Categories
ଆଜିର ଖବର ଜାତୀୟ ଖବର

କ’ଣ ହେବ ରାମଲାଲାଙ୍କ ପୁରୁଣା ମୂର୍ତ୍ତି? ସବୁକିଛି ସ୍ପଷ୍ଟ କଲା ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ

ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଅସ୍ଥାୟୀ ମନ୍ଦିରରେ ରଖାଯାଇଥିବା ରାମ ଲାଲାଙ୍କ ପୁରୁଣା ପ୍ରତିମା ଜାନୁୟାରୀ ୨୨ ତାରିଖରେ ମନ୍ଦିରରେ ସ୍ଥାପନ ହେବାକୁ ଥିବା ନୂତନ ପ୍ରତିମା ସମ୍ମୁଖରେ ରଖାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣରେ ଏପର୍ଯ୍ୟନ୍ତ ୧୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଏହି କାମ ଶେଷ କରିବାକୁ ଆଉ ୩୦୦ କୋଟି ଟଙ୍କା ଆବଶ୍ୟକ ହୋଇପାରେ।

ଗତ ସପ୍ତାହରେ ରାମଲାଲାଙ୍କ ଏକ ୫୧ ଇଞ୍ଚ ପ୍ରତିମା ରାମ ମନ୍ଦିରର ଗର୍ଭଗୃହରେ ରଖାଯାଇଥିଲା। ଭଗବାନ ରାମଙ୍କର ତିନୋଟି ପ୍ରତିମା ନିର୍ମାଣ କରାଯାଇଥିଲା, ସେଥିମଧ୍ୟରୁ ମଇଶୁରସ୍ଥିତ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତିକୁ ‘ପ୍ରାଣ ପ୍ରତିଷ୍ଠା’ ପାଇଁ ଚୟନ କରାଯାଇଛି। ଅନ୍ୟ ଦୁଇଟି ପ୍ରତିମା ସହିତ କ’ଣ ହେବ ବୋଲି ପଚରାଯିବାରୁ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ କହିଛନ୍ତି, ‘ଆମେ ସେମାନଙ୍କୁ ପୂର୍ଣ୍ଣ ଆଦର ଓ ସମ୍ମାନ ସହିତ ମନ୍ଦିରରେ ରଖିବୁ। ପ୍ରଭୁ ଶ୍ରୀ ରାମଙ୍କ ପୋଷାକ ଏବଂ ଅଳଙ୍କାର ମାପିବା ପାଇଁ ଆମର ଆବଶ୍ୟକତା ଥିବାରୁ ଗୋଟିଏ ପ୍ରତିମା ଆମ ପାଖରେ ରଖିବୁ।

ରାମ ଲାଲାଙ୍କ ମୂଳ ପ୍ରତିମା ବିଷୟରେ ଗିରି କହିଛନ୍ତି ଯେ, ‘ଏହାକୁ ରାମ ଲାଲାଙ୍କ ସମ୍ମୁଖରେ ରଖାଯିବ। ମୂଳ ପ୍ରତିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଙ୍କ ଉଚ୍ଚତା ପାଞ୍ଚରୁ ଛଅ ଇଞ୍ଚ ଏବଂ ଏହା ୨୫ରୁ ୩୦ ଫୁଟ ଦୂରରୁ ଦେଖାଯିବେ ନାହିଁ। ତେଣୁ ଆମକୁ ଏକ ବଡ଼ ମୂର୍ତ୍ତିର ଆବଶ୍ୟକତା ଥିଲା। ଗିରି କହିଛନ୍ତି ଯେ, “ଗୋଟିଏ ମହଲା (ମନ୍ଦିରର) ନିର୍ମାଣ ହୋଇଛି ଏବଂ ଆମେ ଅନ୍ୟ ଏକ ମହଲା ନିର୍ମାଣ କରିବାକୁ ଯାଉଛୁ।”