Categories
ଆଜିର ଖବର ଜାତୀୟ ଖବର

ରାଜ୍ୟମାନଙ୍କ ଅନୁରୋଧରେ ମିଳିବ ଶ୍ରମିକ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ : ରାଜ୍ୟଗୁଡିକର ଆବଶ୍ୟକତା ଏବଂ ଅନୁରୋଧରେ ଅନୁସାରେ ଶ୍ରମିକ ସ୍ପେଶାଲ ଟ୍ରେନ ମିଳିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ମତ ଦେଇଛନ୍ତି । ରେଳ ବୋର୍ଡ ଅଧ୍ୟକ୍ଷ ବିଭିନ୍ନ ରାଜ୍ୟକୁ ପତ୍ର ଲେଖିବା ପରେ ବର୍ତ୍ତମାନ ସୁଦ୍ଧା କେତେକ ରାଜ୍ୟ ମୋଟ ୬୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ବରାଦ କରିଛନ୍ତି । ୭ଟି ରାଜ୍ୟ ଯଥା – କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ ଓ କଶ୍ମୀର ଶ୍ରମିକ ଶ୍ପେଶାଳ ଟ୍ରେନ ପାଇଁ ବରାଦ କରିଛନ୍ତି । ୬୩ ରୁ ଆନ୍ଧ୍ରପ୍ରଦେଶ ୩ଟି ଟ୍ରେନ ବରାଦ କରିଥିବାବେଳେ ଗୁଜରାଟ ଗୋଟିଏ, ଜମ୍ମୁ କଶ୍ମୀର ୯ଟି, କର୍ଣ୍ଣାଟକ ୬ଟି, କେରଳ ୩୨ଟି, ତାମିଲନାଡୁ ୧୦ଟି ଏବଂ ପଶ୍ଚିମବଙ୍ଗ ୨ଟି ଟ୍ରେନ ବରାଦ କରିଛନ୍ତି । ଉତ୍ତରପ୍ରଦେଶ ଆବଶ୍ୟକତା ଅନୁସାରେ ବରାଦ କରିବ । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେଳ ଏପର‌୍ୟ୍ୟନ୍ତ ୪,୨୭୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ପ୍ରାୟ ୬୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ର ଦୂରାବସ୍ଥା ନେଇ ସରକାରଙ୍କୁ ପ୍ରିୟଙ୍କାଙ୍କ ସମାଲୋଚନା

ନୂଆଦିଲ୍ଲୀ : ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ଶ୍ରମିକଙ୍କ ଦୂରାବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଦେଶରେ ଚାଲୁଥିବା ବିଭିନ୍ନ ଶ୍ରମିକ ଟ୍ରେନ୍‌ ମଧ୍ୟରୁ 40 ପ୍ରତିଶତ ଟ୍ରେନ୍‌ ବିଳମ୍ବରେ ଚାଲୁଛି । ଏପରି ଅବ୍ୟବସ୍ଥା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ 80 ଜଣ ଶ୍ରମିକ ପ୍ରାଣ ହରାଇଲେଣି । ଅସୁସ୍ଥ ଲୋକ ଯାତ୍ର ନକରିବା ପାଇଁ ସରକାରଙ୍କ ତରଫରୁ କୁହାଯାଉଛି ଯାହାକି ନିତାନ୍ତ ହାସ୍ୟାସ୍ପଦ ବୋଲି ପ୍ରିୟଙ୍କା କହିଛନ୍ତି । ଯେତେବେଳେ ଶ୍ରମିକଙ୍କ ପାଇଁ ସରକାର ଏବଂ ଭାରତୀୟ ରେଳବାଇ ସମ୍ବେଦନଶୀଳ ହେବା ଉଚିତ୍‌ ସେ ସମୟରେ ଏଭଳି ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି ।

ତେବେ ପ୍ରିୟଙ୍କାଙ୍କ ଏଭଳି ମନ୍ତବ୍ୟକୁ ରେଳବାଇ ପକ୍ଷରୁ ଖଣ୍ଡନ କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ କହିଛନ୍ତି, ବର୍ତ୍ତମାନର ଘଡିସନ୍ଧି ମୂହୂର୍ତ୍ତରେ ଉତ୍ତମ ସେବା ଯୋଗାଇବା ପାଇଁ ଭାରତୀୟ ରେଳବାଇର 12 ଲକ୍ଷ କର୍ମଚାରୀ ଅହୋରାତ୍ର ନିୟୋଜିତ ଅଛନ୍ତି । ସେହିପରି ସମସ୍ତ ମୃତ୍ୟୁର ତଦନ୍ତ ଜାରି ରହିଛି । ତେଣୁ ଏପରି ସମୟରେ ପ୍ରିୟଙ୍କା ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରୁହନ୍ତୁ ବୋଲି ଯାଦବ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଚେନ୍‌ ଟାଣି ଓହ୍ଲାଇଲେ 500 ପ୍ରବାସୀ ଶ୍ରମିକ

ଭୁବନେଶ୍ବର : ପୁଣି ଥରେ ଚେନ୍‌ଟାଣି ଟ୍ରେନ୍‌ରୁ ଓହ୍ଲାଇଛନ୍ତି ପ୍ରବାସୀ । ଝାରଖଣ୍ଡର ବୋକାରୋରେ ଏହି ଘଟଣା ଘଟିଛି । ରାଉରକେଲାରୁ 100 କିମି ଦୂର ଝାରଖଣ୍ଡର କାନାରାଓ୍ବାଁ ଷ୍ଟେସନ୍‌ରେ ଏହି ପ୍ରବାସୀ ମାନେ ଓହ୍ଲାଇଛନ୍ତି । କୋହ୍ଲାପୁରରୁ ବୋକାରୋ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଏହି ଘଟଣା ଘଟିଛି । ଟ୍ରେନ୍‌ଟି ଓଡିଶାରେ ନ ରହିବାରୁ ପ୍ରବାସୀ ମାନେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଥିଲେ । ଆଜିର ଦିନରେ ଏହା ଦ୍ବିତୀୟ ଘଟଣା ସକାଳେ ନୂଆପଡାରେ ମଧ୍ୟ 200 ଶ୍ରମିକ ଚେନ୍‌ ଟାଣି ଓହ୍ଲାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡ ଅଭିମୁଖେ ଭୁବନେଶ୍ବରରୁ ଛାଡିଲା ଶ୍ରମିକ ସ୍ପେସିଆଲ ଟ୍ରେନ୍‌

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବରରୁ ଛାଡିଛି ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରିଛି । ରାଜ୍ୟର 13ଟି ଜିଲ୍ଲାରେ କାମ କରୁଥିବା ଛତିଶଗଡର ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଟ୍ରେନ୍‌ ଯୋଗେ ପଠାଯାଇଛି । କୋରାପୁଟ, ଜଗତସିଂହପୁର, ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର, ବାଲେଶ୍ବର, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ,ଅନୁଗୋଳ ଏବଂ ଖୋର୍ଦ୍ଧାରେ କାର୍ଯ୍ୟରତ ପ୍ରବାସୀ ମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଅଣାଯାଇ ନନ୍ଦନକାନନ ନିକଟସ୍ଥ ରେଳଷ୍ଟେସନ୍‌ରୁ ପଠାଯାଇଥିଲା ।

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ଏବଂ ତାଙ୍କର ପିଲାଙ୍କୁ ଡାକ୍ତରୀ ପରୀକ୍ଷଣ କରାଯିବା ସହିତ ଷ୍ଟାମ୍ପିଂ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବକୁ ପାଳନ କରି ସମସ୍ତ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯାଇଥିଲା । ଅପରାହ୍ନ 4ଟାରେ ପ୍ରାୟ 1 ହଜାର ଶ୍ରମିକ 08425 ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ମହିଳାଙ୍କ ସନ୍ତାନ ପ୍ରସବ

ଭୁବନେଶ୍ବର : କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ସନ୍ତାନ ପ୍ରସବ କରିଛନ୍ତି ମହିଳା । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୂଚନା ଅନୁଯାୟୀ, ତାମିଲନାଡୁ ରାଜ୍ୟର କିଝିପେଟରୁ ବଲାଙ୍ଗୀର ଆସୁଥିବା ଶ୍ରମିକ ଟ୍ରେନରେ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନ୍‌କୁ ଟିଟିଲାଗଡ଼ ରେଳଷ୍ଟେସନରେ କିଛି ଘଣ୍ଟା ଧରି ଅଟକାଇ ଦିଆଯାଇଥିଲା । ଷ୍ଟେସନ ମ୍ୟାନେଜର ଖବର ପାଇବା ପରେ ଟିଟିଲାଗଡ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଷ୍ଟେସନରେ ପହଞ୍ଚି ମହିଳା ଓ ନବ ଜନ୍ମିତ ଶିଶୁଟିକୁ ଟିଟିଲାଗଡ ହସ୍ପିଟାଲକୁ ନେଇଥିଲେ । ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ ଦୁହେଁ ସୁସ୍ଥ ଥିବା ଏସଡିଏମଓ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା 10 ଦିନ ମଧ୍ୟରେ ଚାଲିବ 2600 ଶ୍ରମିକ ସ୍ପେସିଆଲ୍‌

ନୂଆଦିଲ୍ଲୀ : ଆସନ୍ତା 10 ଦିନ ମଧ୍ୟରେ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବ । ଶନିବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ । ଜୁନ୍‌ 2 ପରଠାରୁ ସାଧାରଣ ଟ୍ରେନ୍‌ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବାର ନିଷ୍ପତ୍ତି ନିଆଯାଇଛି । ମେ 1 ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସିଆଲ ସେବା ଦ୍ବାରା ବର୍ତ୍ତମାନ ସୁଦ୍ଧା ଦେଶରେ 36 ଲକ୍ଷ ପ୍ରବାସୀ ଉପକୃତ ହୋଇଛନ୍ତି । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର 80 ପ୍ରତିଶତ ଉତ୍ତର ପ୍ରଦେଶ ଏବଂ ବିହାର ଦ୍ବାରା ବ୍ୟବହୃତ ହୋଇଛି ବୋଲି ଯାଦବ ମତ ଦେଇଛନ୍ତି । ସେହିପରି ଅନ୍‌ଲାଇନ୍‌ରେ ଲୋକ ଟିକେଟ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଦେଶ ବ୍ୟାପୀ 1000ରୁ ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିବା ନେଇ ଯାଦବ ସୂଚନା ଦେଇଛନ୍ତି । (ଏଜେନ୍ସି)