Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଉନ୍ନୟନ କମିଶନର ଅନୁଗର୍ଗ କଲେ ତାଗିଦ୍

ଭୁବନେଶ୍ୱର: ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାର୍ଯ୍ୟକ୍ରମ। ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗଅ ପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ୱାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଆହ୍ୱାନ ଦେଇଛନ୍ତିା

ଗତକାଲି ଲୋକ ସେବା ଭବନରେ ଆୟୋଜିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଲେ ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନ ଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ଋଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ସିଏସ୍‌ପି (ପ୍ଲସ୍‌) ବ୍ୟାଙ୍କ ଆଉଟ୍‌ଲେଟ୍‌ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ଓ ଅଭିନନ୍ଦନୀୟ। ୨୦୨୩ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର କ୍ରେଡିଟ୍‌ ଜମା ଅନୁପାତ ୮୧.୪୪% ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ୮୧.୭୫% କରାଯାଇ ପାରିଥିବାରୁ ସେ ସନ୍ତୋଷ ବ୍ୟକ୍ତକରିଥିଲେ। ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନ, ବ୍ୟାଙ୍କ, ଯୋଜନା ଓ ଜିଲ୍ଲାୱାରୀ ଋଣ ପ୍ରଦାନ କ୍ଷେତ୍ରରେ ପରିଲକ୍ଷିତ ବ୍ୟବଧାନ ହ୍ରାସ ନିମନ୍ତେ ଯତ୍ନବାନ ହେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ବ୍ୟାଙ୍କଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିହାର ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ। ବ୍ୟାଙ୍କଗୁଡ଼ିକ ଅଧିକଶାଖା ଓ ଅଧିକଏ.ଟି.ଏମ ଖୋଲିବା ଉପରେ ଗୁରୁତ୍ୱାରୋପ କରନ୍ତୁ ବୋଲି ସେ ପ୍ରକାଶ କରିଥିଲେ।

ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଶ୍ରୀ ଗୌତମ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଚେୟାରମ୍ୟାନ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଶ୍ରୀ ବିଜୟ କୁମାରଏନ୍‌.କାମ୍ବଲେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶାରଦା ପ୍ରସନ୍ନ ମହାନ୍ତି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ରଶେଖର ଶର୍ମା, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ.କେ. ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍‌ବୋଧନ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସ ନସଚିବ ଶ୍ରୀଏସ୍‌.କେ. ବଶିଷ୍ଠ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍‌.କେ. ଲୋହାନୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଏବଂ ବିଭିନ୍ନ ବ୍ୟାଙ୍କ ତଥା ଲିଡ୍‌ ବ୍ୟାଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ମତବ୍ୟକ୍ତ କରିଥିଲେ।

ଶେଷରେ ପାୱାରପଏଣ୍ଟ ମାଧ୍ୟମରେ ବ୍ୟାଙ୍କଗୁଡ଼ିକର ଉପଲବ୍ଧି ଓ ସଫଳତା ସମ୍ବନ୍ଧରେ ଆଲୋକପାତ କରାଯାଇ ଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ଆଜି ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଉନ୍ନୟନ କମିଶନର ଶ୍ରୀ ଜେନା କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ସାଧାରଣ ବ୍ୟାଙ୍କିଂ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ରହିଛି।

ଜାତୀୟ ସ୍ତରରେ ଏକ ଲକ୍ଷ ଜନସଂଖ୍ୟାର ୧୮.୧୨ ପ୍ରତିଶତ ସ୍ଥାୟୀ ବ୍ୟାଙ୍କ ଥିବାବେଳେ ଆମ ରାଜ୍ୟରେ ଏହା ୧୩.୦୬ ପ୍ରତିଶତ ରହିଛି। ଏହି ବ୍ୟବଧାନକୁ ଖୁବ୍‌ଶୀଘ୍ର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ସବୁ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ନଗଦ ଜମା ଅନୁପାତ ପ୍ରତିବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତିବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇ ସେପେଫମ୍ବର ୩୦ ସୁଦ୍ଧା ୭୬.୮୫ ପ୍ରତିଶତ ହୋଇଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପଞ୍ଜାବ ଏବଂ ସିନ୍ଧ୍‌ ବ୍ୟାଙ୍କ ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି କରିପାରିନାହାନ୍ତି। ଆଗାମୀ ଦିନରେ ଏ କ୍ଷେତ୍ରରେ ଅଗ୍ରଗତି ପାଇଁ ଦୃଷ୍ଟି ଦେବାକୁ ସେ ବ୍ୟାଙ୍କମାନଙ୍କୁ କହିଥିଲେ।

୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନାର ୫୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ପୂର୍ବବର୍ଷ ଏହା ୩୭.୪୧ ପ୍ରତିଶତ ଥିଲା। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉନ୍ନୟନ କମିଶନର ବ୍ୟାଙ୍କଗୁଡ଼ିକୁ ପ୍ରଶଂସା କରିଥିଲେ। ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲରେ ବେସରକାରୀ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟଙ୍କମାନଙ୍କଠାରୁ ଅଧିକ ସଫଳତା ପାଇଛନ୍ତି। ବ୍ୟାଙ୍କଗୁଡ଼ିକ ଏବଂ ଜିଲ୍ଲାପାଳମାନଙ୍କ ମିଳିତ ଉଦ୍ୟମରେ କୃଷିକ୍ଷେତ୍ରରେ ୫୫.୪୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ଉନ୍ନୟନ କମିଶନର ଦର୍ଶାଇଥିଲେ।

ଅର୍ଥ ସଚିବ ଶ୍ରୀ ବିଶାଲ କୁମାର ଦେବ ବୈଠକରେ ଉପସ୍ଥିତ ରହି ରାଜ୍ୟର ନଗଦ ଜମା ଅନୁପାତ, ବାର୍ଷିକ ଋଣ ଯୋଜନା କ୍ଷେତ୍ରର ଲକ୍ଷ୍ୟ ହାସଲ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନର ହାରାହାରି ଋଣ ପରିମାଣକୁ ୨.୭୦ ଲକ୍ଷରୁ ୪ ଲକ୍ଷକୁ ବୃଦ୍ଧି କରିବା ଏବଂ ମିଶନ ଶକ୍ତିକୁ ଅଧିକ ସଶକ୍ତ କରିବା ସମ୍ବନ୍ଧରେ ଆଲୋଚନାରେ ମତ ରଖିଥିଲେ। କୃଷି, ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଏବଂ ରାଜ୍ୟର ପ୍ରଗତି ପାଇଁ ବ୍ୟାଙ୍କଗୁଡ଼ିକର ସମୟୋଚିତ ଋଣ ପ୍ରଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶର କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍‌.କେ. ବଶିଷ୍ଠ, ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌. ଏନ୍‌. ପଣ୍ଡା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ସି ଉଦୟ ଭାସ୍କର, ଏସ୍‌ବିଆଇର ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୋମାଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ରଖିଥିଲେ।