Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସନ୍ତାନ ନଥିବା ଦମ୍ପତିଙ୍କ ପାଇଁ ଆଇଭିଏଫ୍ ବରଦାନ: ସୋଆ ଉସଭାପତି

ଭୁବନେଶ୍ୱର: ସନ୍ତାନ ସନ୍ତତି ଲାଭ କରିନଥିବା ଦମ୍ପତିଙ୍କ କ୍ଷେତ୍ରରେ ବର୍ତ୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) ଏକ ବରଦାନ ପାଲଟିଛି। ବନ୍ଧ୍ୟାଦୋଷ ଥିବା ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତି ଦାସ।

ଜୁଲାଇ ୨୫ ତାରିଖ ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମ୍ୟାନ୍ ରିପ୍ରଡକ୍ସନ୍ ର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହିତ ସୁରକ୍ଷିତ, ସୁଲଭ ଏବଂ ଅଧିକ ପ୍ରଭାବି ଆଇଭିଏଫ୍ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥିଲେ।

ବିଶ୍ୱ ଆଇଭିଏଫ୍ ଦିବସ ପାଳନ କେବଳ ବୈଷୟିକ ଜ୍ଞାନକୌଶଳ ଭିତିକ ନୁହେଁ ବରଂ ବନ୍ଧ୍ୟାଦୋଷ ଏବଂ ଏହା ଦ୍ୱାରା ମାନସିକ ସମସ୍ୟାର ଶିକାର ହେଉଥିବା ଦମ୍ପତିଙ୍କୁ କିଭଳି ମାନସିକ ସ୍ତରରେ ସମର୍ଥନ ଦିଆଯାଇପାରିବ ସେ ଦିଗରେ ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ ବୋଲି ଶ୍ରୀମତି ଦାସ କହିଛନ୍ତି।

ଏହି ଅବସରରେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ତଥା ପିସି ଆଣ୍ଡ ପିଏନ୍‌ଡିଟି ଆକ୍ଟ ଓ ଆସିଷ୍ଟେଡ୍ ରିପ୍ରଡକ୍ସନ୍ ଟେକ୍ନୋଲଜି ଆଣ୍ଡ ସରୋଗେସିର ଷ୍ଟେଟ୍ ନୋଡାଲ୍ ଅଫିସର ଡାକ୍ତର ପ୍ରତିଭା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଭିଏଫ୍ ସମ୍ପର୍କିତ ରାଜ୍ୟସରକାରଙ୍କ କାର୍ଯ୍ୟଧାରା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ।
ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ସ୍ୱାଗତ ଭାଷଣ ଦେବା ଅବସରରେ ସିଏଚ୍‌ଆର୍ ଦ୍ୱାରା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଦେଶ ବାହାରୁ ଦମ୍ପତିମାନେ କିଭଳି ଚିକିତ୍ସିତ ହୋଇ ସନ୍ତାନ ଲାଭ କରୁଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିଥିଲେ।

ବିଳମ୍ବରେ ବିବାହ, ଗର୍ଭଧାରଣ, ମାନସିକ ଚାପ ଓ କାର୍ଯ୍ୟକ୍ଷେତ୍ରର ଚାପ ଯୋଗୁଁ ସନ୍ତାନ ଲାଭ କରିବାରେ ଦମ୍ପତିମାନଙ୍କ ବିଳମ୍ବ ହେଉଥିବା ବେଳେ ଅନେକ ଦମ୍ପତି ସ୍ୱଇଚ୍ଛାରେ ଆଇଭିଏଫ୍‌କୁ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଜୁଲାଇ ୨୫ ତାରିଖ ୧୯୭୮ରେ ବିଶ୍ୱର ପ୍ରଥମ ଆଇଭିଏଫ୍ ଶିଶୁ ଲୁଇ ବ୍ରାଉନ୍ ଜନ୍ମ ଗ୍ରହଣ କରିଥିବା ବେଳେ ଏହି ଦିବସକୁ ହିଁ ଆଇଭିଏଫ୍ ଦିବସ ରୁପେ ପାଳନ କରାଯାଇଥାଏ।

ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସିଏଚ୍‌ଆରର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ବିଭାଗର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୁଲନଖରା ଓ ବ୍ରହ୍ମପୁରର ଶୀତଳାପଲ୍ଲୀ ଠାରେ ସ୍ଥାପିତ ୨ୟ ଓ ୩ୟ କ୍ୟାମ୍ପସରେ ମଧ୍ୟ ଆଇଭିଏଫ୍ କେନ୍ଦ୍ର ସୁବିଧା ଉପଲବ୍ଧ ହେଉଅଛି।

ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ପ୍ରଧାନ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା କର୍ମଚାରୀମାନେ ସୋଆ ବିଶ୍ୱବିଦ୍ୟାଳୟର ଗୌରବ: ଶାଶ୍ୱତି ଦାସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନେ କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶାଶ୍ୱତି ଦାସ।

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଯେଉଁ ସ୍ଥାନରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ହିଁ ଦେବତା ବାସ କରନ୍ତି। ଦ୍ରୌପଦୀ, ଅନୁସୂୟା, ସୀତା, ସାବିତ୍ରୀ, କୁନ୍ତଳା କୁମାରୀ ଓ ଲକ୍ଷ୍ମୀବାଈଙ୍କ ଭଳି ମହିଳାଙ୍କ ଉଦାହରଣ ଦେଇ ଶ୍ରୀମତି ଦାସ କହିଥିଲେ ଯେ ନାରୀ ହିଁ ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠଭୂମି। ବର୍ତ୍ତମାନ ନାରୀ ସମାଜ ସହ ତାଳ ଦେଇ ଦେଶ ଓ ଜାତିର ନେତୃତ୍ୱ ନେଉଛି। ଏହି ନାରୀମାନଙ୍କୁ ସେ ଅଭିନନ୍ଦନ ଓ ସଶ୍ରଦ୍ଧ ସମ୍ମାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନ ସବୁ କ୍ଷେତ୍ରରେ ନାରୀମାନେ ଆଗରେ ଅଛନ୍ତି ବୋଲି କହିଥିଲେ। ସବୁ ସଫଳ ପୁରୁଷଙ୍କ ପଛରେ ନାରୀର ହାତ ରହିଥାଏ ବୋଲି ସେ କହିଥିଲେ।

ସେହିପରି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଗୋଟିଏ ପରିବାରକୁ ନାରୀ ହିଁ ଯୋଡି ରଖିଥାଏ। ନାରୀମାନଙ୍କର ଯେଉଁ କ୍ଷେତ୍ରରେ ଆଗ୍ରହ ଅଛି ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଆଇଟିଇଆର୍ କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ମୀରା ଦାସ, ପ୍ରଫେସର ଅନୀତା ପଣ୍ଡା, ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଓ ସୋଆ କମ୍ୟୁନିଟି ରେଡିଓର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର ନୀତା ମହାନ୍ତି, ବିଭିନ୍ନ ଅନୁଷ୍ଠାନର ପ୍ରଫେସର, ଫ୍ୟାକଲ୍ଟି, ବିଭିନ୍ନ ବିଭାଗର ମହିଳା ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ମହିଳା କାର୍ଯ୍ୟକର୍ତ୍ତା, ନ୍ୟୁଜ୍ ୭ ଏବଂ ପ୍ରମେୟର ମହିଳା ସାମ୍ବାଦିକାମାନେ ମଧ୍ୟ ଯୋଗ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୫ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା।

ମହିଳା ଦିବସ ଅବସରରେ କେକ୍ କାଟି ମହିଳା କର୍ମଚାରୀମାନେ ଉପସଭାପତି ଶ୍ରୀମତି ଦାସଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରିଥିଲେ।