Categories
ଆଜିର ଖବର

ବିଜେପି ନୀତିଶଙ୍କ ଧୋକା ନମ୍ବର ୨ ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ : ଉପେନ୍ଦ୍ର କୁଶଓ୍ବାହା

ପୂର୍ବତନ ବିଜେପି ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ନେତା ଉପେନ୍ଦ୍ର କୁଶଓ୍ବାହା ବିଜେପି ଜେଡିୟୁ ବିବାଦରେ ମୁହଁ ଖୋଲିଛନ୍ତି। ବିଜେପି ନୀତିଶ କୁମାରଙ୍କ ଧୋକା ନମ୍ବର ଦୁଇ ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ବୋଲି କୁଶଓ୍ବାହା ମତ ଦେଇଛନ୍ତି। ଜନାଦେଶକୁ ଅପମାନିତ କରିବାରେ ନୀତିଶ ସିଦ୍ଧହସ୍ତ ଏବଂ ପୂର୍ବରୁ ଅନେକ ବାର ସେ ଏପରି କରି ସାରିଛନ୍ତି ତେଣୁ ବିଜେପି ନୀତିଶଙ୍କ ଧୋକା ନମ୍ବର ୨ ପାଇଁ ପ୍ରସ୍ତୁତ ରହିବା ଉଚିତ। ଏମିତି କୌଣସି ବ୍ୟକ୍ତି ବିଶେଷ ବା ରାଜନୈତିକ ଦଳ ନାହିଁ ଯାହାକୁ ନୀତିଶ ଠକି ନାହାନ୍ତି ତେଣୁ ବିଜେପି ସାବଧାନ ରହିବା ଉଚିତ୍‌। କୁଶଓ୍ବାହା କହିଛନ୍ତି, ଜେଡିୟୁ ନେତା ଜୁନ୍‌ ୨୦୧୩ରେ ବିଜେପି ସହିତ ମେଣ୍ଟ କରିଥିଲେ। ପରେ ଆରଜେଡି ଏବଂ କଂଗ୍ରେସ ସହିତ ମିଶି ବିହାରରେ ମହାମେଣ୍ଟ ଗଠନ କରିଥିଲେ ଯାହାକୁ ୨୦୧୭ରେ ଛାଡି ପୁନର୍ବାର ବିଜେପି ସହିତ ହାତ ମିଶାଇଥିଲେ। ମାତ୍ର ଚଳିତ କ୍ୟାବିନେଟ୍‌ ପୂର୍ବରୁ ମନ୍ତ୍ରୀପଦକୁ ନେଇ ପୁନର୍ବାର ବିଜେପି ହାତ ଛାଡିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିହାରରେ ନିଜର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରି ନୀତିଶ ଜଣେ ମଧ୍ୟ ବିଜେପି ନେତାଙ୍କୁ ଦଳରେ ସାମିଲ କରିନଥିଲେ।

Categories
ଆଜିର ଖବର

ମୋଦିଙ୍କ ଅଣ ରାଜନୈତିକ ସାକ୍ଷାତକାରକୁ ଓଓ୍ବେସୀଙ୍କ ସମାଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ‘ଅଣ ରାଜନୈତିକ’ ସାକ୍ଷାତକାର ଦେବା ପରେ ଏହାକୁ କଡା ସମାଲୋଚନା କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓୱେସୀ। ମୋଦି ଅକ୍ଷୟଙ୍କ ତୁଳନାରେ ଭଲ ଅଭିନେତା ବୋଲି କହିଛନ୍ତି ଓଓ୍ବେସୀ। ଓୱେସୀ କହିଛନ୍ତି, ମୋଦୀଙ୍କ ସମର୍ଥନରେ ରହିଥିବା ଟିଭି ଆଙ୍କରମାନେ ପ୍ରଧାନମନ୍ତ୍ରୀଙ୍କ ଅଭିନୟ ପ୍ରତ୍ୟାଶାକୁ ପୂରଣ କରି ନ ପାରିବାରୁ ସେ ଜଣେ ବାସ୍ତବ ଅଭିନେତାଙ୍କୁ ନିୟୋଜିତ କରିଛନ୍ତି। ବେରୋଜଗାର ଏବଂ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଓୱେସୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି, ସେ ଜଣେ ଅଭିନେତାଙ୍କୁ ଘରକୁ ଡାକି ଏକ ପରିପୃଷ୍ଟ ସବୁଜ ବଗିଚାରେ ନିଜ ଆଡୁ ସାକ୍ଷାତକାର ଦେଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀ ଆମ୍ବ କେମିତ ଖାଆନ୍ତି ତାହାକୁ ବର୍ଣ୍ଣନା କରୁଛନ୍ତି। ସେହିପରି ରାଜନୈତିକ ଫାଇଦା ପାଇଁ ମମତା ଏବଂ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ନା ମଧ୍ୟ ଏହି ସାକ୍ଷାତକାରରେ ନେଇଥିଲେ ମୋଦି। ପ୍ରକୃତରେ ମୋଦୀ ଅକ୍ଷୟଙ୍କଠାରୁ ଭଲ ଅଭିନେତା। ମୋଦୀଙ୍କ ଅଭିନୟ ଦକ୍ଷତା ଅକ୍ଷୟଙ୍କଠାରୁ ଭଲ। ସାକ୍ଷାତକାର ବେଳେ ମୋଦୀ କହିଛନ୍ତି, ସେ ଦିନକୁ ୪ ଘଣ୍ଟାରୁ ଅଧିକ ଶୁଅନ୍ତି ନାହିଁ। ଯଦି ଏହା ସତ୍ୟ ତା’ହେଲେ ଚାଷୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ? ପୁଲୱାମାରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ? ୨ କୋଟି ଯୁବତୀଯୁବକ କ’ଣ ପାଇଁ ବେକାର ବସିଛନ୍ତି ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର

ସୀତାଙ୍କୁ ନେଇ କୁଶଓ୍ବାହାଙ୍କ ବିବାଦୀୟ ବୟାନ

ରାଷ୍ଟ୍ରୀୟ ଲୋକ ସମତା ପାର୍ଟୀ(ଆରଏଲଏସପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ବିଜେପିକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି। ବିହାରର ଦରଭଙ୍ଗା ଏକ ଜନସଭାକୁ ସମ୍ବୋଧିତ କରି ସେ ବିଜେପିକୁ ଆକ୍ରମଣ କରିଛନ୍ତି ଯାହା ପରେ ବିବାଦ ସୃଷ୍ଟି ହୋଇଛି। ବିଜେପିକୁ ଛଳନାକାରୀ ବୋଲି ଅଭିହିତ କରିବା ସହିତ ରାମଲୀଳାର ନକଲି ସୀତା ବୋଲି ସମ୍ବୋଧନ କରିଥିଲେ। କୁଶୱାହା କହିଛନ୍ତି ଯେ ବିଜେପି ରାମଲୀଲାର ସେହି ନକଲି ସୀତା ପରି, ଯିଏ ପରଦା ସମ୍ନାରେ ରହିଲେ ସମସ୍ତେ ନତ ମସ୍ତକ ହୁଅନ୍ତି ଏବଂ ପରଦା ପଛରେ ସିଗାରେଟ ପିଅନ୍ତି। କୁଶୱାହଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଛି। ଧାର୍ମିକ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଧାର୍ମିକ ସଙ୍ଗଠନ। ମାଆ ସୀତାଙ୍କ ଏହା ଅପମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର

ବିଜେପି ଗୋହତ୍ୟାରେ ସମ୍ପୃକ୍ତ : ବିଜୟ ସାମ୍ପଲା

ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ସାମ୍ପଲା ଦଳ ବିରୋଧରେ ଭୟଙ୍କର ଅଭିଯୋଗ ଆଣିଛନ୍ତି। ବିଜେପି ଗୋହତ୍ୟାରେ ସମ୍ପୃକ୍ତ ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅଭିଯୋଗ କରିଛନ୍ତି ସାମ୍ପଲା। ହୋସିଆରପୁରରୁ ବିଜେପିର ସାଂସଦ ରହିଥିବା ସାମ୍ପଲାଙ୍କୁ ଦଳ ତରଫରୁ ଟିକଟ ନମିଳିବା ପରେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମ୍ପଲା। ଏହି ଅଭିଯୋଗ ଆଣିବା ସହିତ ଟ୍ବିଟ୍ଟରରେ ନିଜ ନାମ ପୂର୍ବରୁ ଚୌକିଦାର ମଧ୍ୟ ହଟାଇଛନ୍ତି। ହୋସିଆରପୁରରୁ ଦଳ ଫଗଓ୍ବାରା ବିଧାୟକ ସୋମ ପ୍ରକାଶଙ୍କୁ ଟିକଟ ପ୍ରଦାନ କରିଥିଲା। ଏକାଧିକ ଟ୍ବିଟ୍‌ ଜରିଆରେ ସାମ୍ପଲା ଦଳକୁ ସମାଲୋଚନା କରିଥିଲେ। ସେହିପରି ଅନ୍ୟ ଏକ ଟ୍ବିଟ୍‌ରେ ଦଳୀୟ ମୁଖ୍ୟଙ୍କୁ ତାଙ୍କର ପ୍ରଦର୍ଶନ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ଦଳିତ ନେତା ସାମ୍ପଲା କହିଥିଲେ, ମୋର କାର୍ଯ୍ୟକାଳ ସମୟରେ ଏକ ବିମାନ ବନ୍ଦର ନିର୍ମାଣ ହୋଇଛି, ଅନେକ ନୂତନ ଟ୍ରେନ୍‌ ସେବା ଏବଂ ରାସ୍ତା ମଧ୍ୟ ନିର୍ମାଣ ହୋଇଛି। ବିକାଶମୂଳକ କାର୍ଯ୍ୟ କରିବା କଣ ଭୁ୍‌ଲ୍‌ ବୋଲି ଅନ୍ୟ ଏକ ଟ୍ବିଟ୍‌ରେ କହିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର କେନ୍ଦ୍ର ମନ୍ତ୍ରୀ ସାମ୍ପଲା। ସୋମ ପ୍ରକାଶଙ୍କ ସହିତ ବିଜେପି ସନ୍ନି ଦେଓଲଙ୍କୁ ଗୁରୁଦାସପୁର ଏବଂ କିରଣ ଖେରଙ୍କୁ ଚଣ୍ଡୀଗଡରୁ ପ୍ରାର୍ଥୀ କରିଛି।

Categories
ଆଜିର ଖବର

ବିବାଦୀୟ ବୟାନ ଦେଲେ ଗୁଜୁରାଟର ଆଦିବାସୀ ବିକାଶ ମନ୍ତ୍ରୀ ଗଣପତ୍‌ : ରାହୁଲ୍‌ଙ୍କୁ କୁକୁର ଛୁଆ ସହ କଲେ ତୁଳନା

ଶନିବାର ଦିନ ଦେଡିଆପାପାଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଗୁଜୁରାଟର ଆଦିବାସୀ ବିକାଶ ମନ୍ତ୍ରୀ ଗଣପତ୍‌ ବାସ୍‌ବା ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସର ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧିଙ୍କୁ ‘ପପି’ କହିବା ସହ ପାକିସ୍ତାନ ଓ ଚୀନ୍‌ ପ୍ରତି ନିଷ୍ଠା ଦେଖାଉଛନ୍ତି ବୋଲି ଆରୋପ ଲାଗିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଓ ଚୀନ୍‌ ତରଫରୁ ଯିଏ ବି ତାଙ୍କୁ ରୋଟି ଦେବ, ସେ ତା’ ଆଡକୁ ଢଳିବେ। ସେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ସହିତ ତୁଳନା କରିଥିବାବେଳେ ରାହୁଲ୍‌ ଗାନ୍ଧିଙ୍କୁ କୁକୁର ଛୁଆ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି ଯେ – ‘ ଆମର ନରେନ୍ଦ୍ର ଭାଇ ହେଉଛନ୍ତି ସିଂହ। ଯେଉଁଠି ସେ ଛିଡ଼ାହେବେ, ଲାଗିବ ଯେ, ଗିର୍‌ଜାତୀୟ ସିଂହ ଛିଡ଼ାଇଛନ୍ତି। ଯଦି ରାହୁଲ୍‌ ଗାନ୍ଧି ଛିଡ଼ାହେବେ, ତେବେ ଏମିତି ଲାଗିବ ଯେ, ନିଜ ଲାଞ୍ଜ ହଲାଉଥିବା ଗୋଟେ ଛୋଟ କୁକୁର। ଯଦି ପାକିସ୍ତାନ ରୁଟି ଦେବେ, ସେ ସେପଟକୁ ଦୌଡ଼ି ପଳାଇବ, ଆଉ ଯଦି ଚୀନ୍‌ କିଛି ଦେବେ, ତେବେ ସେପଟକୁ ମଧ୍ୟ ଦଉଡ଼ି ପଳାଇବ।’ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରାଜ୍‌କୋଟରେ ନିର୍ବାଚନୀ ସମୟରେ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଦେଶର ଚାଲିଥିବା ନିର୍ବାଚନୀ ଉଷ୍ମତା ଭିତରେ ନିଜ ଭାଷାକୁ ସଂଯମ କରିବା ଅତ୍ୟନ୍ତ ଆବଶ୍ୟକ। ବ୍ୟକ୍ତିଗତ ଆରୋପ ଲଗାଇବା ପାଇଁ ଶବ୍ଦର ବ୍ୟବହାର ଅନୁପଯୁକ୍ତ ବୋଲି କହିଥିଲେ। କିନ୍ତୁ ତାଙ୍କ ମନ୍ତ୍ରିମଣ୍ଡଳର ଏହି ମନ୍ତ୍ରୀଙ୍କ ବୟାନ ପୁରା ବିପରୀତ ଦର୍ଶାଉଛି।

Categories
ଆଜିର ଖବର

ମୋଦିଙ୍କୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଲେ ସିଦ୍ଧୁ

ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସହ ନେତାଙ୍କ ବିବାଦୀୟ ବୟାନବାଜି ମଧ୍ୟ ଜାରି ରହିଛି। ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଧ୍ୟ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାଁ ଧରୁନାହିଁ। କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି। ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ୨୦୧୪ରେ ମୋଦିଙ୍କ ଗଙ୍ଗା ମା’ଙ୍କ ନାଁ ନେଇ ଆସିଥିଲେ, କିନ୍ତୁ ୨୦୧୯ରେ ରାଫେଲର ଦଲାଲ ହୋଇ ଯିବେ। ସିଦ୍ଧୁ ବିଜେପିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ମୋଦି କହୁଛନ୍ତି ପେନ୍ ଟିଏ କିଣିଲେ ବିଲ୍ ନେବା ପାଇଁ କିନ୍ତୁ ରାଫେଲ ବିଲ୍ କଥା ପଚାରିଲେ ସେ ହଡବଡେଇ ଯାଉଛନ୍ତି। ଯେଉଁ କବାଟ ବାହାରେ ଚୌକିଦାର ଛିଡା ହେଉଛନ୍ତି, ସେହି କବାଟ ସବୁବେଳେ ଗରିବଙ୍କ ପାଇଁ ବନ୍ଦ ଥିବା ଦେଖିବାକୁ ମିଳୁଛି ବୋଲି ସିଦ୍ଧୁ କହିଛନ୍ତି। ତେବେ ଏହା ପୂର୍ବରୁ ଗତ ବୁଧବାର ଗୁଜୁରାଟର ଅହମ୍ମଦବାଦଠାରେ ଏକ ନିର୍ବାଚନୀ ସଭାରେ ମୋଦିଙ୍କୁ ଟାର୍ଗେଟ କରି ଗୋଧ୍ରା କାଣ୍ଡକୁ ନେଇ ମୋଦିଙ୍କୁ ଘେରିଥିଲେ। ସିଦ୍ଧୁ ଏହି ଅବସରରେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନ ଭଗବାନ କୃଷ୍ଣ ଓ କଂସ, ରାମ ଓ ରାବଣ, ଗଡ୍‌ସେ ଓ ଗାନ୍ଧିଙ୍କ ମଧ୍ୟରେ ହେଉଛି। ଏହି ସହିତ ରାଫେଲ୍‌ ସୌଦା, ବେରୋଜାରୀ ଓ କୃଷକ ବିଷୟବସ୍ତୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହିତ ତାଙ୍କ ସହିତ ବିତର୍କ କରିବାକୁ ଆହ୍ବାନ ଦେଇଛନ୍ତି। କଂଗ୍ରେସର ଷ୍ଟାର ପ୍ରଚାରକ ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍‌ ସମୁଦ୍ର ଭିତରେ ରେଲପଥ ପାଇଁ ପ୍ରଚେଷ୍ଟା ଚଳାଇଛି, ଆମେରିକା ମଙ୍ଗଳରେ ଜୀବନକୁ ଖୋଜିବାର ପ୍ରଯତ୍ନ କରୁଛି ଓ ରୁଷ୍‌ ରୋବାଟ୍‌ ଆର୍ମି ପ୍ରସ୍ତୁତ କରୁଛି କିନ୍ତୁ ଭାରତ କ’ଣ କରୁଛି ? ଆମେ ଚୌକିଦାର କରିବାରେ ସାହାଯ୍ୟ କରୁଛୁ , ଯିଏ ବାସ୍ତବରେ ଚୋର।

Categories
ଆଜିର ଖବର

ଚଳିତ ସରକାର ସର୍ବାଧିକ ବ୍ୟାଙ୍କଋଣ ଛାଡ କରିଛି : କଂଗ୍ରେସ

ନରେନ୍ଦ୍ର ମୋଦି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ। ନରେନ୍ଦ୍ର ମୋଦି ସରକାରକୁ ଶିଳ୍ପପତିଙ୍କ ସରକାର ବୋଲି କହିବା ସହିତ ଚଳିତ ସରକାରରେ ଶିଳ୍ପପତିଙ୍କୁ ସର୍ବାଧିକ ପରିମାଣର ଋଣ ଛାଡ କରାଯାଇଛି। ଚଳିତ ସରକାର ସମୟରେ ୫.୫ ଲକ୍ଷ କୋଟିର ଋଣ ଛାଡ କରାଯାଇଛି ବୋଲି ଅଭିଷେକ ମନୁ ସିଂଘଭୀ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ୫ ବର୍ଷରେ ସମୁଦାୟ ୭ ଲକ୍ଷ କୋଟିର ଋଣ ଛାଡ ହୋଇଥିବା ବେଳେ କେବଳ ଶିଳ୍ପପତିଙ୍କୁ ୫.୫ ଲକ୍ଷ କୋଟିର ଋଣ ଛାଡ କରାଯାଇଛି। ବିଜେପି ପକ୍ଷରୁ କେଉଁ କେଉଁ ଶିଳ୍ପପତିଙ୍କୁ ଋଣ ଛାଡ କରିଛି ତାହାର ସୂଚନା ଜାରି କରିବା ଆବଶ୍ୟକ ବୋଲି ସିଂଘଭୀ କହିଛନ୍ତି। ସାଧାରଣ କରଦାତାଙ୍କ ଅର୍ଥକୁ ଏପରି ଭାବରେ ଅପବ୍ୟବହାର କରାଯିବା ଭୁଲ ବୋଲି ସିଂଘଭୀ କହିଛନ୍ତି।

Categories
ଆଜିର ଖବର

ମୋଦି କ୍ଷମତାକୁ ଆସିଲେ ଦେଶ ଧ୍ବଂସ ହୋଇଯିବ : ସିଦ୍ଧୁ

ପଞ୍ଜାବ କ୍ୟାବିନେଟ୍‌ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସିଦ୍ଧୁ କହିଛନ୍ତି ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିଲେ ଦେଶ ଧ୍ବଂସ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ଚୀନ୍‌ ସମୁଦ୍ର ତଳେ ମେଟ୍ରୋ ଟ୍ରେନ୍‌ ଚଳାଚଳ ପାଇଁ ରାସ୍ତା ନିର୍ମାଣ କରୁଛି, ଆମେରିକା ମଙ୍ଗଳରେ ଜୀବନର ସନ୍ଧାନ କରୁଛି, ଋଷ ରୋବୋଟିକ୍‌ ସେନାବାହିନୀ ନିର୍ମାଣ ପାଇଁ ପ୍ରଚେଷ୍ଟା ଚଳାଇଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ଚୌକିଦାରୀ କରୁଛନ୍ତି ଏବଂ ଯିଏକି ବାସ୍ତବରେ ଜଣେ ଲୁଟେରା’। ଛତିଶଗଡର ରାୟପୁରରେ ଏକ ରାଲିରେ ସେ କହିଛନ୍ତି, କଂଗ୍ରେସ ଏପରି ଏକ ଦଳ ଯାହାର କହିବା ଏବଂ କାର୍ଯ୍ୟ କରିବା ଶୈଳୀରେ କୌଣସି ପ୍ରଭେଦ ନଥାଏ। ପଞ୍ଜାବରେ ସରକାର ପ୍ରତିଜ୍ଞା ମୁତାବକ ୧୧-୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କରିଥିଲେ। ତେଣୁ ଦେଶର ନାଗରିକ ମାନେ ସଚେତନ ହୋଇ ଭୋଟ ପ୍ରଦାନ କରିବା ଉଚିତ ବୋଲାି ସିଦ୍ଧୁ କହିଛନ୍ତି।

Categories
ଆଜିର ଖବର

ଇମ୍ରାନଙ୍କ ମନ୍ତବ୍ୟ ପରେ ବିଜେପିକୁ ସିଧା ଟାର୍ଗେଟ୍‌ କଲେ ଅରବିନ୍ଦ କେଜ୍‌ରୀଓ୍ବାଲା

ପାକିସ୍ତାନ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ବେଶ୍‌ ଉଷ୍ମ। ବିଜେପିକୁ କଂଗ୍ରେସ ସମେତ ଆପ୍‌ ମଧ୍ୟ ଘେରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଖାନ୍‌ ବୟାନ ପରେ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିର ପ୍ରମୁଖ ଅରବିନ୍ଦ କେଜ୍‌ରୀଓ୍ବାଲା ପାକିସ୍ତାନ କ’ଣ ପାଇଁ ନିର୍ବାଚନରେ ବିଜେପିର ବିଜୟ ଚାହୁଁଛି ବୋଲି ପିଏମ୍‌ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରିବା ସହିତ ମୋଦି ଓ ପାକିସ୍ତାନ ସହ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ମୋଦିଜୀ ଜିତିଲେ, ପାକିସ୍ତାନରେ ବାଣ ଫୁଟିବ ବୋଲି ଅରବିନ୍ଦ ଟୁଇଟ୍‌ କରିଛନ୍ତି। ଇମ୍ରାନ୍‌ ଖାନ୍‌ ଭାରତରେ ଆଉଥରେ ବିଜେପି ସତ୍ତାକୁ ଆସିଲେ  ଭାରତ ଓ ପାକ ମଧ୍ୟରେ ଶାନ୍ତିର ବାତାବରଣରେ ଆହୁରି ଉନ୍ନତ ଘଟିବ ଏବଂ କଂଗ୍ରେସ ଜିତିଲେ, କାଶ୍ମୀର ସମସ୍ୟାକୁ ନେଇ ଭାରତ- ପାକ ମଧ୍ୟରେ ଅସ୍ଥିରତା ଦେଖାଦେବ ବୋଲି କହିଥିଲେ। ଇମ୍ରାନ୍‌ଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ବାଲା ମଧ୍ୟ ବିଜେପିକୁ ସିଧା ନିଶାନା କରିଥିଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ମୋଦିଙ୍କୁ ଦିଦିଙ୍କ କଡ଼ା ସମାଲୋଚନା : ହିଟଲର୍‌ ବଞ୍ଚିଥିଲେ ମୋଦିଙ୍କ କାର୍ଯ୍ୟ ଦେଖି ଆତ୍ମହତ୍ୟା କରିଥା’ନ୍ତେ

ମତଦାନର ପ୍ରଥମ ପର୍ଯ୍ୟାୟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏବେ ନିର୍ବାଚନୀ ପ୍ରଚାର ପୂରା ଜୋରସୋର୍‌ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନରେନ୍ଦ୍ର ମୋଦୀ ଦଙ୍ଗା ଓ ହିଂସା ରାସ୍ତା ଦେଇ ରାଜନୀତିକୁ ଆସିଛନ୍ତି। ଏପରିକି ସେ ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ ହିଟ୍‍ଲରଙ୍କୁ ବଳି ଯାଇଛନ୍ତି। ଏବେ ଯଦି ହିଟ୍‍ଲର ଜୀବିତ ଥାନ୍ତେ, ତେବେ ମୋଦୀଙ୍କ ଗତିବିଧି ତଥା କାର୍ଯ୍ୟକଳାପ ଦେଖି ଆତ୍ମହତ୍ୟା କରିଦେଇଥାନ୍ତେ। ମମତା କେବଳ ବିଜେପିକୁ ସମାଲୋଚନା କରିନାହାନ୍ତି, ସେ କଂଗ୍ରେସକୁ ମଧ୍ୟ କଡ଼ା ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ ନିଜ ଦମ୍‌ରେ କେନ୍ଦ୍ରରେ ସରକାର କରିପାରିବ ନାହିଁ। ବିଜେପିର ଉତ୍ଥାନ ପଛରେ କଂଗ୍ରେସ ହାତ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ଲୋକଙ୍କ ଆଶା ପୂରଣ କରିବାରେ ବିଫଳ ହେବାରୁ ବିଜେପିର ଅଭ୍ୟୁଦୟ ହେଲା। ମୋଦୀଙ୍କୁ ହଟାଇବା ପାଇଁ ସବୁ ରାଜ୍ୟରେ ମେଣ୍ଟ କରାଯାଇଛି। ନିକଟରେ ମୋଦି ମମତାଙ୍କୁ ଟାର୍ଗେଟ୍‌ କରି ସ୍ବିଡ୍‌ ବେକ୍ରର୍‌ ଦିଦି ବୋଲି କହି କଟାକ୍ଷ କରିଥିଲେ। ତେବେ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଟିଏମ୍‌ସି ନିଜର ଲଢେଇ ଜାରି ରଖିବ ବୋଲି ମମତା କହିଛନ୍ତି।

Categories
ଆଜିର ଖବର

କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ମନ୍ତବ୍ୟ : ଓମାରଙ୍କୁ ମୋଦିଙ୍କ ସମାଲୋଚନା

‘ଜମ୍ମୁ-କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଜରୁରୀ’। ଏଭଳି ମନ୍ତବ୍ୟ ଦେଇଥିବା ଜମ୍ମୁ-କାଶ୍ମୀରର ନ୍ୟାଶନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ କଂଗ୍ରେସ ଏବଂ ମହାମେଣ୍ଟ ଗଠନ କରିଥିବା ଦଳଗୁଡ଼ିକ ଏହା ଉପରେ ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି ମୋଦି କହିଛନ୍ତି। ମୋଦି ହାଇଦ୍ରାବାଦରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ଅବସରରେ କହିଥିଲେ, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ, ଓମାର ଅବଦୁଲ୍ଲା କହିଛନ୍ତି କି କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ହେବା ଉଚିତ। ଏହି ମନ୍ତବ୍ୟ ଉପରେ କଂଗ୍ରେସ ଏବଂ ମହାମେଣ୍ଟର ସବୁ ସହଯୋଗୀ ଦଳଗୁଡ଼ିକୁ ଜବାବ ଦେବାକୁ ହେବ। ଓମାର ଏହା କହିବାର କାରଣ କ’ଣ ଏବଂ ସେ କିପରି ଏଭଳି ସାହସ କଲେ ବୋଲି ମୋଦି ପ୍ରଶ୍ନ କରିଛନ୍ତି। ମୋଦି କହିଛନ୍ତି, କାଶ୍ମୀର ପାଇଁ ଦୁଇଜଣ ପ୍ରଧାନମନ୍ତ୍ରୀ। ଏଥିରେ କ’ଣ ଆପଣମାନେ ସହମତ ବୋଲି ପ୍ରଶ୍ନ କରିଛନ୍ତି। ମୋଦି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଏଭଳି ପ୍ରଶ୍ନ କରିବା ସହ ସେମାନେ କ’ଣ ଓମାରଙ୍କ ମନ୍ତବ୍ୟରେ ସହମତ କି ବୋଲି ମଧ୍ୟ ପଚାରିଛନ୍ତି।

Categories
ଆଜିର ଖବର

ମେରଠରେ ମୋଦି : ବିପକ୍ଷଙ୍କୁ ଉପରେ ବରଷିଲେ, ନିଜ ସରକାରର ସଫଳତା ବଖାଣିଲେ

୨୦୧୯ ଲୋକସଭା ନିର୍ବାଚନ ପାଇଁ ମେରଠରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ଏହି ସମୟରେ ମୋଦୀ ବିପକ୍ଷଙ୍କ ଉପରେ ଜୋରଦାର ବର୍ଷିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ବାହାନା କରି ସେ ସମସ୍ତ ବିପକ୍ଷଙ୍କୁ ଘେରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଚୌକିଦାର କେବେ ଅନ୍ୟାୟ କରେ ନାହିଁ। ସେ ସମସ୍ତଙ୍କ ହିସାବ ଦେବ ସତ କିନ୍ତୁ ସବୁ ହିସାବ ମଧ୍ୟ ନେବ ବୋଲି ମୋଦି କହିଛନ୍ତି। ସେହିପରି ମିଶନ ଶକ୍ତିକୁ ନେଇ ରାହୁଲ ଗାନ୍ଧୀ କରିଥିବା ଟ୍ୱିଟକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆକ୍ରମଣ କରିଛନ୍ତି। କଂଗ୍ରେସର ନ୍ୟାୟ ଯୋଜନାକୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି।  ଯେଉଁ ସରକାର ୭୦ ବର୍ଷ ଧରି ଗରୀବଙ୍କ ପାଇଁ ଖାତା ଖୋଲି ପାରି ନାହିଁ ସେ ଗରୀବଙ୍କ ଖାତାରେ କଣ ଟଙ୍କା ରଖିବ ବୋଲି କହିଛନ୍ତି। ସେହିପରି ବିଏସ୍‌ପି-ଏସ୍‌ପି ଓ ଆରଏଲ୍‌ଡିର ମହାଗଠବନ୍ଧନ ଉପରେ କଟାକ୍ଷ କରି ତାକୁ ‘ଶରାବ’ ବୋଲି ଆକ୍ଷେପ କରିଛନ୍ତି। ବିପକ୍ଷଙ୍କ ଉପରେ ବିଷୋଦଗାର୍‌ କରିବା ସହିତ ନିଜ ସରକାରର ଗୁଣ କୀର୍ତ୍ତନ କରିଛନ୍ତି ମୋଦି। ସରକାରଙ୍କ ସମସ୍ତ ବ୍ୟବସ୍ଥା ବିଷୟର ବର୍ଣ୍ଣନା କରିବା ସହ ଭାରତକୁ ପୂର୍ବଭଳି ଗୌରବଶାଳୀ କରିବାକୁ ବିଜେପିର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି।

Categories
ଆଜିର ଖବର

ମୋଦି ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, କଂଗ୍ରେସ ଗରିବ ଲୋକଙ୍କୁ ପଇସା ଦେବ : ରଣଦୀପ ସୁର୍ଜେଓ୍ବାଲା

ରାହୁଲ୍‌ଙ୍କର ସର୍ବନିମ୍ନ ନିଶ୍ଚୟ ଆୟର ଘାେଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇ ରାଜନୈତିକ ବାକ୍‌ବିତଣ୍ଡା। ଏହି ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କଟାକ୍ଷ କରୁଛନ୍ତି। ବିଜେପି ଏମ୍‌ଆଇଜିକୁ ସମାଲୋଚନା କରିଥିବାବେଳେ କଂଗ୍ରେସ ଆଜି ଏହାର ଜବାବ ଦେଇଛି। ମୋଦି ସରକାର ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଗରିବ ବିରୋଧୀ ବାେଲି କହିଛି କଂଗ୍ରେସ। କଂଗ୍ରେସର ସର୍ବନିମ୍ନ ନିଶ୍ଚିତ ଆୟ (ଏମ୍‌ଆଇଜି) କୁ ସମାଲୋଚନା କରିବା ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ଏହି ମନ୍ତବ୍ୟ ଦେଇଛନ୍ତି। ଏଆଇସିସି ମିଡିଆ ଇନଚାର୍ଜ ରଣଦୀପ  ସୁର୍ଜେଓ୍ବାଲା କହିଛନ୍ତି  ଯେ, ମୋଦି କିଛି ହାତଗଣତି ବ୍ୟବସାୟୀଙ୍କୁ ୩ ଲକ୍ଷ ୫୦ ହଜାର କୋଟିର ଋଣ ଛାଡ କରି ପାରନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କା ତାଙ୍କୁ କଷ୍ଟ ଦେଇଥାଏ। ନିଜର ପ୍ରଚାର ପ୍ରସାର ପାଇଁ ମୋଦି ୫୦୦୦ କୋଟି ଖର୍ଚ୍ଚ କରୁଛନ୍ତି ମାତ୍ର ଏକ ଗରିବ ପରିବାରକୁ ୭୨୦୦୦ ଟଙ୍କାକୁ କାହିଁକି ବିରୋଧ କରୁଛନ୍ତି ବୋଲି ସୁର୍ଜେଓ୍ବାଲା ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ଘଟଣାରୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ, ଗରିବ ବିରାେଧୀ ମନୋଭାବ ମୋଦି ଏବଂ ବିଜେପିର ଡିଏନ୍‌ଏରେ ରହିଛି। ଗରିବ ଲୋକଙ୍କ ନିମନ୍ତେ ଆୟର ପନ୍ଥା ଏମ୍‌ନରେଗା ଯୋଜନାର ବିରାେଧ କରିଥିଲେ ମୋଦି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ୪ କୋଟି ଚାକିରି ହରାଇଛି। ଜିଏସ୍‌ଟି ଦ୍ବାରା କ୍ଷୁଦ୍ର ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି। ଏହି ସମସ୍ତ ଘଟଣା ମୋଦିଙ୍କୁ ବିଜେପି ବିରୋଧୀ ବୋଲି ପ୍ରମାଣିତ କରୁଛି ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସର ଯୋଜନା ସମ୍ପର୍କରେ ସୁର୍ଜେଓ୍ବାଲା  କହିଥିଲେ – ଦେଶର ୨୦ ପ୍ରତିଶତ ଅତି ଗରିବ ପରିବାରକୁ ପ୍ରତ୍ୟେକ ବର୍ଷ ୭୨,୦୦୦ଟଙ୍କା ଦିଆଯିବ, ଏହି ଅର୍ଥରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ସେ ଏହି ଅବସରରେ ମୋଦିଙ୍କକୁ କଟାକ୍ଷ କରି କହିଛନ୍ତି ଯେ, ମୋଦିଜୀ ଦେଶର ସବୁଠୁ ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, ତେଣୁ କଂଗ୍ରେସ ଦେଶର ସବୁଠୁ ଗରିବ ଲୋକଙ୍କୁ ପଇସା ଦେବ। ଏହି ଯୋଜନାରେ ପାଞ୍ଚ କୋଟି ପରିବାର ଅର୍ଥାତ୍‌ ୨୫ କୋଟି ଲୋକ ଫାଇଦା ପାଇପାରିବେ ବୋଲି ରାହୁଲ୍‌ କହିଛନ୍ତି। ସ୍ବାଧୀନତାର ୭୦ ବର୍ଷରେ ଗରିବ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତରୁ ୨୨ ପ୍ରତିଶତକୁ ଖସି ଆସିଛି ଏହି ସଂଖ୍ୟାକୁ ଶୂନକୁ ଆଣିବା କଂଗ୍ରେସର ଲକ୍ଷ୍ୟ ବୋଲି ଶ୍ରୀ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ପୁଲଓ୍ବାମା ଆକ୍ରମଣକୁ ନେଇ ମୋଦିଙ୍କୁ କଡ଼ା ସମାଲୋଚନା କଲେ ଓଓ୍ବେସି

ପୁଲୱାମା ଆତଙ୍କୀ ଆକ୍ରମଣକୁ ନେଇ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସୁଦ୍ଦିନ୍‌ ଓଓ୍ବୈସି। ପୁଲ୍‌ଓ୍ବାମା ଆକ୍ରମଣ ସମୟରେ ମୋଦି ବିଫ୍ ବିରିଆନୀ ଖାଇ ଆରାମରେ ଶୋଇଥିଲେ ବୋଲି କହିଛନ୍ତି ଓଓ୍ବୈସି। ହାଇଦ୍ରାବାଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଓୱୈସି କହିଛନ୍ତି ଯେତେବେଳେ ପୁଲୱାମାରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ହମଲା ହେଉଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଶୋଇରହିଥିଲେ। ସେହିପରି ବାଲାକୋଟରେ ବାୟୁସେନା ଆକ୍ରମଣରେ ମୃତକଙ୍କ ସଂଖ୍ୟାରେ ବିଜେପିର ରାଜନେତାମାନେ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି କହିଛନ୍ତି ଓଓ୍ବେସି। ସେହିପରି ଗୁରୁଗ୍ରାମ ସଂଖ୍ୟାଲଘୁ ପରିବାର ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପି ଉପରେ ଖୁବ୍‌ ବର୍ଷିଛନ୍ତି ଓଓ୍ବେସି। ଚଳିତ ନିର୍ବାଚନରେ ଓଓ୍ବେସି ହାଇଦ୍ରାବାଦ ଆସନରୁ ଲଢୁଛନ୍ତି।

Categories
ଆଜିର ଖବର

ଧର୍ମେନ୍ଦ୍ରଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କଲେ ରାଜକିଶୋର

ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିବା ପରେ ଓଡିଶାରେ ଦଳବଦଳ ଓ କାଦୁଅ ଫିଙ୍ଗା ରାଜନୀତି ଜୋର୍‌ସୋର୍‌ରେ ଚାଲିଛି। ଟିକେଟ୍‌ ପାଇନଥିବା ଆଶାୟୀ ପ୍ରାର୍ଥୀମାନେ ଦଳ ବଳଦ କରୁଛନ୍ତି ତ ପୁଣି କେତେକ ଦଳରୁ ଇସ୍ତଫା ପ୍ରଦାନ କରୁଛନ୍ତି। ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଥିବା ଉପସଭାପତି ରାଜକିଶୋର ଦାଶ ଆଜି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରି ଔରଙ୍ଗଜେବଙ୍କ ସହିତ ତୁଳନା କରିଛନ୍ତି ରାଜକିଶୋର। ସ୍ବାର୍ଥ ପାଇଁ ବରିଷ୍ଠଙ୍କୁ ଧର୍ମନ୍ଦ୍ରେ ହତ୍ୟା କରୁଛନ୍ତି କହିବା ସହିତ ତାଙ୍କୁ ଗୁଣ୍ଡା ଲଗାଇ ହଇରାଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ରାଜକିଶୋର ବହୁ ସମୟ ଧରି ମୟୂରଭଞ୍ଜରେ ବିଜେପି ପାଇଁ କାର୍ଯ୍ୟ କରିଥିବାବେଳେ ସେ ମୟୂରଭଞ୍ଜର ମୋରଣା ଆସନ ପାଇଁ ଆଶାୟୀ ଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି। ସେ ୪୦ ବର୍ଷ ଆରଏସ୍‌ଏସ୍‌ର ସଦସ୍ୟ ରହିଛନ୍ତି ଏବଂ ଆଜୀବନ ସେ ଆରଏସ୍‌ଏସ୍‌ ସଦସ୍ୟ ରହିବେ ବୋଲି ଶ୍ରୀ ଦାଶ କହିଛନ୍ତି। ସେହିପରି ଗତକାଲି ବିଜେପିର ବରିଷ୍ଠ ନେତା ଦୁର୍ଯ୍ୟାଧନ ମାଝୀ ଟିକେଟ ନ ପାଇବାରୁ କ୍ଷୋଭ ପ୍ରକାଶ କରି ଇସ୍ତଫା ପ୍ରଦାନ କରିଛନ୍ତି।

Categories
ଆଜିର ଖବର

ପାକିସ୍ତାନ ଜାତୀୟ ଦିବସରେ ମୋଦିଙ୍କ ଶୁଭେଚ୍ଛା, ମୋଦିଙ୍କୁ ଟାର୍ଗେଟ୍‌ କଲା କଂଗ୍ରେସ

ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍‌ ଏ ଇନ୍‌ସାଫ୍‌ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍‌ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍‌। ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ। ପାକିସ୍ତାନ ଦିବସ ଅବସରରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ଉପରେ ଭାରତ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏପରି ସମୟରେ ପାକିସ୍ତାନର ଜାତୀୟ ଦିବସ ପାଳନ ଅବସରରେ ନରନ୍ଦ୍ରେ  ମୋଦିଙ୍କ ଶୁଭେଚ୍ଛାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏନେଇ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମଧ୍ୟ ଦାବି କରିଛି। କଂଗ୍ରେସର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଇମ୍ରାନ୍‌ଙ୍କ ଟୁଇଟ୍‌କୁ ନେଇ ମୋଦିଙ୍କୁ ଘେରିବା ସହିତ ଏଇ ଟୁଇଟ୍‌ର ସତ୍ୟାସତ୍ୟ ଜାଣିବାକୁ ଦାବି କରିଛନ୍ତି।