଂସା କରିଛନ୍ତି ।