Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପୂଜା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ପାର୍ବଣ ସମୟ ଉପସ୍ଥିତ । ପାର୍ବଣରେ ମା’ ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ । ଆଶ୍ବିନର ପ୍ରଥମଭାଗରେ ମା’ ଜଗଜ୍ଜନନୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହେବ । କେବଳ ଦୁର୍ଗା ପୂଜା ନୁହେଁ କାଳୀ ପୂଜା, ଲକ୍ଷ୍ମୀ ପୂଜା ଆଦି ଉତ୍ସବ ଅନୁଷ୍ଠିତ ହେବ । କିନ୍ତୁ ଚଳିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ସମସ୍ତ ପୂଜାଗୁଡିକୁ କଟକଣା ଭିତରେ ସମ୍ପନ୍ନ କରାଯିବ ।

ଚଳିତ ଥର ପୂଜା ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍‌ ଜାରି ହୋଇଛି । ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।ଜିଲ୍ଲାମାନଙ୍କର ଜିଲ୍ଲାପାଳ, ଟ୍ବିନିସିଟିରେ ପୋଲିସ୍‌ କମିଶନରଙ୍କ ଅନୁମତି ଆବଶ୍ୟକ ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ରହିଛି । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯିବ ।

ଚଳିତ ପୂଜାରେ ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ଦିଆଯାଇଛି । ସେହିପରି ପୂଜା ମଣ୍ଡପ ତିନି ପାର୍ଶ୍ବରୁ ସମ୍ପୂର୍ଣ୍ଣ ବନ୍ଦ ରହିବ ଚତୁର୍ଥ ପାର୍ଶ୍ବ ଆଂଶିକ ବନ୍ଦ ରହିବ । ସାଧାରଣ ଲୋକ ଯେମିତି ପ୍ରତିମା ଦେଖି ପାରିବେନି ସେପରି ଭାବରେ ବନ୍ଦ ରହିବ । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ସେହିପରି ମଣ୍ଡପରେ ମୂର୍ତ୍ତିଗୁଡିକର ଉଚ୍ଚତା 4 ଫୁଟରୁ କମ୍‌ ରହିବ । ସେହିପରି ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ 7ଜଣରୁ ଅଧିକ ରହିବେନି ବୋଲି ସୂଚନା ରହିଛି । ସେହିପରି ମଣ୍ଡପରେ ଉପସ୍ଥିତ ସମେସ୍ତ ସାମାଜିକ ଦୂରତ୍ବ, ମାସ୍କ ଆଦି ମାନିବାକୁ ବାଧ୍ୟ କରାଯାଇଛି । ଚଳିତ ଥର ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ।  ଚଳିତ ପୂଜାରେ କୌଣସି ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ନାହିଁ । ସେହିପରି ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏହି ଗାଇଡଲାଇନ୍ସ ଭଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ, ଏପିଡେମିକ୍‌ ଆକ୍ଟ ଅନୁସାରେ ଦଣ୍ଡିତ ହେବେ ବୋଲି ଏହି ଗାଇଡଲାଇନ୍‌ରେ ଉଲ୍ଲେଖ ରହିଛି ।