ଅଧାରେ ଅଟକିଲା ପ୍ରଭୃ ଜଗନ୍ନାଥଙ୍କ ରଥ, ମଝିରେ ମା ସୁଭଦ୍ରା, ଶରଧାବାଲିରେ ତାଳଧ୍ବଜ

Published: Jun 20, 2023, 10:47 pm IST

ପୁରୀ: ଅଧାରେ ଅଟକିଲା ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେହିପରି ମା ସୁଭଦ୍ରାଙ୍କ ରଥ ମଧ୍ୟ ଅଧାରେ ଅଟକିଛି। କେବଳ ବଡ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚି ସାରିଛି। ସଂଧ୍ୟା ହେବାରୁ ଆଉ ରଥ ଟଣା ହୋଇପାରିଲା ନାହିଁ। ପୁଣି ଆସନ୍ତାକାଲି ବୁଧବାରରେ ଦୁଇ ରଥକୁ ଟାଣି ଟାଣି ନିଆଯିବ।

ଆଜି ଅପରାହ୍ନରେ ରଥର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ ରଥକୁ ଭକ୍ତମାନେ ୩ଟା ୪ ମିନିଟରେ ହରିବୋଲ ହୁଳହୁଳି ଦେଇ ଟାଣିଟାଣି ନେଇଯାଇ ଥିଲେ। ଖରା ହେବା ସତ୍ବେ ଭକ୍ତମାନେ ଆନନ୍ଦରେ ରଥ ଟାଣିଟାଣି ନେଇ ଯାଇଥିଲେ। ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ପହଞ୍ଚିପାରିଥିଲା।

ସେହିପରି ତାଳଧ୍ବଜ ପରେ ମା ସୁଭଦ୍ରାଙ୍କ ଦେବଦଳନ ରଥ ୩ଟା ୫୫ରେ ଗଡିବା ଆରମ୍ଭ କରିଥିଲା। ମା ସୁଭଦ୍ରାଙ୍କ ରଥ ଟାଣି ନେବାରେ ଭକ୍ତଙ୍କ ମଧ୍ୟରେ ବେଶ ଆଗ୍ରହ ପରିଲକ୍ଷିତ ହୋଇଥିଲା। ହେଲେ ମା ସୁଭଦ୍ରା ଶେଷ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିପାରି ନ ଥିଲେ। ସଂଧ୍ୟା ହେବାରୁ ମାଙ୍କ ରଥ ବଡଶଙ୍ଖ ନିକଟରେ ଅଟକି ରହିଛି।

ଶେଷରେ ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥ ଅପରାହ୍ନ ୪ଟା ୪୦ରେ ଗଡିବା ଆରମ୍ଭ କରିଥିଲା। ଏହି ରଥକୁ ଟାଣିବାରେ ଭକ୍ତମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ଡାହୁକ ଡାକରାରେ ଗୋଟିଏ ନିଃଶ୍ବାସରେ ଭକ୍ତମାନେ ପ୍ରଭୃଙ୍କୁ ଭିଡି ନେଇଥିଲେ। ହେଲେ ମା ସୁଭଦ୍ରାଙ୍କ ରଥ ଆଗରେ ଅଟକି ଯିବାରୁ ପ୍ରଭୃ ମଧ୍ୟ ବଳଗଣ୍ଡି ମାଉସୀମା ମନ୍ଦିରେ ନିକଟରେ ଅଟକି ଯାଇଛନ୍ତି।

ମନ୍ଦିର ପ୍ରଶାସନ ଅନୁସାରେ ଆସନ୍ତାକାଲି ବୁଧବାରରେ ପୁଣି ରଥଟଣା ନୀତି ଆରମ୍ଭ ହେବ। ମା ସୁଭଦ୍ରା ଏବଂ ବଡଠାକୁରଙ୍କ ରଥ ଶରଧାବାଲିରେ ପହଞ୍ଚିବା ପରେ ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସେଠାରେ ଶ୍ରୀଜିୟୁ ସାତ ଦିନ ଅବସ୍ଥାନ କରି ତାଙ୍କର ଜନ୍ମବେଦୀରେ ଦର୍ଶନ କରିବେ। ସେଠାରେ ଆଡପ ଅଭଡା ଲାଗି ହେବ, ଯାହାକୁ ପାଇବା ପାଇଁ ଭକ୍ତମାନେ ଆତୁର ସହକାରେ ଅପେକ୍ଷା କରିଥାନ୍ତି।

Related posts