Categories
ଅପରାଧ ଆଜିର ଖବର ଆଞ୍ଚଳିକ

୨ କିଗ୍ରା ଗଞ୍ଜେଇ ଜବତ: ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ପୋଲିସ୍ ଦୁଇ କିଗ୍ରା ଗଞ୍ଜେଇ ସହିତ ତିନି ଜଣଙ୍କୁ ଗିରଫ କରିଛି। ଶୁଣ୍ଢିମୁଣ୍ଡାଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଇକରୁ ୨ କେଜି ଗଞ୍ଜେଇ ଜବତ କରିବା ସହ ବାଉଁଶୁଣୀ ଅଂଚଳର ୩ ଜଣ ଚୋରାବେପାରିଙ୍କୁ ଗିରଫ୍ କରିଛି।

ଚାଲାଣକାରୀମାନେ ଏକ ମୋଟର ସାଇକେଲ ସାହାଯ୍ୟରେ ବୌଦ୍ଧରୁ ରେଢାଖୋଲ ଅଭିମୁଖେ ଆସୁଥିବା ବେଳେ ପୋଲିସ୍‌ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ବେପାରିମାନେ ହେଲେ ବାଉଁଶୁଣୀ ଥାନା ଚମଡାବାହାଲ ଗ୍ରାମର ନରୋତମ୍ ଲୁହା, ସୁଶିଲ ଲୁହା ଏବଂ ପଙ୍କୁଆଲ ପଡାର ସୁଦର୍ଶନ ଭୋଇ। ଅଭିଯୁକ୍ତମାନଙ୍କୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ୍ ନାମଂଜୁର ହେବାରୁ ସେମାନଙ୍କୁ ହାଜକୁ ପଠାଯାଇଛି।

 

Categories
ଆଜିର ଖବର ଆଞ୍ଚଳିକ

ଅଚାନକ ବିଦ୍ୟାଳୟ ପରିଦର୍ଶନ କରି ସେବାଶ୍ରମରେ ପାଠ ପଢାଇଲେ ସମ୍ବଲପୁର ଜିଲ୍ଲାପାଳ

କନ୍ଦର୍ପ ବେହେରା
ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଜିଲ୍ଲାପାଳ ଅଚାନକ ଗସ୍ତକରି ପିଲାମାନଙ୍କୁ ପାଠ ପଢାଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା କିସିଣ୍ଡା ପଂଚାୟତର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଖବର ମିଳିଛି। ସେ ସିଧାସଳଖ କ୍ଲାସ୍ ରୁମ୍ କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ସୁରୁବାବୁ ମେହେରଙ୍କ ଉପସ୍ଥିତିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ଇଂରାଜୀରେ ୧୦୦ ପର୍ଯ୍ୟନ୍ତ ସଂଖ୍ୟା ପିଲାମାନଙ୍କୁ ପଚାରିଥିଲେ। ଜିଲ୍ଲାପାଳ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ପାଠ ପଢାଇଥିଲେ।

ଏଠାରେ ପ୍ରଶ୍ନ ଉଠେ ଯେ ଜିଲ୍ଲାପାଳ ଆସି ଏଠାରେ ବିଦ୍ୟାଳୟମାନଙ୍କୁ ପଶି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିବା ବେଳେ ଏହା ଶିକ୍ଷକମାନଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ଜିଲ୍ଲାପାଳଙ୍କ ଗସ୍ତ ପରେ ଏହି ସେବାଶ୍ରମରେ ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି। ସେହିପରି ସେବାଶ୍ରମ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପାଇଁ ଜଣେ ମହିଳା ମେଟ୍ ରନର ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାପାଳ ଏହା ଉପରେ ଧ୍ୟାନ ଦେବା ନେଇ ଆଶା କରାଯାଉଛି। ଏହା ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଶିମିଳିପାଳ ଓ ଘୋଷରାମାଳ ଗସ୍ତ କରି ବିଦ୍ୟାଳୟକୁ ଯାଇ ପାଠ ପଢାଇଥିଲେ। ଜିଲ୍ଲାପାଳଙ୍କ ଏହି ଉଦ୍ୟମକୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ଶିକ୍ଷକଙ୍କୁ ମିଳୁନି ନିଯୁକ୍ତି : ଘରକୁ ଫେରିଲେ ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲ ଉପଖଣ୍ଡରେ ରହିଥିବା ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିବାକୁ ପଡିଛି । ଏହା ସହିତ ସ୍ଥାୟୀ ଶିକ୍ଷକ ନଥିବାରୁ ଅଭିଭାବକଙ୍କ ପକ୍ଷରୁ ବିଦ୍ୟାଳୟକୁ ତାଲା ମାରି ବନ୍ଦ କରି ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସର ଜାନୁୟାରୀ 27 ତାରିଖ ଦିନ ଅଭିଭାବକଙ୍କ ଧାରଣା ଏବଂ ବିଦ୍ୟାଳୟରେ ତାଲା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ତିନି ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଘୋଷରାମାଳ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ସୁଦର୍ଶନ ରାଉଳଙ୍କୁ ତିନି ଦିନ ପଢାଇବା ପାଇଁ ନିଯୁକ୍ତ କରିଥିଲେ । ମାତ୍ର ଅଭିଭାବକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ବିଦ୍ୟାଳୟରେ ତାଲା ପକାଯିବାରୁ ଶିକ୍ଷକ ଫେରିଯିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ଅଧିକାରୀଙ୍କ ତୁଳନାରେ କମ୍‌ ଅଭିଯୋଗକାରୀ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜନ ଅଭିଯୋଗ ଶୁଣାଣିରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ ସହିତ ଏସ୍‌.ପି କନ୍‌ଓ୍ବର୍ ବିଶାଲ୍ ସିଂହ, ରେଢାଖୋଲ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ରେଢାଖୋଲ ବି.ଡିଓ ପରୀକ୍ଷିତ ସାହୁ ତହସିଲ୍‌ଦାର ରୁବି ବେହେରା, ସିଡିଏମ୍‌ଓ ଡା.ଶଶି ଭୁଷଣ ପଟେଲ୍ ଏବଂ ଜିଲ୍ଲାସ୍ତରୀୟ ତଥା ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନ ଅଭିଯୋଗ ଶୁଣାଣୀରେ 25ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ 7ଟି ଦଳଗତ ଅଭିଯୋଗ ଓ 18ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବିଶେଷ କରି ଜଙ୍ଗଲ ଜମି ରେଢାଖୋଲରେ ଆଦର୍ଶ ବିଦ୍ୟାଳୟ, ଇନ୍ଦିରା ଆବାସ, ସ୍ୱାସ୍ଥ୍ୟସେବା, ରେଢାଖୋଲ ଏସବିଆଇର ଏଟିଏମ୍ ଅଚଳ ସଂପର୍କିତ ଅଭିଯୋଗ ଥିଲା । 14ଟି ପଞ୍ଚାୟତ ନିମନ୍ତେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ମାତ୍ର 25ଟି ଅଭିଯୋଗ ଆସିବା ଅତ୍ୟନ୍ତ ନିରାଶାଜନକ । ଅଭିଯୋଗ ଶୁଣାଣିରେ ଅଧିକାରୀ ଅଧିକ ରହିଥିବା ବେଳେ ଅଭିଯୋଗ ଶୁଣାଣି ଏକ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।