Categories
ଆଜିର ଖବର ରାଜ୍ୟ ଖବର

18ରେ ରଥ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ

ଭୁବନେଶ୍ବର/ନୂଆଦିଲ୍ଲୀ : ରଥ ଯାତ୍ରାକୁ ନେଇ ଆଶା ଓ ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଆସନ୍ତା 18 ତାରିଖରେ ସୁପ୍ରିମକୋର୍ଟରେ ବିଚାର କରାଯିବ । ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ମଙ୍ଗଳବାର ଜଣାପଡିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ । ଓଡିଶା ବିକାଶ ପରିଷଦ ପକ୍ଷରୁ ଦାୟର କରାଯାଇଥିବା ମାମଲା ଏବଂ ଅନ୍ୟ ଦୁଇ ମାମଲାର ବିଚାର ଏକତ୍ର କରାଯିବ ବୋଲି ଜଣାପଡିଛି । ମୂଳ ମାମଲା ସହିତ ଦୁଇଟି କ୍ୟାଭେଟ୍‌ର ଶୁଣାଣି କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ରଥ ଅନୁକୂଳ ପାଇଁ ଅନୁମତି ପତ୍ର

ଭୁବନେଶ୍ବର : ରଥଯାତ୍ରା ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ରଥ ଅନୁକୂଳ ପାଇଁ ଅନୁମତି ପତ୍ର ପ୍ରଦାନ କରାଯାଇଛି । ରଥଯାତ୍ରାକୁ ନେଇ ଅନିଶ୍ଚିତତଦା ଲାଗି ରହିଥିବା ବେଳେ ସରକାର ଆଉ ଗୋଟିଏ ପାଦ ଆଗକୁ ବଢିଛନ୍ତି । ପୁରୋହିତ ସିଦ୍ଧେଶ୍ବର ମହାପାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଅନୁକୂଳ ପାଇଁ ମଙ୍ଗଳବାର ଅନୁମତି ପତ୍ର ପ୍ରଦାନ କରାଯାଇଛି । ଅନୁମତି ପତ୍ର ମିଳିବା ପରେ ପ୍ରତିକ୍ରିୟା ପ୍ରକାଶ କରି ସିଦ୍ଧେଶ୍ବର କହିଛନ୍ତି ବର୍ତ୍ତମାନ ପରସ୍ଥିତିରେ ରଥଯାତ୍ରା ହେବା ନେଇ କେବଳ ଆଶା ରଖିବା ଉଚିତ୍‌ ।

Categories
ଆଜିର ଖବର ରାଜ୍ୟ ଖବର

ବିନା ଭକ୍ତରେ ହେବ ଘୋଷ ଯାତ୍ରା: ରଥ ଟାଣିବେ ସେବାୟତ ଓ ପୋଲିସ୍

ପୁରୀ: ଚଳିତବର୍ଷ ରଥଯାତ୍ରା ଆୟୋଜନ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ପରେ ଏବେ ରଥଯାତ୍ରା ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ରଥଯାତ୍ରା ହେଲେ ସେବାୟତ ଓ ପୋଲିସ ରଥ ଟାଣିବେ ଓ ବିନାଭକ୍ତରେ ରଥଯାତ୍ରା ହେବ ବୋଲି ସୂଚନା ମିଳିଛି। ପୁରୀ ବଡ଼ଦାଣ୍ତରେ ୧୪୪ ଧାରା ଜାରି କରାଯିବା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯିବ। ବିନା ଭକ୍ତରେ ରଥଯାତ୍ରାକୁ ସେବାୟତ ମାନେ ସ୍ୱାଗତ କରିଥିବା ବେଳେ ଏପଟେ ରଥନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତବର୍ଷ ବିନା ଭକ୍ତରେ ରଥଯାତ୍ରା ହେବା ପାଇଁ ଜାରି ରହିଛି ସମସ୍ତ ପ୍ରସ୍ତୁତି। ସରକାରୀ ସ୍ତରରେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ରଥଯାତ୍ରା ବିନା ଭକ୍ତରେ ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ରଥଟାଣିବା ପାଇଁ ଭକ୍ତ ନଥିଲେ ମଧ୍ୟ ୫ ହଜାରରୁ ଉର୍ଦ୍ଧ ସେବାୟତ ପରିବାର ଓ ପୋଲିସ କର୍ମଚାରୀ ରଥ ଟାଣିବେ। ସିଂହଦ୍ୱାର ଠାରୁ ଗୁଣ୍ତିଚା ଘର ଯାଏଁ ୩ କିଲୋମିଟର ବଡ଼ଦାଣ୍ତ ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗୁଡ଼ିକରେ ୧୪୪ ଧାରା ଜାରି କରାଯିବ। ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ବଡ଼ଦାଣ୍ତକୁ ସଂଯୋଗ କରୁଥିବା ରାସ୍ତଗୁଡ଼ିକୁ ବନ୍ଦ କରିଦିଆଯିବ। ସେହିପରି ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ରହିବେ।

Categories
ବିଶେଷ ଖବର ମତାମତ

ରଥଯାତ୍ରା ମନ୍ଦିର ପ୍ରଶାସନର ବ୍ୟବସାୟ ନୁହେଁ, ଏହାର ସିଧା ପ୍ରସାରଣ ଲାଗି ନିଲାମ ଡାକିବା ଏକ ନିର୍ବୋଧ ନିଷ୍ପତ୍ତି

କେଦାର ମିଶ୍ର

ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର ବି ସେଯା ହେବାକୁ ଯାଉଛି। ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ କହିଲେ ଯେ ପୁରୀର ରଥଯାତ୍ରା ପ୍ରସାରଣ ଲାଗି ନିଲାମ ଡକାଯିବ ଓ ଯିଏ ଅଧିକ ଦର ହାଙ୍କିବ ତାକୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ଦିଆଯିବ। ତେବେ ଏହା କେବଳ ଟେଲିକାଷ୍ଟ ପାଇଁ ସୀମିତ ନା ଏହା ୱେବ କାଷ୍ଟ ପାଇଁ ମଧ୍ୟ ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟତା ନାହିଁ। ତେବେ ଏକ ଧାର୍ମିକ ଯାତ୍ରାର ବ୍ୟାବସାୟିକ ପ୍ରସାରଣ ଲାଗି ସରକାର ବା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇପାରିବେ କି? ଟେଲି ପ୍ରସାରଣ ସହିତ ବ୍ୟାପକ ପ୍ରାୟୋଜକ ଅର୍ଥ ଜଡିତ ରହୁଥିବାରୁ ଏହାର ଲାଭ ମନ୍ଦିର ପ୍ରଶାସନ ପାଇବା ଉଚିତ ବୋଲି କେହି କେହି କହୁଛନ୍ତି। ତେବେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଲିଭିଜନ କମ୍ପାନୀମାନେ ଯେତିକି ପୁଞ୍ଜି ବିନିଯୋଗ କରନ୍ତି, ସେଇ ଅନୁସାରେ ତାଙ୍କୁ ଲାଭ ମିଳେ କି? ବିଜ୍ଞାପନ ବାବଦକୁ ଚାନେଲ ଗୁଡିକ ଯେତିକି ଅର୍ଥ ପାଆନ୍ତି ତାର ଏକ ନିରପେକ୍ଷ ଆକଳନ ମନ୍ଦିର ପ୍ରଶାସନ କରିଛି କି?

ପ୍ରଥମତଃ ଏହା ଏକ ଧାର୍ମିକ ଉତ୍ସବ ହୋଇଥିବାରୁ ଏହାର ପ୍ରସାରଣ ଅଧିକାରକୁ ବ୍ୟବସାୟର ନିୟମରେ ଦେଖା ଯାଇ ପାରିବ ନାହିଁ। ତେବେ ଟେଲିଭିଜନ ଚାନେଲ ଗୁଡିକ ଏଥିରୁ ବ୍ୟାବସାୟିକ ଲାଭ ଉଠାଉଥିବାରୁ ସେମାନେ ନିଜର ଲାଭାଂଶ ମନ୍ଦିର ପ୍ରଶାସନକୁ ଦେବା କଥା, କୁହାଯାଉଛି। ହେଲେ ବାସ୍ତବରେ ଏ ଲାଭ କେତେ? ଯଦି ଗୋଟିଏ ସଂସ୍ଥାକୁ ଏହି ଅଧିକାର ଦିଆଯାଏ, ସେ ଏହାକୁ ନେଇ ଏକଚାଟିଆ କାରବାର କରିବ। ରଥଯାତ୍ରାକୁ ନେଇ ଯେଉଁ ବିବିଧ ଅନୁଭବ ଓ ସାଂସ୍କୃତିକ ମୂଲ୍ୟବୋଧ ରହିଛି, ତାହା ଗୋଟିଏ କମ୍ପାନୀର ଅକ୍ତିଆର ରେ ରହିବ। ଯେ ଅଧିକ ପଇସା ଦେଲା ସେ ହିଁ ରଥଯାତ୍ରାର ଦୃଶ୍ୟାବଳୀର ମାଲିକ ହୋଇଯିବ। ଆସନ୍ତାକାଲି ହୁଏତ ସାଧାରଣ ଭକ୍ତଟିଏ ଆଉ ନିଜ ମୋବାଇଲରେ ଫୋଟୋଟିଏ ମଧ୍ୟ ଉଠାଇପାରିବ ନାହିଁ। ରଥଯାତ୍ରାରେ ସାର୍ବଜନୀନତାର ଯେଉଁ ମୂଳ ବାର୍ତ୍ତା ଟି ରହିଛି ଏହା ଦ୍ଵାରା ସେଥିରେ ଆମେ ଗଭୀର ପ୍ରହାର କରୁଛୁ।

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହା ରଥଯାତ୍ରାର କର୍ପୋରେଟିକରଣ ବୋଲି କୁହାଯାଇପାରେ। ନିଲାମ ମାଧ୍ୟମରେ କେବଳ ବଡ କର୍ପୋରେଟ ମାନେ ଏହାର ସିଧା ପ୍ରସାରଣ ଅଧିକାର ପାଇବେ ଓ ଓଡିଶାର ଛୋଟ ଛୋଟ ଗଣମାଧ୍ୟମ ସଂସ୍ଥା ଏଥିରୁ ବଞ୍ଚିତ ହେବେ। ଓଡିଆ ଭାଷାରେ ଯେଉଁ ଗଣମାଧ୍ୟମ ସଂସ୍ଥା ଗୁଡିକ ଅଛନ୍ତି, ସେମାନଙ୍କ ପ୍ରତି ଏହା ସିଧାସଳଖ ଅନ୍ୟାୟ। ଓଡିଶାରେ ରହି ଓଡିଆ ଭାଷାରେ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ଗୁଡିକ ପ୍ରବଳ ଆର୍ଥିକ ଚାପରେ ରହୁଛନ୍ତି। ପରୋକ୍ଷରେ ରଥଯାତ୍ରାର ସିଧା ପ୍ରସାରଣ ସେମାନଙ୍କୁ ହୁଏତ କିଛିଟା ଲାଭ ଦେଉଛି। ସେହି ନାମମାତ୍ର ଲାଭ ଉପରେ ମନ୍ଦିର ପ୍ରଶାସନ ଆଖି ପକାଇବା, ସଂପୂର୍ଣ୍ଣ ରୂପେ ଅନୁଚିତ।

କୌଣସି ପ୍ରସଙ୍ଗରେ ସବୁ ଦିଗକୁ ତର୍ଜମା ନକରି ସିଧା ସିଧା ମନ୍ତବ୍ୟ ଦେବାର ଏକ ସାଧାରଣ ପ୍ରବୃତ୍ତି ଏବେ ସୋସିଆଲ ମିଡିଆର ସବୁଠୁ ବଡ ଅବଦାନ। ଏହି ପ୍ରସଙ୍ଗରେ ମଧ୍ୟ ଏମିତି ପ୍ରତିକ୍ରିୟା ଆସୁଛି, ସଟେକି ରଥଯାତ୍ରା ପ୍ରସାରଣରୁ ହଜାର ହଜାର କୋଟି ଟଙ୍କା ଗଣମାଧ୍ୟମ ସଂସ୍ଥା ଖାଇ ଯାଉଛନ୍ତି। ବାସ୍ତବତା ତାହାଠାରୁ ଯଥେଷ୍ଟ ଭିନ୍ନ। ବିଜ୍ଞାପନ ଅର୍ଥକୁ ନେଇ କମ୍ପାନୀମାନଙ୍କ ସହ ମିଡିଆ ପରିଚାଳକଙ୍କ ମୂଲଚାଲ ଦେଖିଥିବା ଲୋକ କେବେହେଲେ ଏକଥା ବିଶ୍ଵାସ କରିବା ନାହିଁ। କମ୍ପାନୀ ଗୁଡିକ ଏଥିରେ ନିଜର ଯେତିକି ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରନ୍ତି, ସେହି ତୁଳନାରେ ଲାଭ ଖୁବ ଗୋଟେ ବିରାଟ ଉପଲବ୍ଧି ନୁହେଁ।

ଏବେ ହୁଏତ ରିଲାଏନ୍ସ କିମ୍ବା ଅନ୍ୟ କୌଣସି ଜାତୀୟ କମ୍ପାନୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବେ। ସେମାନଙ୍କ ସହିତ ଓଡିଆ ଗଣମାଧ୍ୟମ ସଂସ୍ଥା ପ୍ରତିଯୋଗିତା କରିପାରିବେ ନାହିଁ। ଏହା ପ୍ରତ୍ୟକ୍ଷ ଭାବରେ ମନ୍ଦିର ପ୍ରଶାସନର କାର୍ପୋରେଟିକରଣ ଓ ଏହାକୁ ସବୁସ୍ତରରେ ବିରୋଧ କରାଯିବା ନିହାତି ଉଚିତ।