ରେଢାଖୋଲ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକ

Published: Mar 11, 2020, 8:56 pm IST

କନ୍ଦର୍ପ ବେହେରା
ରେଢାଖୋଲ : ବିଭିନ୍ନ ସମସ୍ୟାକୁ ନେଇ ରେଢାଖୋଲ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଆଜି ରେଢାଖୋଲ ଭୀମଭୋଇ ଛକରେ ରାସ୍ତାରୋକ କରାଯାଇଛି । କେନ୍ଦୁପତ୍ର ସଂଘର କର୍ମଚାରୀ ତଥା ତୋଳାଳିମାନେ ଧାରଣାରେ ବସିଥିଲେ । କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ସରକାର ମାନିନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ସିଜିନାଲ କର୍ମଚାରୀ ଓ ରାତ୍ର ଜଗୁଆଳୀମାନଙ୍କର ଦରମା ସର୍ବନିମ୍ନ ବର୍ଦ୍ଧିତ ମଜୁରୀ ହାରରେ ବୃଦ୍ଧି କରିବା, କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ କରିବା,କେନ୍ଦୁପତ୍ର ତୋଳାଳିମାନଙ୍କ ଠାରୁ ୨୦୦୦ କେନ୍ଦୁପତ୍ର କେରି ବଦଳରେ ୧୦୦୦ କେନ୍ଦୁପତ୍ର କେରି ନେବା , କେନ୍ଦୁପତ୍ରରୁ ଜି.ଏସ୍‌.ଟି ପ୍ରତ୍ୟାହାର କରିବା , କେନ୍ଦୁପତ୍ର ଫଡି , ସେକ୍ସନ୍ ଉଠା ନ ଯିବା ଓ ସିଜିନାଲ କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଆଦି ଦାବୀରେ ରାସ୍ତାରୋକ କରାଯାଇଥିଲା । ରେଢାଖୋଲ ଡିଭିଜନର ୯ ଟି ରେଞ୍ଜ ମଧ୍ୟରୁ ୨ ଟି ରେଞ୍ଜ ଉଚ୍ଛେଦ କରାଯାଇଛି । ଏହା ସହିତ ଡିଭିଜନର ୮ଟି ଫଡିଘର ଉଠାଇ ଦିଆଯାଇଛି । ଯାଫଳରେ ୨ଜଣ ହେଡ୍ ଚେକର, ୫ଜଣ ସର୍କଲଚେକର, ୫ଜଣ ଚେକର, ମୁନସୀ ୮ଜଣ, ଚପରାସୀ ୮ଜଣଙ୍କୁ ଚାକିରିରୁ ହଟାଇ ଦିଆଯାଇଛି । ଡିଭିଜନର ଏହିସବୁ ଅଂଚଳରୁ ୬୧୭ ଜଣ ପତ୍ରତୋଳାଳି ଓ ୨୩୦ ଜଣ ଗୋଛାକଟାଳୀ ସେମାନଙ୍କର ଜୀବନ ଜୀବିକା ହରାଇବେ ଏବଂ ଅଢେଇମାସର କାର୍ଯ୍ୟ କରୁଥିବା ସେକ୍ସନ୍ ଜଗୁଆଳୀ ୩୦ ଜଣଙ୍କୁ ମଧ୍ୟ ବହିଷ୍କାର କରିଦିଆଯାଇଛି । ଏହି ସବୁ ଦାବିକୁ ନେଇ ଏହି ରାସ୍ତାରୋକରେ କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, କେନ୍ଦୁପତ୍ର କର୍ମଚାରୀ, ଶ୍ରମିକ ନେତା ଆଦି ସାମିଲ ହୋଇଥିଲେ । ସମ୍ବଲପୁର, ବୌଦ୍ଧ, କଟକ ଦେଇ ଯାଉଥିବା ଶହ ଶହ ଗାଡି ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ଯା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ରାସ୍ତାରୋକରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ ଅନାଦୀ ଚରଣ ସାହୁ , ଡିଭିଜନ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ , ରେଢାଖୋଲ କେନ୍ଦୁପତ୍ର ଡିଭିଜନ୍ ଯୁଗ୍ମସଂପାଦକ ଉଦିତ୍ କୁମାର ତ୍ରିପାଠୀ , ରେଢାଖୋଲ କେନ୍ଦୁପତ୍ର ଡିଭିଜନ୍ ରାଜ୍ୟ କମିଟି ସଭ୍ୟା ଗୋଲାପୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Related posts