Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍‌ କେନ୍ଦ୍ରରେ ସେ ରହିଥିଲେ । ନୋଡାଲ ଅଫିସର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ସହିତ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବାର ନିଷ୍ପତ୍ତି ନିଆଯାଇଛି ।

Categories
ଆଞ୍ଚଳିକ

ନିଜ ଖର୍ଚ୍ଚରେ ଗୋଆରୁ ଫେରିଲେ ୪୧ ପ୍ରବାସୀ ଶ୍ରମିକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରୁଥିବା ବେଳେ ଗୋଆରୁ ନିଜ ଖର୍ଚ୍ଚରେ ୪୧ ଜଣ ଶ୍ରମିକ କଳାହାଣ୍ଡିରୁ ଫେରିଥିବା ଜଣାପଡିଛି । ଗୋଆରୁ ୨ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରି ଗୋଆର ଏକ ଟ୍ରାଭେଲ ଏଜ ଏଜେନ୍ସିରୁ ଏକ ବସ ଯୋଗେ ଗୋଆରୁ ୪ତାରିଖ ସକାଳେ ଧର୍ମଗଡ ପହଂଚିଛନ୍ତି । ଧର୍ମଗଡ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଶ୍ରମିକ ମାନଙ୍କୁ ପର୍ଲାସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖାଯାଇଛି । ଉକ୍ତ ଶ୍ରମିକ ମାନେ ଓଡିଶା ଫେରିବା ପାଇଁ ଅନଲାଇନରେ ଆବେଦନ କରିଥିଲେ । ସେମାନଙ୍କୁ ଫେରିବା ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ନିଜ ନିଜ ଘରୁ ଟଙ୍କା ମଗାଇ ବସଭଡା ଦେଇ ଘରକୁ ଫେରିଥିବା ଜଣାପଡିଛି ।

Categories
ଆଞ୍ଚଳିକ

ହାତରୁ ପଇସା ଖର୍ଚ୍ଚ କରି ଫେରୁଛନ୍ତି କଳାହାଣ୍ଡିର ପ୍ରବାସୀ ଶ୍ରମିକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଯାଉଥିବା ବେଳେ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ରହୁଥିବା ବେଳେ ନିଜ ହାତରୁ ଖର୍ଚ୍ଚ କରି ରାଜ୍ୟକୁ ଫେରିଛନ୍ତି ।

ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା ଖର୍ଚ୍ଚ କରି ଗାଡି ଭଡା କରି ଘରକୁ ଫେରୁଥିବା ଦେଖାଯାଉଛି । ଗତ ୨୪ ତାରିଖ ଦିନ କଳାହାଣ୍ଡି ର ଧର୍ମଗଡ ବ୍ଲକ ହାତୀପଖାନ ଓ ବେହେରାଗୁଡା ଗ୍ରାମର ୪୩ ଜଣ ପ୍ରବାସୀ ଶ୍ରମିକ ଗୋଆରୁ ନିଜ ଖର୍ଚ୍ଚରେ ଏକ ବସ ଭଡା କରି ଧର୍ମଗଡ ଫେରିଥିଲେ । ଲକଡାଉନ ସ୍ଥିତିରେ କାମ ନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ବେଳେ ନିଜ ପାଖରେ ପାଇସାପତ୍ର ନଥିବାରୁ ବସଭଡା ବାବଦକୁ ୧ଲକ୍ଷ ୯୫ ହଜାର ଟଙ୍କା ନିଜ ନିଜ ଘରୁ ଟଙ୍କା ମଗାଇ ଫେରିଥିଲେ । ଅନଲାଇନ ରେ ଆବେଦନ କରିଥିଲେହେଁ ସେମାନଙ୍କୁ କୌଣସି ସରକାରୀ ବ୍ୟବସ୍ଥା କରାଯାଇନଥିବାରୁ ନିଜ ଖର୍ଚ୍ଚ କରି ଫେରିଥିବା ଉକ୍ତ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଜୟନ୍ତପୁର ଟିଏମସିରେ ରଖାଯାଇଥରବା ଜଣାପଡିଛି ।

ସେହିପରି ଦଣ୍ଡପାଟ ଅଂଚଳର ଛଂଚାଣ ବାହାଲି ଗ୍ରାମର ୪୦ ଜଣ ପ୍ରବାସୀ ଶ୍ରମିକ ଗୋଆର ରାଜଧାନୀ ପାଣାଜୀରୁ ୨ଲକ୍ଷ ୩୦ ହଜାର ଟଙ୍କା ଦେଇ ଏକ ଘରୋଇ ବସ ଭଡା କରି ଧର୍ମଗଡ ଫେରିଥିବା ଜଣାପଡିଛି । ଅନଲାଇନରେ ପଂଜୀକରଣ କରିଥିଲେହେଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ଗାଡି ଭଡା ଦେବାକୁ ଫ୍ୟାକ୍ଟ୍ରି ମାଲିକ ଠାରୁ ଅଗ୍ରିମ ଆଣି ବସଭଡାକରି ଫେରିଥିବା ପ୍ରକାଶ କରିଛନ୍ତି । ସେମାନଙ୍କୁ ଛଂଚାଣବାହାଲି ଟିଏମସିରେ ରଖାଯାଇଥିବା ପ୍ରକାଶ । ସରକାରଙ୍କ ପକ୍ଷରୁ କରାଯାଉଥିବା ପଞ୍ଜୀକରଣ କରାଯାଉଥିବା ବେଳେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତାରେ ପ୍ରାଣ ହରାଇଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ବର : ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପ୍ରାଣ ହରାଇଛନ୍ତି ଜଣେ ପ୍ରବାସୀ ଶ୍ରମିକ । ଚାଲି ଚାଲି ଫେରୁଥିବା ବେଳେ ସୋନପୁର କଳାପଥର ନିକଟରେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ । ପ୍ରବାସୀ ଜଣକ ମୁମ୍ବାଇରୁ ହାଓଡା ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏକ ଗାଡିରୁ ଓହ୍ଲାଇ 3 କିମି ଚାଲିବା ପରେ କଳାପଥର ନିକଟରେ ହଠାତ୍‌ ଚେତା ହରାଇ ପଡିଯାଇଥିଲେ । ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ ପ୍ରବାସୀ ଜଣକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ନାଗରିକ ବୋଲି ଜଣାପଡିଛି ।

Categories
ବିଶେଷ ଖବର

ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ରାଜ୍ୟରେ କରୋନା ଭାଇରସ୍‌ର ସଂକ୍ରମଣକୁ ନେଇ ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏହି ରୋଗଟି ଅତ୍ୟନ୍ତ ଭୟାବହ ଏବଂ ଅଦୃଶ୍ୟ ଶତ୍ରୁ । ଏହି ଭୂତାଣୂର ପ୍ରଭାବ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାର ମୁକାବିଲା ଯୋଜନା ମଧ୍ୟ ପରିବର୍ତ୍ତନଶୀଳ । ବିଗତ ଦୁଇ ମାସ ମଧ୍ୟରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବିଭିନ୍ନ ଡାକ୍ତରଙ୍କ ସହିତ ସରକାରଙ୍କ ପକ୍ଷରୁ ପରାମର୍ଶ କରିବା ସହିତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯାଇଛି । ଏହି ସମୟଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଆସନ୍ତା ପନ୍ଦର ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଥିବା ନେଇ ମୁଖ୍ୟ ଶାସନ ସଚିବ ମତ ଦେଇଛନ୍ତି । ଏହା ମଧ୍ୟରେ ଏକ 15 ଦିନିଆ ଆଇସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସଚେତନତା କାର୍ଯ୍ୟକ୍ରମରେ ସୋସିଆଲ୍‌ ଡିଷ୍ଟାନ୍ସିଂର ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯିବ ।ସାମାଜିକ ଦୂରତା, ମାସ୍କ, ହାତଧୁଆ ଏବଂ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବା ବିଷୟରେ ସୂଚନା ଦିଆଯିବ ।

ସେହିପରି ସାମୁଦ୍ରିକ ବାତ୍ୟା ଆମ୍ପାନର ସଫଳ ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟ ଶାସନ ସଚିବ । ଏହି ବାତ୍ୟାରେ କୌଣସି ଧନଜୀବନ ହାନି ଘଟିନଥିବା ବେଳେ ଚାଷ ଏବଂ ବିଦ୍ୟୁତ ସରବରାହରେ ବ୍ୟାପକ କ୍ଷତି ହୋଇଥିଲା । ଭବିଷ୍ୟତରେ ବିଦ୍ୟୁତ୍‌ ଏବଂ ବାସଗୃହ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟ ଶାସନ ସଚିବ ।

ଓଡିଶାର ଜନସଂଖ୍ୟା 4.6 କୋଟି ହୋଇଥିବା ବେଳେ ପ୍ରତି 10 ଲକ୍ଷରେ ରାଜ୍ୟରେ 33 ଜଣ ଆକ୍ରାନ୍ତ ରହିଛନ୍ତି । ଭାରତବର୍ଷରେ ଏହି ହାର 108 ରହିଛି । ଏହି ସମୟରେ ରାଜ୍ୟରେ ପ୍ରତି 10 ଲକ୍ଷରେ 3 ହଜାର ଟେଷ୍ଟିଂ କରାଯାଉଥିବା ବେଳେ ଭାରତରେ ଏହି ହାର 2316 ରହିଛି । ରାଜ୍ୟରେ ମୃତ୍ୟୁହାର 0.46 ପ୍ରତିଶତ ରହିଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହି ହାର 2.86 ପ୍ରତିଶତ ରହିଛି । ରାଜ୍ୟରେ 86ଟି ଟେଷ୍ଟରେ ଗୋଟିଏ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହା 21.49 ରହିଛି । ରାଜ୍ୟରେ ଡବଲିଂ ରେଟ୍‌ 11.05 ରହିଥିବା ବେଳେ ଜାତୀୟ ହାର 13.05 ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1,31,595ଟି ଟେଷ୍ଟ ହୋଇଥିବା ବେଳେ ସମଗ୍ର ଦେଶରେ 31.2 ଲକ୍ଷ ଟେଷ୍ଟ ହୋଇଛି । ଓଡିଶାର ଏହି ମଡେଲ୍‌କୁ ସମଗ୍ର ଦେଶରେ ପ୍ରଶଂସା କରାଯାଉଛି । ରାଜ୍ୟର ସମସ୍ତ ଗଣମାଧ୍ୟମ ଏପରିକି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓଡିଶାର ଚିକିତ୍ସା ମଡେଲ୍‌କୁ ପ୍ରଶଂସା କରିଛନ୍ତି ।

ସେହିପରି ଜୋନ୍‌ ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି । ପୂର୍ବପରି ସରକାର ଜୋନ୍‌ ନିର୍ଦ୍ଧାରଣ ନିଷ୍ପତ୍ତି ଗ୍ରହଣ ନକରି ଏହାକୁ ଜିଲ୍ଳାପାଳ କିମ୍ବା ମ୍ୟୁନିସିପାଲିଟି କମିଶନରଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ବାରେଣ୍ଟାଇନ୍‌ ନିୟମକୁ କଡାକଡି ଭାବରେ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ 8 ଲକ୍ଷ କ୍ବାରେଣ୍ଟିନ୍‌ ବେଡ୍‌ ପ୍ରସ୍ତୁତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ 3 ଲକ୍ଷ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକ ନିଜର କ୍ବାରେଣ୍ଟିନ୍‌ ଅବଧି ସମାପ୍ତ କରି ଘରକୁ ଫେରିଛନ୍ତି । ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ବ୍ୟତିରେକ ରାଜ୍ୟରେ ଟେଷ୍ଟିଂ କ୍ଷମତା ଅଧିକ କରାଯାଇଛି । ସେହିପରି ସରକାରଙ୍କ ପକ୍ଷରୁ 15 ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 3ହଜାର ଲୋକ ଏଠାରେ ଅଛନ୍ତି । ରାଜ୍ୟରେ 7 ଦିନ କ୍ବାରେଣ୍ଟିନ୍‌ ଏବଂ 14 ଦିନ ହୋମ୍‌ କ୍ବାରେଣ୍ଟିନ୍‌ ଅବଧି ରଖାଯାଇଥିବା ବେଳେ ଆବଶ୍ୟକୀୟ ସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରିବ । ରାଜ୍ୟ ମଧ୍ୟକୁ ବର୍ତ୍ତମାନ 109ଟି ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ରେ 1 ଲକ୍ଷ 53 ହଜାର ପ୍ରବାସୀ ଆସିଥିବା ବେଳେ ଗଞ୍ଜାମକୁ ସର୍ବାଧିକ 73 ହଜାର, ବଲାଙ୍ଗୀରରେ 11 ହଜାର, ବାଲେଶ୍ବରରେ 11 ହଜାର, କେନ୍ଦ୍ରାପଡାରେ 7500, କଟକରେ 5603 ଜଣ ପ୍ରବାସୀ ଫେରିଛନ୍ତି । ଏହା ମଧ୍ୟରେ ଗୁଜରାଟରୁ 50, ତେଲେଙ୍ଗାନାରୁ 17, ତାମିଲନାଡୁରୁ 13, ଆନ୍ଧ୍ର 9, ମହାରାଷ୍ଟରୁ 8ଟି ଏବଂ ଅନ୍ୟାନ୍ୟ ରାଜ୍ୟରୁ 12ଟି ଟ୍ରେନ୍‌ ଫେରିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଚେନ୍‌ ଟାଣି ଓହ୍ଲାଇଲେ 500 ପ୍ରବାସୀ ଶ୍ରମିକ

ଭୁବନେଶ୍ବର : ପୁଣି ଥରେ ଚେନ୍‌ଟାଣି ଟ୍ରେନ୍‌ରୁ ଓହ୍ଲାଇଛନ୍ତି ପ୍ରବାସୀ । ଝାରଖଣ୍ଡର ବୋକାରୋରେ ଏହି ଘଟଣା ଘଟିଛି । ରାଉରକେଲାରୁ 100 କିମି ଦୂର ଝାରଖଣ୍ଡର କାନାରାଓ୍ବାଁ ଷ୍ଟେସନ୍‌ରେ ଏହି ପ୍ରବାସୀ ମାନେ ଓହ୍ଲାଇଛନ୍ତି । କୋହ୍ଲାପୁରରୁ ବୋକାରୋ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଏହି ଘଟଣା ଘଟିଛି । ଟ୍ରେନ୍‌ଟି ଓଡିଶାରେ ନ ରହିବାରୁ ପ୍ରବାସୀ ମାନେ ଚେନ୍‌ ଟାଣି ଟ୍ରେନ୍‌ରୁ ଓହ୍ଲାଇଥିଲେ । ଆଜିର ଦିନରେ ଏହା ଦ୍ବିତୀୟ ଘଟଣା ସକାଳେ ନୂଆପଡାରେ ମଧ୍ୟ 200 ଶ୍ରମିକ ଚେନ୍‌ ଟାଣି ଓହ୍ଲାଇଥିଲେ ।

Categories
ଆଞ୍ଚଳିକ

୪ଟି ଟ୍ରେନରେ ଗଞ୍ଜାମକୁ ଫେରିଲେ ୫୪୪୪ ପ୍ରବାସୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ପ୍ରବାସୀଙ୍କ ଆଗମନ ଲାଗି ରହିଥିବାବେଳେ ପୂର୍ବରୁ ଜଗନ୍ନାଥପୁର ଷ୍ଟେସନରେ ଟ୍ରେନ ରହୁଥିବାବେଳେ ବର୍ତ୍ତମାନ ବ୍ରହ୍ମପୁର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଗଂଜାମ ଜିଲ୍ଲା ପ୍ରବାସୀମାନେ ଓହ୍ଲାଇ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଉଛନ୍ତି । ଆଜି ବ୍ରହ୍ମପୁରକୁ ୯ଟି ଟ୍ରେନ ଆସିବାକୁ ଥିବାବେଳେ ଖବରଲେଖା ହେବା ପର୍ଯ୍ୟନ୍ତ ୪ଟି ଟ୍ରେନ ବ୍ରହ୍ମପୁରରେ ପହଞ୍ଚିଛି । ପ୍ରଥମ ଟ୍ରେନଟି ତାମିଲନାଡ଼ୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବାବେଳେ ଏଥିରେ ଗଂଜାମ ଜିଲ୍ଲାର ୬୩୬ ଜଣ ଅଛନ୍ତି । ସେହିପରି ଦ୍ୱିତୀୟ ଟ୍ରେନରେ ସୁରତରୁ ୧୬୩୫ ଜଣ ଆସିଥିବାବେଳେ ଏଥିରେ ଗଂଜାମ ଜିଲ୍ଲାର ୧୫୭୭ ଅଛନ୍ତି ତୃତୀୟ ଟେନଟି ମଧ୍ୟ ସୁରାଟରୁ ଆସିଥିବାବେଳେ ଏଥିରେ ୧୭୪୮ ଯାତ୍ରୀଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାର ୧୬୯୭ ଜଣ ଅଛନ୍ତି । ଚତୁର୍ଥ ଟ୍ରେନଟିରେ ୧୫୮୫ ଜଣ ପ୍ରବାସୀ ଓଡ଼ିଆ ରହିଥିବାବେଳେ ଗଂଜାମ ଜିଲ୍ଲାର ୧୫୩୪ ଜଣ ଅଛନ୍ତି । ସମୁଦାୟ ୪ ଟି ଟ୍ରେନରେ ୫୪୪୪ ଜଣ ପ୍ରବାସୀ ଗଂଜାମ ଜିଲ୍ଲାକୁ ଆସିଛନ୍ତି ବ୍ରହ୍ମପୁର ରେଳଷ୍ଟେସନରେ ଟ୍ରେନଗୁଡ଼ିକ ପହଞ୍ଚିବା ପରେ ସମସ୍ତଙ୍କର ସ୍କ୍ରିନିଂ କରାଯିବା ପରେ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡ ଅଭିମୁଖେ ଭୁବନେଶ୍ବରରୁ ଛାଡିଲା ଶ୍ରମିକ ସ୍ପେସିଆଲ ଟ୍ରେନ୍‌

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଅପରାହ୍ନରେ ଭୁବନେଶ୍ବରରୁ ଛାଡିଛି ଏକ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ଟି ଛତିଶଗଡର ରାୟପୁର ଅଭିମୁଖେ ଯାତ୍ରା କରିଛି । ରାଜ୍ୟର 13ଟି ଜିଲ୍ଲାରେ କାମ କରୁଥିବା ଛତିଶଗଡର ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଟ୍ରେନ୍‌ ଯୋଗେ ପଠାଯାଇଛି । କୋରାପୁଟ, ଜଗତସିଂହପୁର, ଭଦ୍ରକ, ଗଜପତି, କେନ୍ଦୁଝର, ଯାଜପୁର, ବାଲେଶ୍ବର, ଗଞ୍ଜାମ, ପୁରୀ, କଟକ, ଢେଙ୍କାନାଳ,ଅନୁଗୋଳ ଏବଂ ଖୋର୍ଦ୍ଧାରେ କାର୍ଯ୍ୟରତ ପ୍ରବାସୀ ମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଅଣାଯାଇ ନନ୍ଦନକାନନ ନିକଟସ୍ଥ ରେଳଷ୍ଟେସନ୍‌ରୁ ପଠାଯାଇଥିଲା ।

ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଶ୍ରମିକ ଏବଂ ତାଙ୍କର ପିଲାଙ୍କୁ ଡାକ୍ତରୀ ପରୀକ୍ଷଣ କରାଯିବା ସହିତ ଷ୍ଟାମ୍ପିଂ କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବକୁ ପାଳନ କରି ସମସ୍ତ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଯାଇଥିଲା । ଅପରାହ୍ନ 4ଟାରେ ପ୍ରାୟ 1 ହଜାର ଶ୍ରମିକ 08425 ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା 10 ଦିନ ମଧ୍ୟରେ ଚାଲିବ 2600 ଶ୍ରମିକ ସ୍ପେସିଆଲ୍‌

ନୂଆଦିଲ୍ଲୀ : ଆସନ୍ତା 10 ଦିନ ମଧ୍ୟରେ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବ । ଶନିବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ । ଜୁନ୍‌ 2 ପରଠାରୁ ସାଧାରଣ ଟ୍ରେନ୍‌ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବାର ନିଷ୍ପତ୍ତି ନିଆଯାଇଛି । ମେ 1 ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସିଆଲ ସେବା ଦ୍ବାରା ବର୍ତ୍ତମାନ ସୁଦ୍ଧା ଦେଶରେ 36 ଲକ୍ଷ ପ୍ରବାସୀ ଉପକୃତ ହୋଇଛନ୍ତି । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର 80 ପ୍ରତିଶତ ଉତ୍ତର ପ୍ରଦେଶ ଏବଂ ବିହାର ଦ୍ବାରା ବ୍ୟବହୃତ ହୋଇଛି ବୋଲି ଯାଦବ ମତ ଦେଇଛନ୍ତି । ସେହିପରି ଅନ୍‌ଲାଇନ୍‌ରେ ଲୋକ ଟିକେଟ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଦେଶ ବ୍ୟାପୀ 1000ରୁ ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିବା ନେଇ ଯାଦବ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଞ୍ଚଳିକ

1200 କିମି ସାଇକେଲ ଚଲାଇ ନରସିଂହପୁରରେ ପହଞ୍ଚିଲେ 8 ପ୍ରବାସୀ

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ସମୁଦାୟ 2198 ଜଣ ପ୍ରବାସୀ ଆସି ବିଭିନ୍ନ ଅସ୍ଥାୟୀ କରୋନା ସେବା କେନ୍ଦ୍ରରେ ରହିଥିବା ବେଳେ ଜିଲ୍ଲାର ନରସିଂହପୁର ବ୍ଲକକୁ ସର୍ବାଧିକ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ଚେନ୍ନାଇରୁ ଆଠ ଜଣ ପୁରୁଷ ସାଇକେଲ ଯୋଗେ 1200 କିଲୋମିଟର ରାସ୍ତା ଅତିକ୍ରାନ୍ତ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ନେଲୁରରୁ ଜଣେ ମହିଳା ପ୍ରବାସୀ ସାଇକେଲରେ ଆସିଛନ୍ତି । ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ପୁରୁଷ ମାନଙ୍କୁ ଓଡ଼ଗାଁ ଠାରୁ ଓ ମହିଳା ଜଣଙ୍କୁ କଟକରୁ ବ୍ଲକ ପ୍ରଶାସନ ଆଣି ନରସିଂହପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ହୋଇଥିବା ଅସ୍ଥାୟୀ କରୋନା କେନ୍ଦ୍ରରେ ରଖାଯାଇଛି ।

Categories
ଆଞ୍ଚଳିକ

ପ୍ରବାସୀଙ୍କୁ ଫେରାଇ ଆଣିବାକୁ କଳାହାଣ୍ଡି ସାଂସଦଙ୍କ ଦାବି

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଦାବି କରିଛନ୍ତି । ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ଦଳ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ସହ ଆଲୋଚନା କରିଥିଲେ । ନୂଆପଡା ଜିଲ୍ଲାର ପ୍ରାୟ ୬୦ହଜାର ଶ୍ରମିକ ନୂଆପଡ ଫେରିବାକୁ ପଂଜୀକରଣ କରିଥିବା ବେଳେ ମାତ୍ର ୫ ହଜାର ଶ୍ରମିକ ଅଦ୍ୟାବଧି ଫେରିଛନ୍ତି । ସ୍ବତନ୍ତ୍ର ଟ୍ରେନ୍‌ ଜରିଆରେ ପ୍ରବାସୀ ଫେରୁଥିବା ବେଳେ ଜିଲ୍ଲାର ବଳକା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାଂସଦ ।

ଆଗକୁ ଖରିଫ ଚାଷ ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ କାରଣ ନେଇ ଯେଉଁ ଯାତ୍ରୀ ମାନେ ବାହାରକୁ ଯାଇଥିଲେ ସେମାନେ ମଧ୍ୟ ଲକଡାଉନ ସ୍ଥିତିରେ ଏଯାବତ ଫେରିପାରିନାହାନ୍ତି । ସେମାନଙ୍କ ବ୍ୟତୀତ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଟକି ଯାଇଥିବା ବେଳେ ତୁରନ୍ତ ସମସ୍ତଙ୍କୁ ଫେରାଇଆଣିବାକୁ ଦାବି ଜଣାଇଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ମନରେଗା କାମ ଆରମ୍ଭ କରାଯାଇ ନିୟୋଜନ କରାଗଲେ ଶ୍ରମିକ ମାନେ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦଙ୍କ ସମେତ ରାଜ୍ୟ ଉପସଭାପତି ପ୍ରସନ୍ନ ପାଢୀଙ୍କ ତଥା ରାଜ୍ୟ କାର୍ଯ୍ୟକାରିଣୀ ମନିନ୍ଦର ଆର୍ଯ୍ୟ, ଜିଲ୍ଲା କାର୍ଯ୍ୟକର୍ତା ଅର୍ଜୁନ ଜଗତ ପ୍ରମୁଖ  ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

୨୪ ଘଣ୍ଟାରେ ଜଗତସିଂହପୁରକୁ ଫେରିଛନ୍ତି ୬୮୫ ପ୍ରବାସୀ

ରମେଶ ମହାନ୍ତି
ଜଗତସିଂହପୁର : ଗତକାଲି ଏବଂ ଆଜି ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୬୮୫ଜଣ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ ୪୪ଜଣ, ଜଗତସିଂହପୁର ବ୍ଲକକୁ ୮୬ଜଣ, ଜଗତସିଂହପୁର ପୈାର ପରିଷଦକୁ ୭ଜଣ, ବାଲିକୁଦା ବ୍ଲକକୁ ୧୦୩ଜଣ, କୁଜଙ୍ଗ ବ୍ଲକକୁ ୭୭ଜଣ, ଏରସମା ବ୍ଲକକୁ ୧୩୧ ଜଣ, ତିର୍ତୋଲ ବ୍ଲକକୁ ୧୪୫ ଜଣ, ରଘୁନାଥପୁର ବ୍ଲକକୁ ୬୬ଜଣ, ବିରିଡି ବ୍ଲକକୁ ୨୬ଜଣଙ୍କୁ ପଠାଯାଇଅଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ,ଖାଇବା ପିଇବା ଏବଂ ରହଣୀର ସୁବନ୍ଦୋବସ୍ତ କରାଯାଇଛି । ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଛି । ମେ ୧୪ ତାରିଖରେ ସଂଗୃହିତ ୧୩୨ ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୧୨୨ଟିର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗତକାଲି ଆଉ ୧୦ଟିର ରିପୋର୍ଟ ମଧ୍ୟ ନେଗେଟିଭ ଆସିଅଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ଗତ ୩ ତାରିଖ ଠାରୁ ୧୮ ତାରିଖ ସକାଳ୧୦ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲାକୁ ୪୧୦୬ ଜଣ ପ୍ରବାସୀ ଓଡିଆ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ବ୍ଲକରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ବ୍ଲକକୁ ୫୬୫ଜଣ, ଜଗତସିଂହପୁର ପୈାରପରିଷଦକୁ ୧୦୧ଜଣ, ବାଲିକୁଦା ବ୍ଲକକୁ ୬୪୬ଜଣ, କୁଜଙ୍ଗ ବ୍ଲକକୁ ୨୨୫ଜଣ , ନାଉଗାଁ ବ୍ଲକକୁ ୩୦୪ଜଣ, ଏରସମା ବ୍ଲକକୁ ୮୮୩ଜଣ, ତିର୍ତୋଲ ବ୍ଲକକୁ ୬୮୧ଜଣ, ରଘୁନାଥପୁର ବ୍ଲକକୁ ୨୮୬ଜଣ, ବିରିଡି ବ୍ଲକକୁ ୧୯୦ଜଣ ଏବଂ ପାରାଦ୍ୱୀପ ପୈାର ପରିଷଦକୁ ୧୦୭ଜଣଙ୍କୁ ପଠାଯାଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ପଜିଟିଭ୍ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଅପରାହ୍ନରେ ନୂତନ 20 ଜଣ ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକ ଓ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ କଲେ ଲେଫ୍ଟନାଣ୍ଟ କଲୋନେଲ

ଭୁବନେଶ୍ବର : ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଘୋଷଣା କରାଯାଉଥିଲେ ମଧ୍ୟ ଏହା ସେମାନଙ୍କ ନିକଟରେ ଅପହଞ୍ଚ । ଏପରି ସ୍ଥିତିରେ ଭୁବନେଶ୍ବରରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢାଇଛନ୍ତି ଭାରତୀୟ ସେନାର ଲେଫ୍ଟନାଣ୍ଟ କଲୋନେଲ୍‌ କପିଲ୍‌ ଜୋହରୀ । ଖଣ୍ଡଗିରିରେ ଫସି ରହିଥିବା ମରାଠୀ ଶ୍ରମିକଙ୍କୁ ରାସନ୍‌ ପ୍ୟାକେଟ ପ୍ରଦାନ କରିଛନ୍ତି ଶ୍ରୀ ଜୋହରି । ଡିଫେନ୍ସ ସିକ୍ୟୁରିଟି କର୍ପସ୍‌ ଏବଂ ଓଏମ୍‌ୟୁ ଡିଆରଡିଓ ଏହି ମହତ କାର୍ଯ୍ୟରେ ଜୋହରୀଙ୍କ ସହାୟତା କରିଥିଲେ ।

ଏହା ବ୍ୟତିତ ବୁଲା ପଶୁପକ୍ଷୀଙ୍କ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଛନ୍ତି ଜୋହରୀ । ୟୁନିଟ୍‌-1 ସ୍ଥିତ ଗୋଶାଳାରେ ଗାଇଙ୍କ ଖାଦ୍ୟ ପ୍ରଦାନ କରିଥିବା ବେଳେ ଶିଖରଚଣ୍ଡୀ ମନ୍ଦିର ପରିସରରେ ବୁଲୁଥିବା ପଶୁପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରିଥିଲେ । ଭୀମଟାଙ୍ଗିରେ ରହିଥିବା ଅନ୍ୟ ଏକ ଗୋଶାଳା ପରିସର ଭ୍ରମଣ କରିବା ସହିତ ଚାରା ଏବଂ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ ଧକ୍କାରେ 2 ଦାଦନ ଶ୍ରମିକ ମୃତ

ବବ୍‌ଲୁ ସାହୁ
ଗୋଲାମୁଣ୍ଡା : ଛତିଶଗଡ଼ରେ ଟ୍ରକ ଚାପାରେ ଦୁଇ ଓଡ଼ିଆ ଶ୍ରମିକ ମୃତ । କରୋନା ଯୋଗୁଁ ଲକଡାଉନ ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକର କୁହୁରା ଗ୍ରାମରେ ଦୁଇ ଶ୍ରମିକ ବୈଷ୍ଣବ ପୁଟେଲ (25) ଓ ଭୁପିନ୍ଦର ପୁଟେଲ (35) ନିଜ ଗ୍ରାମର ତିନି ଜଣଙ୍କ ସହିତ ମୁମ୍ବାଇରୁ ଟ୍ରକ ଯୋଗେ ଆସିଥିଲେ । ଛତିଶଗଡ଼ ମହାସମୁନ୍ଦ୍ର ଠାରେ ଗତକାଲି ରାତ୍ର ୯ ଘଣ୍ଟା ସମୟରେ ରାସ୍ତାପାର ହେଉଥିବା ବେଳେ ଟ୍ରକ ଚାପି ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପରିବାର ଲୋକେ ମହାସମୁନ୍ଦ୍ର ପହଂଚିଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଦାଦନ ଦାନବ ନେଲା ସତ୍ୟବାନଙ୍କ ଜୀବନ : ନ୍ୟାୟ ଅପେକ୍ଷାରେ ପରିବାର

ରାଜ କିଶୋର ବିଷୋୟୀ
ଭଞ୍ଜନଗର : ଦାନା ପାଇଁ ଦାଦନ ଯାଇଥିଲେ ସ୍ୱାମୀ ସତ୍ୟବାନ । ଆଉ ଦୁଇ ଦିନ ପରେ ଟିକଟ କରି ଟ୍ରେନରେ ଗାଁକୁ ଫେରିଥାନ୍ତେ । ତା ପୂର୍ବରୁ ଫୋନ କରି କହିଥିଲେ , ମୁଁ ଗାଁ କୁ ଗଲେ ଆଉ ସୁରତ ଫେରିବିନି । ଗାଁ ରେ ହିଁ ରହିବି । ଯାହା ଯେତିକି ରୋଜଗାର କରିବି ସେତକରେ ଚଳିବା । ହେଲେ ସବୁ ସ୍ୱପ୍ନ ଅଧାରେ ରହିଗଲା । ସ୍ବାମୀଙ୍କ ଫେରିବା ବାଟ ଅଫେରା ରହିଗଲା । ପୁଅ କୁ କୋଳେଇ ,ଏମିତି କଥା ବାହୁନି ବାହୁନି କାନ୍ଦୁଛନ୍ତି, ସୁରତ ପୋଲିସ ମାଡ଼ରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗାଁର ମୃତ ସତ୍ୟବାନ ସ୍ବାଇଁଙ୍କ ପତ୍ନୀ ପ୍ରତିମା । ସୁରତ ପୋଲିସ ମୋ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ମୋତେ ନ୍ୟାୟ ଦରକାର । ମୁଁ ମୋ ପୁଅ ଓ ବିଧବା ବୁଢ଼ୀମା , ଆମେ କି ଭୁଲ କରିଥିଲୁ, ସୁରତ ପୋଲିସ ପାଖରେ । କାହିଁକି ଆମକୁ ବେସାହାରା କରିଦେଲା । ଯେଉଁମାନେ ଦୋଷୀ ସେମାନଙ୍କୁ ଶାସ୍ତି ଦରକାର ବୋଲି କହିଛନ୍ତି ପତ୍ନୀ ପ୍ରତିମା ସ୍ବାଇଁ ।

କରୋନା ସଂକ୍ରମଣ ଆଶଙ୍କାକୁ ନେଇ ଜାରି ହୋଇଥିବା ଲକଡା଼ଉନ ପ୍ରତି ଖୁବ ସଚେତନ ଥିଲେ ସତ୍ୟବାନ । ଅନ୍ୟମାନଙ୍କ ଭଳି ପୂର୍ବରୁ ବସରେ ନ ଆସି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିବା ଟ୍ରେନରେ ଗାଁକୁ ଫେରିବା ପାଇଁ ଟିକେଟ ଯୋଗାଡ଼ କରୁଥିଲେ ସତ୍ୟବାନ । ଗତ କିଛି ବର୍ଷ ଧରି ସୁରତର ଅଂଜନି ଇଣ୍ଡଷ୍ଟ୍ରୀଆଲରେ କାମ କରୁଥିଲେ । ସେହି ସୁତାକଳ ଆଗରେ ଥିବାବେଳେ ଅମରୋଲି ପୋଲିସ ସତ୍ୟବାନ ସହ କିଛି ଓଡ଼ିଆଙ୍କୁ ନିସ୍ତୁକ ମାଡମାରିବା ଅଭିଯୋଗ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ମେଡିକାଲ କୁ ଯାଉଥିବା ବେଳେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଜାଣିବାକୁ ପାଇଲେ । ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେଲା । ସୁରତ ପୋଲିସର ଏଭଳି ଅମାନବୀୟ କାର୍ଯ୍ୟନୁଷ୍ଠାନକୁ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେବେ ବୋଲି ମୃତ ସତ୍ୟବାନଙ୍କ ବଡ଼ଭାଇ ସନ୍ତୋଷ ସ୍ବାଇଁ କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମାନବାଧିକାର କମିଶନଙ୍କ ଦ୍ଵାରାସ୍ଥ ହେବେବୋଲି ବାରୁଡ଼ା ସରପଞ୍ଚ ହରପ୍ରସାଦ ଗୌଡ଼ କହିଛନ୍ତି । ଶନିବାର ପୃର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରୁଡ଼ା ଗାଁକୁ ଯାଇ ଶୋକସନ୍ତୋପ୍ତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେବୋଲି କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଅର୍ଥନୈତିକ ସଙ୍କଟକୁ ନେଇ ସରକାରଙ୍କୁ ରାହୁଲଙ୍କ ଆକ୍ରମଣ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା ସହିତ ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଅନ୍ୟୁନ 200 ଦିନର ମନରେଗା କାମ ପ୍ରଦାନ କରିବା ପାଇଁ ଦାବି କରିଥିଲେ ରାହୁଲ । ଭାରତରେ ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୀତିର ପ୍ରମୁଖ ଅଙ୍ଗ । ତେଣୁ ଅର୍ଥନୀତିରେ ସୁଧାର ପାଇଁ ଏମାନେ ସଶକ୍ତ ରହିବା ଆବଶ୍ୟକ ବୋଲି ଦାବି କରି ରାହୁଲ ଆକାଉଣ୍ଟକୁ ପଇସା ପଠାଇବାର ଦାବି କରିଛନ୍ତି । ସେହିପରି ସ୍ପଷ୍ଟ ଯୋଜନା ସହିତ ଲକ୍‌ଡାଉନ୍‌ରୁ ବାହାରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ସୀମା ଗେଟ ନିକଟରେ ମୃତ୍ୟୁ ବରଣ କଲେ ଚାଲି ଚାଲି ଆସୁଥିବା ପ୍ରବାସୀ ଓଡିଆ

ଭୁବନେଶ୍ୱର: ପଡୋଶୀ ପଶ୍ଚିମବଙ୍ଗରୁ ଚାଲି ଚାଲି ଓଡ଼ିଶାକୁ ଫେରୁଥିବା ଜଣେ ୫୬ ବର୍ଷୀୟ ପ୍ରବାସୀ ଶ୍ରମିକ ବାଲେଶ୍ଵର ଜିଲ୍ଲାର ଲକ୍ଷ୍ମଣନାଥ ସୀମା ଗେଟରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଧୁବାଇ ଚରଣ ମହାନ୍ତି ପୁରୀ ଜିଲ୍ଲାର କାକଟପୁର ପୋଲିସ ସୀମା ଅନ୍ତର୍ଗତ ଟିକରପଡା ଗାଁର ବାସିନ୍ଦା ଥିଲେ।

ପ୍ରଚଣ୍ଡ ଉତ୍ତାପରେ ସେ ରାସ୍ତାରେ ଖସିପଡିବା ପରେ ତାଙ୍କୁ ତୁରନ୍ତ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।  କୌଣସି ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସୀମା ମଧ୍ୟରେ ଚାଲିବାକୁ ଅନୁମତି ନାହିଁ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଡିଜିପି ଅଭୟ କହିଛନ୍ତି ଯେ ଓଡ଼ିଶା ମାଟିରେ କେହି ଚାଲି ଚାଲି ଯିବେନି। ଓଡ଼ିଶା ଭିତରେ ଯାଉଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ସେମାନେ ଓଡ଼ିଶାକୁ  ଆସୁଥାନ୍ତୁ ବା ଓଡ଼ିଶା ଦେଇ ଯାଉଥାନ୍ତୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେବ। ଓଡ଼ିଶାକୁ ଆସୁଥିବା ଲୋକ ଚେକ୍‌ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ। ସେଠାରୁ ସେମାନଙ୍କୁ ଗାଡି କରି ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ। (ଏଜେନ୍ସି)

Categories
ଆଞ୍ଚଳିକ ବିଶେଷ ଖବର

ସୁରତ ପାଇଁ ବଦଳିଯିବ କି ଗଂଜାମର ସୁରତ ! ପ୍ରବାସୀଙ୍କୁ ନେଇ ଆଶଙ୍କାରେ ଗଂଜାମ ଜିଲ୍ଲାବାସୀ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସାରା ବିଶ୍ୱ ମହାମାରୀ କରୋନା କବଳିତ। ବଡ଼ବଡ଼ ସମୃଦ୍ଧଶାଳୀ ଆମେରିକା, ଇଟାଲୀ, ଫ୍ରାନସ, ବ୍ରିଟେନ, ଜାପାନ, ଚୀନ ଦେଶରେ ଭୟାବହତା ଆମର ଭାରତଠାରୁ ବହୁ ଆଗରେ। ଏଇ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶରୁ ଦେଶ, ବିଦେଶରେ କାୟା ବିସ୍ତାର କରିଛି। ଭାରତର ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମବଙ୍ଗରେ, ଦିଲ୍ଲୀରେ ଏଇ କରୋନାର ରୂପ ବଡ଼ ଭୟଙ୍କର। ଏପରି ପରିସ୍ଥିତି ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍‌ର ଅନୁଶାସନରେ ଦେଶର ୧୩୦ କୋଟି ଚରମ ଦୁର୍ଦ୍ଦଶା ଭୋଗୁଥିବା ସମୟରେ ବିଭିନ୍ନ ରାଜ୍ୟରୁ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟ ଆରମ୍ଭ ହୋଇଛି।

ଓଡ଼ିଶାର ଲକ୍ଷଲକ୍ଷ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବସ ଓ ଟ୍ରେନର ବ୍ୟବସ୍ଥା କରିଛନ୍ତି। ଗୁଜରାଟର ସୁରତରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଆସିଥିବାବେଳେ ଲକ୍ଷାଧିକ ଓଡ଼ିଆ ଆସିବା ପାଇଁ ଅପେକ୍ଷାରେ ରହିଛନ୍ତି। ଗଂଜାମରେ ସବୁଠାରୁ ଅଧିକ ଶ୍ରମଜୀବୀଙ୍କ ପ୍ରବେଶ ହୋଇସାରିଛି। ବର୍ତ୍ତମାନ ଗଂଜାମ ଜିଲ୍ଲାରେ ୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସମସ୍ତେ ସୁରାଟ ଫେରନ୍ତା। ଏହି ଖବର ଜାଣିବା ପରେ ବର୍ତ୍ତମାନ ଜିଲ୍ଲାବାସୀ ଭୟଭୀତ, ଆଶା ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏହା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଏବଂ ବିଦ୍ରୋହର ସୂତ୍ରପାତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ରାଜ୍ୟ ସରକାରଙ୍କ ଦୈନିକ କୋବିଡ଼ ପାଠଶାଳାରେ ଗଂଜାମ ଜିଲ୍ଲାର ଚିତ୍ର ଏକମାସ ଧରି ପ୍ରଶଂସା ମିଳୁଥିବା ବେଳେ ଆକସ୍ମିକ ଭାବରେ ଗଂଜାମର ଚିତ୍ର ବଦଳିଯିବା ନେଇ ଜିଲ୍ଲାବାସୀ ଏକ ପ୍ରକାର ରାଜ୍ୟର ଶାସନକଳକୁ ଦାୟୀ ଦେଇଛନ୍ତି। ଓଡ଼ିଶା ସରକାର କିଛି ଅଫିସରଙ୍କୁ ଗଂଜାମ ଜିଲ୍ଲା ପଠାଇବା ପରେ ଆଶଙ୍କା ଦୃଢ଼ ହୋଇଛି ଯେ ଗଂଜାମ ଖୁବ୍‌ଶୀଘ୍ର ଏକ ନମ୍ବର ସ୍ଥାନ ଅକ୍ତିଆର କରିବ। ଏହି ଏକନମ୍ବର ସ୍ଥାନ କେବଳ ସୁରାଟ ଫେରନ୍ତା ପାଇଁ ସମ୍ଭବ ଏବଂ ଦାୟୀ ମଧ୍ୟ ସେମାନେ।

ଗଂଜାମ ଜିଲ୍ଲା ପ୍ରଥମେ ସବୁଜ ଏବଂ ପରେ କମଳା ଆଉ ଏବେ ନାଲି ରଙ୍ଗକୁ ପରିବର୍ତ୍ତନ କରିଛନ୍ତି ସୁରାଟ ଫେରନ୍ତା । ଏହା ଚିନ୍ତା ବଢ଼େଇଲା ବେଳେ ଗାଁ ଗାଁରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ପ୍ରବାସୀ ଓଡ଼ିଆ ସୁରାଟବାସୀ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ସୋସିଆଲ୍ ମିଡ଼ିଆରେ ଭାସୁଛି ଯାହାକୁ ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ର ସମାଜ ଓ ଶିକ୍ଷିତ ବର୍ଗ ନାପସନ୍ଦ କରିଛନ୍ତି । ପ୍ରାୟ ଦେଶମାସ ଧରି ଲକ୍‌ଡ଼ାଉନ୍ ଭିତରେ ଗଂଜାମ ଜିଲ୍ଲାରେ ଗୋଟିଏ ବି ରୋଗୀ କରୋନା ପୀଡ଼ିତ ହେବାର ନମୁନା ନାହିଁ । ଅଥଚ ସୁରାଟରୁ ଫେରିବା ପ୍ରବାସୀ ଓଡ଼ିଆ ଆସି ଦାନା ବୁଣିଦେଲେ ।

ଅଫିସରମାନଙ୍କ ହାତରେ ଗଂଜାମ ଜିଲ୍ଲାର ଭାଗ୍ୟ ନେଇ ଚର୍ଚ୍ଚା ବଢ଼ୁଛି । ରାଜନେତାମାନେ ବନବାସରେ ଥିଲା ପରି ମନେ ହୁଏ । ସାଂସଦ, ବିଧାୟକମାନେ କୋଠି ପାଟି ଫିଟାଇଲେ ସମସ୍ୟା ବଢ଼ି ରାଜନୀତିର ଦିଗ ବଦଳିଯିବ ଏଣୁ ଚୁପ୍ କରି ଦିଆଯାଇଛି । ସବୁ ଚାଲିଛି ଭୁବନେଶ୍ୱର ତୃତୀୟ ମହଲାର ନିୟନ୍ତ୍ରଣରେ । କିନ୍ତୁ ଜିଲ୍ଲାବାସୀ ଗଂଜାମର ଆସୁଥିବା ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟହରା ଯଦି ହୋଇଯାଆନ୍ତି ଏବଂ ଗଂଜାମ ଜିଲ୍ଲା ଯଦି ହଟ୍‌ସ୍ପଟ୍ ଆଡ଼କୁ ଆଗାମୀ ଦିନରେ ମୁହାଁଇବ ମହଙ୍ଗା ପଡ଼ିଯିବ ପ୍ରଶାସନ କଳକୁ ।

କୋଭିଡ଼୍ ହସ୍‌ପିଟାଲ୍ ଶୀତଳାପଲ୍ଲୀରେ ଥାଇ ଯେତେବେଳେ ପ୍ରଥମ ଓ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟପରେ ବ୍ରହ୍ମପୁର ସହରର ଗୋଟିଏ ନାମକରା ନନ୍ଦନ ହୋଟେଲ୍ ଭିତରେ ଏଇ ରୋଗୀଙ୍କ ଆତିଥ୍ୟ ଦେଲା ପରି ପ୍ରଶାସନ କଳ ଲାଗିଲେ, ସହରରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୁଣି ସେମାନଙ୍କୁ କୋଭିଡ଼୍ ହସ୍‌ପିଟାଲ୍‌କୁ ନିଆଗଲା। ଏହାସହ଼୍ ହସ୍‌ପିଟାଲ୍‌ରେ ଡାକ୍ତରମାନେ ସେମାନଙ୍କ ସେବା ଯୋଗାଇ ୧୪ ଦିନ ଡ଼୍ୟୁଟି କରିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ଏକହୋଟେଲ୍‌ରେ ୧୪ ଦିନ ସଂଘରୋଧ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ କିନ୍ତୁ ଆଜି କିଛି ଡ଼ାକ୍ତର ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ମଧ୍ୟ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଡ଼ାକ୍ତରମାନଙ୍କୁ ସହରର ବିଭିନ୍ନ ହୋଟେଲ୍‌ରେ ସଂଘରୋଧ ରହିବାର ସୁବିଧା ପ୍ରଦାନ କରାଯାଇଥିଲା ।

ଗଂଜାମ ଜିଲ୍ଲାବାସୀ କେତୋଟି ପ୍ରଶ୍ନ ମଧ୍ୟ ଜିଲ୍ଲା ପ୍ରଶାସନକୁ ପଚାରିଛନ୍ତି । ପ୍ରଥମତଃ ଲକ୍‌ଡ଼ାଉନ୍‌ର ପ୍ରଥମ ପର୍ଯ୍ୟାୟରେ ସୁରାଟରେ ଯେତେବେଳେ ରୋଗୀସଂଖ୍ୟା କମ୍ ଥିଲା ସେହି ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ପ୍ରଶାସନ ଉଦ୍ୟମ କଲା ନାହିଁ କାହିଁକି? ଲକ୍‌ଡ଼ାଉନ୍‌ର ତୃତୀୟ ସୋପାନ ଯେତେବେଳେ ଦେଶରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରିବ, ତୃତୀୟରୁ ଚତୁର୍ଥ ପର୍ଯ୍ୟାୟ ଆଡ଼କୁ କରୋନାର ପାଦ ପଡ଼ିଛି ଏ ସମୟରେ ଉଦ୍ଧତ ବିଶୃଙ୍ଖଳିତ ଓ ଅସାମାଜିକ ଭଳି ବ୍ୟବହାର ଦେଖାଉଥିବା କିଛି ପ୍ରବାସୀ ଓଡ଼ିଆଙ୍କୁ ଆଣି ଗାଁ ଗାଁରେ ସଂଘରୋଧ କକ୍ଷରେ ଆତିଥ୍ୟ ଦେବା କେଉଁ ବୁଦ୍ଧିମତାର ପରିଚୟ।

ତୁରନ୍ତ ସୁରଟ ଫେରନ୍ତାଙ୍କୁ ଆଣିବା ପ୍ରକ୍ରିୟା ବନ୍ଦ ଯଦିନହୁଏ ଦିନକୁ ଦିନ ଗଂଜାମର ସ୍ଥିତି ଅତି ଦୟନୀୟ ଆଡ଼କୁ ଗତି କରି ରାଜ୍ୟରେ ଏକନମ୍ବର ହଟ୍‌ସ୍ପଟ ହୋଇଯିବ । ଏଥିନେଇ ଜିଲ୍ଲାବାସୀ ଯେଉଁ ଅକଥନୀୟ ବିପନ୍ନ ମୁହଁକୁ ଠେଲି ହୋଇଯିବେ ସେଥିପାଇଁ ଦାୟୀ ହେବ କିଏ? ବର୍ତ୍ତମାନ ସୁଦ୍ଧା ସୁରାଟରୁ ୩୯ ହଜାର ୭୬୫ ଜଣ ଫେରିଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ କରୋନା ଟେଷ୍ଟ ହୋଇନାହିଁ । କିଛି ଜଣଙ୍କ ଟେଷ୍ଟ ପରେ ଯଦି ୭୧ ଗଲାଣି ତେବେ ଯଦି ସମସ୍ତଙ୍କ କରୋନା ଟେଷ୍ଟ ହୁଏ ତେବେ ଯେତିକି ପଜିଟିଭ୍ ବାହାରିବ ତାହା କଳ୍ପନା କରିବାକୁ ମଧ୍ୟ ଭୟ ଲାଗୁଛି ।

ଆଜି ମଧ୍ୟ ସୁରଟରୁ ତିନୋଟି ଟ୍ରେନରେ ପ୍ରାୟ ତିନିହଜାର ଛଅଶହ ଲୋକ ଫେରିବେ । ସେଥିମଧ୍ୟରୁ ୯୭ ପ୍ରତିଶତ ଗଂଜାମ ଜିଲ୍ଲାର । ପ୍ରଥମେ ଟେଷ୍ଟ ପରେ ଓଡ଼ିଶା ପ୍ରବେଶ ନେଇ ହାଇକୋର୍ଟ ରାୟ ଦେବା ପରେ ଗଂଜାମବାସୀ କିଛିଟା ଅଶ୍ୱସ୍ତି ହୋଇଥିଲେ କିନ୍ତୁ ଏହି ରାୟକୁ ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଗଂଜାମବାସୀ ବର୍ତ୍ତମାନ ଆଶା ଓ ଆଶଙ୍କାରେ ରହିଛନ୍ତି । ଯେଉଁଭଳି ବର୍ତ୍ତମାନ ଘଡ଼ିକେ ଘୋଡ଼ା ଛୁଟିଲାଣି ଯଦି ବେଳ ଥାଉ ଥାଉ ପାଗ ନ ଭିଡ଼ାଯାଏ ତେବେ ଗଂଜାମର ସ୍ଥିତି ଯେ, କ’ଣ ହେବ ତାହା ନା’ ପ୍ରଶାସନ ରକ୍ଷା କରିପାରିବ ନା’ ରାଜ୍ୟ ସରକାର । ଘାଣ୍ଟି ଚକଟି ହେବେ ଗଂଜାମବାସୀ।

ତେବେ ଗୋଟିଏ ଦିନରେ 43 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ପାଇଁ 3 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାକୁ ଫେରିଲେ ପ୍ରବାସୀ ଓଡିଆ : ଜାଣନ୍ତୁ କେଉଁ ବ୍ଲକ୍‌ରେ ରହିଛନ୍ତି କେତେ ପ୍ରବାସୀ

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ଯୋଗୁଁ ଓଡିଆ ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଫେରାଇ ଅଣାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଗତକାଲି କେରଳ,ରାଜସ୍ଥାନ ଓ ଗୁଜୁରାଟରୁ ବହୁ ଶ୍ରମିକ ଓ ଛାତ୍ର ଛାତ୍ରୀ ଜଗତସିଂହପୁର ଜିଲ୍ଲାକୁ ଫେରି ଆସିଛନ୍ତି। ଗତକାଲି ମଧ୍ୟାହ୍ନରେ କେରଳର ଏର୍ଣ୍ଣାକୁଲମ୍ ଟ୍ରେନ୍ ଯୋଗେ ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିବା ପରେ ଜଗତସିଂହପୁର ଜିଲ୍ଲାର ୭ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ବସ୍ ଯୋଗେ ଜଗତସିଂହପୁର ଆଣି ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ୫ ଜଣଙ୍କୁ ବାଲିକୁଦା ଓ ୨ ଜଣଙ୍କୁ ଏରସମା ବ୍ଲକକୁ ପଠାଇ ଦିଆଯାଇଥିଲା। ସେଠାରେ ବିଡିଓ ସ୍ଥିର କରିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ୧୪ ଦିନ ସଂଗରୋଧରେ ରହିବେ। ସେହିପରି ୧୫ଜଣ ସୁରଟ୍ ଫେରନ୍ତା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରୁ ବସ୍ ଯୋଗେ ଅପରାହ୍ନରେ ଜଗତସିଂହପୁର ଅଣାଯାଇ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଏରସମା ବ୍ଲକର ୬ଜଣ, କୁଜଙ୍ଗ ବ୍ଲକର ୫ଜଣ ଓ ରଘୁନାଥପୁର ବ୍ଲକର ୨ଜଣ, ବାଲିକୁଦା ବ୍ଲକର ୧ଜଣ ଓ ନାଉଗାଁ ବ୍ଲକର ୧ଜଣଙ୍କୁ ନିଜ ନିଜ ବ୍ଲକର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି।

ସେହିପରି ରାଜସ୍ଥାନର କୋଟାରୁ ଆସିଥିବା ଜଗତସିଂହପୁର ଜିଲ୍ଲାର ୧୩ଜଣ ଛାତ୍ର ଛାତ୍ରୀଙ୍କୁ କଟକରୁ ବସ୍ ଯୋଗେ ଅଣାଯାଇ ଜଗତସିଂହପୁର ସରଳା କଲ୍ୟାଣ ମଣ୍ଡପରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଜଗତସିଂହପୁର, ନାଉଗାଁ ବ୍ଲକର ଜଣେ ଲେଖାଏଁ ଥିବାବେଳେ କୁଜଙ୍ଗ ବ୍ଲକର ୨ଜଣ ଓ ପାରାଦ୍ବୀପ ମ୍ୟୁନିସିପାଲିଟିର ୯ଜଣଙ୍କୁ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜେ ଉପସ୍ଥିତ ରହି ଶ୍ରମିକ ଓ ଛାତ୍ର/ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ସେମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ସହିତ ୧୪ ଦିନ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ଏସ୍.ପି ପ୍ରକାଶ ଆର୍, ଏ.ଡି.ଏମ୍ ସଚିଦାନନ୍ଦ ସାହୁ, ମେଡିକାଲ ଟିମ୍, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରବାସୀ ଶ୍ରମିକଙ୍କ ପାଇଁ ଜଗତସିଂହପୁର ପୌରାଞ୍ଚଳ, ବାଲିକୁଦା ବ୍ଲକର ବାଲିକୁଦା, ଅଳାଭର ଓ ବଡଗାଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଶଯ୍ୟା ବ୍ୟବସ୍ଥା, ବିଦ୍ୟୁତ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେହିପରି ଆଜି କେରଳରୁ ୧୪ଜଣ ପ୍ରବାସୀଙ୍କୁ ବ୍ରହ୍ମପୁର ଜଗନ୍ନାଥପୁର ଷ୍ଟେସନରୁ ଅଣାଯାଇ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ତିର୍ତ୍ତୋଲ ବ୍ଳକର ୬ଜଣ, ବାଲିକୁଦାର ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିର ୩ଜଣ ଓ ଏରସମା ବ୍ଲକର ୨ଜଣଙ୍କୁ ସେମାନଙ୍କ ବ୍ଲକ୍ ଅଞ୍ଚଳକୁ ପଠାଯିବ। ସେହିପରି ଗୁଜୁରାଟର ସୁରାଟରୁ ୮ଜଣ ଶ୍ରମିକଙ୍କୁ କଟକରୁ ଗାଡିରେ ଅଣାଯିବ ଓ ସେମାନଙ୍କ ସ୍ୱାବ ସଂଗ୍ରହ କରି ନାଉଗାଁ ବ୍ଲକକୁ ୬ଜଣ ଓ ବାଲିକୁଦାକୁ ୨ଜଣଙ୍କୁ ପଠାଇ ଦିଆଯିବ। ବାଙ୍ଗାଲୋରରୁ ୧୯ଜଣ ପ୍ରବାସୀଙ୍କୁ ଭୁବନେଶ୍ବରରୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତକାଲି ପାରାଦ୍ବୀପର ୫ଜଣ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଝାଡଖଣ୍ଡକୁ ପଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବାହାରେ ଫସିଛନ୍ତି ଦେଢଲକ୍ଷ ଓଡ଼ିଆ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ ଲକ୍ଷ ଓଡ଼ିଆ । ଆଜି ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ପରେ ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କର ସୂଚନା ଦେଇ ଗୃହ ସଚିବ ସଞ୍ଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଣ୍ଟ୍ରେଲ ରୁମକୁ 5,200 ଲୋକ କଲ କରିଛନ୍ତି ବୋଲି ସୂଚନା ରହିଛି । ଏହା ସହ ବିପଦରେ ଥିବା କିମ୍ୱା ସମସ୍ୟାରେ ଥିବା ଅଧିକାଂଶ ଲୋକଙ୍କ ପାଖରେ ପହଁଞ୍ଚିଛି ପ୍ରଶାସନ । ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ  ପ୍ରଶାସନ କାର୍ଯ୍ୟ ଜାରି ରଖିବ । ଦିଲ୍ଲୀ, ଏନ୍‌ସିଆର୍‌, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଲୋକ ରହିଛନ୍ତି ବୋଲି ଜଣାପଡିଛି ।