ଭୋପାଳ: ଆଜି ମଧ୍ୟପ୍ରଦେଶ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ 28 ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି 28 ଜଣଙ୍କ ମନ୍ତ୍ରୀରେ 20ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।
ତେବେ ଆଜି ଶିବରାଜଙ୍କ କ୍ୟାବିନେଟ୍ରେ ଶପଥ ଗ୍ରହଣ କରିଥିବା 28 ଜଣ ମନ୍ତ୍ରୀଙ୍କ ମଧ୍ୟରେ 9 ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ରହିଛନ୍ତି । ସିନ୍ଧିଆଙ୍କ ମୋଟ୍ 11 ଜଣ ସମର୍ଥକ ଏବେ ଶିବରାଜଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଛନ୍ତି ।ଆଜି ଶପଥ ନେଇଥିବା ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରେ ରହିଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଯଶୋଧାରା ରାଜେ ସିନ୍ଧିଆ ସମେତ ଅନେକ ବଡ ବଡ ନେତା ସାମିଲ୍ ରହିଛନ୍ତି । ତେବେ ଏହି ଶପଥ ଗ୍ରହଣ ସମାରୋହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିଥିଲେ । କ୍ୟାବିନେଟ୍ ସମ୍ପ୍ରସାରଣ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ଦିଲ୍ଲୀ ଆସି ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ ।