Categories
ଆଜିର ଖବର ଖେଳ

ସୁପର ଓଭର ବିଜୟ ସହିତ ସିରିଜ୍‌ ଜିତିଲା ଭାରତ

ହାମିଲଟନ: ସୁପର ଓଭରରେ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ସିରିଜ୍‌ ବିଜୟୀ ହୋଇଛି ଭାରତୀୟ ଦଳ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ବିଜୟ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ୍‌ ବିଜୟୀ ହୋଇଛି ଭାରତ। ବୁମ୍‌ରା ସୁପର ଓଭରରେ ୧୭ ରନ୍‌ ପ୍ରଦାନ କରିଥିବା ବେଳେ ପ୍ରଥମ ଦୁଇ ବଲ୍‌ରେ ଭାରତ ତିନି ରନ୍‌ ସଂଗ୍ରହ କରିଥିଲା। ତୃତୀୟ ବଲ୍‌ରେ ରାହୁଲ୍‌ ଚୌକା ମାରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଏକ ରନ୍‌ ନେଇଥିଲେ। ଅନ୍ତିମ ଦୁଇ ବଲ୍‌ରୁ ୧୦ ରନ୍‌ ଆବଶ୍ୟକ ରହିଥିବା ବେଳେ ଅନ୍ତିମ ଦୁଇ ବଲ୍‌ରେ ଛକ୍କା ମାରି ରୋହିତ ମ୍ୟାଚ୍‌ ସମାପ୍ତ କରିବା ସହ ଭାରତକୁ ବିଜୟୀ କରାଇଥିଲେ।

ମ୍ୟାଚ୍‌ର ଅନ୍ତିମ ଓଭରରେ ବିଜୟ ପାଇଁ ୯ରନ୍‌ ଆବଶ୍ୟକ ସାମିଙ୍କ ବେଳେ ପ୍ରଥମ ବଲ୍‌ରୁ ଟେଲର 6 ରନ୍‌ ହାସଲ କରିଥିଲେ। ତୃତୀୟ ବଲ୍‌ରେ ଓ୍ବିଲିୟମ୍‌ସନ୍‌ ଆଉଟ୍‌ ହେବା ସହିତ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଚତୁର୍ଥ ବଲ୍‌ ଡଟ୍‌ ହେବା ସହିତ ପଞ୍ଚମ ବଲ୍‌ରୁ ୧ ରନ୍‌ ସଂଗୃହୀତ ହୋଇଥିଲା। ଅନ୍ତିମ ବଲ୍‌ରେ ୧ ରନ୍‌ ଆବଶ୍ୟକ ଥିବା ବେଳେ ସାମି ରସ୍‌ ଟେଲର୍‌ଙ୍କୁ ବୋଲ୍ଡ କରି ମ୍ୟାଚ୍‌କୁ ସୁପର ଓଭରକୁ ନେଇଥିଲେ। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ଦୁର୍ଦ୍ଦୁଷ ବ୍ୟାଟିଂ ସତ୍ତ୍ବେ ଦଳ ମ୍ୟାଚ୍‌ ବିଜୟୀ ହେବାରେ ସକ୍ଷମ ହୋଇ ନଥିଲା। ୧୮୦ ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଓ୍ବିଲିୟମ୍‌ସନ୍‌ଙ୍କ ୯୫ ରନ୍‌ ସହାୟତାରେ ୧୭୯ ରନ୍‌ ସଂଗ୍ରହ କରିଥିଲା। ଓ୍ବିଲିୟମ୍‌ସନ୍‌ ୪୮ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୬ଟି ଛକ୍କା ସହାୟତାରେ ରନ୍‌ ସଂଗ୍ରହ କରିଥିଲେ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରୋହିତ ଶର୍ମାଙ୍କ ୬୫ରନ୍‌ ଏବଂ ବିରାଟ କୋହଲିଙ୍କ ୩୮ ରନ୍‌ ସହାୟତାରେ ୫ ଓ୍ବିକେଟ ହରାଇ ୧୭୯ ରନ୍‌ ସଂଗ୍ରହ କରିଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍‌ ୫୪ ରନ୍‌ରେ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦୁଇ ସ୍ପିନର ଇସ୍‌ ସୋଧୀ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଓ୍ବିଲିୟମସନ୍‌ଙ୍କ ବ୍ୟତିତ ମାର୍ଟିନ୍‌ ଗପ୍ତିଲ ୩୧ ରନ୍‌ର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। (ଏଜେନ୍ସୀ)

 

Categories
ଆଜିର ଖବର ଖେଳ

ସ୍ମିଥ୍‌ଙ୍କ ଶତକ : ଭାରତ ସମ୍ମୁଖରେ 287 ରନ୍‌ର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ 287 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଶତକ ସହାୟତାରେ 286 ରନ୍‌ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍‌ 131 ରନ୍‌ ସଂଗ୍ରହ କରିଥିବା ବେଳେ ଲାବୁଶ୍ଚାଞ୍ଜେ (54) ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମିଥ୍‌ 132 ବଲ୍‌ର ସମ୍ମୁଖୀନ ହୋଇ 14ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 131 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବରେ ମହମ୍ମଦ ସାମି 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାଡେଜା ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଏବଂ ନବଦୀପ ସାଇନି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ରାଜକୋଟ ଦିନିକିଆରେ ବିଜୟ ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି ଭାଙ୍ଗିବା ପରେ ଇନଫର୍ମ ଲାବୁଶ୍ଚାଞ୍ଜେ(46) ଏବଂ ସ୍ମିଥ୍‌ (98)ଙ୍କ ମଧ୍ୟରେ 96 ରନ୍‌ର ଭାଗିଦାରୀ ହୋଇଥିଲା । ଲାବୁଶ୍ଚାଞ୍ଜେଙ୍କୁ ଆଉଟ୍‌ କରି ଜାଡେଜା ପୁନର୍ବାର ଏହି ଯୋଡି ଭାଙ୍ଗିଥିଲେ । ଏହାପରେ ସ୍ମିଥ ଗୋଟିଏ ପଟୁ ଆକ୍ରମଣ କରୁଥିବା ବେଳେ କୁଲ୍‌ଦୀପ ଯାଦବ ଗୋଟିଏ ଓଭରରେ ଆଲେକ୍ସ କେରୀ ଏବଂ ସ୍ମିଥ୍‌ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ପରେ ମହମ୍ମଦ ସାମି ଲଗାତାର ବଲ୍‌ରେ ଟର୍ଣ୍ଣର ଏବଂ କମିନ୍‌ସଙ୍କୁ ଆଉଟ କରିବା ପରେ ବିଜୟ କେବଳ ଔପଚାରିକତା ରହିଥିଲା । ଶେଷରେ ଅଷ୍ଟ୍ରେଲିଆ 304 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି 77 ରନ୍‌ରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସାଇନି ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜାମ୍ପାଙ୍କୁ ଆଉଟ କରି ବୁମ୍‌ରା ମ୍ୟାଚ୍‌ ସମାପ୍ତ କରିଥିଲେ । ଶିଖର ଧଓ୍ବନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ବାରବାଟୀ ଦିନିକିଆ : ଜାଡେଜା ଦେଲେ ପ୍ରଥମ ସଫଳତା

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତକୁ ପ୍ରଥମ ସଫଳତା ମିଳିଛି । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ଦଳକୁ ପ୍ରଥମ ସଫଳତା ଦେଇଛନ୍ତି । ଜାଡେଜା ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରୁ ଓ୍ବିଣ୍ଡିଜ୍‌ 20 ଓଭର ଶେଷ ସୁଦ୍ଧା 2 ଓ୍ବିକେଟ ହରାଇ 74 ରନ୍‌ ସଂଗ୍ରହ କରିଛି । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ମ୍ୟାଚ୍‌ର 15 ତମ ଓଭରରେ ସ୍ପିନର ରବୀନ୍ଦ୍ର ଜାଡେଜା ଏଭିନ୍‌ ଲୁଇସ(17)ଙ୍କୁ ନବଦୀପ୍‌ ସାଇନିଙ୍କ ଦ୍ବାରା ଆଉଟ କରି ପ୍ରଥମ ସଫଳତା ହାସଲ କରିଥିଲେ । ଏହାର ପରବର୍ତ୍ତୀ ଓଭରରେ ଏକ ଚମତ୍କାର ଇନ୍‌ ସ୍ବିଙ୍ଗରରେ ହୋପ୍‌ଙ୍କୁ ଆଉଟ କରିଥିଲେ ମହମ୍ମଦ ସାମି । ଓ୍ବିଣ୍ଡିଜ୍‌ ପକ୍ଷରୁ ହୋପ୍‌ 50ଟି ବଲ୍‌ର ସମ୍ମୁଖୀନ ହୋଇ 42 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଟପ୍‌ ଟେନ୍‌ରେ ପ୍ରବେଶ କଲେ ମହମ୍ମଦ ସାମି

ନୂଆଦିଲ୍ଲୀ,4/12: ଭାରତୀୟ ପେସ୍‌ ବୋଲର ମହମ୍ମଦ ସାମି ଆଇସିସି ରାଙ୍କିଙ୍ଗର ଶ୍ରେଷ୍ଠ 10 ମଧ୍ୟରେ ପ୍ରବେଶ କରିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ ପରେ ସାମିଙ୍କୁ ଏହି ପୁରସ୍କାର ମିଳିଛି । ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ସାମି 10 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ 13ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ବାଂଲାଦେଶ ବିପକ୍ଷ ସିରିଜ୍‌ରେ 9ଟି ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ୟାଟ୍‌ କମିନ୍‌ସ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ଅଶ୍ବିନ୍‌ ନବମ ଏବଂ ବୁମ୍‌ରା ତୃତୀୟ ସ୍ଥାନରେ ରହିଛନ୍ତି ।

Categories
ଆଜିର ଖବର

ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା : ଭୁବନେଶ୍ବର ଓ ସାମିଙ୍କ ପ୍ରତ୍ୟାବର୍ତ୍ତନ

ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି ।

ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର ।

ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍‌, କେ ଏଲ୍‌ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ୍‌ ସୁନ୍ଦର, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର । (ଏଜେନ୍ସୀ)