କୋଲକାତା : କରୋନା ଏବେ କରୋନ ଯୋଦ୍ଧାଙ୍କୁ ମଧ୍ୟ କବଳିତ କରିବା ଆରମ୍ଭ କଲାଣି । ନିକଟରେ ଦିଲ୍ଲୀର ବହୁ ହସ୍ପିଟାଲରେ ନର୍ସ, ଡାକ୍ତରଙ୍କ ସମେତ କିଛି ସ୍ବାସ୍ଥ୍ୟକର୍ମୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଥିଲା । ସେହିପରି ଦେଶରେ କରୋନା ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ମଧ୍ୟ ହୋଇଥିବାର ସୂଚନା ରହିଥିଲା। ଦେଶରେ କରୋନା ଯୋଗୁଁ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ କରୋନା ପ୍ରଭାବ ଜାରି ରହିଛି । ଏଠାରେ କରୋନା ଯୋଗୁଁ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ବେଲେ ବିୟୁ ହସ୍ପିଟାଲର ବରିଷ୍ଠ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଶିଶିର କୁମାର ମଣ୍ଡୋଲ୍ କରୋନା ସଂକ୍ରମିତ ରହିଥିଲେ । ସୋମବାର ଦିନ ହାର୍ଟ ଆର୍ଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।
ପୂର୍ବରୁ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗରର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ବିପ୍ଳବ କ୍ରାନ୍ତି ଦାସଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର କ୍ରାନ୍ତି କରୋନାରେ ସଂକ୍ରମିତ ହେବାର କିଛି ଦିନ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପ୍ରିଲ୍ 25 ତାରିଖ ରାତ୍ରିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ବିପ୍ଲବ କ୍ରାନ୍ତିଙ୍କ ସ୍ତ୍ରୀ ମଧ୍ୟ କରୋନା ପଜିଟିଭ୍ରେ ଆକ୍ରାନ୍ତ ହୋଇଛନ୍ତି । କିଛି ସପ୍ତାହ ହେବ ଲଗାତାର ଭାବେ ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟକର୍ମୀ କରୋନାରେ ଚିହ୍ନଟ ହେଉଛନ୍ତି । (ଏଜେନ୍ସି)