ରାଜକୋଟ ଦିନିକିଆରେ ବିଜୟ ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ

Published: Jan 17, 2020, 9:31 pm IST

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି ଭାଙ୍ଗିବା ପରେ ଇନଫର୍ମ ଲାବୁଶ୍ଚାଞ୍ଜେ(46) ଏବଂ ସ୍ମିଥ୍‌ (98)ଙ୍କ ମଧ୍ୟରେ 96 ରନ୍‌ର ଭାଗିଦାରୀ ହୋଇଥିଲା । ଲାବୁଶ୍ଚାଞ୍ଜେଙ୍କୁ ଆଉଟ୍‌ କରି ଜାଡେଜା ପୁନର୍ବାର ଏହି ଯୋଡି ଭାଙ୍ଗିଥିଲେ । ଏହାପରେ ସ୍ମିଥ ଗୋଟିଏ ପଟୁ ଆକ୍ରମଣ କରୁଥିବା ବେଳେ କୁଲ୍‌ଦୀପ ଯାଦବ ଗୋଟିଏ ଓଭରରେ ଆଲେକ୍ସ କେରୀ ଏବଂ ସ୍ମିଥ୍‌ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ପରେ ମହମ୍ମଦ ସାମି ଲଗାତାର ବଲ୍‌ରେ ଟର୍ଣ୍ଣର ଏବଂ କମିନ୍‌ସଙ୍କୁ ଆଉଟ କରିବା ପରେ ବିଜୟ କେବଳ ଔପଚାରିକତା ରହିଥିଲା । ଶେଷରେ ଅଷ୍ଟ୍ରେଲିଆ 304 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି 77 ରନ୍‌ରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସାଇନି ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜାମ୍ପାଙ୍କୁ ଆଉଟ କରି ବୁମ୍‌ରା ମ୍ୟାଚ୍‌ ସମାପ୍ତ କରିଥିଲେ । ଶିଖର ଧଓ୍ବନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Related posts