Categories
ଆଜିର ଖବର ଜାତୀୟ ଖବର

ମୋଦି ଏବଂ ଶାହାଙ୍କୁ ଦିଗ୍‌ବିଜୟଙ୍କ ସମାଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ । ମୋଦି ଏବଂ ଶାହା କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୂ ର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା କଂଗ୍ରେସ ସରକାରକୁ ଅସ୍ଥିର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଦିଗ୍‌ବିଜୟ ପ୍ରକାଶ କରିଛନ୍ତି । ମୋଦି ଏବଂ ଶାହା ଦେଶର ଅର୍ଥନୀତି କିମ୍ବା ନିଯୁକ୍ତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି । ଉଭୟ କୋଟି କୋଟି ଟଙ୍କାର କଳାଧନ ବିନିଯୋଗ କରି କଂଗ୍ରେସ ଶାସିତ ରାଜ୍ୟରେ ଅସ୍ଥିତରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କୁ ଅବମାନନା କରିବା ସହିତ ଉଭୟ ସାମାଜିକ ବ୍ୟବସ୍ଥା ବିଗାଡିବାରେ ବ୍ୟସ୍ତ ଅଛନ୍ତି ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ପ୍ରକାଶ କରିଛନ୍ତି ଦିଗ୍‌ବିଜୟ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶରେ କମଲନାଥ ସରକାରକୁ ବିଜେପି ପକ୍ଷରୁ ଭଙ୍ଗାଯିବା ପ୍ରୟାସ ଉପରେ ଦିଗ୍‌ବିଜୟ ଏହି ମତ ଦେଇଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ବିଜୟ ହେଲେ ମୋଦୀ –ଶାହ ଙ୍କ ଉପରେ ଫୁଲ ବର୍ଷା, ହେଲେ ପରାଜୟ ବେଳକୁ ମୋଦୀ-ଶାହ ଗାୟବ!!

କେଦାର ମିଶ୍ର

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ସରଳ ଉତ୍ତର ହେଉଛି, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବାର ଦାସ। ଝାଡଖଣ୍ଡର ଅସ୍ଥିର ରାଜନୀତିରେ ପ୍ରଥମ ଥର ଲାଗି ରଘୁବାର ଦାସ ପାଞ୍ଚବର୍ଷ ପୂରା ସମୟ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ। ଏହା ପୂର୍ବରୁ ଶିବୁ ସୋରେନ, ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡିଙ୍କ ଭଳି ପ୍ରଭାବଶାଳୀ ଆଦିବାସୀ ନେତା ପୂରା ସମୟ ଶାସନ କରିବାର ସୁଯୋଗ ପାଇନଥିଲେ। ବିଧାନସଭା ନିର୍ବାଚନରେ ଜୟ ପରାଜୟର ଶ୍ରେୟ ସ୍ଥାନୀୟ ନେତୃତ୍ବକୁ ମିଳିବା କଥା। ହେଲେ ବିଜେପିରେ ବିଜୟର ଶ୍ରେୟ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହଙ୍କୁ ମିଳୁଥିବା ବେଳେ, ପରାଜୟ ଲାଗି ବଳିର ଛେଳି ଭାବରେ ସ୍ଥାନୀୟ ନେତାମାନଙ୍କୁ ବଛା ଯାଉଛି। ଝାଡଖଣ୍ଡରେ ଠିକ ସେଇକଥା ଦେଖିବାକୁ ମିଳିଛି। ଏବେ ପରାଜୟ ପାଇଁ ରଘୁବର ଦାସଙ୍କୁ ଅହଙ୍କାରୀ, ଅପାରଗ, ଆଦିବାସୀ ବିରୋଧୀ ଇତ୍ୟାଦି ବିଶେଷଣ ଦିଆଯାଉଛି। ହେଲେ ମୋଦୀ-ଶାହଙ୍କ ବିନା ଅନୁମୋଦନରେ ରଘୁବର ଦାସଙ୍କର ଅସ୍ତିତ୍ଵ ବୋଲି କିଛି ଥିଲା କି?

ସାଧାରଣ ନିର୍ବାଚନଠୁ ସ୍ଥାନୀୟ ନିର୍ବାଚନ, ସବୁଥି ବିଜେପି ନରେନ୍ଦ୍ର ମୋଦୀଙ୍କୁ ନିଜର ଏକମାତ୍ର ଚେହେରା ଭାବରେ ଉପସ୍ଥାପନ କରି ଆସୁଛି। ପ୍ରତି ନିର୍ବାଚନରେ ମୋଦୀ ଓ ଶାହାଙ୍କ ବ୍ୟତୀତ ତୃତୀୟ ଲୋକର ଅସ୍ତିତ୍ଵକୁ ବିଜେପି ସ୍ଵୀକାର ମଧ୍ୟ କରୁନାହିଁ। ଯେ କୌଣସି ଛୋଟ ବଡ ସଫଳତା ବିଜେପି ପାଇଲେ ସେଥିଲାଗି ଅମିତ ଶାହାଙ୍କୁ ଚାଣକ୍ୟ ବୋଲି କହି ତାଙ୍କର ସବୁ ପଦକ୍ଷେପ କୁ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି। ହେଲେ ପରାଜୟ ବେଳକୁ ଏ ଦୁଇ ନେତା ଗାୟବ ହୋଇ ଯାଉଛନ୍ତି। ୟେ ହେଉଛି କଂଗ୍ରେସର ପୁରୁଣା ରୋଗ ଯାହା ବିଜେପିକୁ ଏବେ ଆକ୍ରାନ୍ତ କଲାଣି। ତ୍ରିପୁରା ଭଳି ଗୋଟେ ଛୋଟିଆ ରାଜ୍ୟର ବିଜୟ ପାଇଁ ମୋଦୀ-ଶାହଙ୍କ ଉପରେ ଟନ ଟନ ଗୋଲାପ ପାଖୁଡା ବର୍ଷା କରାଯାଇଥିଲା। ହେଲେ ପରାଜୟର କଳଙ୍କ ଆଉ କିଏ ନେବ କାହିଁକି?

ଗତ ସାଧାରଣ ନିର୍ବାଚନ ପରଠୁ ବିଜେପି ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇଛି ବୋଲି ଡିଣ୍ଡିମ ପିଟୁଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉ ଅଥବା ନାଗରିକ ସଂଶୋଧନ ଆଇନ, ଏହାକୁ ମହାରାଷ୍ଟ୍ର, ହରିୟାନା ଓ ଝାଡଖଣ୍ଡ ନିର୍ବାଚନରେ ପ୍ରସଙ୍ଗ କରାଯାଇଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାରି ଆଧାରରେ ଭୋଟ ମାଗିଛନ୍ତି। ଏହି ତିନୋଟି ଯାକ ରାଜ୍ୟ ନିର୍ବାଚନରେ ଏହି ପ୍ରସଙ୍ଗ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି। ତଥାପି ଏହାକୁ ମାନିବାକୁ ବିଜେପି ନାରାଜ। ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସକୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦୀ ଅତି କଟୁ ସମାଲୋଚନା କରିଥିଲେ। ଏପରିକି ଏହି ଆଇନକୁ ପ୍ରତିବାଦ କରୁଥିବା ଲୋକଙ୍କ ପିନ୍ଧା ଲୁଗା ଓ ଧର୍ମକୁ ନେଇ ମଧ୍ୟ ଅତି ଜଘନ୍ୟ କଥା ପ୍ରଧାନମନ୍ତ୍ରୀ କହିଥିଲେ। ତାଙ୍କର ବିଭାଜନକାରୀ ତଥା ସାମ୍ପ୍ରଦାୟିକ ରାଜନୀତିକୁ ଆଜି ଝାଡଖଣ୍ଡ ବାସୀ ପ୍ରତ୍ୟଖ୍ୟାନ କରିଛନ୍ତି ବୋଲି କାହିଁକି କୁହାଯିବ ନାହିଁ?

ଝାଡଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅନେକ ଗୁଡିଏ ଆଦିବାସୀ ବିରୋଧୀ ନିଷ୍ପତ୍ତି ନେଇଥିଲେ, ତେଣୁ ତାଙ୍କୁ ସେଥିଲାଗି ମୂଲ୍ୟ ଦେବାକୁ ପଡିଲା ବୋଲି କହିବା ଅବଶ୍ୟ ସହଜ। ପଥଲଗଡି ଆନ୍ଦୋଳନ (ନିଜ ଜମି ଉପରେ ଆଦିବାସୀର ସାର୍ବଭୌମ ଅଧିକାର।ରଘୁବର ଦାସ ସରକାର ଆଣିଥିବା ଛୋଟ ନାଗପୁର ଓ ସାନ୍ତାଳ ପ୍ରଗଣା ଆଇନର ସଂଶୋଧନ ବିରୋଧରେ ବ୍ୟାପକ ଆଦିବାସୀ ଆନ୍ଦୋଳନ।)ଫଳରେ ସରକାର ବିରୋଧୀ ସ୍ଵର ରାଜ୍ୟରେ ଅତି ତୀବ୍ର ହୋଇଥିଲା। ଏହା କେନ୍ଦ୍ରୀୟ ନେତୃତ୍ବର ବିନା ଅନୁମୋଦନରେ ସମ୍ଭବ ନୁହେଁ। ଝାଡଖଣ୍ଡରେ ଅଣ ଆଦିବାସୀ ଭୋଟର ଧୃବୀକରଣ କରି ଏକ ଭିନ୍ନ ପ୍ରକାର ବିଭାଜନ ର ରାଜନୀତି ବିଜେପି କରି ଆସୁଥିଲା। ଯାହାକୁ ଝାଡଖଣ୍ଡ ଜନତା ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ପଞ୍ଚବର୍ଷରେ ଝାଡଖଣ୍ଡରେ ବ୍ୟାପକ ଭିଡାହିଂସା ଜନିତ ମୃତ୍ୟୁ ଘଟନା ଘଟିଛି। ରାଜ୍ୟରେ ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ବିଜେପି ଓ ସଂଘ କର୍ମୀମାନେ ନିରନ୍ତର ଆକ୍ରମଣ କରିଛନ୍ତି। ଏହା ବିଜେପି ପରାଜୟର ଅନ୍ୟତମ ପ୍ରମୁଖ କାରଣ। ସଂଘ ଓ ବିଜେପି ଭିଡହିଂସାକୁ ରୋକିବା ପରିବର୍ତ୍ତେ ଏହାକୁ ଅତି ହାଲୁକା ଭାବରେ ନେଇଥିଲା। ଏହାର ଜବାବ ତାଙ୍କୁ ମିଳିଛି।

ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ କିଛିଟା ସଚେତନ କରିବା ଉଚିତ। ତେବେ ବିଜେପିକୁ କଂଗ୍ରେସର ବ୍ୟାଧି ଏମିତି କବଳିତ କରୁଛି ଯେ, ଆଜି ମଧ୍ୟ ଲୋକଙ୍କ ଭାଷା ଓ ଭାବନାକୁ ବୁଝିବାକୁ ଦଳ ରାଜି ହେଉନାହିଁ। ଝାଡଖଣ୍ଡରେ ବିଜେପିର ପରାଜୟ ଆଦୌ ସ୍ଥାନୀୟ କାରଣରୁ ନୁହେଁ, ବରଂ ଜାତୀୟ ସ୍ତରରେ କ୍ରମାଗତ ଭାବରେ ବିଜେପି ନେଇଥିବା ଲୋକବିରୋଧୀ ପଦକ୍ଷେପ ବିରୋଧରେ ଏହା ତୃତୀୟ ସତର୍କ ଘଣ୍ଟି।