Categories
ଆଜିର ଖବର ରାଜ୍ୟ ଖବର

ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ, ବମିଖାଲ ସଂକ୍ରମଣ ସହିତ ସତ୍ୟନଗରର ସମ୍ପର୍କ ରହିଛି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ୱର କେନ୍ଦ୍ରରେ ଅବସ୍ଥିତ ସତ୍ୟ ନଗର ଅଞ୍ଚଳକୁ ମହାନଗର ନିଗମ ସିଲ କରିଦେବା ପରେ ଏହାକୁ ନେଇ ଦ୍ଵନ୍ଦ୍ଵ ବଢିଥିଲା। ସତ୍ୟନଗର ଅଞ୍ଚଳରେ କୌଣସି ସଂକ୍ରମିତ ଥିବା କଥା କୌଣସି ସରକାରୀ ତଥ୍ୟରୁ ଜଣା ପଡିନଥିଲା। ତେଣୁ ଏହାକୁ ନେଇ ଆଜି ସକାଳୁ ଦ୍ଵନ୍ଦ୍ଵ ଲାଗି ରହିଥିଲା। ଏହାକୁ ନେଇ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ବମିଖାଲରେ ରହିଥିବା ମୂଳ ସଂକ୍ରମଣ ରୁ ତିନିଜଣ ସତ୍ୟନଗରର ବାସିନ୍ଦା ବୋଲି ଜଣା ପଡିଛି। ସେଥିଲାଗି ଏବେ ସତ୍ୟନଗରକୁ ସିଲ କରାଯାଇଛି।

Categories
ବିଶେଷ ଖବର

ସତ୍ୟନଗରର କରୋନା ସତ୍ୟ; ସ୍ୱାସ୍ଥ୍ୟ ବିଭାଗ ନୀରବ, ହେଲେ ମହାନଗର ନିଗମ ଅଞ୍ଚଳକୁ ସିଲ କରିଛି କାହିଁକି?

ସମୀକ୍ଷା ବ୍ୟୁରୋ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଜଣକଙ୍କର ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରକୁ କରୋନା ହଟସ୍ପଟ୍‌ ବୋଲି ଚିହ୍ନଟ କରାଯାଇଛି  ସର୍ବାଧିକ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ଆଜି ସକାଳୁ ଭୁବନେଶ୍ବରର କେନ୍ଦ୍ରରେ ଥିବା ସତ୍ୟନଗର ଅଞ୍ଚଳକୁ ବିଏମସି ତରଫରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏହି ଅଞ୍ଚଳରୁ କେହି ଆକ୍ରାନ୍ତ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହି ନାହିଁ। ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁପ୍‌ ରହିଥିବା ବେଳେ ମହାନଗର ନିଗମର ପଦକ୍ଷେପକୁ ନେଇ ଅନେକ ଦ୍ଵନ୍ଦ୍ଵ ଉପୁଜିଛି।

ଭୁବନେଶ୍ବରର ଝାରପଡା, ବମିଖାଲ, ସୂର୍ଯ୍ୟନଗର, କପିଳପ୍ରସାଦ ପରି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇ ସେହି ସବୁ ଅଞ୍ଚଳକୁ ସିଲ୍‌ କରାଯାଇଥିଲା। କିନ୍ତୁ ମିଳିଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ହିସାବରେ ସତ୍ୟନଗରରୁ କେହି ଆକ୍ରାନ୍ତ ରହିଥିବାର ସୂଚନା ନାହିଁ। ସତ୍ୟନଗରରୁ କେହି କରୋନା ଆକ୍ରାନ୍ତ ଥିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ରହିଥିବାବେଳେ ବିଏମ୍‌ସି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରିବା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ସମ୍ବେଦନଶୀଳ ରହିଛନ୍ତି। କରୋନା ସହ ଲଢେଇ ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟରେ 7ଟି କୋଭିଡ ହସ୍ପିଟାଲ କାର୍ୟକ୍ଷମ ହୋଇସାରିଛି ଓ ଏନେଇ ରାଜ୍ୟସ୍ବାସ୍ଥ୍ୟ ବିଭାଗ ବେଶ୍‌ ସଜାଗ ରହିଛି।

ବିଏମସି ସତ୍ୟ ନଗରରୁ କରୋନା ଆକ୍ରାନ୍ତ ମିଳିଥିବା ନେଇ କହିଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବା ମଧ୍ୟ  କହିଛି। ଆକ୍ରାନ୍ତଙ୍କ କୌଣସି ଯାତ୍ରା ବିବରଣୀ ନଥିବାରୁ ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ବିବେଚନା କରାଯାଉଛି ବୋଲି ବିଏମ୍‌ସି କହିଛି। ତେବେ ସତ୍ୟନଗରର କରୋନା ପଜିଟିଭି ସମ୍ପର୍କରେ କାହାକୁ କିଛି ସୂଚନା ମିଳିନଥିବା ହେତୁ ବିଏମସିର ଏପରି ପଦକ୍ଷେପ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଉଛି। ତେବେ ସତ୍ୟନଗରର ଦ୍ବନ୍ଦ୍ବକୁ ଏବେ ରାଜ୍ୟ ସରକାର ଓ ବିଏମ୍‌ସି ମଧ୍ୟରେ ତାଳମେଳ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ସେ ଯାହାବି ହେଉ ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ ସୂଚନା ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି।

ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ସର୍ବାଧିକ 34 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରର ଝାରପଡାର 72 ବର୍ଷୀୟ ବ୍ୟକ୍ତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି। ଭୁବନେଶ୍ବରର ବମିଖାଲ ଅଞ୍ଚଳରେ ସର୍ବାଧିକ 19ଜଣ ଚିହ୍ନଟ ହୋଇଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳରେ 7 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ଯାଜପୁର ଆଦି ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।