Categories
ଆଜିର ଖବର

ଅଯୋଧ୍ୟା ଜମି ବିବାଦ : ମଧ୍ୟସ୍ଥି ନିଯୁକ୍ତି କଲେ ସର୍ବୋଚ୍ଚ ନ୍ୟାୟାଳୟ

ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି – ବାବ୍ରୀ ମସଜିଦ୍ ବିବାଦର ସମାଧାନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ରାମଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦରେ ମଧ୍ୟସ୍ଥତା କରିବା ପ୍ରସଙ୍ଗରେ ନିଜର ଶୁଣାଣି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗର ସମାଧାନ ଲାଗି ଏକ ତିନି ଜଣିଆ ମଧ୍ୟସ୍ଥିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି। ଜଷ୍ଟିସ୍‌ ଖଲି ଫୁଲ୍ଲାହଙ୍କୁ  ଏହି ପ୍ୟାନେଲ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିବାବେଳେ ଏହି ମଧ୍ୟସ୍ଥି ମଣ୍ଡଳୀରେ ଶ୍ରୀ ଶ୍ରୀ ରବି ଶଙ୍କର ଓ ଶ୍ରୀରାମ ପାଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଛି।  ସର୍ବୋଚ୍ଚ ନ୍ୟାୟାଳୟ  ଏହି ମାମଲାରେ ମଧ୍ୟସ୍ଥି ମଣ୍ଡଳୀ ୮ ସପ୍ତାହ ମଧ୍ୟରେ ଷ୍ଟାଟର୍ସ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ପୂର୍ବ ଶୁଣାଣିରେ ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ଅଯୋଧ୍ୟା ଜମି ବିବାଦ ଏହା କେବଳ ଜମିଜମା ମାମଲା ନୁହେଁ,ବରଂ ଲୋକମାନଙ୍କ ଧାର୍ମିକ ଭାବନା ସହିତ ଜଡିତ। ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହି ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍ ଵାକଫ୍ ବୋର୍ଡ ଏବଂ ରାମଲାଲା ବିରାଜମାନ ମଧ୍ୟରେ ତିନି ଭାଗରେ ବାଣ୍ଟିଦେବା ପାଇଁ ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ଦାଖଲ ହୋଇଥିଲା।