Categories
ଆଜିର ଖବର ଜାତୀୟ ଖବର

ଆଇନ ଲଢେଇରେ ପାଇଲଟଙ୍କୁ ଆଶ୍ବସ୍ତି, 24 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ଜୟପୁର, ରାଜସ୍ଥାନ ହାଇକୋର୍ଟରୁ କଂଗ୍ରେସ ବିଦ୍ରୋହୀ ନେତା ସଚିନ ପାଇଲଟ ଏବଂ ଅନ୍ୟ 18 ବିଧାୟକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଧାନସଭା ବାଚସ୍ପତି ସି.ପି. ଜୋଷୀଙ୍କ ପକ୍ଷରୁ ଜାରି ନୋଟିସ ମାମଲାର ବିଚାର କରି ଏହାର ଶୁଣାଣିକୁ ଆସନ୍ତା 24 ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି। କୋର୍ଟ କହିଛନ୍ତି, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ।

ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତା ଜୁଲାଇ ୨୪ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ ନେବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି ।

ପାଇଲଟ ଗୋଷ୍ଠୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ହରିଶ ସାଲଭେ ଯୁକ୍ତି ଉପସ୍ଥାପନ କରିଥିଲେ । ମୁକୁଲ ରୋହତଗୀ କହିଥିଲେ ଯେ ସରକାରରେ ନେତୃତ୍ୱ ପରିବର୍ତ୍ତନ କରିବା ସଚ୍ଚିନ ପାଇଲଟଙ୍କ ଉଦ୍ୟମ ଥିଲା, କିନ୍ତୁ ସରକାର ଭାଙ୍ଗିବା ପାଇଁ ସେ କୌଣସି ଉଦ୍ୟମ କରିନଥିଲେ । ଏଣୁ ଏଥିପାଇଁ ତାଙ୍କ ବିରୁଦ୍ଧରେ ଦଳ ବଦଳ ଆଇନ ଲାଗୁ ହେବ ନାହିଁ ।

ସେହିପରି ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ବାଚସ୍ପତି କେବଳ ବିଦ୍ରୋହୀ ବିଧ୍ୟାୟକମାନଙ୍କୁ ନୋଟିସ ପଠାଇଛନ୍ତି, ଅଯୋଗ୍ୟତା ସଂପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।
ସଚିନ ପାଇଲଟଙ୍କୁ ଗତ ସପ୍ତାହରେ କଂଗ୍ରେସ ହାଇକମାଣ୍ଡ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇଦେଇଥିଲେ ।