ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Published: Jan 27, 2024, 12:02 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ।

ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ।

ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ ଚକ୍ରଵର୍ତ୍ତି ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ସୁସଜ୍ଜିତ ଖୋଲା ଜିପ୍ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପଡ଼ିଆରେ ପରିକ୍ରମା କରିଥିଲେ।

ପରେ ମଞ୍ଚରୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଭାଷଣରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତାଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ।

ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପ୍ୟାରେଡରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ୫୦ ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୭ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲେ। ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାର ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା 5ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ତିନିଗୋଟି ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଏହାପରେ କାରାଗାରରେ ଥିବା କଏଦୀମାନଙ୍କୁ ଏବଂ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Related posts