Categories
ଆଜିର ଖବର ଜାତୀୟ ଖବର

1600 କିମିର ପଦଯାତ୍ରା ପରେ କ୍ବାରେଣ୍ଟାଇନ୍‌ରେ ଯୁବକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ଲକ୍‌ ଡାଉନ୍‌ ସମୟରେ ଜଣେ ଯୁବକ ମୁମ୍ବାଇରୁ ଚାଲି ଚାଲି ପ୍ରାୟ 1600 କିଲୋମଟିର ଦୂର ୟୁପିର ଶ୍ରାବସ୍ତୀ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ 14 ଦିନିଆ କ୍ବାରେଣ୍ଟାଇନରେ ରଖିଥିଲେ । କିନ୍ତୁ ରହସ୍ୟମୟ ଅବସ୍ଥାରେ ଛ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି ।

ଯୁବକ ଜଣକ ସୋମବାର ଦିନ ମୁମ୍ବାଇର ଚାଲି ଚାଲି ଆସି ଶ୍ରାବସ୍ତୀ ଜନପଦ ଅନ୍ତର୍ଗତ ମଲହୀପୁର ଅଞ୍ଚଳର ମଠଖନ୍‌ବା ଗ୍ରାମରେ ପହଞ୍ଚିଥିଲେ । ଯୁବକ ଜଣକୁ କ୍ବାରେଣ୍ଟାଇନ୍‌ ସେଣ୍ଟରେ 14 ଦିନ ପାଇଁ ରଖାଯାଇଥିଲା । କିନ୍ତୁ ସେ ସେଠାରେ 14 ଘଣ୍ଟା ପାଇଁ ମଧ୍ୟ ରହିପାରିଲେ ନାହିଁ । ସୋମବାର ସକାଳ 7ଟା ସମୟରେ ସେ ନିଜ ଗ୍ରାମରେ ପହଞ୍ଚିଥିବାବେଳେ ଦିନ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେ ଦିନ ଗୋଟାଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଓ କଥାବାର୍ତ୍ତା ମଧ୍ୟ କରୁଥିଲେ । କିନ୍ତୁ ଅଚାନକ ଭାବରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ରହସ୍ୟଜନକ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କରୋନା ଗାଇଡଲାଇନ୍‌ ଅନୁସାରେ ଯୁବକଙ୍କର ମୃତ୍ୟୁ ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  ଅପରପକ୍ଷରେ ମୃତକଙ୍କ ନିକଟରେ ପରିବାର ଲୋକେ ପହଞ୍ଚିଥିବାରୁ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଛି । ତେବେ ଯୁବକଙ୍କର ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । (ଏଜେନ୍ସି)