Categories
ଆଜିର ଖବର ଜାତୀୟ ଖବର

ରୋହିଙ୍ଗ୍ୟାର ସବୁଠୁ ବଡ ଶରଣାର୍ଥୀ ଶିବିରରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ପ୍ରଭାବ ବିସ୍ତାର କରି ଚାଲିଥିବାବେଳେ ଏହା ମଧ୍ୟରେ ଦୁନିଆର ସବୁଠୁ ବଡ ଶରଣାର୍ଥୀ କ୍ୟାମ୍ପ୍‌ରେ ଏବେ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ରେ କରୋନା ଏବେ ପହଞ୍ଚି ଯାଇଛି। ଏହି ଶିବିରରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ଶରଣାର୍ଥୀ ସହାୟତା ଆୟୋଗର ଅଧ୍ୟକ୍ଷ ମହବୁବ ଆଲମ୍‌ ତାଲୁକଦାର ଗୁରୁବାର ଦିନ  କକ୍ସ ବଜାରସ୍ଥିତି ଶରଣାର୍ଥୀ କ୍ୟାମ୍ପ୍‌ରେ କରୋନା ମାମଲା ସାମ୍ନାକୁ ଆସିଥିବାର କହିଛନ୍ତି । ଶରଣାର୍ଥୀଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କୁ ଆଇସୋଲେସନ କେନ୍ଦ୍ରକୁ ପଠାଯାଇଛି ।

ଏହି ଦୁଇଜଣଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କର ଚିହ୍ନଟ କରାଯାଉଛି। ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଏହି ଶିବିରରେ ରହୁନଥିବାବେଳେ ସେ କକ୍ସ ବଜାର ଜିଲ୍ଲାରେ ରହୁଥିବାର ସୂଚନା ରହିଛି। ଏହି କ୍ୟାମ୍ପ୍‌ରେ 10 ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ରହୁଛନ୍ତି। ଏହି ଶିବିରରୁ କରୋନା ମାମଲା ଆସିବା ପରେ ଚିନ୍ତା ବଢି ଯାଇଛି। ଏହି ଅଞ୍ଚଳଟି ଭିଡ ଅଞ୍ଚଳ ହୋଇଥିବାବେଳେ ଏଠାରେ ସଫା ସୁତୁରା ଓ ନିର୍ମଳ ଜଳର ଅସୁବିଧା ଲାଗି ରହିଥାଏ।  ଏଠାରେ କରୋନାରୁ ବଞ୍ଚିବା ପାଇଁ ଉପାୟ କରିବା ବହୁ କଷ୍ଟକର ହୋଇପଡିବ ।

ମିଳିଥିବା ରିପୋର୍ଟ ଅନୁସାରେ ଏଠାରେ ଏହି ଶିବିରରେ ଜନସଂଖ୍ୟା ଘନତ୍ୱରେ ବର୍ଗ କିଲୋମିଟର ପ୍ରତି 40,000 ଲୋକ ବାସ କରନ୍ତି (ବର୍ଗ ମାଇଲ ପ୍ରତି 103,600) । ଏହା ବାଂଲାଦେଶର ହାରାହାରି ଘନତ୍ୱର 40 ଗୁଣ । (ଏଜେନ୍ସି)