ଉତ୍ତରପ୍ରଦେଶ : ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରୁ ପୁଣି ଜଣେ ପୂଜକଙ୍କ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ୟୁପିର ଗୋଣ୍ଡା ଜିଲ୍ଲାର କିଛି ବଦମାସମାନେ ମନ୍ଦିରର ମହନ୍ତଙ୍କୁ ଗୁଳି କରିଛନ୍ତି । ରାମ ଜାନକୀ ମନ୍ଦିରର ମହନ୍ତଙ୍କୁ ଶୋଇଥିବା ସମୟରେ ଆକ୍ରମଣକାରୀ ମାନେ ତାଙ୍କୁ ଗୁଳି କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଏହି ଘଟଣା ପଛରେ ମନ୍ଦିରର ଜମି ବିବାଦ ଘଟଣା ରହିଥିବାର ସୂଚନା ରହିଛି । ମନ୍ଦିରର ଜମି ଉପରେ ମାଫିଆମାନଙ୍କର ନଜର ରହିଥିଲା ।
ମିଳିଥିବା ସୂ ଚନା ଅନୁସାରେ ଶନିବାର ବିଳମ୍ବିତ ରାତ୍ରିରେ ମନ୍ଦିର ପରିସରରେ ମହନ୍ତଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି। ରାମଜାନକୀ ମନ୍ଦିରର ମହନ୍ତ ସମ୍ରାଟ୍ ଦାସଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କୁ ଚିକିତ୍ସା କରିବା ପାଇଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ରାମ ଜାନକୀ ମନ୍ଦିର ନିକଟରେ ପ୍ରାୟ 100 ବିଘା ଜମିନ୍ ରହିଛି । ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ ହେବ । ଏହି ଜମି ଉପରେ ଭୂମି ମାଫିଆଙ୍କ ନଜର ରହିଥିଲା । ପୂର୍ବରୁ ମନ୍ଦିରର ଜମିକୁ ନେଇ ମଧ୍ୟ ବିବାଦ ରହିଛି । ତେବେ ଏହି ଘଟଣାରେ ସମ୍ରାଟ୍ ଦାସ ଚାରିଜଣଙ୍କୁ ଉପରେ ସନ୍ଦେହ ପ୍ରକଟ କରିଥିଲେ । ତେବେ ଘଟଣାସ୍ଥଳରେ ଗୋଣ୍ଡା ପୋଲିସ୍ ପହଞ୍ଚି ତଦନ୍ତ କରିବା ସହ ପଚରାଉଚୁରା ଜାରି ରଖିଛି ।