Categories
ଆଜିର ଖବର ଜାତୀୟ ଖବର

ସାମାଜିକ ଦୂରତ୍ବ ଆଳରେ ସଂକ୍ରମିତଙ୍କ ପରିବାରଙ୍କୁ କରାଯାଉଛି ସାମାଜିକ ବାସନ୍ଦ :  ପାଣି ନ ମିଳିବାରୁ ବର୍ଷା ପାଣି ପିଇ ମେଣ୍ଟାଉଛନ୍ତି ଶୋଷ

ରାୟସେନ : କରୋନା ସଂକ୍ରମଣରୁ ମୁକ୍ତ ପାଇଁ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି ସାମାଜିକ ଦୂରତ୍ବ ଏବେ ସାମାଜିକ ବାସନ୍ଦରେ ପରିଣତ ହେବାକୁ ଲାଗିଲାଣି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରୁ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ଓବୁଦୁଲାଗଞ୍ଜ ବ୍ଲକରେ କରୋନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚରମ ବିଫଳତା ସାମ୍ନାକୁ ଆସିଛି । ଏଠାରେ ଖସରୋଦ ଗ୍ରାମରେ ଜଣେ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କୁ ଏକ ଟାପରିଆରେ ଅଗଷ୍ଟ 17 ତାରିଖରେ ଗାଈ ଓ ବଳଦ ସହିତ ହୋମ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ଏହା ସହିତ କରୋନା ସଂକ୍ରମିତ ଯୁବକଙ୍କ ପରିଜନଙ୍କ ସହିତ ଗ୍ରାମବାସୀମାନେ ସଉତୁଣୀ ପୂର୍ଣ୍ଣ ବ୍ୟବହାର କରୁଛନ୍ତି । ତାଙ୍କୁ ଏକପ୍ରକାର ବାସନ୍ଦ କରିଥିବାର ସୂଚନା ରହିଛି । ଏପରିକି କ୍ବାରେଣ୍ଟିନ୍‌ରେ ଥିବା ପରିଜନଙ୍କୁ ରାସନ ନା ପିଇବାକୁ ପାଣି ମିଳୁଛି । ସେମାନେ ବାଧ୍ୟ ହୋଇ ବର୍ଷା ପାଣି ପିଉଥିବାର ସୂଚନା ରହିଛି ।

ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ଗ୍ରାମବାସୀମାନେ ତାଙ୍କୁ ଏପ୍ରକାର ବାସନ୍ଦକରିଥିବାବେଳେ ସରକାରୀସ୍ତରରେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସହାୟତା ତଥା ସୁବିଧା ଦିଆଯାଉନାହିଁ ।

ସଂକ୍ରମିତ ଯୁବକଙ୍କ ପିତାଙ୍କ କହିବାନୁସାରେ ତାଙ୍କୁ କ୍ବାରେଣ୍ଟାଇନ୍‌ କରାଯିବା ସମୟରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ତାଙ୍କ ସମ୍ପର୍କରେ କିଛି ପଚରାଉଚୁରା କରିନେଇନାହାନ୍ତି । ସେମାନେ ନିଜେ ତହସିଲଦାର ଓ ସ୍ବାସ୍ଥ୍ୟବିଭାଗକୁ ତାଙ୍କ ପୁଅ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ଦେଇଥିଲେ ।

ଏହି ଖବର ମିଳିବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟ ବିଭାଗ ଏକ ଗାଡି ପଠାଇ ତାଙ୍କ ପୁଅକୁ ଭୋପାଳ କୋଭିଡ୍‌ ସେଣ୍ଟର ନେଇଥିଲେ । କିନ୍ତୁ ତାଙ୍କ ପରିବାର ସମ୍ପର୍କରେ କୌଣସି ପ୍ରକାରର ଦୃଷ୍ଟି ଦେଇନାହାନ୍ତି ସ୍ବାସ୍ଥ୍ୟବିଭାଗ । ସଂକ୍ରମିତ ଯୁବକଙ୍କ ମାତା ଜଣେ ଅଙ୍ଗନଓ୍ବାଡି ସହାୟିକା ରୂପେ କାର୍ଯ୍ୟ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗର ଏପରି ଉଦାସୀନତାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । (ଏଜେନ୍ସି)