Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ : ନିଶାରେ ଘରେ ନିଆଁ ଲଗାଇ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ : ମଦ କାରଣରରୁ ଅନେକ ସ୍ଥାନରେ ସାମାଜିକ ବିଶୃଙ୍ଖଳା ଦେଖା ଦେଉଛି ତ କେଉଁଠି ପାରିବାରିକ ଝଗଡା । ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରେଢାଖୋଲରେ । ରେଢାଖୋଲର ଲୁହାପଙ୍କ ଗ୍ରାମରେ ଏକ ଅଭବାନୀୟ ଘଟଣା ଘଟିଛି । ମଦ ନିଶାରେ ଚୁର ପୁଅ ନିଜ ଘରେ ନିଆଁ ଲଗାଇ କେଉଁ ଆଡେ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମରେ ।

ଶନିବାର ସନ୍ଧ୍ୟାରେ ଗ୍ରାମର ବଲ୍ଲଭ ପ୍ରଧାନଙ୍କ ପୁଅ ବନ୍ଧୁଆ ପ୍ରଧାନ (୩୩) ଅତ୍ୟଧିକ ମଦ୍ୟପାନ କରି ବାପା ମାଙ୍କୁ ଗାଳି ଗୁଲଜ ଦେବା ସହ , ଘରେ ନିଆଁ ଲଗାଇ ସେଠାରୁ ଫେରାର ହୋଇଯାଇଛି । ଘରେ ନିଆଁ ଲାଗିବା ପରେ ସୌଭାଗ୍ୟ ବଶତଃ ବାପା ମା ଘର ଭିତରୁ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ପୁଅର ଏପରି କାର୍ଯ୍ୟରେ ବାପା ମା ଭୟଭୀତ ହୋଇଯାଇଥିଲେ । ମଦୁଆ ପୁଅକୁ କିଛି ବି କହିବାକୁ ସାହାସ ବାନ୍ଧି ପାରି ନ ଥିଲେ । ରେଢାଖୋଲରୁ ଦମକଳ ଗାଡି ଯାଇ ନିଆଁକୁ ଆୟତ କରିଥିଲା । ବହୁ ଜିନିଷ ପତ୍ର ନିଆଁରେ ଜଳିପୋଡି ନଷ୍ଟ ହୋଇଯାଇଥିଲା । ବାପା ବଲ୍ଲଭ ପ୍ରଧାନ ପୁଅ ନାଁରେ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ରେଢାଖୋଲ ଥାନାଧିକାରୀ ସୂତ୍ରରୁ ପ୍ରକାଶ । କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୁରଣ ଦେବାକୁ ଦାବି ହେଉଛି ।

Categories
ଆଞ୍ଚଳିକ

ରେଢାଖୋଲରେ ଲୋନ୍ ଅସୁଲି ନାଁରେ ମହିଳା ମାନଙ୍କୁ ଧମକ ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ : ସରକାର କରୋନା ଯୋଗୁଁ କୌଣସି ସରକାରୀ ବା ବେସରକାରୀ ବ୍ୟାଙ୍କ ଲୋନ୍ ଅସୁଲି ପାଇଁ ଚାପ ପକାଇ ପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସରକାରଙ୍କ ନୀତିନିୟମକୁ ବେଖାତିର ଭାବି ରେଢାଖୋଲରେ କିଛି ବେସରକାରୀ ସଂସ୍ଥା ମହିଳା ଗ୍ରୁପ୍ ମାନଙ୍କୁ ଧମକଚମକ ଦେଇ ଲୋନ୍ ଅସୁଲି କରୁଥିବା ଅଭିଯୋଗ ହୋଇଛି । ଏନେଇ ଏସ୍‌ଏଚ୍‌ଜି ମାନଙ୍କ ପକ୍ଷରୁ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ପ୍ରକାଶ ଯେ ,ରେଢାଖୋଲ ଏନ୍‌ଏସିରେ ଥିବା ବହୁ ମହିଳା ଏସଏଚ୍‌ଜି ମା ମାନେ ବିଭିନ୍ନ ବେସରକାରୀ ସଂସ୍ଥା ଠାରୁ ଲୋନ୍ ଆଣିଛନ୍ତି । ବର୍ତମାନ ସାରା ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍ରେ ମହିଳା ଗ୍ରୁପ୍‌ମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏବଂ ଦୀର୍ଘ ଦୁଇମାସ ହେଲା କୌଣସି ରୋଜଗାର କରିନାହାନ୍ତି । ଏଭଳି ପରିସ୍ଥିତିରେ ବେସରକାରୀ ସଂସ୍ଥାମାନେ ଲୋନ୍ ଅସୁଲିପାଇଁ ଜୋରଜବରଦସ୍ତ କରୁଛନ୍ତି ଏବଂ ଲୋନ୍ ନ ଦେଲେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି । ଆଜି ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁ ଭେଟି ମହିଳାମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ସାଂସଦ ପ୍ରତିନିଧି ଶିବରାମ ସାହୁଙ୍କ ନେତୃତ୍ୱରେ ସରୋଜିନୀ ସାହୁ , ଚନ୍ଦ୍ରକାନ୍ତୀ ସାହୁ , ରଶ୍ମିତା ବେହେରା, ଲାବଣ୍ୟ ବେହେରା , ରଶ୍ମିତା ନାୟକ, ସରୋଜିନୀ ମୁଣ୍ଡା ଆଦି ବହୁ ଗ୍ରୁପ୍‌ରମହିଳା ମାନଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଢେଇ କିଗ୍ରାର ବଜ୍ରକାପ୍ତା ଉଦ୍ଧାର: ପୂର୍ବତନ ସରପଞ୍ଚଙ୍କ ସମେତ ୭ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଡିଏଫ୍‌ଓ ପକ୍ଷରୁ ଏକ ଅଢେଇ କିଗ୍ରାର ବଜ୍ରକାପ୍ତ ଉଦ୍ଧାର କରାଯିବା ସହିତ ୭ ଜଣଙ୍କୁ ଗିରଫ କରାଯାଇଛି। ରେଢାଖୋଲ ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବଜ୍ରକାପ୍ତାକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଥିଲା।

ଦୀର୍ଘ ତିନିମାସ ହେଲା ଏହି ଚୋରାଚାଲାଣ କାରୀଙ୍କୁ ଧରିବାରେ ଜଙ୍ଗଲ ବିଭାଗ ଜାଲ ବିଛାଇଥିଲା। ଚୋରାଚାଲାଣ କାରୀମାନେ ବଜ୍ରକାପ୍ତାକୁ ଟିକିରାନଦୀ ପାଖରେ ମାଟି ତଳେ ହାଣ୍ଡି ଦେଇ ଲୁଚାଇକି ରଖିଥିଲେ। ରେଢାଖୋଲ ଜଙ୍ଗଲରୁ ବଜ୍ରକାପ୍ତା ବାହାରକୁ ଚାଲାଣ କରୁଥିବା ବେଳେ ୭ ଜଣଙ୍କୁ ଜଙ୍ଗଲ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅପରାଧୀମାନେ ହେଲେ ସୁଶୀଲ ସେଠୀ, ଲକ୍ଷ୍ମଣ ସେଠୀ, ଶ୍ରୀରାମ ଶବର, ଶିବ ଶବର, ଖିଜୁ ଶବର, ପୂର୍ବତନ ସରପଞ୍ଚ ଯଦୁମଣୀ ପାତ୍ର, ନେପାଳ ସାହୁ ବୋଲି ଡିଏଫ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ବଜ୍ରକାପ୍ତା ଜବତ କରିଥିବାରୁ ଜଙ୍ଗଲ ବିଭାଗ ଅଧିକାରୀ ସମସ୍ତଙ୍କ ଧନ୍ୟବାଦର ପାତ୍ର ହୋଇଛନ୍ତି।

Categories
ଆଞ୍ଚଳିକ

ଗରଗଡବାହାଳ ପାର୍କ ନିର୍ମାଣରେ ଅନିୟମିତତା : ସାଧାରଣରେ ଅସନ୍ତୋଷ

କନ୍ଦର୍ପ ବେହେରା
ରେଢାଖୋଲ : ସରକାର ଗ୍ରାମାଂଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ଏହି ଜନହିତକର ଯୋଜନା ସଠିକ୍ ଭାବରେ ଜନସାଧାରଣଙ୍କ ନିକଟରେ ପହଞ୍ଚୁ ନାହିଁ । ଏହି ଯୋଜନା ଗୁଡିକ ସଠିକ୍‌ ଭାବରେ କାର୍ଯ୍ୟକାରୀ ହେଉ ନଥିବାରୁ ଗ୍ରାମାଞ୍ଚଳରେ ଅସନ୍ତୋଷ ବଢୁଛି ।

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଗରଗଡବାହାଳ ପଂଚାୟତରେ ନିର୍ମିତ ହୋଇଛି ଏକ ଗ୍ରାମୀଣ ପାର୍କ । ଗ୍ରାମୀଣ ପାର୍କ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗରଗଡବାହାଳ ଗ୍ରାମପଂଚୟତର ସଦର ମହୁକୁମାରେ ପାର୍କ ନିର୍ମାଣ ନକରାଯାଇ କରଡାପାଳ ନାମକ ଏକ ଜନଶୂନ୍ୟ ସ୍ଥାନରେ ନିର୍ମିତ ହୋଇଛି । ଜନଶୂନ୍ୟ ସ୍ଥାନରେ ପାର୍କ ନିର୍ମାଣ କେବଳ ଅର୍ଥ ତୋଷାରପାତ ପାଇଁ କରାଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯରୋଗ କରାଯାଇଛି । ଗ୍ରାମବାସୀ ମାନେ ଅଭିଯୋଗର ଗୋଟିଏ ଲେଖାଏଁ କପି ସମ୍ବଲପୁର ଜିଲ୍ଲାପାଳ ଓ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ପଠାଇଛନ୍ତି ।

Categories
ଆଞ୍ଚଳିକ

ରେଢାଖୋଲରୁ ଚିହ୍ନଟ ହେଲେ ପ୍ରଥମ କରୋନା ଆକ୍ରାନ୍ତ

କନ୍ଦର୍ପ ବେହେରା
ରେଢାଖୋଲ : ରବିବାର ରାଜ୍ୟର 22 ତମ ଜିଲ୍ଲା ଭାବରେ ସମ୍ବଲପୁରକୁ କରୋନା ଛୁଇଁଥିବା ବେଳେ ରେଢାଖୋଲରୁ ଏହି ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ରେଢାଖୋଲ ବ୍ଲକ୍‌ର ତ୍ରିବଣପୁର ପଞ୍ଚାୟତର ଖଣ୍ଡାମ ଗ୍ରାମର ଜନୈକ ବ୍ୟକ୍ତି କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣକ ବାହାର ରାଜ୍ୟରୁ ଫେରିଥିବା ବେଳେ ଲୁହାପଙ୍କ ପଞ୍ଚାୟୟତର ହାଇସ୍କୁଲରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ସ୍ବାବ୍‌ ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସମ୍ବଲପୁର ଅଞ୍ଚଳରେ ଆଦୌ କରୋନା ଆକ୍ରାନ୍ତ ନଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Categories
ଆଞ୍ଚଳିକ

ଭାରତ ସ୍କାଉଟ୍ ଗାଉଡ୍ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

କନ୍ଦର୍ପ ବେହେରା
ରେଢାଖୋଲ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀ କାୟାବିସ୍ତାର କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ଭାରତ ସ୍କାଉଟ ଗାଇଡ ମାନଙ୍କ ଦ୍ୱାରା ଭିନ୍ନଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍କାଉଟ ଗାଇଡ୍ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଆୟୋଜକ ସଚିବ ନରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ରେଢାଖୋଲ ଉପଖଣ୍ଡର ତେରବେଡା, ମୁଟୁରୁମୁଣ୍ଡା, ଡଇଁଚା, ପାଇକମାଳ, ଶିମିଳିପାଳ ଆଦି ଅଂଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

ବାଇକ ରାଲି ମାଧ୍ୟମରେ ଲୋକମାନଙ୍କୁ କରୋନା ଭାଇରସର ଭୟାବହତା ସଂପର୍କରେ ସଚେତନତା କରାଯାଇଥିଲା । ଏପରିକି ହାତ ଧୋଇବାର କୌଶଳ, ସାମାଜିକ ଦୂରତ୍ୱରକ୍ଷା, ମାସ୍କ ବ୍ୟବହାର ଆବଶ୍ୟକତା ସମ୍ବନ୍ଧରେ ସଚେତନତା କରାଯାଇଥିଲା । ଲକ୍ ଡାଉନ୍ ସମୟରେ ନିଜ ପରିବାର କଥା ଚିନ୍ତା ନ କରି ଅହରହ ଦିନ ରାତି ଲୋକମାନଙ୍କୁ ସେବା ଯୋଗାଉଥିବା ରେଢାଖୋଲ ଆରକ୍ଷୀ ବାହିନୀର କାର୍ଯ୍ୟରତ ୩୦ ଜଣ କର୍ମଚାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ପ୍ରକାଶ ଚନ୍ଦ୍ର ପଣ୍ଡା, ସୁକାନ୍ତ ପ୍ରଧାନ, ଖଗେଶ୍ୱର ନାୟକ, କୁମୁଦ ବନ୍ଧୁ ସାହୁ, ଜଳଧର ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ପଦ୍ମନାଭ ସାହୁ, ରଞ୍ଜନ ସ୍ୱାଇଁ ଓ ବାସୁଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶିମିଳିପାଳର ପୂର୍ବତନ ସରପଂଚ ସୁଦାମ ଚରଣ ପ୍ରଧାନ ରାସ୍ତାରେ ସ୍କାଉଟ ଶିକ୍ଷକମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ ।

Categories
ଆଞ୍ଚଳିକ

ନାକଟିଦେଉଳ କ୍ୱାରେଣ୍ଟାଇନ ସେଣ୍ଟରକୁ ସାନିଟାଇଜ୍‌ କଲେ ସରପଞ୍ଚ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ

କନ୍ଦର୍ପ ବେହେରା
ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତର ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଆଜି ବିଷୋଧନ କରାଯାଇଛି । ଏହି ସେଣ୍ଟରରେ ୧୭ ଜଣ ପ୍ରବାସୀ ଓଡିଆ ରହୁଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରର ବାହ୍ୟ ପରିସରକୁ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନ, ସାମ୍ବାଦିକ କନ୍ଦର୍ପ ବେହେରା, ରିଙ୍କୁ ସାହୁ ପ୍ରମୁଖ ସାନିଟାଇଜ୍‌ କରିଛନ୍ତି । ଅଂଚଳକୁ ସଂପୂର୍ଣ ବିଶୋଧନ କରାଗଲେ କୌଣସି ପ୍ରକାର କରୋନା ଭୂତାଣୁ ପ୍ରବେଶ କରି ପାରିବେ ନାହିଁ ବୋଲି ସରପଂଚ ପ୍ରବୀଣ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଆବଶ୍ୟକ ହେଲେ ଗ୍ରାମରେ ମଧ୍ୟ ବିଷୋଧନ କରାଯିବ ବୋଲି ସ୍ୱେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି । ସାମ୍ବାଦିକ, ସରପଞ୍ଚ ଏବଂ ସ୍ୱେଚ୍ଛାସେବୀଙ୍କ ଏହି ବିଶୋଧନ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସାଲେଭଟାରେ ଯୁବକକୁ ସଂଘବଦ୍ଧ ଭାବରେ ଗୋଡାଇ ଗୋଡାଇ ହତ୍ୟା

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ସାଲେଭଟାରେ ଜନୈକ ଯୁବକକୁ ସଂଘବଦ୍ଧ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ନାକଟିଦେଉଳ ଥାନା ସାଲେଭଟା ଗ୍ରାମରେ ସୋମବାର ରାତି ୮ ଘଟିକା ସମୟରେ ଗ୍ରାମର ୪ ଜଣ ବ୍ୟକ୍ତି ଦୁଃଶାସନ ଦେହୁରୀ ନାମକ ଯୁବକକୁ ଗୋଡାଇ ଗୋଡାଇ ହତ୍ୟା କରିଥିବା ଜଣା ପଡିଛି। ଆଜି ଘଟଣା ସ୍ଥଳରେ ନାକଟିଦେଉଳ ଥାନାଧୀକାରୀ ସମେତ ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରିନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଭୁଲ୍ ଚିଠା ପ୍ରସ୍ତୁତି ଫଳରେ ଟଙ୍କା ଫେରିଯିବା ଆଶଙ୍କା: ନାକଟିଦେଉଳ ବ୍ଲକ୍‌ରେ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଂଚିତ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର କରୋନା ମହାମାରୀରେ  ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି। ପ୍ରକାଶଯେ, ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରୋନା ସହାୟତା ବାବଦରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହଯୋଗ ରାଜ୍ୟରେ ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ ଶ୍ରମିକ ମାନଙ୍କର ନାମ , ଗ୍ରାମ , ପଂଚାୟତ, ବ୍ଲକ୍ ନାମ ଆଦି ସଂପୃକ୍ତ ବିଭାଗ ଭୁଲ ଭାବରେ ପଂଚାୟତକୁ ପଠାଇଥିବାରୁ ନିର୍ମାଣ ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାକ୍ଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନଙ୍କର ନାମ ଓ ପଂଚାୟତର ନାମ ରେଢାଖୋଲ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଥିବାରୁ ଟଙ୍କା ବଂଟନ କରୁଥିବା ପଂଚାୟତ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍‌ର ୧୪ ଟି ପଂଚାୟତରେ ଥିବା ନିର୍ମାଣ ଶ୍ରମିକ ମାନଙ୍କର ନାମ , ରେଢାଖୋଲ ବ୍ଲକର କୌଣସି ଏକ ପଂଚାୟତରେ ରହିଯାଇଥିବାରୁ ଏହି ସୁବିଧା ସୁଯୋଗ ନିର୍ମାଣ ଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି। ଏ ସଂପର୍କରେ ସମ୍ବଲପୁର ଶ୍ରମ ଅଧିକାରୀ ସୁମିତ୍ରା ମାଝୀଙ୍କୁ ପଚାରିବାରୁ ସେ ଏ ସଂପର୍କରେ ପ୍ରଥମେ ଜାଣିଲେ। ଯାହା ବି ଭୁଲ୍ ଭଟକା ହୋଇଛି ସଂପୃକ୍ତ ବ୍ଲକର ବିଡିଓ ସବିଶେଷ ତଥ୍ୟ ଦେଲେ ଏହାର ସମାଧନ ହୋଇପାରିବ । ମାତ୍ର ନାକ୍ଟିଦେଉଳ ବିଡିଓଙ୍କ ପକ୍ଷରୁ ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

ଅର୍ଥ ବଣ୍ଟନ ହୋଇ ନପାରିଲେ ତାହା ଜିଲ୍ଲା ମୁଖ୍ୟାଳୟକୁ ଫେରାଇ ଦିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ଏଭଳି ଭୁଲଭଟକା ସଂପୃକ୍ତ ଶ୍ରମ ବିଭାଗ କରିଥିଲେ ମଧ୍ୟ ମାନିବାକୁ ନାରାଜ। ଭୁବନେଶ୍ୱରରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାହା କରିବୁ ବୋଲି ଶ୍ରମ ଅଧିକାରୀ ପ୍ରକାଶ କରିିଛନ୍ତି। ସରକାର ନିର୍ମାଣ ଶ୍ରମିକ ମାନଙ୍କର ପାସ୍ ବହିରେ ଅର୍ଥରାଶି ପଠାଇଥିଲେ ଏଭଳି ତ୍ରୁଟି ହୋଇ ନ ଥାନ୍ତା ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଯଦି ଏହାର ସମାଧାନ କରାଯାଇ ଶ୍ରମିକ ମାନଙ୍କୁ ସହଯୋଗ ପ୍ରଦାନ କରା ନ ଯାଏ ଆଗାମୀ ଦିନରେ ନାକଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ମାଣ ଶ୍ରମିକ ମାନଙ୍କର ପରିଚୟ ପତ୍ରରେ କୌଣସି ପ୍ରକାର ତ୍ରୁଟି ନଥିବା ବେଳେ ସହଯୋଗ ରାଶି ପାଇବାକୁ ଥିବା ଶ୍ରମିକ ମାନଙ୍କର ଗାଁ, ପଂଚାୟତ, ବ୍ଲକ୍ ଠିକଣା କିପରି ଭୁଲ୍ ହୋଇଯାଇଛି ତାହା ଶ୍ରମ ବିଭାଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ମାଣ ଶ୍ରମିକମାନେ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁଣି ଟଳିପଡିଲା ଗଜରାଜ : ନାକ୍ଟିଦେଉଳରେ ହାତୀଛୁଆର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲର ନାକ୍ଟିଦେଉଳ ରେଞ୍ଜରେ ପୁଣି ଏକ ହାତୀଛୁଆର ମୃତୁ ଘଟିଛି । ଉଲ୍ଲେଖଯୋଗ୍ୟ ଯେ, ନାକ୍ଟିଦେଉଳ ଅନ୍ତର୍ଗତ ବିନ୍ଧପୁର ଗ୍ରାମରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ହାତୀ ପଲ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଏହି ଦୁଇ ମାସର ହାତି ଛୁଆଟି ପ୍ରାଣ ହରାଇଥିଲା । ଦଳାଚକଟାରେ ହାତୀ ଛୁଆଟିର ଅନ୍ତବୁଜୁଳା ବାହାରି ଯାଇଥିବା ବେଳେ ହାତୀ ଛୁଆଟି ନାଳପାଖରେ ମୃତ୍ୟବରଣ କରିଥିଲା । ହାତୀଛୁଆଟି ପ୍ରାଣ ହରାଇଥିଲେ ମଧ୍ୟ ଏନେଇ ରେଞ୍ଜରଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡିଛି । ବିଗତ କିଛି ମାସରେ ହାତୀ ମୃତ୍ୟୁ ସଂଖ୍ୟା ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

Categories
ଆଞ୍ଚଳିକ

ଡଇଁଚା ଗ୍ରାମାପଂଚାୟରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଉଦ୍‌ଘାଟିତ

କନ୍ଦର୍ପ ବେହେରା
ରେଢାଖୋଲ : ନାକ୍ଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଉଦଘାଟନ ହୋଇଯାଇଛି । ନାକ୍ଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ପାଠାଗାରର ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଡଇଁଚା ଗ୍ରାମପଂଚାୟତର ପଂଚାୟତ ଅଧିକାରୀ ସରକାରଙ୍କ ଏହି ପାଠାଗାର ଖୋଲିବା ଦ୍ୱାରା ଗ୍ରାମାଂଚଳରେ କିପରି ପୁସ୍ତକ ପ୍ରତି ପିଲାମାନଙ୍କର ଆଗ୍ରହ ବଢିବ ତଥା ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଏହି ପାଠାଗାର ମାଧ୍ୟମରେ ସୂଚନା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କନ୍ଦର୍ପ ବେହେରା, ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ, ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମର ଆଗ୍ରହୀ ବ୍ୟକ୍ତିମାନେ ପାଠାଗାରକୁ ପୁସ୍ତକ ଦାନ କରିଥିଲେ । ସରକାର ପାଠାଗାର କୋଠାପାଇଁ ୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଜଣା ପଡିଛି । ବର୍ତମାନ ଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟରେ ଏହି ପାଠାଗାର ଚାଲୁ ରହିବ ବୋଲି ଜଣା ପଡିଛି ।

Categories
ଆଞ୍ଚଳିକ

ରେଢାଖୋଲ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକ

କନ୍ଦର୍ପ ବେହେରା
ରେଢାଖୋଲ : ବିଭିନ୍ନ ସମସ୍ୟାକୁ ନେଇ ରେଢାଖୋଲ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଆଜି ରେଢାଖୋଲ ଭୀମଭୋଇ ଛକରେ ରାସ୍ତାରୋକ କରାଯାଇଛି । କେନ୍ଦୁପତ୍ର ସଂଘର କର୍ମଚାରୀ ତଥା ତୋଳାଳିମାନେ ଧାରଣାରେ ବସିଥିଲେ । କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ମାନିନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସିଜିନାଲ କର୍ମଚାରୀ ଓ ରାତ୍ର ଜଗୁଆଳୀମାନଙ୍କର ଦରମା ସର୍ବନିମ୍ନ ବର୍ଦ୍ଧିତ ମଜୁରୀ ହାରରେ ବୃଦ୍ଧି କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ କରିବା,କେନ୍ଦୁପତ୍ର ତୋଳାଳିମାନଙ୍କ ଠାରୁ ୨୦୦୦ କେନ୍ଦୁପତ୍ର କେରି ବଦଳରେ ୧୦୦୦ କେନ୍ଦୁପତ୍ର କେରି ନେବା , କେନ୍ଦୁପତ୍ରରୁ ଜି.ଏସ୍‌.ଟି ପ୍ରତ୍ୟାହାର କରିବା , କେନ୍ଦୁପତ୍ର ଫଡି , ସେକ୍ସନ୍ ଉଠା ନ ଯିବା ଓ ସିଜିନାଲ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଆଦି ଦାବୀରେ ରାସ୍ତାରୋକ କରାଯାଇଥିଲା । ରେଢାଖୋଲ ଡିଭିଜନର ୯ ଟି ରେଞ୍ଜ ମଧ୍ୟରୁ ୨ ଟି ରେଞ୍ଜ ଉଚ୍ଛେଦ କରାଯାଇଛି । ଏହା ସହିତ ଡିଭିଜନର ୮ଟି ଫଡିଘର ଉଠାଇ ଦିଆଯାଇଛି । ଯାଫଳରେ ୨ଜଣ ହେଡ୍ ଚେକର, ୫ଜଣ ସର୍କଲଚେକର, ୫ଜଣ ଚେକର, ମୁନସୀ ୮ଜଣ, ଚପରାସୀ ୮ଜଣଙ୍କୁ ଚାକିରିରୁ ହଟାଇ ଦିଆଯାଇଛି । ଡିଭିଜନର ଏହିସବୁ ଅଂଚଳରୁ ୬୧୭ ଜଣ ପତ୍ରତୋଳାଳି ଓ ୨୩୦ ଜଣ ଗୋଛାକଟାଳୀ ସେମାନଙ୍କର ଜୀବନ ଜୀବିକା ହରାଇବେ ଏବଂ ଅଢେଇମାସର କାର୍ଯ୍ୟ କରୁଥିବା ସେକ୍ସନ୍ ଜଗୁଆଳୀ ୩୦ ଜଣଙ୍କୁ ମଧ୍ୟ ବହିଷ୍କାର କରିଦିଆଯାଇଛି । ଏହି ସବୁ ଦାବିକୁ ନେଇ ଏହି ରାସ୍ତାରୋକରେ କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, କେନ୍ଦୁପତ୍ର କର୍ମଚାରୀ, ଶ୍ରମିକ ନେତା ଆଦି ସାମିଲ ହୋଇଥିଲେ । ସମ୍ବଲପୁର, ବୌଦ୍ଧ, କଟକ ଦେଇ ଯାଉଥିବା ଶହ ଶହ ଗାଡି ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଯା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ରାସ୍ତାରୋକରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ ଅନାଦୀ ଚରଣ ସାହୁ , ଡିଭିଜନ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ , ରେଢାଖୋଲ କେନ୍ଦୁପତ୍ର ଡିଭିଜନ୍ ଯୁଗ୍ମସଂପାଦକ ଉଦିତ୍ କୁମାର ତ୍ରିପାଠୀ , ରେଢାଖୋଲ କେନ୍ଦୁପତ୍ର ଡିଭିଜନ୍ ରାଜ୍ୟ କମିଟି ସଭ୍ୟା ଗୋଲାପୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ମହିଳାଙ୍କୁ ଦଳିଦେଲା ଦନ୍ତା

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ହେମାମୁରା ଗ୍ରାମର ପ୍ରଭାତୀ ପ୍ରଧାନ(55) ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଶୌଚ ହେବାକୁ ଯାଇଥିବା ସମୟରେ ମହିଳାଙ୍କୁ ଦନ୍ତା ଦଳିଦେଇଥିଲା। ଘଟଣାସ୍ଥଳରେ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରେଢାଖୋଲ ବନାଞ୍ଚଳରେ ବିଗତ କିଛି ଦିନ ହେବ ହାତୀଙ୍କ ଆତଙ୍କ ବଢିବାରେ ଲାଗିଛି। ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ମାହୋଲ୍‌ ଦେଖାଦେଇଛି।

Categories
ଆଞ୍ଚଳିକ

ମଧୁବନ ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକୋତ୍ସବ

କନ୍ଦର୍ପ ବେହେରା

ରେଢାଖୋଲ : ଓଡିଆ ନୃତ୍ୟ , ଓଡିଶୀ ସଂଗୀତ , ବିଶ୍ୱଦରବାରରେ ବେଶ୍ ପରିଚିତ ।ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍‌ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି  ବୋଲି ମଧୁବନ ସାହିତ୍ୟ ସଂସ୍କୃତି ସଂସଦ ର ବାର୍ଷିକ ଉତ୍ସବରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ମଧୁବନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସଂସଦର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମର୍ଶୀ ମିତ୍ରଭାନୁ ଗୌନ୍ତିଆ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଡ. ସୁରେନ୍ଦ୍ରନାଥ ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ଡ. ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇ  ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନାକ୍ଟିଦେଉଳ ଭଳି ଏକ ଅନୁନ୍ନତ ଅଂଚଳରେ ସାହିତ୍ୟ ସଭା କରିବା କାଠିକର ପାଠ ତଥାପି ଆୟୋଜକ ମାନେ ଏଭଳି ଏକ ରାଜ୍ୟସ୍ତରୀୟ ସାହିତ୍ୟ ସଭା କରି ଓଡିଶାର ବିଭିନ୍ନ ଅଂଚଳରୁ କବିମାନଙ୍କୁ ଏକଜୁଟ କରିଥିବାରୁ ବକ୍ତାମାନେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ  ଗୀତାରାଣୀ ସାହୁ, ହରିହର ସାହୁ , ସରସୀରାଣୀ ନାୟକଙ୍କ କବିତା ପୁସ୍ତକ ଉନ୍ମୋଚନ ହୋଇଥିଲା । ସଂସଦର ମୁଖପତ୍ର ମଧୁଧାରା ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଉପଲକ୍ଷେ ପ୍ରଥମ ଅଧିବେଶନରେ କବି କନ୍ଦର୍ପ ବେହେରା, ଆର୍‌.ପୁଷ୍ପାଞଳୀ, ଆଧ୍ୟାପକ ଦିପେନ୍ ପଟ୍ଟନାୟକ,  ଶେଷଦେବ ବିଶ୍ୱାଳଙ୍କ ସଂଯୋଜନାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସେମାନଙ୍କ ସ୍ୱରଚିତ କବିତା ପାଠ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିପକାଇଥିଲେ । ବିଶେଷ କରି ବୌଦ୍ଧରୁ ଆସିଥିବା ବ୍ୟଙ୍ଗ କବି ଶାନ୍ତନୁ ପାଣିଗ୍ରାହୀ ଓ କବି ଅଖାଡୁଆଙ୍କ ବ୍ୟଙ୍ଗ କବିତା ବେଶ୍ ହସର ଖୋରାକ୍ ଜମାଇଥିଲା । ଏହି ଅବସରରେ ସାହିତ୍ୟକ ଫକିର ମୋହନ ଦେହୁରୀଙ୍କୁ ମଧୁବନ ସାରସ୍ୱତ ସମ୍ମାନ ଏବଂ କଷ୍ନଗୁରୁ କଳାକାର ଦଶରଥ ମୁଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ସରସ୍ୱତୀ ଶିଶୁମନ୍ଦିର , ଜଗନ୍ନାଥ ପ୍ରସାଦ , କେପ୍ସୁଲ୍ କିଡସ୍ ଓ ନାକଟିଦେଉଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ଦିପେନ୍ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସଭାପତି ସୁଧିର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ସୁଶାନ୍ତ କୁମାର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ ।

Categories
ଆଞ୍ଚଳିକ

ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣା : କନ୍ୟାଶ୍ରମ ଭ୍ରମଣ କଲେ ଉପଜିଲ୍ଲାପାଳ ଓ ଡାକ୍ତରୀଦଳ

କନ୍ଦର୍ପ ବେହେରା
ରେଢାଖୋଲ : ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣାରେ ଆଜି ଉପଜିଲ୍ଲାପାଳ ଓ ଡାକ୍ତରୀଦଳ କନ୍ୟାଶ୍ରମ ଭ୍ରମଣ କରିଛନ୍ତି । କିଛିଦିନ ତଳେ କନ୍ୟାଶ୍ରମର କିଛି ଛାତ୍ରୀ ରକ୍ତହୀନତାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା । ଛାତ୍ରୀମାନେ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଇ ଫେରିବା ପରେ ପୁଣି ଦଶଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଯାଇ ସ୍ବାସ୍ଥ୍ୟପରୀକ୍ଷା କରିଛନ୍ତି । ରେଢାଖୋଲ ଉପ ଜିଲ୍ଲାପାଳ ଡୋଳାମଣି ପଟେଲଙ୍କ ସହିତ ଏସ୍‌ଡିଏମ୍‌ଓ ବିପିନ୍‌ ବିହାରୀ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯାଇ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ବିକାଶ ତଥା ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା କରୁଛନ୍ତି । ଏଥିପାଇଁ ଆଦିବାସୀ ଛାତ୍ରୀମାନେ ରହି ପାଠ ପଢିବା ପାଇଁ ବିଦ୍ୟାଳୟ ଖୋଲିବା ସହ ରହିବା ପାଇଁ ହଷ୍ଟେଲ ଓ ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ହେଲେ ସରକାରୀ ବିଭାଗର ଅପାରଗତା ପାଇଁ ଛାତ୍ରୀମାନେ ସରକାରୀ ଯୋଜନା ପାଇ ପାରୁ ନାହାନ୍ତି । ଏପରିକି ଠିକ୍ ସମୟରେ ଛାତ୍ରୀମାନଙ୍କର ରୋଗ ପରୀକ୍ଷା କରାଯାଉ ନ ଥିବା ଅଭିଯୋଗ ହେଉଛି । ସେବାଶ୍ରମରେ ମାସ ମାସ ଧରି ଛାତ୍ରଛାତ୍ରୀମାନଙ୍କର ରୋଗ ପରୀକ୍ଷା କରାଯାଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି ମେନୁ ହିସାବରେ ଖାଦ୍ୟ ଯୋଗାଣ ହେଉନଥିବା ଅଭିଯୋଗ ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

38 କିଗ୍ରା ଗଞ୍ଜେଇ ସହିତ କାର ଜବତ : ଅଭିଯୁକ୍ତ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ : 38 କେଜି ଗଞ୍ଜେଇ ସହ ଏକ ଇଣ୍ଡିଗୋ କାର ଜବତ କରିଛି ପୋଲିସ୍ । ପୋଲିସ୍‌ ଗାଡିକୁ ଦେଖି ଚୋରା ବେପାରି ଗାଡି ଛାଡି ଫେରାର ହୋଇଯାଇଥିଲେ । ରେଢାଖୋଲ ଗଞ୍ଜେଇ ବେପାରିଙ୍କ ଚରାଭୁଇଁ ଭାବେ ପରିଗଣିତ ହେବାରେ ଲାଗିଛି । ସକାଳ ୯ଟାରେ ରେଢାଖୋଲ ପଟୁ ଆସୁଥିବା ଏକ ଇଣ୍ଡିଗୋ ଗାଡି (ଓଆର୍ 19 ଏମ୍ 2288)ରେ ଗଞ୍ଜେଇ ଆସୁଥିବାର ଖବର ନାକ୍ଟିଦେଉଳ ପୋଲିସ ଜାଣିବାକୁ ପାଇଥିଲା । ନାକ୍ଟିଦେଉଳ ଥାନା ଚରଡପଶି ନିକଟସ୍ଥ ହାତିମରା ବୁଲାଣି ନିକଟରେ ଇଣ୍ଡିଗୋ କାରଟିକୁ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲା । ଚୋରା ବେପାରିମାନେ ପୋଲିସ୍ ଆସୁଥିବା ଜାଣି ଗାଡି ଛାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ନାକ୍ଟିଦେଉଳ ପୋଲିସ୍ ଗାଡି ଭିତରୁ ୩୮ କେଜି ଗଞ୍ଜେଇ ଜବତ କରିବା ସହ ଗାଡିଟିକୁ ଜବତ କରିବାରେ ସକ୍ଷମ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଜମିବାଡି ବିବାଦକୁ କେନ୍ଦ୍ରକରି କକା, ପୁତୁରାଙ୍କ ମଧ୍ୟରେ ହଣାକଟା : 3 ଆହତ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲରେ ଜମିବାଡି ବିବାଦକୁ କେନ୍ଦ୍ରକରି କକା ଓ ପୁତୁରାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି 3 ଜଣ ଆହତ ହୋଇଛନ୍ତି । ଜମିବାଡି ବିବାଦକୁ ନେଇ ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ରବିବାର ସକାଳ 9ଟା ସମୟରେ ଏହି ଘଟଣା ଘଟିଛି ।
ଉଲ୍ଳେଖଯୋଗ୍ୟ ଯେ, ପୋଡାବଲଣ୍ଡା ଗ୍ରାମର ମୁରଲୀ ବେହେରା (48) ଏବଂ ତାଙ୍କ ପୁଅ ହରେଶ ବେହେରା (18) ନିଜ ଘର ବାହାରେ ସିମେଣ୍ଟ କାନ୍ଥ ଦେବା ପାଇଁ ଡିହ ଖୋଳୁଥିବା ସମୟରେ ପଡୋଶୀ ବିକାଶ ଚନ୍ଦ୍ର ବେହେରାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆହତ ମୁରଲୀ ବେହେରାଙ୍କୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବିକାଶ ବେହେରାଙ୍କୁ ବୁର୍ଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଆକ୍ରମଣ ଘଟଣାକୁ ନେଇ କୌଣସି ମାମଲା ରୁଜୁ କରାଯାଇନଥିବା ଜଣାପଡିଛି ।

Categories
ଆଞ୍ଚଳିକ

ନାକ୍ଟିଦେଉଳରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଅଭିଯୋଗ ବେଶୀ ଫଳ ଶୂନ

କନ୍ଦର୍ପ ବେହେରା
ରେଢାଖୋଲ : ନାକ୍ଟିଦେଉଳ ବ୍ଲକ୍ ପରିସରରେ ସମ୍ବଲପୁର ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣିରେ ନାକ୍ଟିଦେଉଳ ବ୍ଲକର ୧୪ଟି ପଞ୍ଚାୟତର ବହୁ ଅଭିଯୋଗକାରୀ ଆସି ନିଜର ସମସ୍ୟା ସଂପର୍କରେ ଅଭିଯୋଗ କରିଥିଲେ । ସମୁଦାୟ 223ଟି ଅଭିଯୋଗ ଦାଖଲ କରାଯାଇଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯାଇନଥିଲା । ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ସର୍ବାଧିକ ଅଭିଯୋଗ ରହିଥିଲା । ନାକ୍ଟିଦେଉଳ ବ୍ଲକ୍‌ର ଘୋଷରାମାଳ, ସାହେବୀ, ସାଲେଭଟା, ପାଣିମୁରା, ଆଦି ପଂଚାୟତରେ ପ୍ରାଣୀଧନ ଚିକିତ୍ସକ ନ ଥିବା ସଂପର୍କରେ ଅଭିଯୋଗ ହୋଇଥିଲା । ସମ୍ବଲପୁର ଜିଲ୍ଲାପାଳ କୌଣସି ଅଂଚଳକୁ ବୁଲି ଯାଇ ନଥିବା ବେଳେ ପିଡି ସୁକାନ୍ତ ତ୍ରିପାଠୀ ଶିମିଳିପାଳ ପଂଚାୟତକୁ ଯାଇ ଜଳ ବିଭାଜିକା ଯୋଜନା ବୁଲି ଦେଖିଥିଲେ । ଏହି ଜନ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ , ଶୁଭମ୍ ସାକ୍ସେନା, ଏସ୍ .ପି କନଓ୍ବ ର ବିଶାଲ ସିଂ , ପି.ଡି ସୁକାନ୍ତ ତ୍ରିପାଠୀ, ରେଢଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ନାକ୍ଟିଦେଉଳ ବିଡିଓ ରବିନ୍ଦ୍ର ରଣା, ନାକ୍ଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ଆଦି ଯୋଗଦେଇଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାସ୍ତା ମଝିରେ ଅଟକିଲା ଧାନବୋଝେଇ ଟ୍ରକ୍ : ଗାଡି ଚଳାଚଳ ବାଧାପ୍ରାପ୍ତ

କନ୍ଦର୍ପ ବେହେରା
ରେଢାଖୋଲ : ରେଢ଼ାଖୋଲ ଉପଖଣ୍ଡ ଚାରମାଳରେ ଏକ ଅଣଓସାରିଆ ପୋଲ ନିକଟରେ ଏକ ଧାନ ବୋଝେଇ ଟ୍ରକ୍‌ଟି ଅଟକି ରହିଥିଲା । ଟ୍ରକ୍‌ଟି ବ୍ରେକ୍‌ଡାଉନ୍‌ ହେବା କାରଣରୁ ରାସ୍ତା ଦାଢକୁ ଖସି ପଡିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକି ରହିଥିଲା । କ୍ରେନ୍ ସାହାଯ୍ୟରେ ପୋଲ ପାଖରୁ ଟ୍ରକଟିକୁ ହଟାଯିବା ପରେ ସ୍ବାଭାବିକ ଗାଡ଼ି ଚଳାଚଳ ହୋଇଥିଲା । ଗଣ୍ଡଗୋଳ ଆଶଙ୍କା ଥିବାରୁ ଚାରମାଳ ଥାନାଧିକାରି ଘଟଣା ସ୍ଥଳକୁ ଯାଇଥିଲେ । କଟକରୁ ସମ୍ବଲପୁର ଯିବାଆସିବା କରୁଥିବା ଗାଡ଼ି ଅଟକି ରହିଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାକ୍ଟିଦେଉଳ କଲେଜରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଘାଟିତ

କନ୍ଦର୍ପ ବେହେରା
ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା ତାଲିମ୍ ଶିବିରକୁ କଲେଜର ଅଧ୍ୟକ୍ଷ କନ୍ଦର୍ପ ରାଉଳ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଆତ୍ମରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ବିନୀତା ମୁର୍ମୁ ଓ ଅଧ୍ୟାପକ ସରୋଜ କୁମାର ଭୁଏ ଆତ୍ମରକ୍ଷା ତାଲିମର ଆବଶ୍ୟକତା ଓ ଏହାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ। ପ୍ରଶିକ୍ଷିକା ଦୀପାଞ୍ଜଳୀ ବାର୍ଲା ଆତ୍ମସୁରକ୍ଷା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲ। ଉକ୍ତ ତାଲିମ୍ ଶିବିରରେ ୧୪୭ ଜଣ ଛାତ୍ରୀ ପଞୀକୃତ କରିଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଜାରି ରହିବ।

Categories
ଆଞ୍ଚଳିକ

ରେଢାଖୋଲ ବିଧାନସଭା କ୍ଷେତ୍ର ସମୀକ୍ଷା ବୈଠକ

କନ୍ଦର୍ପ ବେହେରା
ରେଢାଖୋଲ : ରେଢାଖୋଲ ବ୍ଲକ୍ କାର୍ଯ୍ୟାଳୟର ରାଜୀବ ଭବନ ଠାରେ ରେଢାଖୋଲ ବିଧାନ ସଭା କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରେଢାଖୋଲ ବିଧାୟକ ରୋହିତ କୁମାର ପୂଜାରୀଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଡିଓ ପରୀକ୍ଷିତ ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା କବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମାନେଶ୍ୱର, ଜୁଜୁମୁରା, ରେଢାଖୋଲ, ନାକ୍ଟିଦେଉଳ ଆଦି ବ୍ଲକ୍‌ର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜଙ୍ଗଲ, ଜଳ ବିଭାଜିକା, ଗ୍ରାମ୍ୟଉନ୍ନୟନ, କୃଷି, ବିଦ୍ୟୁତ୍, ଉଦ୍ୟାନ, ଏମ୍ ଆଇ ଆଦି ବିଭାଗର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା ।
ରେଢାଖୋଲ ବିଧାୟକ ଚାଷକୁ ଗରୁତ୍ୱ ତଥା ଅଧିକ ଅମଳ କିପରି ହୋଇ ପାରିବ ,ରବି ରୁତୁରେ ମୁଗ ,ବିରି.ହରଡ ଚାଷ ଉପରେ ଗୁରୁତ୍ୱ ଦେବାକୁ ସଂପୃକ୍ତ ବିଭାଗର ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ରେଢାଖୋଲ ଉପଖଣ୍ଡରେ ଡାକ୍ତରସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲା ସ୍ତରୀୟ, ତଥା ସବ୍‌ଡିଭିଜନ୍ ସ୍ତରୀୟ ଅଧିକାରୀ ମାନେ ଲୋକମାନଙ୍କର ସମସ୍ୟା ଦିଗରେ କାମ କରିବାକୁ କହିଥିଲେ । ଯେଉଁ କାମ ଅଫିସରମାନଙ୍କ ଦ୍ୱାରା ହେଇପାରୁନି ମୋ ସହ ଯୋଗାଯୋଗ କଲେ ମୁଁ ତାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ବିଧାୟକ ପ୍ରକାଶ କରିଥିଲେ ।