Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ।

ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ।

ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ ଚକ୍ରଵର୍ତ୍ତି ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ସୁସଜ୍ଜିତ ଖୋଲା ଜିପ୍ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପଡ଼ିଆରେ ପରିକ୍ରମା କରିଥିଲେ।

ପରେ ମଞ୍ଚରୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଭାଷଣରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତାଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ।

ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପ୍ୟାରେଡରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ୫୦ ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୭ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲେ। ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାର ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା 5ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ତିନିଗୋଟି ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଏହାପରେ କାରାଗାରରେ ଥିବା କଏଦୀମାନଙ୍କୁ ଏବଂ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Categories
ଆଜିର ଖବର ଜାତୀୟ ଖବର

JDU ଏବଂ RJD ମଧ୍ୟରେ ବିଗୁଡୁଛି ସମ୍ପର୍କ? ଗଣତନ୍ତ୍ର ଦିବସରେ ନୀତୀଶ ଏବଂ ତେଜସ୍ୱୀଙ୍କ ମଧ୍ୟରେ ଦୂରତା

ନୂଆଦିଲ୍ଲୀ: ବିହାର ସରକାରରେ ସବୁକିଛି ଠିକ୍ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ବାହାରି ନାହିଁ। କିନ୍ତୁ ଗତ କିଛି ଦିନ ମଧ୍ୟରେ ବିହାର ରାଜନୀତିକୁ ନେଇ ଯେଉଁ ଘଟଣାକ୍ରମ ସାମ୍ନାକୁ ଆସୁଛି, ତାହା ବୁଝିବା କଷ୍ଟସାଧ୍ୟ ନୁହେଁ ଯେ ବିହାର ରାଜନୀତିରେ ସବୁକିଛି ଠିକ୍ ଚାଲିନାହିଁ। ଗଣତନ୍ତ୍ର ଦିବସ ଅବସରରେ ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଝଲକ ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପରସ୍ପରଠାରୁ ଦୂରରେ ରହିଥିବାର ନଜର ଆସିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଉଭୟ ପରସ୍ପରଠାରୁ ଦୂରରେ ବସିଥିବାର ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟରେ କେବଳ ଗୋଟିଏ ଚେୟାର ଖାଲି ଥିବାବେଳେ ଏହି ଚିତ୍ର ସାମ୍ନାକୁ ଆସିବା ପରେ ରାଜନୀତିର ମହଲରେ ସବୁ ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଆହୁରି ମଧ୍ୟ, ଗତ କିଛି ଦିନ ହେବ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଚାଲିଥିବା କଳହର ଖବର ମଧ୍ୟ କିଛି ପରିମାଣରେ ସତ୍ୟ ପ୍ରମାଣିତ ହେଉଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଶ୍ୱ ଦରବାରରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ପରିଚିତ ହେବା ପାଇଁ ସମସ୍ତଙ୍କର ଉଦ୍.ଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ।

ଏହା ବ୍ୟତୀତ ଜାତୀୟ ସ୍ତରରେ ଡିଏଭି ପୋଖରୀପୁଟର ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ସମସ୍ତଙ୍କର ଏକନିଷ୍ଠ ସାଧନାର ଆବଶ୍ୟକତା ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରେମ ବ୍ରତରେ ବ୍ରତୀ ହେଲେ ଏହି ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଲୋକ ଓ ମନ୍ତ୍ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବାବେଳେ ସ୍ତୁତି ସଦନର ବିଦ୍ୟାର୍ଥୀ ରନର୍ସଅପ୍ ହୋଇଥିଲେ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବିଭାଗର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦେଶପ୍ରେମୀଙ୍କ ଶୀର୍ଷକ ଆଧାରିତ ଆକର୍ଷଣୀୟ ପତ୍ରିକା ଉନ୍ମୋଚିତ ହୋଇଥିଲା।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ଦେଶାତ୍ମବୋଧକ ନୃତ୍ୟ ପରିବେଷିତ ହୋଇଥିଲା। ପରିଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗଣତନ୍ତ୍ର ଦିବସର ଏହି ଜାତୀୟତାବୋଧ ଭାବଗମ୍ଭୀର ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ରେଳବାଇ ଷ୍ଟାଡିୟମରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି ଯେ, ପୂର୍ବ ତଟ ରେଳପଥ କ୍ରମାଗତ ଭାବେ ସମସ୍ତ କ୍ଷେତ୍ରରେ ବୃଦ୍ଧି ଘଟାଇ ରାଷ୍ଟ୍ରର ଜୀବନଧାରା ଭାବରେ କାର୍ଯ୍ୟ କରୁଛି ଏବଂ ଜାତୀୟ ଏକୀକରଣର ଏକ ସୁସଂଗତ ତଥା ଏକୀକରଣକାରୀ ଭୂମିକା ଗ୍ରହଣ କରୁଛି।

ଏହି ଅବସରରେ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଯେ ପୂର୍ବ ତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ବୋଲି ନିଜକୁ ପ୍ରମାଣିତ କରିପାରିଛି। ରେଳପଥର ଉତ୍ସର୍ଗୀକୃତ ପ୍ରୟାସ ଏବଂ ପ୍ରତିବଦ୍ଧତାକୁ ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ଦିଆଯାଇଛି। ସଙ୍କଟ ସମୟରେ ଯଥା ଟ୍ରେନ୍ ଚଳାଚଳକୁ ବାଧା ଦେଉଥିବା ଭୂସ୍ଖଳନ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ ସଙ୍କଟ, ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏବଂ ସମାଜର କୋଣ ଅନୁକୋଣରୁ ପ୍ରଶଂସିତ ହୋଇଛି। ରେଳ ବ୍ୟବହାରକାରୀଙ୍କୁ ଆଧୁନିକ, ନିର୍ଭରଯୋଗ୍ୟ, ନିରାପଦ ଏବଂ ଗ୍ରାହକ-କେନ୍ଦ୍ରିତ ସେବା ପ୍ରଦାନ କରିବାର ପ୍ରତିବଦ୍ଧତ୍ତା କ୍ଷେତ୍ରରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପୂର୍ବତଟ ରେଳପଥ ଗୁରୁତ୍ୱ ଦେଇ ଆସୁଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଯାତ୍ରୀମାନଙ୍କ ସୁବିଧାଗୁଡ଼ିକରେ ବିଶେଷ ଭାବରେ ଅନ୍-ବୋର୍ଡ ସେବା ତଥା ରେଳ ଷ୍ଟେସନରେ ସାଧାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସ୍ତରରେ ଉନ୍ନତି ସହିତ ଅନ୍ୟାନ ଆଧୁନିକ ଯାତ୍ରୀପରିଷେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଉଅଛି।

ପୂର୍ବତଟ ରେଳପଥର ପ୍ରଦର୍ଶନ ବିଷୟରେ ଏହି ଅବସରରେ ଶ୍ରୀ ଶର୍ମା ମଧ୍ୟ ସୂଚନା ଦେଇଛନ୍ତି। ସେ ସୂଚନାଦେଇ କହିଛନ୍ତି ଯେ ପୂର୍ବ ତଟ ରେଳପଥ 200 ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ କରିଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ ଅଟେ ଏବଂ ଏହା ମଧ୍ୟ ରେକର୍ଡ ସମୟ ମଧ୍ୟରେ ମାତ୍ର 295 ଦିନରେ ଗତ ଆର୍ଥିକ ବର୍ଷ ତୁଳନାରେ 15 ଦିନ ପୂର୍ବରୁ ପୁରାଣ ହୋଇପାରିଛି। ଚଳିତ ବର୍ଷ 136.65 କିମି ମଲ୍ଟି ଟ୍ରାକିଂର କାର୍ଯ୍ୟକ୍ଷମ ସହିତ 37.3 କିମି ର ନୂଆ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି। ଏହି ରେଳପଥ ଚଳିତ ବର୍ଷ ସମ୍ବଲପୁର-ସମ୍ବଲପୁର ସିଟି – ମାନେଶ୍ଵର (15.00 କିମି) ରେଳପଥ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ସଫଳତାର ସହିତ ସମାପ୍ତ କରିଛି ଏବଂ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କେତେକ ରେଳ ସେକ୍ସନ ହେଉଛି କୋଟାଭାଲାସା – ବୋଡଭାରା (7.30 କିଲୋମିଟର) – କୋରାପୁଟ ଦୋହରୀକରଣ ପ୍ରକଳ୍ପ, ଶିମିଲିଗୁଡା – ଆରାକୁ- ଗୋରାପୁର (21.619 କିମି) ସେକ୍ସନ, କୋଟାଭାଲାସା- କୋରାପୁଟ ଦୋହରୀକରଣ ପ୍ରକଳ୍ପ। ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ 14 ଟି ରେଳ ଧାରଣା ତଳ ଉପମାର୍ଗ, 07 ରୋଡ଼ ଓଭର ବ୍ରିଜ ଏବଂ 07 ଫୁଟ ଓଭର ବ୍ରିଜ, ନୂତନ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରୋଜେକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏହାପୂର୍ବରୁ ଶ୍ରୀ ଶର୍ମା ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ ଏବଂ ଗାଇଡ୍ ଏବଂ ସିଭିଲ୍ ଡିଫେନ୍ସ ଦ୍ୱାରା ଆୟୋଜିତ ପ୍ୟାରେଡ୍ ଯାଞ୍ଚ କରିବା ସହିତ ଅଭିବାଦନ ଆଦାନ ପ୍ରଦାନ କରିଥିଲେ। ପରେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଦେଶଭକ୍ତି ଗୀତ ଏବଂ ନୃତ୍ୟ ଇତ୍ୟାଦି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରାଯାଇଥିଲା ଯାହା ସମାବେଶକୁ ଭାବପ୍ରବଣ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଭାରତ ବର୍ଷର ସମ୍ବିଧାନ ଓ ସମ୍ବିଧାନ ସଭା

ପ୍ରଦୀପ ସେନାପତି 

ଭାରତ ବର୍ଷରେ ସମ୍ବିଧାନ ସଭାର ଦାବିଥିଲା ଏକ ପ୍ରକାରର ରାଷ୍ଟ୍ରୀୟ ସ୍ୱାଧୀନତାର ଦାବି। ଏଇ ସମ୍ବିଧାନ ସଭାର ସିଦ୍ଧାନ୍ତ ସର୍ବପ୍ରଥମ ରୂପ ନେଇଥିଲା ୧୮୯୫ ମସିହାରେ “ସ୍ୱରାଜ୍ୟ ବିଧେୟକ” ଭାବରେ ସେଇ ସ୍ୱରୂପ ରୂପରେଖ ନେଇଥିଲା ତିଳକଙ୍କ ନିର୍ଦ୍ଦେଶନାରେ। ବିଂଶ ଶତାବ୍ଦୀରେ ଏଇ ସ୍ୱରୂପକୁ ପୁଙ୍ଖାନୁପୁଙ୍ଖ ଭାବରେ ବିଶ୍ଳେଷଣ କରିବା ପାଇଁ ମହାତ୍ମାଗାନ୍ଧୀ ଆହ୍ୱାନ ଦେବା ସହ ୧୯୨୨ରେ କହିଥିଲେ, ଭାରତୀୟ ସମ୍ବିଧାନ ଭାରତୀୟଙ୍କ ଇଚ୍ଛା ଅନୁସାରେ ହିଁ ହେବ। ଏଇ ଆହ୍ୱାନକୁ ଆଧାର କରି ମୋତିଲାଲ ନେହେରୁ ୧୯୨୪ ମସିହାରେ ସମ୍ବିଧାନ ସଭାର ନିର୍ମାଣ ନେଇ ବ୍ରିଟିଶ ସରକାରଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରିଥିଲେ ସତ, କିନ୍ତୁ ସେମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତହିଁ ପରେ ଏମ୍‌.ଏନ୍‌. ରାୟ ସମ୍ବିଧାନ ସଭାର ବିଚାର ପାଇଁ ପ୍ରତିପାଦନ କରିବାରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଏଇ ବିଚାରର ଲୋକପ୍ରିୟ କରିବା ନେଇ ଦାୟିତ୍ୱ ଦିଆ ଯାଇଥିଲା। ସେଇଥିପାଇଁ କଂଗ୍ରେସ ଔପଚାରିକତାର ସହ ଘୋଷଣା କରିଥିଲେ ଯଦି ଭାରତକୁ ଆତ୍ମ ନିର୍ଣ୍ଣୟର ଅବସର ମିଳେ, ତେବେ ଦେଶର ସବୁ ଶ୍ରେଣୀର ଲୋକଙ୍କ ପ୍ରତିନିଧି ସଭା ଡକାଯାଉ, ଯେଉଁମାନେକି ଏକ ସର୍ବସମ୍ମତ ସମ୍ବିଧାନର ନିର୍ମାଣ କରିପାରିବେ। ତାହାହିଁ ହେବ ସମ୍ବିଧାନ ସଭା।

୧୯୨୭ ମସିହାରେ ଇଂରେଜ ସରକାରଙ୍କ ତତ୍କାଳୀନ ଭାରତ ମନ୍ତ୍ରୀ ବର୍କନହେଡ ଭାରତବାସୀ ନିଜେ ସେମାନଙ୍କ ସମ୍ବିଧାନ ତିଆରି ପାଇଁ ଅକ୍ଷମ ହୋଇଥିବା ହେତୁ ପ୍ରଶାସନରେ ଆବଶ୍ୟକୀୟ ଅଦଳବଦଳ କରିବା ପାଇଁ ସାଇମନ କମିଶନ ନିଯୁକ୍ତି କରିଥିଲେ। ତତ୍କାଳୀନ ଭାରତମନ୍ତ୍ରୀଙ୍କ ଏତାଦୃଶ ମନ୍ତବ୍ୟକୁ ଆହ୍ୱାନ କରି ୧୯୨୮ ମସିହାରେ ଦିଲ୍ଲୀଠାରେ ଏକ ସର୍ବଦଳୀୟ ସଭାର ଆୟୋଜନ କରିଥିଲେ କଂଗ୍ରେସ କର୍ମକର୍ତ୍ତା। ସେଇଠି ମଧ୍ୟ ଭାରତୀୟ ସମ୍ବିଧାନ ପାଇଁ ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତ କରିବାକୁ ଏକ ନଅଜଣିଆ ସଦସ୍ୟ ବିଶିଷ୍ଟ ସବ୍ କମିଟି ଗଠନ କରାଯାଇଥିଲା। ଯାହାର ଅଧ୍ୟକ୍ଷ ଥିଲେ ପଣ୍ଡିତ ମୋତିଲାଲ ନେହେରୁ ଏବଂ ସଚିବ ଥିଲେ ପଣ୍ଡିତ ଜବାହର ଲାଲ ନେହେରୁ। ବହୁତ ବିଚାର ବିମର୍ଷ କରି ନେହେରୁ ରିପୋର୍ଟ ନାମରେ ଏକ ରିପୋର୍ଟ ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ସମ୍ମୁଖରେ ପେଶ୍ କରିଥିଲେ। ମାତ୍ର ସରକାର ତାହାକୁ ସ୍ୱୀକାର କରିନଥିଲେ।

ଭାରତୀୟ ଜନତାଙ୍କ ସମ୍ବିଧାନ ସଭାର ଦାବିକୁ ଇଂରେଜ ସରକାର ଗ୍ରହଣ କରୁ ନଥିବାବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆବଶ୍ୟକତା ତଥା ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ଶକ୍ତିର ଚାପରେ ରାଜି ହୋଇ ୧୯୪୬ ମସିହାର ପ୍ରସ୍ତାବରେ ଇଂରେଜ ସରକାର କହିଥିଲେ – ଭାରତର ସମ୍ବିଧାନ ସ୍ୱଭାବତଃ ସ୍ୱୟଂ ଭାରତବାସୀ ପ୍ରସ୍ତୁତ କରିବେ। ଫଳସ୍ୱରୂପ ୧୯୪୦ ମସିହାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ, ସାର୍ ଷ୍ଟେଫୋର୍ଡ କ୍ରିପ୍‌ସ ନେତୃତ୍ୱରେ ଗୋଟାଏ ମିଶନ ପଠାଇଥିଲେ। ମାତ୍ର କ୍ରିପ୍‌ସ ଯୋଜନାକୁ ଭାରତୀୟମାନେ ଅସ୍ୱୀକାର କରିବା ଫଳରେ ୧୯୪୬ ମସିହାରେ କ୍ୟାବିନେଟ୍ ମିଶନ୍ ଭାରତୀୟ ସମ୍ବିଧାନ ସଭାର ପ୍ରସ୍ତାବକୁ ସ୍ୱୀକାର କରି ଏହାକୁ ବ୍ୟବହାରିକ ରୂପରେ କାର୍ଯ୍ୟ କରିବା ପାଇଁ ମତ ପ୍ରଦାନ କରିବା ସହ ସେହି ବର୍ଷ ୨୪ ମାର୍ଚ୍ଚରେ ଦିଲ୍ଲୀ ଆସି ପହଞ୍ôଛଥିଲେ। ମଇ ୧୬ ତାରିଖରେ ମିଶନ ତାଙ୍କର ଯୋଜନାକୁ ପ୍ରକାଶ କରିଥିଲେ। ସେଇଥିରେ ସମ୍ବିଧାନ ନିର୍ମାଣ ପାଇଁ ପ୍ରସ୍ତାବିତ ସଙ୍ଗଠନ ସମ୍ପର୍କରେ ଲେଖାଥିଲା ବୟସ୍କ ମତଦାତାଙ୍କ ଆଧାରରେ ସମ୍ବିଧାନ ସଭାର ଗଠନ ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ। ମାତ୍ର ଏହାର ବ୍ୟବହାରିକ ଉପାୟ ହେଉଛି ପ୍ରାନ୍ତୀୟ ବିଧାନସଭାର ନିର୍ବାଚନକାରୀ ସଂସ୍ଥା ରୂପରେ ଉପଯୋଗ କରାଯାଇପାରେ।

କ୍ୟାବିନେଟ୍ ମିଶନର ଯୋଜନା ଅନୁସାରେ ସମ୍ବିଧାନ ସଭାର ମୋଟ ୩୮୯ ସ୍ଥାନରୁ ବ୍ରିଟିଶ ଭାରତକୁ (ରାଜ୍ୟ ଗଡ଼ଜାତ ଅଞ୍ଚଳକୁ ଛାଡ଼ି) ୨୯୬ଟି ସ୍ଥାନ ଏବଂ ଗଡ଼ଜାତ ଅଞ୍ଚଳକୁ ୯୩ଟି ସ୍ଥାନ ଦିଆଯାଇଥିଲା। ସେହି ୨୯୬ ସ୍ଥାନରୁ ୪ ଜଣ ଥିଲେ ମନୋନୀତ ସଭ୍ୟ। ୧୯୪୬ ଜୁଲାଇ ମାସରେ ୨୯୩ଟି ସ୍ଥାନରେ ନିର୍ବାଚନ ହୋଇଥିଲା। ସେଇ ନିର୍ବାଚନରେ କଂଗ୍ରେସ ୨୦୮, ମୁସଲିମ୍ ଲିଗ୍ ୭୩ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ଆଠଟି ସ୍ଥାନରେ ବିଜୟ ଲାଭ କରିଥିଲେ। ବାକି ସ୍ଥାନରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ବିଜୟଲାଭ କରିଥିଲେ ସୁଦ୍ଧା ମହାତ୍ମାଗାନ୍ଧୀ, ଜିନ୍ନାଙ୍କ ଭଳି ନେତା ନିର୍ବାଚନରେ ଅବତୀର୍ଣ୍ଣ ହୋଇନଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା – ସମ୍ବିଧାନ ସଭାକୁ ମୁସଲିମ୍ ଲିଗ୍‌ର ସ୍ଥିତି ଦୁର୍ବଳ ଥିବା ଜାଣି ସମ୍ବିଧାନ ସଭାର ପ୍ରଥମ ଅଧିବେଶନ (୯ ଡିସେମ୍ବର, ୧୯୪୭)ରେ କୌଣସି ପ୍ରତିନିଧି ଯୋଗ ଦେଇନଥିଲେ। ଏହି ପ୍ରଥମ ଅଧିବେଶନ ସଂସଦର କେନ୍ଦ୍ରୀୟ କକ୍ଷରେ ଆରମ୍ଭ ହୋଇଥିଲା। ନଅଜଣ ମହିଳା ସଭ୍ୟଙ୍କ ସମେତ ସମସ୍ତ ୨୦୭ ସଭ୍ୟ ରାଷ୍ଟ୍ରପତିଙ୍କ ଆସନ ଆଡ଼କୁ ମୁହଁ କରି ଅର୍ଦ୍ଧ ବୃତ୍ତାକାରରେ ବସିଥିଲେ। ସମ୍ମୁଖ ଧାଡ଼ିରେ ବସିଥିବା ସଭ୍ୟମାନେ ଥିଲେ – ପଣ୍ଡିତ ଜବାହରଲାଲ ନେହେରୁ, ମୌଲାନା ଅବୁଲ କଲାମ ଆଜାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଚାର୍ଯ୍ୟ ଜେ.ବି. କୃପାଳିନୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସରୋଜୀନୀ ନାଇଡୁ, ହରେକୃଷ୍ଣ ମହତାବ, ପଣ୍ଡିତ, ଜ.ବି. ପନ୍ଥ, ବି.ଆର ଆମ୍ବେଦକର, ଶରତ ଚନ୍ଦ୍ର ବୋଷ, ସି. ରାଜଗୋପାଳଚାରୀ, ଏମ୍ ଅସଫଅଲ୍ଲୀ। ଡ. ସଚ୍ଚିଦାନନ୍ଦ ସିହ୍ନା ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ସଦସ୍ୟମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଉଦ୍ଦିଷ୍ଟ ରେଜିଷ୍ଟରରେ ଦସ୍ତଖତ କରିଥିଲେ।

୧୯୪୬ ମସିହାର ଡିସେମ୍ବର ୧୧ ତାରିଖରେ କଂଗ୍ରେସର ବରିଷ୍ଟ ନେତା ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ପ୍ରଥମ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ୧୩ ଡିସେମ୍ବରରେ ପଣ୍ଡିତ ନେହେରୁ ପ୍ରସ୍ତାବ ପେଶ କରିବାରେ ଜାନୁଆରୀ ୨୨, ୧୯୪୭ରେ ଏହା ପାରିତ ହୋଇଥିଲା। ସେଇ ପ୍ରସ୍ତାବରେ କୁହାଯାଇଥିଲା – ଭାରତ ଏକ ପୂର୍ଣ୍ଣ ସଂପ୍ରଭୁତା ସମ୍ପନ୍ନ ଗଣରାଜ୍ୟ ହେବ। ଯିଏ ସ୍ୱୟଂ ନିଜସ୍ୱ ସମ୍ବିଧାନ ତିଆରି କରିବ। ଭାରତ ସଂଘରେ ବ୍ରିଟିଶ ଭାରତର ଅଞ୍ଚଳ। ଗଡ଼ଜାତ ଅଞ୍ଚଳ ସମେତ ଯେଉଁ ଅଞ୍ଚଳ ଗୁଡ଼ିକ ଏଥିସହ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଏକତ୍ର ରହିବେ। ଭାରତର ନାଗରିକଙ୍କୁ ସାମାଜିକ, ଆର୍ଥିକ, ରାଜନୈତିକ ନ୍ୟାୟ, ପଦ, ଅବସର ଏବଂ ଆଇନର ସମାନତା, ବିଚାାର ଭାଷଣ, ବିଶ୍ୱାସ, ବ୍ୟବସାୟ, ସଂଘ ନିର୍ମାଣ ଓ କାର୍ଯ୍ୟ କରିବାର ସ୍ୱତନ୍ତ୍ରତା, ଆଇନ ଓ ସାର୍ବଜନୀନ ନୈତିକତାର ଅଧୀନରେ ପ୍ରାପ୍ତ ହେବେ। ଅଳ୍ପ ସଂଖ୍ୟକ ଲୋକ, ପଛୁଆବର୍ଗ ଓ ଯାଯାବର ମାନଙ୍କର ରକ୍ଷା ନିମିତ୍ତ ସମୁଚିତ ବ୍ୟବସ୍ଥା କରାଯିବ।

ସମ୍ବିଧାନର ପ୍ରଥମ ରୂପରେଖ ସମ୍ବିଧାନ ସଭାର ପରାମର୍ଶଦାତା ବି.ଏନ୍‌. ରାଓଙ୍କ ନିର୍ଦ୍ଦେଶମତେ ପ୍ରସ୍ତାବ ହୋଇଥିଲା। ଏହା ପୂର୍ବରୁ ପୃଥିବୀର ପ୍ରାୟ ଷାଠିଏଟି ଦେଶର ସମ୍ବିଧାନର ମହତ୍ତ୍ୱପୂର୍ଣ୍ଣ ସନ୍ଦର୍ଭକୁ ନେଇ ତିନି ଭାଗରେ ସଙ୍କଳିତ କରାଯାଇଥିଲା ଏବଂ ଏହାର ବିଚାର ବିମର୍ଷ ନେଇ ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟେ ଲେଖାଏଁ କପି ଯୋଗାଇ ଦିଆ ଯାଇଥିଲା।

ସମ୍ବିଧାନ ସଭାର ଦ୍ୱିତୀୟ ବୈଠକ ୨୦.୧.୧୯୪୭, ତୃତୀୟ ବୈଠକ – ୨୨.୪.୧୯୪୭, ଚତୁର୍ଥ ବୈଠକ ୧୪.୭.୧୯୪୭ ତାରିଖରେ ଅନୁଷ୍ଠିତ ହୋଇ ପ୍ରତ୍ୟେକ ବିଭାଗଗୁଡ଼ିକ ପାଇଁ କମିଟି ଗଠନ କରାଯାଇଥିଲା। ୧୯୪୭ ମସିହାର ଅଗଷ୍ଟ ୨୯ ତାରିଖରେ ସମ୍ବିଧାନ ନିର୍ମାଣ ନେଇ ଡ. ବି.ଆର. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ କମିଟି ଗଠନ କରାଯାଇଥିଲା। ଅନ୍ୟମାନେ ହେଲେ – ସାର୍ ଆଲ୍ଲାଦି କୃଷ୍ଣସ୍ୱାମୀ ଆୟାଙ୍ଗର୍‌, କେ. ଏମ୍‌. ମୁନସି. ଟି.ଟି, କୃଷ୍ଣମାଚାରୀ, ଏନ୍ ଗୋପାଳସ୍ୱାମୀ, ମହମ୍ମଦ ଅବଦୁଲା ଏବଂ ବି.ଏନ୍‌. ମିତର।

ସାର୍ ଆଲ୍ଲାଦି କୃଷ୍ଣସ୍ୱାମୀ ଆୟାଙ୍ଗର ସମ୍ବିଧାନର ମୌଳିକ ଅଧିକାର ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟ ସମ୍ବନ୍ଧୀୟ, ଟି.ଟି. କୃଷ୍ଣମାଚାରୀ ମୁଖ୍ୟତଃ ସଂଘୀୟ ସ୍ୱରୂପ, ଅର୍ଥ ଓ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ସମ୍ବନ୍ଧୀୟ, ଏନ୍‌. ଗୋପାଳ ସ୍ୱାମୀଙ୍କ ଭାଷା ସମ୍ବନ୍ଧୀୟ ଥିବା ଅବଦାନ ଅତୁଳନୀୟ।
ଉପରୋକ୍ତ କମିଟି ବି.ଏନ୍‌. ରାଓଙ୍କ ସମ୍ବିଧାନର ପ୍ରଥମ ପ୍ରାରୂପକୁ ଅଧ୍ୟୟନ କରିବା ଅବସରରେ ଏଚ.ବି. କାମାଥ କିଛି ସଂଶୋଧନ କରିଥିଲେ। ନାଜିରୁଦ୍ଦିନ୍ ଅହମ୍ମଦ କମା, ପୂର୍ଣ୍ଣଚ୍ଛେଦ, ବିରାମ ଗୁଡ଼ିକର ଶୁଦ୍ଧି କରିଥିଲେ। ପ୍ରଫେସର କେ.ଟି. ସାହ ରାଷ୍ଟ୍ରପତି ପ୍ରଣାଳୀ ପାଇଁ ପ୍ରସ୍ତାବ ରଖିଥିଲେ। ଏଚ୍‌.ଏନ୍‌. କୁଞ୍ଜୁର, ଫ୍ରାଙ୍କ୍ ଆନ୍ଥୋନୀ, ମହାବୀର ତ୍ୟାଗି, ଦୁର୍ଗାବାହି ପ୍ରମୁଖ ଅନେକ ବିଦ୍ୱାନ ଅନେକାଂଶରେ ସାହାଯ୍ୟ ସହଯୋଗ କରିଥିଲେ।

ଏହି ପ୍ରାରୂପ ସମ୍ବିଧାନକୁ ୧୯୪୮ ମସିହାରେ ସମ୍ବିଧାନ ସଭାର ଅଧ୍ୟକ୍ଷଙ୍କୁ ସମର୍ପଣ କରିବା ପରେ ଲୋକଲୋଚନକୁ ଆସିବା ପାଇଁ ପ୍ରକାଶିତ ହୋଇଥିଲା। ଫଳତଃ ଅନେକ ସଂଶୋଧନ ହେବା ପାଇଁ ମତ ପ୍ରାପ୍ତ ହୋଇଥିଲା ସେ ସବୁର ବିଚାର ବିମର୍ଷ ଆରମ୍ଭ ହୋଇଥିଲା ସେହିବର୍ଷ ନଭେମ୍ବର ମାସ ପନ୍ଦର ତାରିଖରୁ। ନାନା ସଂଶୋଧନ କରିବା ପରେ ସମ୍ବିଧାନ ସଭାର ଅନ୍ତିମ ଦିବସ ୨୪ ଜାନୁଆରୀ ୧୯୫୦ରେ ପ୍ରାରୂପର ତିନୋଟି ନକଲ ଉପସ୍ଥାପନ କରି ସମ୍ବିଧାନ ସଭାର ଅଧ୍ୟକ୍ଷ ପ୍ରତ୍ୟେକ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ପ୍ରତ୍ୟେକ କପିରେ ସନ୍ତକ କରିବାକୁ। ସମସ୍ତ ସଦସ୍ୟ ସନ୍ତକ କରିବା ପରେ ଜନ-ଗଣ-ମନ ଓ ବନ୍ଦେ ମାତରଂ ଗାନ କରି ସଭା ସାଙ୍ଗ କରିଥିଲେ। ସମ୍ବିଧାନ ସ୍ୱୀକୃତି ଲାଭ କରିବା ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ଏହି ସଭା ଭାରତୀୟ ଗଣରାଜ୍ୟର ସଂସଦ ନାମରେ ନାମିତ ହୋଇଥିଲା।

ସମ୍ପୂର୍ଣ୍ଣ ସମ୍ବିଧାନ ପ୍ରସ୍ତୁତ ହେବା ପାଇଁ ଦୁଇ ବର୍ଷ ଏଗାର ମାସ ଅଠେଇଶ ଦିନ ଲାଗିଥିଲା। ଏଥିପାଇଁ ପ୍ରାୟ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସମ୍ବିଧାନର ପ୍ରାରୂପକୁ ନେଇ ୧୧୪ ଦିନ ଧରି ଆଲୋଚନା ହୋଇ ୩୯୫ ଅନୁଚ୍ଛେଦ ଓ ଆଠଟି ଅନୁସୂଚି ରଖା ଯାଇଥିଲା। ସମ୍ବିଧାନର କିଛି ଅନୁଚ୍ଛେଦକୁ ୨୬ ନଭେମ୍ବର ୧୯୪୯ରେ ଲାଗୁ କରାଯାଇ ଅବଶିଷ୍ଟକୁ ଐତିହାସିକ କାରଣ ଯୋଗୁ ଜାନୁଆରୀ ୨୬, ୧୯୫୦ ମସିହାରେ ଲାଗୁ କରାଗଲା। ଯାହାକି ଆଜିଯାଏ ବଳବତ୍ତର ରହିଛି।

ସେ ଯାହାହେଉ, ଆମ ଭାରତର ସମ୍ବିଧାନ ହେଉଛି ପୃଥିବୀର ସବୁଠାରୁ ବଡ଼ ସମ୍ବିଧାନ। ଯୁଗ ବଦଳିବା ସହ ପରିସ୍ଥିତିକୁ ଖାପ ଖାଇବା ଭଳି ମୂଳ ସମ୍ବିଧାନରେ ଆଜିଯାଏ ୮୪ଗୋଟି ସଂଶୋଧନ କରାଯାଇ ସାରିଲାଣି।

ସମ୍ବିଧାନ ସଭା କାଳରେ ଗଠିତ ହୋଇଥିବା କମିଟି ଓ ସେସବୁର ଅଧ୍ୟକ୍ଷମାନଙ୍କର ତାଲିକା ଏହିପରି ପ୍ରଦାନ କରୁଅଛି।

କମିଟିର ନାମ- ଅଧ୍ୟକ୍ଷଙ୍କ ନାମ

୧.କାର୍ଯ୍ୟବିଧି ଆଇନ କମିଟି- ଡ. ରାଜେନ୍ଦ୍ର ପ୍ରସାଦ
୨.ଷ୍ଟିଅରିଂ କମିଟି- ଡ. ରାଜେନ୍ଦ୍ର ପ୍ରସାଦ
୩.ଅର୍ଥ ଓ ଷ୍ଟାଫ୍ କମିଟି- ଡ. ରାଜେନ୍ଦ୍ର ପ୍ରସାଦ
୪.ଅସ୍ତାସ୍ଥାପକ କମିଟି- ଆଲାଦି କ୍ରିଷ୍ଣସ୍ୱାମୀ ଆୟାର
୫.ଗୃହ କମିଟି- ବି. ପଟାଭିସିତା ରାମାୟା
୬.ଅର୍ଡର ଅଫ୍ ବିଜିନେସ୍ କମିଟି – କେ. ଏମ୍‌. ମୁନସି
୭.ଜାତୀୟ ପତାକାର ଆଡହକ୍ କମିଟି- ରାଜେନ୍ଦ୍ର ପ୍ରସାଦ
୮.ସମ୍ବିଧାନର କାର୍ଯ୍ୟଧାରା କମିଟି- ଜି.ଭି. ମାଉଲକର
୯.ଷ୍ଟେଟସ୍ କମିଟି- ଜବାହରଲାଲ ନେହେରୁ
୧୦.ସଂଖ୍ୟାଲଘୁ କମିଟି- ଏଚ୍‌.ସି. ମୁଖାର୍ଜୀ
୧୧.ମୌଳିକ ଅଧିକାର କମିଟି- ଜେ.ବି, କ୍ରିପାଳିନୀ
୧୨.କେନ୍ଦ୍ରୀୟ କ୍ଷମତା କମିଟି- ଜବାହର ଲାଲ ନେହେରୁ
୧୩.କେନ୍ଦ୍ର ସମ୍ବିଧାନ କମିଟି- ଜବାହର ଲାଲ ନେହେରୁ
୧୪.ଡ୍ରାଫ୍ଟିଂ କମିଟି- ବି.ଆର୍ ଆମ୍ବେଦକର
୧୫.ମୌଳିକ ଅଧିକାର ସଂଖ୍ୟାଲଘୁ- ବଲ୍ଲଭଭାଇ ପଟେଲ ଜନଜାତି ଏବଂ ବହିଃଷ୍କରଣ ଅଞ୍ଚଳର ଉପଦେଷ୍ଟା କମିଟି
୧୬.ଉତ୍ତର ପୂର୍ବ ସୀମାନ୍ତ ଜନଜାତି- ଗୋପୀନାଥ ବରଦୋଳାଇ ଅଞ୍ଚଳ ଏବଂ ଆସାମ ବହିଃ ଅଞ୍ଚଳ ଓ ଆଂଶିକ ବହିଃ ଅଞ୍ଚଳ ସବ୍ କମିଟି
୧୭.ବହିଃଷ୍କରଣ ଓ ଆଂଶିକ ବହିଃ ଅଞ୍ଚଳ- ଏ.ଭି. ଥାକର ସବ୍ କମିଟି

ଆନ୍ତର୍ଜାତୀୟ ସ୍ତମ୍ଭକାର, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର – ୨, ଜିଲ୍ଲା – ଖୋର୍ଦ୍ଧା, ମୋ – ୭୮୪୮୮୯୮୪୫୬

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ସାଧାରଣତନ୍ତ୍ର ଦିବସ ଅଫର

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି। ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତାଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ । ସପିଂଭ୍ରମଣ ଏବଂ ଖାଦ୍ୟ ବିଲ୍ ପ୍ରଦାନ ପାଇଁ ଏହି କୁପନ୍ ବ୍ୟବହାର କରାଯାଇପାରିବ । ଗ୍ରାହକ ଜିଓର ଏହି ବାର୍ଷିକ ପ୍ଲାନ୍ ରିଚାର୍ଜ କରିବା ସହିତ ତାଙ୍କୁ ମିଳୁଥିବା କୁପନ୍ ସଙ୍ଗେ ସଙ୍ଗେ ମାଇଁ ଜିଓ ଆପ୍‌‌ରେ ଉପଲବ୍ଧ ହେବ । ଏହି ଅଫରର ଲାଭ କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ମିଳିପାରିବ ।

ମିଳିଥିବା କୁପନ ବଳରେ ରିଲାଏନ୍ସର ଆଜିଓ ଆପ୍‌‌ରୁ ସର୍ବନିମ୍ନ ୨୪୯୯ ଟଙ୍କା କିଣିଲେ ଗ୍ରାହକଙ୍କୁ ୫୦୦ ଟଙ୍କାର ରିହାତି ମିଳିବ । ଏଥିସହିତ ଟିରାର ସୌନ୍ଦର୍ଯ୍ୟ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ୩୦% ରିହାତି ମିଳିବଯାହା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ରିଲାଏନ୍ସ ଡିଜିଟାଲରେ ସର୍ବନିମ୍ନ ୫,୦୦୦ ଟଙ୍କାର କ୍ରୟ ଉପରେ ୧୦ ପ୍ରତିଶତ ରିହାତି ମିଳିବ ଏବଂ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ସର୍ବାଧିକ ରିହାତି ସୀମା ୧୦,୦୦୦ ଟଙ୍କା ରହିଛି ।

ସେହିଭଳି ଯାତ୍ରା କ୍ଷେତ୍ରରେ ଇକ୍ସିଗୋରୁ ବିମାନ ଟିକେଟ୍ ବୁକିଂ କରିବା ସହିତ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଜଣେ ଯାତ୍ରୀଙ୍କ ଟିକେଟ ସହିତ ୫୦୦ ଟଙ୍କା୨ ଜଣ ଯାତ୍ରୀଙ୍କ ଟିକେଟ ସହିତ ୧୦୦୦ ଟଙ୍କା ଏବଂ ୩ ଜଣ ଯାତ୍ରୀଙ୍କ ଟିକେଟ ସହିତ ୧୫୦୦ ଟଙ୍କା ରିହାତି ଧାର୍ଯ୍ୟ କରାଯାଇଛି । ଖାଦ୍ୟ ପ୍ରେମୀମାନେ ସ୍ୱିଗି ଆପ୍‌‌ରୁ ଖାଦ୍ୟ ବୁକ୍ କରିପାରିବେ ଏବଂ ଅନ୍ୟୁନ ୨୯୯ ଟଙ୍କାର ବରାଦ ମୂଲ୍ୟ ଉପରେ ୧୨୫ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଅଧିକରୁ ଅଧିକ କୁପନ୍ ଜିତିବା ପାଇଁ ଗ୍ରାହକ ନିଜ ନମ୍ବରରେ ଯେତିକି ଚାହିଁବେ ରିଚାର୍ଜ କରିପାରିବେ । ଏହି ଅଫର ଅଧୀନରେ ଜିତିଥିବା କୁପନ୍‌‌କୁ ଅନ୍ୟ ଜିଓ ନମ୍ବରକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ । ତେବେ କୁପନ୍‌‌କୁ ବନ୍ଧୁ/ପରିବାର ଲୋକଙ୍କ ସହ ସେୟାର କରାଯାଇପାରିବ ।