ଛତିଶଗଡ ଅଭିମୁଖେ ଭୁବନେଶ୍ବରରୁ ଛାଡିଲା ଶ୍ରମିକ ସ୍ପେସିଆଲ ଟ୍ରେନ୍‌

Published: May 24, 2020, 8:36 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବରରୁ ଛାଡିଛି ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରିଛି । ରାଜ୍ୟର 13ଟି ଜିଲ୍ଲାରେ କାମ କରୁଥିବା ଛତିଶଗଡର ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଟ୍ରେନ୍‌ ଯୋଗେ ପଠାଯାଇଛି । କୋରାପୁଟ, ଜଗତସିଂହପୁର, ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର, ବାଲେଶ୍ବର, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ,ଅନୁଗୋଳ ଏବଂ ଖୋର୍ଦ୍ଧାରେ କାର୍ଯ୍ୟରତ ପ୍ରବାସୀ ମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଅଣାଯାଇ ନନ୍ଦନକାନନ ନିକଟସ୍ଥ ରେଳଷ୍ଟେସନ୍‌ରୁ ପଠାଯାଇଥିଲା ।

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ଏବଂ ତାଙ୍କର ପିଲାଙ୍କୁ ଡାକ୍ତରୀ ପରୀକ୍ଷଣ କରାଯିବା ସହିତ ଷ୍ଟାମ୍ପିଂ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବକୁ ପାଳନ କରି ସମସ୍ତ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯାଇଥିଲା । ଅପରାହ୍ନ 4ଟାରେ ପ୍ରାୟ 1 ହଜାର ଶ୍ରମିକ 08425 ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Related posts