ଭୁବନେଶ୍ବରରେ ପହଞ୍ଚିଲା ଶହୀଦ ରାଣାପ୍ରତାପଙ୍କ ମରଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

Published: Dec 11, 2021, 12:32 pm IST

ଭୁବନେଶ୍ୱର: ତାମିଲନାଡୁର କୁନୁର ହେଲିକପ୍ଟର ଦୁର୍ଘଟଣା ରେ ଶହୀଦ ହୋଇଥିବା ଓଡ଼ିଆ ଯୁବକ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ଶହୀଦ ରାଣାପ୍ରତାପ ଦାସଙ୍କ ମରଶରୀରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶହୀଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତି ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ତାଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମ ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯିବ। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।

ଗତ ବୁଧବାର ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ସହିଦ ହୋଇଥିଲେ । ଏଥିରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ । ଭାରତୀୟ ବାୟୁସେନାରେ ସେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁରେ ସାରା ତାଳଚେରରେ ଶୋକର ଛାୟା ଖେଳିଯାଇଛି।

Related posts