ହାତରୁ ପଇସା ଖର୍ଚ୍ଚ କରି ଫେରୁଛନ୍ତି କଳାହାଣ୍ଡିର ପ୍ରବାସୀ ଶ୍ରମିକ

Published: May 30, 2020, 8:44 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରାଯାଇଥିବା ବେଳେ ଏହାର ସୁବିଧା ଶ୍ରମିକଙ୍କ ନିକଟରେ ଏହାର ସୁବିଧା ପହଞ୍ଚିପାରୁନାହିଁ । ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଯାଉଥିବା ବେଳେ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି ସରକାର । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନେ ଏହି ସୁବିଧାରୁ ବଞ୍ଚିତ ରହୁଥିବା ବେଳେ ନିଜ ହାତରୁ ଖର୍ଚ୍ଚ କରି ରାଜ୍ୟକୁ ଫେରିଛନ୍ତି ।

ପ୍ରବାସୀ ଶ୍ରମିକ ମାନଙ୍କୁ ଫେରିବା ପାଇଁ ଓଡିଶା ସରକାର ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବା ସହିତ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପଦାଧିକାରୀ ମାନଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡିଛି । ଏତେ ସବୁ ବ୍ୟବସ୍ଥା ସତ୍ୱେ ଶହ ଶହ ଶ୍ରମିକ ଚାଲି ଚାଲି, ସାଇକେଲରେ, ଏପରିକି ବର୍ଷ ତମାମ କଷ୍ଟ କରି ଉପାର୍ଜନ କରି ସଂଚିଥିବା ଟଙ୍କା ଖର୍ଚ୍ଚ କରି ଗାଡି ଭଡା କରି ଘରକୁ ଫେରୁଥିବା ଦେଖାଯାଉଛି । ଗତ ୨୪ ତାରିଖ ଦିନ କଳାହାଣ୍ଡି ର ଧର୍ମଗଡ ବ୍ଲକ ହାତୀପଖାନ ଓ ବେହେରାଗୁଡା ଗ୍ରାମର ୪୩ ଜଣ ପ୍ରବାସୀ ଶ୍ରମିକ ଗୋଆରୁ ନିଜ ଖର୍ଚ୍ଚରେ ଏକ ବସ ଭଡା କରି ଧର୍ମଗଡ ଫେରିଥିଲେ । ଲକଡାଉନ ସ୍ଥିତିରେ କାମ ନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ବେଳେ ନିଜ ପାଖରେ ପାଇସାପତ୍ର ନଥିବାରୁ ବସଭଡା ବାବଦକୁ ୧ଲକ୍ଷ ୯୫ ହଜାର ଟଙ୍କା ନିଜ ନିଜ ଘରୁ ଟଙ୍କା ମଗାଇ ଫେରିଥିଲେ । ଅନଲାଇନ ରେ ଆବେଦନ କରିଥିଲେହେଁ ସେମାନଙ୍କୁ କୌଣସି ସରକାରୀ ବ୍ୟବସ୍ଥା କରାଯାଇନଥିବାରୁ ନିଜ ଖର୍ଚ୍ଚ କରି ଫେରିଥିବା ଉକ୍ତ ପ୍ରବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଜୟନ୍ତପୁର ଟିଏମସିରେ ରଖାଯାଇଥରବା ଜଣାପଡିଛି ।

ସେହିପରି ଦଣ୍ଡପାଟ ଅଂଚଳର ଛଂଚାଣ ବାହାଲି ଗ୍ରାମର ୪୦ ଜଣ ପ୍ରବାସୀ ଶ୍ରମିକ ଗୋଆର ରାଜଧାନୀ ପାଣାଜୀରୁ ୨ଲକ୍ଷ ୩୦ ହଜାର ଟଙ୍କା ଦେଇ ଏକ ଘରୋଇ ବସ ଭଡା କରି ଧର୍ମଗଡ ଫେରିଥିବା ଜଣାପଡିଛି । ଅନଲାଇନରେ ପଂଜୀକରଣ କରିଥିଲେହେଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ସେମାନେ ବାଧ୍ୟ ହୋଇ ଗାଡି ଭଡା ଦେବାକୁ ଫ୍ୟାକ୍ଟ୍ରି ମାଲିକ ଠାରୁ ଅଗ୍ରିମ ଆଣି ବସଭଡାକରି ଫେରିଥିବା ପ୍ରକାଶ କରିଛନ୍ତି । ସେମାନଙ୍କୁ ଛଂଚାଣବାହାଲି ଟିଏମସିରେ ରଖାଯାଇଥିବା ପ୍ରକାଶ । ସରକାରଙ୍କ ପକ୍ଷରୁ କରାଯାଉଥିବା ପଞ୍ଜୀକରଣ କରାଯାଉଥିବା ବେଳେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

Related posts