ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣା : କନ୍ୟାଶ୍ରମ ଭ୍ରମଣ କଲେ ଉପଜିଲ୍ଲାପାଳ ଓ ଡାକ୍ତରୀଦଳ

Published: Feb 28, 2020, 6:53 pm IST

କନ୍ଦର୍ପ ବେହେରା
ରେଢାଖୋଲ : ଶୁଣ୍ଢିମୁଣ୍ଡା କନ୍ୟାଶ୍ରମରେ ରକ୍ତହୀନତା ଘଟଣାରେ ଆଜି ଉପଜିଲ୍ଲାପାଳ ଓ ଡାକ୍ତରୀଦଳ କନ୍ୟାଶ୍ରମ ଭ୍ରମଣ କରିଛନ୍ତି । କିଛିଦିନ ତଳେ କନ୍ୟାଶ୍ରମର କିଛି ଛାତ୍ରୀ ରକ୍ତହୀନତାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା । ଛାତ୍ରୀମାନେ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଇ ଫେରିବା ପରେ ପୁଣି ଦଶଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଯାଇ ସ୍ବାସ୍ଥ୍ୟପରୀକ୍ଷା କରିଛନ୍ତି । ରେଢାଖୋଲ ଉପ ଜିଲ୍ଲାପାଳ ଡୋଳାମଣି ପଟେଲଙ୍କ ସହିତ ଏସ୍‌ଡିଏମ୍‌ଓ ବିପିନ୍‌ ବିହାରୀ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯାଇ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ବିକାଶ ତଥା ଶିକ୍ଷା କ୍ଷେତ୍ରରେ କୋଟି କୋଟି ଟଙ୍କା କରୁଛନ୍ତି । ଏଥିପାଇଁ ଆଦିବାସୀ ଛାତ୍ରୀମାନେ ରହି ପାଠ ପଢିବା ପାଇଁ ବିଦ୍ୟାଳୟ ଖୋଲିବା ସହ ରହିବା ପାଇଁ ହଷ୍ଟେଲ ଓ ଖାଇବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ହେଲେ ସରକାରୀ ବିଭାଗର ଅପାରଗତା ପାଇଁ ଛାତ୍ରୀମାନେ ସରକାରୀ ଯୋଜନା ପାଇ ପାରୁ ନାହାନ୍ତି । ଏପରିକି ଠିକ୍ ସମୟରେ ଛାତ୍ରୀମାନଙ୍କର ରୋଗ ପରୀକ୍ଷା କରାଯାଉ ନ ଥିବା ଅଭିଯୋଗ ହେଉଛି । ସେବାଶ୍ରମରେ ମାସ ମାସ ଧରି ଛାତ୍ରଛାତ୍ରୀମାନଙ୍କର ରୋଗ ପରୀକ୍ଷା କରାଯାଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି ମେନୁ ହିସାବରେ ଖାଦ୍ୟ ଯୋଗାଣ ହେଉନଥିବା ଅଭିଯୋଗ ହେଉଛି ।

Related posts