Categories
ଆଜିର ଖବର ଜାତୀୟ ଖବର

ମୋଟର ଯାନ ଡକ୍ୟୁମେଣ୍ଟ ବୈଧତା ଚଳିତ ବର୍ଷ ଡିସେମ୍ବର ଯାଏ ସମ୍ପ୍ରସାରଣ

ନୂଆଦିଲ୍ଲୀ, ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅଧୀନରେ ଫିଟନେସ୍, ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ଡକ୍ୟୁମେଣ୍ଟର ବୈଧତାକୁ ୨୦୨୦ ଡିସେମ୍ବର ୩୧ ଯାଏଁ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସହ ଜଡ଼ିତ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ନେଇ ମନ୍ତ୍ରଣାଳୟ ମାର୍ଚ୍ଚ ୩୦ ଓ ଜୁନ୍ ୯ରେ ଆଦେଶନାମା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଫିଟନେସ୍, ପରମିଟ୍ (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏହାସହ ଜଡ଼ିତ ଅନ୍ୟ ଡକ୍ୟୁମେଣ୍ଟକୁ ୨୦୨୦ ସେପ୍ଟେମ୍ବର ୩୦ ଯାଏଁ ବୈଧ ଭାବେ ବିବେଚନା କରାଯିବ ।

ସାରା ଦେଶରେ କୋଭିଡ୍-୧୯ ସଂକ୍ରମଣ ଜାରି ରହିଥିବାରୁ ଏହାର ମୁକାବିଲା ଉଦ୍ଦେଶ୍ୟରେ ଉପରୋକ୍ତ ସମସ୍ତ ଡକ୍ୟୁମେଣ୍ଟର ବୈଧତାକୁ ପୁନଶ୍ଚ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଲକଡାଉନ୍ କାରଣରୁ ଯେଉଁସବୁ ଡକ୍ୟୁମେଣ୍ଟର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ ଏବଂ ୨୦୨୦ ଫେବ୍ରୁଆରୀ ୧ ପରଠାରୁ ଏକ୍ସପାଏରୀ ହୋଇଯାଇଥିବା କିମ୍ବା ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଏକ୍ସପାଏରୀ ହେବାକୁ ଯାଉଥିବା ସମସ୍ତ ଡକ୍ୟୁମେଣ୍ଟକୁ ୨୦୨୦ ଡିସେମ୍ବର ୩୧ ଯାଏଁ ବୈଧ ଭାବେ ବିବେଚନା କରାଯିବ । ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଏଭଳି ଡକ୍ୟୁମେଣ୍ଟକୁ ୨୦୨୦ ଡିସେମ୍ବର ୩୧ ପର‌୍ୟ୍ୟନ୍ତ ବୈଧ ଭାବେ ବିଚାର କରିବେ ବୋଲି ପରାମର୍ଶ ଦିଆଯାଇଛି ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଏହି ପଦକ୍ଷେପ ଦେଶର ନାଗରିକଙ୍କୁ ପରିବହନ ସମ୍ପର୍କିତ ସେବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।