Categories
ଆଜିର ଖବର ଜାତୀୟ ଖବର

ଆଜି ଶମ୍ଭୁ ସୀମା ଖୋଲିବା ପାଇଁ ଅଲ୍ଟିମେଟମ୍ ର ଶେଷ ଦିନ, କୃଷକମାନେ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୭ ଦିନ ମଧ୍ୟରେ ଶମ୍ଭୁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟଙ୍କ ଆଦେଶର ଶେଷ ଦିନ। କିନ୍ତୁ, ତଥାପି ଶମ୍ଭୁ ସୀମା ଖୋଲିବାର କୌଣସି ସମ୍ଭାବନା ନାହିଁ। ପ୍ରକୃତରେ, ହାଇକୋର୍ଟଙ୍କ ଆଦେଶ ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଆବେଦନକାରୀ ଓକିଲ ଉଦୟ ପ୍ରତାପ ସିଂଙ୍କ ଅନୁଯାୟୀ ଏହି ଏସଏଲପି ଜୁଲାଇ ୨୨ ତାରିଖରେ ଶୁଣାଣି ହେବ। ଅନ୍ୟପକ୍ଷରେ କୃଷକମାନେ ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ସ୍ଲୋଗାନ ଦେଇଛନ୍ତି।

କୃଷକ ନେତା ଜଗଜିତ୍ ସିଂ ଡଲ୍ଲେୱାଲ କହିଛନ୍ତି ଯେ, ଶମ୍ଭୁ ସୀମା ଖୋଲିବାକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଜାତୀୟ ରାଜପଥ ଚାଷୀଙ୍କ ଦ୍ୱାରା ନୁହେଁ ବରଂ ହରିୟାଣା ସରକାର ବନ୍ଦ କରି ଦେଇଛନ୍ତି। ଚାଷୀମାନେ ରାସ୍ତା ବନ୍ଦ କରିଦେଇଥିବାର ଭୁଲ ଖବର ବିସ୍ତାର ହୋଇଥିଲା। ତେଣୁ ହାଇକୋର୍ଟଙ୍କ ଆଦେଶ ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି। ଆବେଦନକାରୀ ଓକିଲ ଉଦୟ ପ୍ରତାପ ସିଂଙ୍କ ଅନୁଯାୟୀ ଏହି ଏସଏଲପି ଜୁଲାଇ ୨୨ ତାରିଖରେ ଶୁଣାଣି ହେବ।

ଜଗଜିତ ସିଂ ଡଲ୍ଲେୱାଲ କହିଛନ୍ତି ଯେ, ଶମ୍ଭୁ ସୀମା ଖୋଲିବା ମାତ୍ରେ କୃଷକମାନେ ଦିଲ୍ଲୀ ଆଡକୁ ଯିବେ। ଏହି ସମୟରେ ପଞ୍ଜାବର ଅନେକ ଜିଲ୍ଲାର କୃଷକମାନେ ଦିଲ୍ଲୀ ଯାତ୍ରା କରିବା ପାଇଁ ଖନୌରୀ ଏବଂ ଶମ୍ଭୁ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ହରିୟାଣାରେ କୃଷକମାନଙ୍କର ସଭା ଆରମ୍ଭ ହୋଇଛି। କୃଷକମାନେ ଟ୍ରାକ୍ଟର-ଟ୍ରଲି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।

ପ୍ରକାଶ ଯେ, କିଷାନ-ଶ୍ରମିକ ମୋର୍ଚ୍ଚା ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଫେବୃଆରୀ ୧୩ ତାରିଖରୁ କୃଷକଙ୍କ ଆନ୍ଦୋଳନ ଚାଲିଛି। ପଞ୍ଜାବର କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ବାହାରିଥିଲେ, କିନ୍ତୁ ସେମାନେ ଶମ୍ଭୁ ସୀମାରେ ଅଟକି ଯାଇଥିଲେ। ଏହି ସମୟ ମଧ୍ୟରେ କୃଷକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖାଯାଇଥିଲା। ଏଥିରେ ଅନେକ କୃଷକ ଏବଂ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶମ୍ଭୁ ସୀମାରେ କୃଷକମାନଙ୍କ ଉପରକୁ ଚାଲିଲା ଲୁହବୁହା ଗ୍ୟାସ, ୫ ମ ପର୍ଯ୍ୟାୟ ଆଲୋଚନା ପାଇଁ କହିଲେ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଯେତେବେଳେ କୃଷକମାନେ ଦିଲ୍ଲୀ ଚଲୋ ମାର୍ଚ୍ଚରେ ଆଗକୁ ବଢିବା ଆରମ୍ଭ କଲେ ସେତେବେଳେ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଗୁଳି ଚାଳନା କରାଯାଇଥିଲା। ଏହି କାରଣରୁ ଘଟଣାସ୍ଥଳରେ ଏକ ବଡ଼ ଧରଣର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ତେବେ ସେପଟେ କୃଷକ ନେତା ସରଭନ ସିଂ ପଣ୍ଢେର୍ ବିକ୍ଷୋଭକାରୀଙ୍କୁ ଆଗକୁ ନଆସିବାକୁ ନିବେଦନ କରିଛନ୍ତି।

ଏଥି ସହ ୫ ମ ପର୍ଯ୍ୟାୟ ଆଲୋଚନା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କୃଷକ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏବଂ ଶାନ୍ତି ବଜାୟ ରଖିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୃଷିମନ୍ତ୍ରୀ କହିଛନ୍ତି।