Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ତୈଳ ବ୍ୟବସାୟ କ୍ଷେତ୍ରରେ ଆୟ ଉପରେ ପୂର୍ବ ନିର୍ଦ୍ଧାରିତ ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ପଡିଥିବା ପ୍ରଭାବ ରିଟେଲ ଏବଂ ଟେଲିକମ ବ୍ୟବସାୟରେ ସ୍ଥିର ପ୍ରଦର୍ଶନ ବଳରେ ଭରଣା ହୋଇପାରିଛି।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇ ୧୯୬୪୧ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୧୭୭୦୬ କୋଟି ଟଙ୍କା ରହିଥିଲା।

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ତୁଳନାରେ ୩.୨ ପ୍ରତିଶତ ବୃଦ୍ଧି ସହିତ ୨.୪୮ ଲକ୍ଷ କୋଟି ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅବଧିରେ ରିଲାଏନ୍ସ ରିଟେଲ ର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ବୃଦ୍ଧି ପାଇ ୩୧୬୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ରାଜସ୍ବ ୨୨.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୮୩୦୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି। ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ପକ୍ଷରୁ ୨୫୨ ଟି ନୂଆ ଷ୍ଟୋର ଖୋଲାଯିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୮୭୭୪ ରେ ପହଁଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଜିଓ ପ୍ଲାଟଫର୍ମସର ତ୍ରୈମାସିକ ନେଟ ଲାଭ ଗତ ବର୍ଷ ତୁଳନାରେ ୧୧.୬ ପ୍ରତିଶତ ବୃଦ୍ଧି ସହ ୫୪୪୫ କୋଟି ଟଙ୍କା ରହିଥିବା ଜଣାପଡିଛି।

Categories
DurgaPujaNews ଆଜିର ଖବର ଜାତୀୟ ଖବର ଧର୍ମ

କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ

ଗୁରୁବାୟୁର (କେରଳ): କେରଳର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଆଜି (ଶନିବାର) ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧିକା ମରଚାଣ୍ଟଙ୍କ ସହ ଏହି ମନ୍ଦିରରେ ପହଂଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି।

ପରିବାର ସହିତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମରେ ଅର୍ଘ୍ୟ ଅର୍ପଣ କରିଥିଲେ। ମନ୍ଦିରର ହାତୀ ଚେନ୍ତାମାରକ୍ଷଣ ଓ ବଳାରାମନଙ୍କୁ ସେ ଭୋଗ ଅର୍ପଣ କରିଥିଲେ। ଗୁରୁବାୟୁର ଦେବସ୍ୱମ ବୋର୍ଡ ଅଧ୍ୟକ୍ଷ ପ୍ରଫେସର ପି.କେ. ବିଜୟନ ମନ୍ଦିରରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ସହ ସମ୍ମାନ ସ୍ୱରୂପ ଏକ ଚିତ୍ର (ପେଣ୍ଟିଙ୍ଗ) ପ୍ରଦାନ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ

BREAKING: ସବୁଜ ଶକ୍ତି ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ଅହମଦାବାଦ/ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ  ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି । ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ କରିବା ଲାଗି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ୱାରା ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍‌ର କ୍ୟାପ୍ଟିଭ୍ ବ୍ୟବହାର ବୃଦ୍ଧି ପାଇବ ।

କାର୍ବନମୁକ୍ତ ଏବଂ ଏକ ସବୁଜ ପରିବେଶ ପାଇଁ ଆର୍‌ଆଇଏଲ୍ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କ୍ଷେତ୍ରରେ ରହିଥିବା ଦୂରଦୃଷ୍ଟିର ପଥ ଅନୂସରଣ କରୁଛି । ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି କଚ୍ଛ୍‌, ବଣସକଣ୍ଠା ଓ ଧୋଲେରାରେ ଜମି ସନ୍ଧାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଅଛି । କଚ୍ଛ୍‌ରେ ୪.୫ ଲକ୍ଷ ଏକର ଜମି ଯୋଗାଇ ଦେବାକୁ କଂପାନି ଅନୁରୋଧ କରିଛି ।

ନୂତନ ଶକ୍ତି ଉତ୍ପାଦନ-ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପନା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ, ଯାହାମଧ୍ୟରେ ରହିଛି ୧) ସୋଲାର ପିଭି ମଡ୍ୟୁଲ୍ (ପଲିସିଲିକନ୍‌, ୱେଫର, ସେଲ୍ ଓ ମଡ୍ୟୁଲ୍ ନିର୍ମାଣ) ୨) ଇଲେକ୍ଟ୍ରୋଲାଇଜର୍ ୩) ଷ୍ଟୋରେଜ୍ ବ୍ୟାଟେରି ଏବଂ ୪) ଫୁଏଲ୍ ସେଲ୍

ଏଥିସହିତ, ଆର୍‌ଆଇଏଲ୍ ପକ୍ଷରୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ବର୍ତମାନ ରହିଥିବା ପ୍ରକଳ୍ପ ଏବଂ ଆଗକୁ ହେବାକୁ ଥିବା ନୂଆ ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିଭଳି ଜିଓ ନେଟ୍‌ୱର୍କକୁ ୫ଜିକୁ ଅପ୍‌ଗ୍ରେଡ୍ କରିବା ଲାଗି ୩ରୁ ୫ ବର୍ଷ ଭିତରେ ୭,୫୦୦ କୋଟି ଟଙ୍କା ଓ ରିଲାଏନ୍ସ ରିଟେଲ୍‌ରେ ଆସନ୍ତା ୫ ବର୍ଷରେ ୩,୦୦୦ କୋଟି ଟଙ୍କା ନିବେଶ କରାଯିବ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନସ୍ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଆଜି କରିବେ ବଡ ଘୋଷଣା, ଆଣିପାରନ୍ତି ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ।

ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ ଅକ୍ଷୟ ଶକ୍ତି ବା ରିଇନେବୁଲ ଏନର୍ଜି ସେକ୍ଟରରେ କଂପାନୀ ପ୍ରବେଶ କରିବାର ସମ୍ଭାବନା ରହିଛି। କାରଣ କଂପାନୀ ଲକ୍ଷ ରଖିଛି ଭବିଷ୍ୟତରେ ଏହି ଶକ୍ତିର ଚାହିଦା ସୃଷ୍ଟି ହେବ।

ସେହିପରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଉପରେ ମଧ୍ୟ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ କଂପାନୀ ଏକ ଭିନ୍ନ ଧରଣର ନୂଆ ଶସ୍ତା ସ୍ମାର୍ଟ ଫୋନ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି। ତେବେ ଏହି ଏଜିଏମରେ ମୁକେଶ ଆମ୍ବାନୀଙ୍କ ଘୋଷଣାକୁ ନେଇ ସାରା ବିଶ୍ବ ବ୍ୟବସାୟ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଚୀନ୍‌ଠାରୁ ତିନି ଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ଏବଂ ଟେଷ୍ଟିଂ କିଟ୍ ପ୍ରସ୍ତୁତ ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ଭୁବନେଶ୍ୱର: କରୋନା ସଂକ୍ରମଣ ବିରୋଧରେ ଭାରତର ଲଢେଇରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଥିବା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣ ବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଏହି କିଟ୍‌ଗୁଡିକର ଉତ୍ତମ ଗୁଣବତ୍ତା ରହିଛି। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନରୁ ଆମଦାନୀ କରାଯାଉଥିବା ପ୍ରତି ପିପିଇ କିଟ୍‌ର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହୁଥିବା ବେଳେ ରିଲାଏନ୍ସର ସହଯୋଗୀ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜ ଦ୍ୱାରା ମାତ୍ର ୬୫୦ ଟଙ୍କାରେ ପିପିଇ ପ୍ରସ୍ତୁତ କରାଯାଉଛି। ପିପିଇ କିଟ୍ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ।

ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ପକ୍ଷରୁ ନିଜର ବିଭିନ୍ନ ଉତ୍ପାଦନ କେନ୍ଦ୍ରଗୁଡିକୁ କାର୍ଯ୍ୟରେ ଲଗାଯାଇଛି। ଜାମ୍‌ନଗର ସ୍ଥିତ ଦେଶର ସର୍ବବୃହତ୍ତ ରିଫାଇନାରୀରେ ପିପିଇ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କପଡା ତିଆରି ପାଇଁ ଦରକାରୀ ପେଟ୍ରୋ କେମିକାଲ୍ସ ବିପୁଳ ମାତ୍ରାରେ ଉତ୍ପାଦନ କରାଯାଉଛି।
ଏହି କପଡା ବ୍ୟବହାର କରି ଆଲୋକ ଇଣ୍ଡଷ୍ଟ୍ରିଜରେ ପିପିଇ କିଟ୍ ପ୍ରସ୍ତୁତ କରାଯାଉଛି। ନିକଟରେ ରିଲାଏନ୍ସ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଆଲୋକ ଇଣ୍ଡଷ୍ଟ୍ରିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପିପିଇ କିଟ୍ ପ୍ରସ୍ତୁତ କରିବାରେ ନିୟୋଜିତ କରାଯାଇଛି। ଆଜିର ଦିନରେ ଆଲୋକ ଇଣ୍ଡଷ୍ଟ୍ରିଜରେ ପିପିଇ ପ୍ରସ୍ତୁତ କରିବା ପାଇଁ ୧୦ ହଜାରରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି।

କେବଳ ପିପିଇ ନୁହେଁ କରୋନା ଟେଷ୍ଟିଂ କିଟ୍ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱଦେଶୀ ଜ୍ଞାନକୌଶଳ ବିକାଶ କରିିଛି। କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍ ସହିତ ମିଳିତ ଭାବରେ ରିଲାଏନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଆର୍‌ଟି-ଏଲଏଏମ୍‌ପି  ପର୍ଯ୍ୟବେସିତ କୋଭିଡ୧୯ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି। ଏହି କିଟ୍ ଚୀନରୁ ଆସୁଥିବା ଟେଷ୍ଟିଂ କିଟ୍ ଠାରୁ ଅନେକ ଗୁଣ ଶସ୍ତା ଏବଂ ମାତ୍ର ୪୫ ରୁ ୬୦ ମିନିଟ୍ ମଧ୍ୟରେ କୋଭିଡ୧୯ ଟେଷ୍ଟିଂର ସଠିକ୍ ଫଳାଫଳ ପ୍ରଦାନ କରୁଛି।

ଆର୍‌ଟି-ଏଲଏଏମ୍‌ପି ଟେଷ୍ଟିଂ କିଟ୍‌ରେ ଏକ ଟିଉବ୍ ବ୍ୟବହାର ହୋଇଥାଏ। ସେଥିପାଇଁ ଏହାକୁ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଭଳି ସାର୍ବଜନୀନ ସ୍ଥାନରେ ଉପଯୋଗ କରାଯାଇପାରିବ। ଏହି ଟେଷ୍ଟ କିଟ୍‌ରେ ସାଧାରଣ ଲ୍ୟାବ୍ ବ୍ୟବସ୍ଥା ଓ ସ୍ୱଳ୍ପ ଦକ୍ଷତାର ଆବଶ୍ୟକ ହେଉଥିବାରୁ ଏହାର ବ୍ୟବହାର ଟେଷ୍ଟିଂ ମୋବାଇଲ ଭ୍ୟାନ ବା କିଓସ୍କରେ ମଧ୍ୟ କରାଯାଇପାରିବ।

ଏହା ପୂର୍ବରୁ ନମୁନା ସଂଗ୍ରହ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଂ ସ୍ୱାବ୍‌ର ବିକାଶରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଗରୁ ଏହି ଟେଷ୍ଟିଂ ସ୍ୱାବ ଚୀନରୁ ଆମଦାନୀ ହେଉଥିଲା ଯାହାର ମୂଲ୍ୟ ଭାରତରେ ପ୍ରତି ଟେଷ୍ଟିଂ ସ୍ୱାବ ପିଛା ପ୍ରାୟ ୧୭ ଟଙ୍କା ରହୁଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜନସନ୍ ଆଣ୍ଡ ଜନସନ୍ ମିଳିତ ସହଯୋଗରେ ବିକଶିତ ହୋଇଥିବା ନୂଆ ସ୍ୱଦେଶୀ ସ୍ୱାବ୍‌ର ମୂଲ୍ୟ ଚୀନଠାରୁ ୧୦ ଗୁଣ ଶସ୍ତା ଅର୍ଥାତ ସ୍ୱାବ ପ୍ରତି ଏକ ଟଙ୍କା ୭୦ ପଇସା ରହୁଛି।