Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡ ଅଭିମୁଖେ ଭୁବନେଶ୍ବରରୁ ଛାଡିଲା ଶ୍ରମିକ ସ୍ପେସିଆଲ ଟ୍ରେନ୍‌

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବରରୁ ଛାଡିଛି ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରିଛି । ରାଜ୍ୟର 13ଟି ଜିଲ୍ଲାରେ କାମ କରୁଥିବା ଛତିଶଗଡର ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଟ୍ରେନ୍‌ ଯୋଗେ ପଠାଯାଇଛି । କୋରାପୁଟ, ଜଗତସିଂହପୁର, ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର, ବାଲେଶ୍ବର, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ,ଅନୁଗୋଳ ଏବଂ ଖୋର୍ଦ୍ଧାରେ କାର୍ଯ୍ୟରତ ପ୍ରବାସୀ ମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଅଣାଯାଇ ନନ୍ଦନକାନନ ନିକଟସ୍ଥ ରେଳଷ୍ଟେସନ୍‌ରୁ ପଠାଯାଇଥିଲା ।

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ଏବଂ ତାଙ୍କର ପିଲାଙ୍କୁ ଡାକ୍ତରୀ ପରୀକ୍ଷଣ କରାଯିବା ସହିତ ଷ୍ଟାମ୍ପିଂ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବକୁ ପାଳନ କରି ସମସ୍ତ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯାଇଥିଲା । ଅପରାହ୍ନ 4ଟାରେ ପ୍ରାୟ 1 ହଜାର ଶ୍ରମିକ 08425 ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ଧକ୍କାରେ 2 ଦାଦନ ଶ୍ରମିକ ମୃତ

ବବ୍‌ଲୁ ସାହୁ
ଗୋଲାମୁଣ୍ଡା : ଛତିଶଗଡ଼ରେ ଟ୍ରକ ଚାପାରେ ଦୁଇ ଓଡ଼ିଆ ଶ୍ରମିକ ମୃତ । କରୋନା ଯୋଗୁଁ ଲକଡାଉନ ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକର କୁହୁରା ଗ୍ରାମରେ ଦୁଇ ଶ୍ରମିକ ବୈଷ୍ଣବ ପୁଟେଲ (25) ଓ ଭୁପିନ୍ଦର ପୁଟେଲ (35) ନିଜ ଗ୍ରାମର ତିନି ଜଣଙ୍କ ସହିତ ମୁମ୍ବାଇରୁ ଟ୍ରକ ଯୋଗେ ଆସିଥିଲେ । ଛତିଶଗଡ଼ ମହାସମୁନ୍ଦ୍ର ଠାରେ ଗତକାଲି ରାତ୍ର ୯ ଘଣ୍ଟା ସମୟରେ ରାସ୍ତାପାର ହେଉଥିବା ବେଳେ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପରିବାର ଲୋକେ ମହାସମୁନ୍ଦ୍ର ପହଂଚିଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ଏନକାଉଣ୍ଟର : ସିଆରପିଏଫ୍‌ ଯବାନ ଶହୀଦ

ରାୟପୁର : ଛତିଶଗଡରେ ଏକ ଏନ୍‌କାଉଣ୍ଟର ଘଟି ଜଣେ ସଶସ୍ତ୍ର ସୁରକ୍ଷା ବଳ ଅଧିକାରୀ ଶହୀଦ ହୋଇଛନ୍ତି । ସୋମବାର ମାଓବାଦୀଙ୍କ ସହିତ ଏନ୍‌କାଉଣ୍ଟର ସମୟରେ ଯବାନ ଜଣକ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାର ଉରିପାଲ ଜଙ୍ଗଲରେ ଏନ୍‌କାଉଣ୍ଟର ସମୟରେ 32 ବର୍ଷୀୟ ଏହି ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଶହୀଦ ଯବାନ ଜଣଙ୍କ ହେଉଛନ୍ତି ମାନ୍ନା କୁମାର ଏବଂ ସେ ଝାରଖଣ୍ଡର ସାହିବଗଞ୍ଜର ବାସିନ୍ଦା । ସୋମବାର ଅପରାହ୍ନ 2.11 ମିନିଟ୍‌ ସମୟରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କୋମାରେ ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ

ରାୟପୁର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ କୋମାକୁ ଯାଇଛନ୍ତି । ଗତକାଲି ଠାରୁ ଭେଣ୍ଟିଲେଟରରେ ରହିଥିବା ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହିତ ସେ କୋମାକୁ ଯାଇଥିବା ଜଣାପଡିଛି । ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୀଙ୍କୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନ୍‌ରେ ରଖାଯିବ ବୋଲି ଜଣାପଡିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ହୃଦ୍‌ଘାତ କାରଣରୁ ନିଜ ବାସଭବନର ପଡିଆରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ଅଜିତ୍‌ ଯୋଗୀ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡ ପେପର କାରଖାନାରୁ ଗ୍ୟାସ୍ ଲିକ୍‌ : 7 ଜଣ ହସ୍ପିଟାଲରେ ଭର୍ତ୍ତି

ରାୟଗଡ : ଛତିଶଗଡର ରାୟଗଡରେ ଏକ ପେପର ମିଲ୍‌ରୁ ଗ୍ୟାସ୍‌ଲିକ୍‌ ଘଟିଛି । ଏହି ଗ୍ୟାସ୍‌ ଲିକ୍‌ ଘଟଣାରେ 7 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ପେପର ମିଲ୍‌ର ଏକ ଟାଙ୍କି ସଫା କରୁଥିବା ବେଳେ ଏହି ଗ୍ୟାସ୍‌ ଲିକ୍‌ ହୋଇଥିବା ନେଇ ରାୟଗଡ ଏସ୍‌ପି ସୂଚନା ଦେଇଛନ୍ତି । ସକାଳୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଏକ ରାସାୟନିକ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ 11 ଜଣଙ୍କ ପ୍ରଶହାନି ଘଟିଥିବା ବେଳେ ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନକ୍ସଲ ଆକ୍ରମଣରେ ତିନି ପୋଲିସ୍‌ ଶହୀଦ

ଛତିଶଗଡ : ଛତିଶଗଡରେ ନକ୍ସଲ ଆକ୍ରମଣରେ ତିନି ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଛତିଶଗଡର ବସ୍ତର ଜିଲ୍ଲାରେ ଶନିବାର ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯିବା କାରଣରୁ ତିନି ଜଣ ପୋଲିସ୍‌ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ସିଆରପିଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି । ରାସ୍ତା କାମ ଚାଲିଥିବା ବେଳେ ସୁରକ୍ଷା ପାଇଁ ପୋଲିସ୍‌ ଏବଂ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବରେ ପ୍ୟାଟ୍ରୋଲିଂ କରାଯାଇଥିଲା । ପ୍ୟାଟ୍ରୋଲିଂ ସମୟରେ ନକ୍ସଲଙ୍କ ପକ୍ଷରୁ ଅପରାହ୍ନ 3.30 ମିନିଟ୍‌ ସମୟରେ ଅଚାନକ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ପୋଲିସ୍‌ ଆଇଜି ପି ସୁନ୍ଦରରାଜ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ଆହତ ସିଆରପିଏଫ୍‌ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରୁ ବିଦା ହେଲେ ଅନୁପ ସାଏ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ରହିଥିବା ଅନୁପ ସାଏଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଏକ ହତ୍ୟା ମାମଲାରେ ଛତିଶଗଡ ପୋଲିସ୍‌ ଦ୍ବାରା ଗିରଫ ହେବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । କେବଳ ବିଜେଡିରୁ ନୁହେଁ ଅନୁପଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, 2016 ମସିହାରେ ଡବଲ ମର୍ଡର ଅଭିଯୋଗରେ ସାଏଙ୍କୁ ଛତିଶଗଡଗର ଚକ୍ରଧରପୁର ପୋଲିସ୍‌ ଗିରଫ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ହତ୍ୟା ମାମଲାରେ ପୂର୍ବତନ ବିଜେଡି ବିଧାୟକ ଅଟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଝାରସୁଗୁଡାର ପୂର୍ବତନ ବିଜେଡି ବିଧାୟକଙ୍କୁ ଛତିଶଗଡ ପୋଲିସ୍‌ ଗିରଫ କରିଛି । ଏକ ହତ୍ୟା ମାମଲାରେ ଛତିଶଗଡ ପୁଲିସ୍‌ ଗତକାଲି ରାତିରେ ବିଜେଡି ନେତା ଅନୁପ ସାଏଙ୍କୁ ଉଠାଇ ନେଇଛି । ଏକ ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ ପୁଲିସ୍‌ ପଚରା ଉଚୁରା ଜାରି ରଖିଛି । ଛତିଶଗଡର ରାୟଗଡ ସ୍ଥିତ ଚକ୍ରଧରପୁର ଥାନାରେ ଅନୁପଙ୍କୁ ଅଟକ ରଖାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ଏନ୍‌କାଉଣ୍ଟର : ମହିଳା ମାଓବାଦୀ ମୃତ

ରାୟପୁର : ଛତିଶଗଡରେ ସୁରକ୍ଷା ବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁରରେ ପୋଲିସ୍ ଏବଂ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବରେ କମ୍ବିଂ ଅପରେସନ୍‌ କରାଯାଉଥିବା ବେଳେ ଏହି ଏନ୍‌କାଉଣ୍ଟର ହୋଇଛି । ରବିବାର ରାତି 9ଟା ସମୟରେ 204 କୋବ୍ରା ବାଟାଲିୟନ୍‌ ଏବଂ ସିଆରପିଏଫ୍‌ର 168 ବାଟାଲିୟନ୍‌ ପକ୍ଷରୁ ଏହି କମ୍ବିଂ ଅପରେସନ୍‌ କରାଯାଇଥିଲା । ବିଜାପୁରର ଟେକାଲଗୁଡେମରେ କମ୍ବିଂ ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିବା ବେଳେ ପ୍ରତି ଆକ୍ରମଣରେ ମହିଳା ମାଓବାଦୀ ପ୍ରାଣ ହରାଇଥିଲେ । ସୁରକ୍ଷା ବଳଙ୍କ ପକ୍ଷରୁ ମହିଳାଙ୍କ ମୃତ ଶରୀର ସହିତ ତିନୋଟି ରାଇଫଲ ଜବତ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏକାଧିକ ମାଓବାଦୀ ଲୁଚି ରହିଥିବା ନଇ ସୂଚନା ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । (ଏଜେନ୍ସୀ)

Categories
ଆଜିର ଖବର

ପେସ୍‌ ବୋଲରଙ୍କ ସଫଳତା : ଛତିଶଗଡକୁ ଇନିଂସ ଓ 3 ରନ୍‌ରେ ପରାସ୍ତ କଲା ଓଡିଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12 : ପେସ୍‌ ବୋଲରଙ୍କ ସଫଳତା ବଳରେ ରଣଜୀ ଟ୍ରଫିର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛି ଓଡିଶା । ଓଡିଶାର ପେସ୍‌ ବୋଲର ଛତିଶଗଡର ସମସ୍ତ 20 ଓ୍ବିକେଟ ଅକ୍ତିଆର କରିବାରୁ ଓଡିଶା ଏକ ଇନିଂସ ଏବଂ 3 ରନ୍‌ରେ ବିଜୟୀ ହୋଇଛି । ଛତିଶଗଡର ରାୟପୁରରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ରାଜେଶ ମହାନ୍ତି (47/6)ଙ୍କ ଘାତକ ବୋଲିଂ ଫଳରେ ଛତିଶଗଡ ମାତ୍ର 134 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ବସନ୍ତ ମହାନ୍ତି 3ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଅନ୍ୟ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ସୁଜିତ ଲେଙ୍କାଙ୍କ(56) ରନ୍‌ ସହାୟତାରେ ଓଡିଶା 215 ରନ୍‌ ସଂଗ୍ରହ କରିଥିଲା । 81 ରନ୍‌ ପଛରେ ରହିଥିବା ଛତିଶଗଡ ଦ୍ବିତୀୟ ଇନିଂସରେ ମାତ୍ର 78 ରନ୍‌ରେ ଅଲ୍‌ଆଉଟ ହେବାରୁ ଓଡିଶା ଇନିଂସ ଏବଂ ତିନି ରନ୍‌ରେ ବିଜୟୀ ହୋଇଥିଲା । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ 4ଟି ଲେଖାଏଁ ଓ୍ବିକେଟ କରିଥିବା ବେଳେ ବସନ୍ତ ମହାନ୍ତି ଅନ୍ୟ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୁଜିତ ଲେଙ୍କାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଇନିଂସ ବିଜୟ ପାଇଁ ବୋନସ ପଏଣ୍ଟ ସହିତ ଓଡିଶା 7 ପଏଣ୍ଟ ହାସଲ କରିଛି ।