Categories
ଆଜିର ଖବର

କାର୍କାରେଙ୍କୁ ସମ୍ମାନ ଦିଆଯିବା ଉଚିତ୍‌ : ରାହୁଲ

ଭୋପାଳରୁ ବିଜେପିର ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ପ୍ରଜ୍ଞା ଗତକାଲକି ପୂର୍ବତନ ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେଙ୍କ ବିପକ୍ଷରେ ବିବାଦୀୟ ବୟାନ ଦେଇଥିଲେ। ଏହା ଉପରେ ପ୍ରଜ୍ଞାଙ୍କୁ ଆକ୍ରମଣ କରିଛନ୍ତି ରାହୁଲ। ରାହୁଲ କହିଛନ୍ତି କାର୍କାରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଜଣେ ଶହିଦ। ଜଣେ ଶହିଦଙ୍କୁ ସମ୍ବୋଧନ କରିବାର ଶାଳୀନତା ଆପଣଙ୍କର ରହିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୬/୧୧ ଆକ୍ରମଣରେ ଆତଙ୍କୀଙ୍କ ମୁକାବିଲା କରିବା ସମୟରେ ପ୍ରାଣବଳି ଦେଇଥିଲେ କାର୍କାରେ। କାର୍କାରେଙ୍କ ସହିତ ଅନ୍ୟ ଦୁଇ ପୋଲିସ ଅଫିସର ଅଶୋକ କାମତେ ,ଏବଂ ବିଜୟ ସାଲ୍‌ସାକର ମଧ୍ୟ ଶହିଦ ହୋଇଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି ଏକ ନିର୍ବାଚନୀ ସଭାରେ ପ୍ରଜ୍ଞା କହିଥିଲେ, ମୁଁ ତାଙ୍କୁ ଅଭିଶାପ ଦେଇଥିଲି କି ତୁମେ ଶେଷ ହୋଇଯିବ ଏବଂ ଦୁଇ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଦେଶ ଦ୍ରୋହୀ ଏବଂ ଧର୍ମ ବିରୋଧୀ ବୋଲି କହିବା ସହିତ କୌଣସି ପ୍ରମାଣ ନଥିବା ସତ୍ତ୍ବେ କାର୍କାରେ ବ୍ୟକ୍ତିଗତ ଆକ୍ରୋଶ ରଖି ମୋ ବିରୋଧରେ କାର୍ଯ୍ୟ କରୁଥିଲେ ବୋଲି ମଧ୍ୟ କହିଥିଲେ। କଂଗ୍ରେସ ପକ୍ଷରୁ ସମାଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ପ୍ରଜ୍ଞାଙ୍କ ମତାମତରୁ ନିଜକୁ ଅଲଗା ରଖି ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଦଳ କହିଛି। ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୦୯ରେ ତାଙ୍କୁ ମରଣୋତ୍ତର ଭାବରେ ଅଶୋକ ଚକ୍ର ପ୍ରଦାନ କରାଯାଇଛି ଏବଂ ସର୍ବଦା ତାଙ୍କୁ ଜଣେ ଶହିଦ ଭାବରେ ମାନି ଆସିଛି।