ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି : ମୁଖ୍ୟ ଶାସନ ସଚିବ

Published: May 26, 2020, 5:24 pm IST

ଭୁବନେଶ୍ବର : ରାଜ୍ୟରେ କରୋନା ଭାଇରସ୍‌ର ସଂକ୍ରମଣକୁ ନେଇ ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏହି ରୋଗଟି ଅତ୍ୟନ୍ତ ଭୟାବହ ଏବଂ ଅଦୃଶ୍ୟ ଶତ୍ରୁ । ଏହି ଭୂତାଣୂର ପ୍ରଭାବ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାର ମୁକାବିଲା ଯୋଜନା ମଧ୍ୟ ପରିବର୍ତ୍ତନଶୀଳ । ବିଗତ ଦୁଇ ମାସ ମଧ୍ୟରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବିଭିନ୍ନ ଡାକ୍ତରଙ୍କ ସହିତ ସରକାରଙ୍କ ପକ୍ଷରୁ ପରାମର୍ଶ କରିବା ସହିତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯାଇଛି । ଏହି ସମୟଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଆସନ୍ତା ପନ୍ଦର ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଥିବା ନେଇ ମୁଖ୍ୟ ଶାସନ ସଚିବ ମତ ଦେଇଛନ୍ତି । ଏହା ମଧ୍ୟରେ ଏକ 15 ଦିନିଆ ଆଇସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସଚେତନତା କାର୍ଯ୍ୟକ୍ରମରେ ସୋସିଆଲ୍‌ ଡିଷ୍ଟାନ୍ସିଂର ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯିବ ।ସାମାଜିକ ଦୂରତା, ମାସ୍କ, ହାତଧୁଆ ଏବଂ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବା ବିଷୟରେ ସୂଚନା ଦିଆଯିବ ।

ସେହିପରି ସାମୁଦ୍ରିକ ବାତ୍ୟା ଆମ୍ପାନର ସଫଳ ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟ ଶାସନ ସଚିବ । ଏହି ବାତ୍ୟାରେ କୌଣସି ଧନଜୀବନ ହାନି ଘଟିନଥିବା ବେଳେ ଚାଷ ଏବଂ ବିଦ୍ୟୁତ ସରବରାହରେ ବ୍ୟାପକ କ୍ଷତି ହୋଇଥିଲା । ଭବିଷ୍ୟତରେ ବିଦ୍ୟୁତ୍‌ ଏବଂ ବାସଗୃହ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟ ଶାସନ ସଚିବ ।

ଓଡିଶାର ଜନସଂଖ୍ୟା 4.6 କୋଟି ହୋଇଥିବା ବେଳେ ପ୍ରତି 10 ଲକ୍ଷରେ ରାଜ୍ୟରେ 33 ଜଣ ଆକ୍ରାନ୍ତ ରହିଛନ୍ତି । ଭାରତବର୍ଷରେ ଏହି ହାର 108 ରହିଛି । ଏହି ସମୟରେ ରାଜ୍ୟରେ ପ୍ରତି 10 ଲକ୍ଷରେ 3 ହଜାର ଟେଷ୍ଟିଂ କରାଯାଉଥିବା ବେଳେ ଭାରତରେ ଏହି ହାର 2316 ରହିଛି । ରାଜ୍ୟରେ ମୃତ୍ୟୁହାର 0.46 ପ୍ରତିଶତ ରହିଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହି ହାର 2.86 ପ୍ରତିଶତ ରହିଛି । ରାଜ୍ୟରେ 86ଟି ଟେଷ୍ଟରେ ଗୋଟିଏ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହା 21.49 ରହିଛି । ରାଜ୍ୟରେ ଡବଲିଂ ରେଟ୍‌ 11.05 ରହିଥିବା ବେଳେ ଜାତୀୟ ହାର 13.05 ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1,31,595ଟି ଟେଷ୍ଟ ହୋଇଥିବା ବେଳେ ସମଗ୍ର ଦେଶରେ 31.2 ଲକ୍ଷ ଟେଷ୍ଟ ହୋଇଛି । ଓଡିଶାର ଏହି ମଡେଲ୍‌କୁ ସମଗ୍ର ଦେଶରେ ପ୍ରଶଂସା କରାଯାଉଛି । ରାଜ୍ୟର ସମସ୍ତ ଗଣମାଧ୍ୟମ ଏପରିକି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓଡିଶାର ଚିକିତ୍ସା ମଡେଲ୍‌କୁ ପ୍ରଶଂସା କରିଛନ୍ତି ।

ସେହିପରି ଜୋନ୍‌ ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି । ପୂର୍ବପରି ସରକାର ଜୋନ୍‌ ନିର୍ଦ୍ଧାରଣ ନିଷ୍ପତ୍ତି ଗ୍ରହଣ ନକରି ଏହାକୁ ଜିଲ୍ଳାପାଳ କିମ୍ବା ମ୍ୟୁନିସିପାଲିଟି କମିଶନରଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ବାରେଣ୍ଟାଇନ୍‌ ନିୟମକୁ କଡାକଡି ଭାବରେ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ 8 ଲକ୍ଷ କ୍ବାରେଣ୍ଟିନ୍‌ ବେଡ୍‌ ପ୍ରସ୍ତୁତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ 3 ଲକ୍ଷ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକ ନିଜର କ୍ବାରେଣ୍ଟିନ୍‌ ଅବଧି ସମାପ୍ତ କରି ଘରକୁ ଫେରିଛନ୍ତି । ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ବ୍ୟତିରେକ ରାଜ୍ୟରେ ଟେଷ୍ଟିଂ କ୍ଷମତା ଅଧିକ କରାଯାଇଛି । ସେହିପରି ସରକାରଙ୍କ ପକ୍ଷରୁ 15 ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 3ହଜାର ଲୋକ ଏଠାରେ ଅଛନ୍ତି । ରାଜ୍ୟରେ 7 ଦିନ କ୍ବାରେଣ୍ଟିନ୍‌ ଏବଂ 14 ଦିନ ହୋମ୍‌ କ୍ବାରେଣ୍ଟିନ୍‌ ଅବଧି ରଖାଯାଇଥିବା ବେଳେ ଆବଶ୍ୟକୀୟ ସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରିବ । ରାଜ୍ୟ ମଧ୍ୟକୁ ବର୍ତ୍ତମାନ 109ଟି ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ରେ 1 ଲକ୍ଷ 53 ହଜାର ପ୍ରବାସୀ ଆସିଥିବା ବେଳେ ଗଞ୍ଜାମକୁ ସର୍ବାଧିକ 73 ହଜାର, ବଲାଙ୍ଗୀରରେ 11 ହଜାର, ବାଲେଶ୍ବରରେ 11 ହଜାର, କେନ୍ଦ୍ରାପଡାରେ 7500, କଟକରେ 5603 ଜଣ ପ୍ରବାସୀ ଫେରିଛନ୍ତି । ଏହା ମଧ୍ୟରେ ଗୁଜରାଟରୁ 50, ତେଲେଙ୍ଗାନାରୁ 17, ତାମିଲନାଡୁରୁ 13, ଆନ୍ଧ୍ର 9, ମହାରାଷ୍ଟରୁ 8ଟି ଏବଂ ଅନ୍ୟାନ୍ୟ ରାଜ୍ୟରୁ 12ଟି ଟ୍ରେନ୍‌ ଫେରିଛି ।

Related posts