Categories
ଆଜିର ଖବର ଖେଳ ଜାତୀୟ ଖବର

୧୦୦ ଟେଷ୍ଟ୍‍ ମ୍ୟାଚ୍‍ ଖେଳିବାରେ ଅଶ୍ୱିନ ଭାରତର ୧୪ତମ ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳାରେ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍ ଖେଳିବେ। ୧୦୦ ଟେଷ୍ଟ ଖେଳିବାରେ ସେ ଭାରତର ୧୪ତମ ଖେଳାଳି ହେବେ। ଏହି ସ୍ଥାନ ହାସଲ କରିବାରେ ସେ ବିଶ୍ୱର ୭୭ତମ ଖେଳାଳି।

ଭାରତର ୯୨ ବର୍ଷର ଟେଷ୍ଟ ଇତିହାସରେ ଅଶ୍ୱିନ ପଞ୍ଚମ ବୋଲରଭାବେ ୧୦୦ କିମ୍ବା ତା’ଠାରୁ ଅଧିକ ଟେଷ୍ଟ୍ ଖେଳିବେ। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ, କପିଲ ଦେବ, ଇଶାନ୍ତ ଶର୍ମା ଓ ହରଭଜନ ସିଂହ ଏହି ସଫଳତା ହାସଲ କରିଛନ୍ତି।

ଅଶ୍ୱିନଙ୍କ ପୂର୍ବରୁ ୧୩ ଜଣ ଭାରତୀୟ ଖେଳାଳି ୧୦୦ ଟେଷ୍ଟ ଖେଳିବାର ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଶୀର୍ଷରେ ରହିଛନ୍ତି। ଟିମ୍ ଇଣ୍ଡିଆର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଇଶାନ୍ତ ଶର୍ମାଙ୍କ ପରେ ଅଶ୍ୱିନ ଚତୁର୍ଥ ସକ୍ରିୟ ଭାରତୀୟ ଖେଳାଳିଭାବେ ଟେଷ୍ଟ ମ୍ୟାଚରେ ଶତକ ପୂରଣ କରିବେ।

ଟେଷ୍ଟରେ ୫୦୦ ୱିକେଟ୍ ନେବାରେ ଅଶ୍ୱିନ ଦ୍ୱିତୀୟ ଭାରତୀୟ

ଅଶ୍ୱିନ ୯୯ ଟେଷ୍ଟରେ ୫୦୭ ୱିକେଟ୍ ନେଇଛନ୍ତି। ୫୦୦ ୱିକେଟ୍ ନେବାରେ ସେ ଦ୍ୱିତୀୟ ଭାରତୀୟ ବୋଲର। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ୧୦୫ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ସବୁଠାରୁ କମ୍ ଟେଷ୍ଟରେ ୫୦୦ ୱିକେଟ୍ ହାସଲ କରିଥିବା ବୋଲର ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କେବଳ ଶ୍ରୀଲଙ୍କାର ମୁଥାୟା ମୁରଲୀଧରନ କମ୍ ମ୍ୟାଚ୍ (୮୭)ରେ ୫୦୦ ୱିକେଟ୍ ପୂରଣ କରିଥିଲେ।